ଆମେ ସମସ୍ତେ ଗାଁ ଛାଡ଼ି ପଳାଇଯିବୁ...

ଟିଟିଲାଗଡ଼ (ମାନସ ମହାନ୍ତି): ଆମେ ସମସ୍ତେ ଗାଁ ଛାଡ଼ି ପଳାଇଯିବୁ…। ଆଜି ଜିଲ୍ଲା ପ୍ରଶାସନ ଆଗରେ ଗାଁ ଲୋକେ ଏମିତି ଅଜବ ଦାବି ରଖିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ହଠାତ୍‌ ଗାଁ ଲୋକେ କାହିଁକି ଏମିତି ଅଜବ ଦାବି ରଖିଲେ? ଏହାର ଅର୍ଥ ବୁଝିବାକୁ ହେଲେ ୧୫ ଦିନ ତଳେ ଘଟିଥିବା ଏକ ମାମଲା ବିଷୟରେ ଜାଣିବାକୁ ପଡ଼ିବ। ଗୁଣିଗାରେଡ଼ି ଅଭିଯୋଗରେ ବାସଚ୍ୟୁତ ହୋଇଥିବା ପରିବାରକୁ ଗାଁରେ ଥଇଥାନ କରିବାକୁ ଚାହୁଁଛି ପ୍ରଶାସନ। ହେଲେ ପ୍ରଶାସନିକ […]

Titilagarh

Manoranjan Sial
  • Published: Friday, 16 July 2021
  • , Updated: 16 July 2021, 04:23 PM IST

ଟିଟିଲାଗଡ଼ (ମାନସ ମହାନ୍ତି): ଆମେ ସମସ୍ତେ ଗାଁ ଛାଡ଼ି ପଳାଇଯିବୁ...। ଆଜି ଜିଲ୍ଲା ପ୍ରଶାସନ ଆଗରେ ଗାଁ ଲୋକେ ଏମିତି ଅଜବ ଦାବି ରଖିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ହଠାତ୍‌ ଗାଁ ଲୋକେ କାହିଁକି ଏମିତି ଅଜବ ଦାବି ରଖିଲେ? ଏହାର ଅର୍ଥ ବୁଝିବାକୁ ହେଲେ ୧୫ ଦିନ ତଳେ ଘଟିଥିବା ଏକ ମାମଲା ବିଷୟରେ ଜାଣିବାକୁ ପଡ଼ିବ। ଗୁଣିଗାରେଡ଼ି ଅଭିଯୋଗରେ ବାସଚ୍ୟୁତ ହୋଇଥିବା ପରିବାରକୁ ଗାଁରେ ଥଇଥାନ କରିବାକୁ ଚାହୁଁଛି ପ୍ରଶାସନ। ହେଲେ ପ୍ରଶାସନିକ ଅଧିକାରୀଙ୍କ ଆଗରେ ଗାଁ ଲୋକେ ଏମିତି ଅଜବ ସର୍ତ୍ତ ରଖିଛନ୍ତି। ଏପରି ଘଟଣା ଟିଟିଲାଗଡ଼ ବ୍ଲକରେ ଘଟିଛି। 

ବାସଚ୍ୟୁତ ହୋଇଥିବା ଯୁବରାଜ ଭୋଇଙ୍କ ପରିବାରକୁ ଥଇଥାନ କରିବାକୁ ଆଜି ଆଡିସିନାଲ୍‌ ଏସ୍‌ପି ଦିଲ୍ଲୀପ ପଟେଲ୍‌, ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀଙ୍କ ସମେତ ସିନ୍ଧେଇକେଲା ଥାନା ଅଧିକାରୀ ନିମୁର୍ଲା ଗାଁକୁ ଯାଇଥିଲେ। ବୈଠକ ଗାଁ କରି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ବିଜ୍ଞାନ ଯୁଗରେ ଗୁଣିଗାରେଡି କିଛି ନାହିଁ। ଏହା ହେଉଛି ମଣିଷ ମନର ଏକ ଅନ୍ଧବିଶ୍ୱାସ ବୋଲି ଗାଁ ଲୋକଙ୍କୁ ବୁଝାଇଥିଲେ।

ମାତ୍ର ଗାଁ ଲୋକେ କିଛି ଶୁଣିବା ଚକ୍କରରେ ନଥିଲେ। ଉକ୍ତ ପରିବାର ଗୁଣିଗାରେଡି କରୁଥିବାରୁ ଗାଁର ଲୋକଙ୍କର ବହୁ କ୍ଷତି ଘଟିଛି। ଗାଁ ଝିଅଙ୍କ ଦେହରେ କାଳିଶି ଲାଗୁଛି। ବହୁ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ଗାଁ ଲୋକ କହିଥିଲେ। ତେଣୁ ଉକ୍ତ ପରିବାରକୁ ଗାଁ ବାହାର କରିଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ଯଦି ସେହି ପରିବାର ଗାଁକୁ ଫେରି ଆସନ୍ତି, ତାହାହେଲେ ଆମେ ସମସ୍ତେ ପିଲାଛୁଆ ଧରି ଗାଁ ଛାଡ଼ି ପଳାଇ ଯିବୁ। ପ୍ରଶାସନିକ ଅଧିକାରୀଙ୍କୁ ଗାଁ ଲୋକେ ଏମିତି ରୋକ୍‌ଠୋକ୍‌ ଭାବେ ଶୁଣାଇ ଦେଇଥିଲେ। ଯାହାଫଳରେ ପ୍ରଶାସନିକ ଅଧିକାରୀମାନେ ଚିନ୍ତାରେ ପଡ଼ି ଯାଇଥିଲେ।

ଆଡିସିନାଲ୍‌ ଏସ୍‌ପି ଦିଲ୍ଲୀପ ପଟେଲ୍‌ କହିଛନ୍ତି, ଗାଁ ଲୋକଙ୍କ ମନରେ ଥିବା ଅନ୍ଧ ବିଶ୍ୱାସ ଦୂର କରାଯାଉଛି। ପର୍ଯ୍ୟାୟ କ୍ରମେ ସେମାନଙ୍କୁ ବୁଝାଯିବ ବୋଲି ସେ କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି ଗାଁ ଲୋକମାନେ କାହିଁକି ଏତେ କଠୋର ହେଉଛନ୍ତି? ଏହାର ପୂରା କାହାଣୀ ବୁଝିବାକୁ ହେଲେ ୧୫ ଦିନ ତଳକୁ ଯିବାକୁ ପଡ଼ିବ। ଯୁବରାଜ ଭୋଇଙ୍କ ପରିବାର ସହିତ କାହାର ତିକ୍ତତା ହେଲେ ଗାଁ ଲୋକଙ୍କୁ ମିଳୁଥିଲା ଧମକ। ଦେବୀ ପଠାଇ ତୁମର ଅନିଷ୍ଠ କରିବୁ ବୋଲି ଧମକ ଦିଆଯାଉଥିଲା। ତାହାର ଫଳସ୍ୱରୂପ ଗାଁର କେତେକ ଯୁବତୀମାନେ ଅସ୍ୱାଭାବିକ ଆଚରଣ ଦେଖାଉଥିଲେ।କେତେବେଳେ କିଏ ହାମ୍ୱୁଡାଇ ଚୁଟି ଖୋଲି ମୁଣ୍ଡ ହଲାଉଥିଲା ତ ଆଉ କେତେ ବେଳେ ରଡି ଛାଡ଼ୁଥିଲା। ଅସ୍ୱାଭାବିକ ଆଚରଣ ଦେଖାଉଥିବା ବେଳେ ଯୁବତୀମାନେ ଯୁବରାଜ ଭୋଇ ଓ ତାଙ୍କ ପରିବାର ଲୋକଙ୍କ ନାଁ ନେଉଥିଲେ। ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା।

ଦିନକୁ ଦିନ ସ୍ଥିତି ବିଗୁଡ଼ୁଥିବା ଦେଖି ଗତ ୧ ତାରିଖ ସନ୍ଧ୍ୟାରେ ଗାଁରେ ବସିଥିଲା ବୈଠକ। ଏଥିରେ ପଞ୍ଚାୟତର ସରପଞ୍ଚଙ୍କ ସମେତ ବୁଦ୍ଧିଜୀବୀ ଓ କାଳିଶୀ ଲାଗିଥିବା ଯୁବତୀମାନଙ୍କୁ ଡକା ଯାଇଥିଲା। ସେମାନଙ୍କୁ ପ୍ରଥମ ଭାଇରାଲ୍‌ ହୋଇଥିବା ଭିଡିଓ ଦେଖାଯାଇଥିଲା। ତା’ପରେ ଦୀର୍ଘ ସମୟ ଧରି ତାହା ଉପରେ ତର୍ଜମା ହୋଇଥିଲା। ପରେ ଉକ୍ତ ପରିବାରକୁ ଗାଁରୁ ବାହାର କରିଦେବା ପାଇଁ ନିଷ୍ପତ୍ତି ହୋଇଥିଲା।

ନିଷ୍ପତ୍ତି ମୁତାବକ ଯୁବରାଜ ଭୋଇଙ୍କ ପରିବାର ଗାଁ ଛାଡ଼ି ସିନ୍ଧେକେଲା ଥାନାରେ ଲଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ପୁଲିସ ଗାଁକୁ ଆସି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ଗୁଣିଗାରେଡି ପରି ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ ନକରିବାକୁ କହିଥିଲା। ବିଜ୍ଞାନ ଯୁଗରେ ଗୁଡ଼ି ବୋଲି କିଛି ନାହିଁ ବୋଲି ପୁଲିସ ବୁଝାଇଥିଲା। ମାତ୍ର ଗାଁ ଲୋକେ ପୁଲିସର କୌଣସି କଥାକୁ ଶୁଣିନଥିଲେ।

ବିଦ୍ର: ଓଡ଼ିଶା ରିପୋର୍ଟର କୌଣସି ଅନ୍ଧବିଶ୍ୱସକୁ ପ୍ରଶ୍ରୟ ଦିଏ ନାହିଁ।

Related story