ପୁଲିସ୍‌ ଭୟରେ ଘର ଛାଡ଼ି କିଆ ବୁଦାରେ ରହୁଛନ୍ତି ଲୋକେ

ପାରାଦୀପ(ଓଡ଼ିଶା ରିପୋର୍ଟର): ଗାଁରେ ଅଛି ନିଜ ଘର। ହେଲେ ପଡ଼ିଛି ତାଲା। ଜୀବନ ବିକଳରେ ଗାଁ ଲୋକେ ଲୁଚିଛନ୍ତି କିଆ ବୁଦାରେ। କେବଳ ଖାଇବା ପାଇଁ ମୁହଁରେ ଲୁଗା ଗୁଡ଼ାଇ ଆସି ଚୁପ୍‌କିନା ଖାଇ ଚାଲି ଯାଉଛନ୍ତି। ଏଥିରେ ମଧ୍ୟ ରହିଛି ଭୟ। କାଳେ ଗିରଫ ହୋଇଯିବେ କି? ଏପରି ଭୟରେ ଜୀବନ ଅତିବାହିତ କରୁଛନ୍ତି ଜଗତସିଂହପୁର ଢିଙ୍କିଆ ଗାଁର ଲୋକେ। ଜାନୁଆରୀ ୧୪ ତାରିଖରେ ଆନ୍ଦୋଳନକାରୀଙ୍କ ଉପରେ ହୋଇଥିବା ଲାଠି ଚାର୍ଜ ପରଠାରୁ ଗାଁ ଲୋକେ […]

Dhinkia

Manoranjan Sial
  • Published: Monday, 07 February 2022
  • , Updated: 07 February 2022, 09:27 PM IST

ପାରାଦୀପ(ଓଡ଼ିଶା ରିପୋର୍ଟର): ଗାଁରେ ଅଛି ନିଜ ଘର। ହେଲେ ପଡ଼ିଛି ତାଲା। ଜୀବନ ବିକଳରେ ଗାଁ ଲୋକେ ଲୁଚିଛନ୍ତି କିଆ ବୁଦାରେ। କେବଳ ଖାଇବା ପାଇଁ ମୁହଁରେ ଲୁଗା ଗୁଡ଼ାଇ ଆସି ଚୁପ୍‌କିନା ଖାଇ ଚାଲି ଯାଉଛନ୍ତି। ଏଥିରେ ମଧ୍ୟ ରହିଛି ଭୟ। କାଳେ ଗିରଫ ହୋଇଯିବେ କି? ଏପରି ଭୟରେ ଜୀବନ ଅତିବାହିତ କରୁଛନ୍ତି ଜଗତସିଂହପୁର ଢିଙ୍କିଆ ଗାଁର ଲୋକେ। ଜାନୁଆରୀ ୧୪ ତାରିଖରେ ଆନ୍ଦୋଳନକାରୀଙ୍କ ଉପରେ ହୋଇଥିବା ଲାଠି ଚାର୍ଜ ପରଠାରୁ ଗାଁ ଲୋକେ ଏମିତି ଜୀବନ ଅତିବାହିତ କରୁଛନ୍ତି। ପୁଲିସ୍‌ ଭୟରେ ଗାଁକୁ ଫେରିବାକୁ ସାହସ କରିପାରୁ ନାହାନ୍ତି।

ଜମି ଅଧିଗ୍ରହଣକୁ ବିରୋଧ କରିବାରୁ ଜାନୁଆରୀ ୧୪ ତାରିଖରେ ଘଟିଥିଲା ଲାଠି ଚାର୍ଜ। ଏହି ଘଟଣା ପରଠାରୁ ଗାଁର ବହୁ ଲୋକ ଘର ଛାଡ଼ି ପଳାଇ ଯାଇଛନ୍ତି। କିଏ କେଉଁଠି ପଳାଇ ଯାଇଛନ୍ତି, କେହି ଜାଣିନାହାନ୍ତି। ଏବେ ମଧ୍ୟ ବହୁ ଲୋକ ନିଜ ପରିବାର ଓ ଆତ୍ମୀ ୟସ୍ୱଜନଙ୍କୁ ଖୋଜୁଛନ୍ତି। ଆଜି ପର୍ଯ୍ୟନ୍ତ କାହା ଘରେ ଚୂଲି ଜଳୁନାହିଁ। ଅଧିକାଂଶ ଘରେ ତାଲା ଝୁଲୁଛି। ପୁଲିସ ଭୟରେ ସେମାନେ ଆତ୍ମଗୋପନ କରିଥିବା ଜଣାପଡ଼ିଛି।

କୁଜଙ୍ଗ ଗାଁର ଶକୁନ୍ତଳା ସାମଲ କହିଛନ୍ତି, ଘରେ ଆମକୁ କେବେ ରଖାଇ ଦେଉନାହାନ୍ତି। ଆମେ ଆସି ଭାତ ବାଢ଼ୁଥିବୁ, ସେମାନେ ପହଞ୍ଚି ଯାଉଛନ୍ତି। ଭାତ ଥାଳି ସେଇଠି ଥୋଇ, ଆମେ ପଳାଇ ଯାଉଛୁ। ପାନ ବରଜକୁ ଜବରଦସ୍ତ ଭାଙ୍ଗୁଛନ୍ତି। ଆମେ ପ୍ରତିବାଦ କରିପାରୁନାହୁଁ। ସେଠାକୁ ଗଲେ ଗିରଫ କରିଦେଉଛନ୍ତି। ତେଣୁ ଗାଁରେ ରହିପାରୁନାହୁଁ ବୋଲି ଶକୁନ୍ତଳା କହିଛନ୍ତି।

ସେପଟେ ଆଉ ଜଣେ ଢିଙ୍କିଆବାସୀ କହିଛନ୍ତି, “ଗତକାଲି ଆମ ପାନ ବରଜ ଜବରଦସ୍ତ ଭାଙ୍ଗି ଦେଇଛନ୍ତି। ଘରେ ପୁଅ ଓ ଝିଅ କେହି ନାହାନ୍ତି। ଏବେ କେମିତି ଚଳିବୁ?”

ଗଡ଼କୁଜଙ୍ଗ, ଢିଙ୍କିଆ ଓ ନୂଆଗାଁ ଆଦି ତିନି ପଞ୍ଚାୟତର ମାଟି ହେଉଛି ଉର୍ବର। ସେଥିପାଇଁ ସେଠାରେ ଲୋକମାନେ ପାନ ଚାଷ କରନ୍ତି। ଆଉ କିଆଫୁଲ ତୋଳି ବିକ୍ରି କରିଥାଆନ୍ତି। ବର୍ଷକୁ ଏସବୁରୁ ୨ରୁ ୩ ଲକ୍ଷ ଯାଏଁ ରୋଜଗାର ହୋଇଥାଏ। ସେଥିରେ ଚଳୁଥିଲା ପୂରା ପରିବାର। ହେଲେ ଏବେ ଏହି ଜମିକୁ ରାଜ୍ୟ ସରକାର JSWକୁ ଦେଇଦେଉଛି। ସେଠାରେ ହେବ ଷ୍ଟିଲ୍‌ ପ୍ଲାଣ୍ଟ। ଏଥିପାଇଁ କ୍ଷତିପୂରଣ ବାବଦକୁ ମିଳୁଛି ମାତ୍ର ୫୦ ହଜାର ଟଙ୍କା। ଯେଉଁ ଚାଷୀଙ୍କୁ ମାସିକ ୨ରୁ ୩ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ମିଳୁଥିଲା, ସିଏ ଥରକେ ୫୦ ହଜାର ଟଙ୍କା ପାଇଲେ, ତାହା ସମୁଦ୍ରକୁ ଶଙ୍ଖେ ସଦୃଶ ହେଉଛି। ଏପରି ସ୍ଥିତିରେ ଲୋକେ ଚଳିବେ କେମିତି? କେମିତି ଜୀବନ ଜୀବିକା ସ୍ୱଭାବିକ ହେବ।

Related story