ବଲାଙ୍ଗିର(ଘଟେଶ୍ୱର ମିଶ୍ର): ମାଓ ଇଲାକାରେ ଥାନା ଅଧିକାରୀଙ୍କ ସହିତ ପୁଲିସ ଗାଡିକୁ ଅଟକ ରଖିଛନ୍ତି ଗ୍ରାମବାସୀ। ଏକ ହତ୍ୟାକାଣ୍ଡ ଘଟଣାରେ ପୁଲିସ ପକ୍ଷପାତିତା କରୁଥିବା ଅଭିଯୋଗରେ କରି ଗ୍ରାମବାସୀ ଏଭଳି କାଣ୍ଡ ଭିଆଇଛନ୍ତି। ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଖର୍ଲି ଗାଁରେ ଘଟିଛି ଘଟଣା।
ସୂଚନା ମୁତାବକ, ଗତ ଜୁଲାଇ ମାସ ୨୫ ତାରିଖରୁ ଖର୍ଲି ଗାଁ’ର ଜଣେ ନାବାଳିକା ନିଖୋଜ ଥିଲେ। ୩୦ ତାରିଖରେ ନିକଟସ୍ଥ ଜଂଗଲର ମାଟି ତଳୁ ନାବାଳିକାଙ୍କ ଶବକୁ ଉଦ୍ଧାର କରିଥିଲା ପୁଲିସ। ନାବାଳିକାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ପ୍ରମିକ ତଥା ସ୍ଥାନୀୟ ଗ୍ରାମର ଜଣେ ନାବଳକୁ ଧରିଥିଲା ପୁଲିସ। ତେବେ ଏହି ହତ୍ୟାକାଣ୍ଡରେ ଅନେକ ଲୋକ ସଂପୃକ୍ତ ଥିବା ଅଭିଯୋଗ କରି ଆସୁଥିଲେ ନାବାଳିକାର ପରିବାର ଲୋକେ। କିନ୍ତୁ ପୁଲିସ କୌଣସି ପଦକ୍ଷେପ ନେଇ ନ ଥିଲା।
ସେପଟେ ଗତ ୩୦ ତାରିଖରୁ ଅଭିଯୁକ୍ତର ପରିବାର ଲୋକେ ଗାଁରୁ ଫେରାର ମାରିଥିଲେ। ନୂଆଖାଇ ପାଇଁ ଆଜି ପରିବାର ଲୋକେ ଗାଁକୁ ଆସୁଥିବା ଜାଣିବା ପରେ, ମୃତ ନାବାଳିକାର ଘର ଲୋକେ ଅଭିଯୁକ୍ତର ଘରକୁ ତାଲା ମାରିଦେଇଥିଲେ। ଏହା ଜାଣିବା ପରେ ପୁଲିସ ସନ୍ଧ୍ୟାରେ ଗାଁରେ ପହଞ୍ଚି ଥିଲା। ଫଳରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା। ଗାଁ ଲୋକେ ଦୀର୍ଘ ୩ ଘଣ୍ଟା ହେବ ତୁରେକେଲା ଥାନା ଅଧିକାରୀଙ୍କ ସହିତ ପୁଲିସ ଟିମକୁ ଅଟକ ରଖିଛନ୍ତି। ବିଳମ୍ବିତ ରାତି ହୋଇଥିଲେ ହେଁ ଛାଡ଼ି ନ ଥିଲେ।
ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ ନକରି ଓଲଟା ଅଭିଯୁକ୍ତ ପରିବାର ଲୋକଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଛନ୍ତି ମୃତ ନାବାଳିକାର ପରିବାର ଲୋକେ। ସେପଟେ ମାଓ ଇଲାକାରେ ପୁଲିସ ଅଟକ ରହିବା ଅଲୋଚନାର ବିଷୟ ହୋଇଛି। ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନି।