ରାଗିଂର ପାଠଶାଳା ପାଲଟିଛି VSSUT! ବର୍ଷକୁ ଆସୁଛି ସବୁଠୁ ଅଧିକ ମାମଲା

ସମ୍ୱଲପୁର(ସଞ୍ଜୟ ଜେନା): ରାଗିଂର ପାଠଶାଳା ପାଲଟିଛି କି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (VSSUT)? ଏପରି କହିବାର କାରଣ ହେଉଛି, ୟୁଜିସିର ତଥ୍ୟ ଅନୁସାରେ ରାଗିଂ ପ୍ରବଣ ଓଡ଼ିଶାରେ ସବୁଠୁ ଆଗରେ ରହିଛି ଏହି ଶିକ୍ଷାନୁଷ୍ଠାନ। VSSUT ହଷ୍ଟେଲରେ ୱେଲ୍‌କମ୍‌ ସେରେମନି ନାଁରେ ସାଙ୍ଘାତିକ ରାଗିଂ ନେଇ ଗତକାଲି ଓଟିଭିରେ ଖବର ପ୍ରସାରଣ ପରେ ଏବେ ଏହି ତଥ୍ୟ ପଦାକୁ ଆସିଛି। ଭିଏସ୍‌ଏସ୍‌ୟୁଟି ହେଉଛି ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ବୈଷୟିକ ବିଶ୍ୱବିଦ୍ୟାଳୟ। ରାଗିଂକୁ ଦୃଷ୍ଟିରେ […]

VSSUT

Manoranjan Sial
  • Published: Friday, 23 August 2019
  • , Updated: 23 August 2019, 07:46 PM IST

ସମ୍ୱଲପୁର(ସଞ୍ଜୟ ଜେନା): ରାଗିଂର ପାଠଶାଳା ପାଲଟିଛି କି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (VSSUT)? ଏପରି କହିବାର କାରଣ ହେଉଛି, ୟୁଜିସିର ତଥ୍ୟ ଅନୁସାରେ ରାଗିଂ ପ୍ରବଣ ଓଡ଼ିଶାରେ ସବୁଠୁ ଆଗରେ ରହିଛି ଏହି ଶିକ୍ଷାନୁଷ୍ଠାନ। VSSUT ହଷ୍ଟେଲରେ ୱେଲ୍‌କମ୍‌ ସେରେମନି ନାଁରେ ସାଙ୍ଘାତିକ ରାଗିଂ ନେଇ ଗତକାଲି ଓଟିଭିରେ ଖବର ପ୍ରସାରଣ ପରେ ଏବେ ଏହି ତଥ୍ୟ ପଦାକୁ ଆସିଛି।

ଭିଏସ୍‌ଏସ୍‌ୟୁଟି ହେଉଛି ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ବୈଷୟିକ ବିଶ୍ୱବିଦ୍ୟାଳୟ। ରାଗିଂକୁ ଦୃଷ୍ଟିରେ ରଖି ଏଠାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଥମ ବର୍ଷର ଛାତ୍ରଙ୍କୁ ଏକ ସ୍ୱତନ୍ତ୍ର ହଷ୍ଟେଲ୍‌ରେ ରଖନ୍ତି। ତା’ପର ବର୍ଷ ଅର୍ଥାତ୍‌ ଦ୍ୱିତୀୟ ବର୍ଷରେ ଏହି ଛାତ୍ରମାନଙ୍କୁ କମନ୍‌ ହଷ୍ଟେଲ୍‌କୁ ସ୍ଥାନାନ୍ତର କରାଯାଇଥାଏ, ଯେଉଁଠି ତୃତୀୟ ଓ ଚତୁର୍ଥ ବର୍ଷ ଛାତ୍ରମାନେ ରହନ୍ତି। ଏ ବର୍ଷ ବି ସେମିତି କରାଯାଇଥିଲା। ଦ୍ୱିତୀୟ ବର୍ଷର ଛାତ୍ରମାନଙ୍କୁ କମନ୍‌ ହଷ୍ଟେଲ୍‌ରେ ସ୍ୱାଗତ କରିବା ପାଇଁ ସିନିୟରମାନେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ତେବେ ସ୍ୱାଗତ ଉତ୍ସବ ସରିବା ପରେ ସିନିୟରମାନେ ହଷ୍ଟେଲ୍ ବାହାରେ ତିଆରି କରାଯାଇଥିବା ଷ୍ଟେଜ୍‌ରେ ଜୁନିୟରମାନଙ୍କୁ ଅପମାନିତ କରିଥିଲେ। ଜୁନିୟର ଛାତ୍ରଙ୍କ ସାର୍ଟ, ପ୍ୟାଣ୍ଟ ଖୋଲି ଛିଡ଼ା କରାଇଥିଲେ। ଅନ୍ତଃବସ୍ତ୍ର ପିନ୍ଧି ସେମାନଙ୍କୁ ନାଚ କରିବାକୁ କହିଥିଲେ। ଏପରିକି ସେମାନଙ୍କୁ ମାଡ଼ ମଧ୍ୟ ମରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ସେହିପରି ହଷ୍ଟେଲ୍‌ ସିଡ଼ିରେ ସେମାନଙ୍କୁ ଦୌଡ଼ାଇଥିଲେ। ଭିଡିଓରେ ପିଲାମାନେ ସିଡ଼ିରେ ଦୌଡ଼ୁଥିବା ଦେଖିବାକୁ ମିଳିଛି।

ସେହିପରି ଅନ୍ୟ ଭିଡିଓଟିରେ ପ୍ରଥମ ବର୍ଷର ଛାତ୍ରଙ୍କ ସାର୍ଟ ଚିରି ଦିଆଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। କିଛି ସିନିୟର ଏ କାର୍ଯ୍ୟ କରୁଥିବା ବେଳେ ଆଉ କିଛି ଏ ଦୃଶ୍ୟ ଉପଭୋଗ କରୁଥିଲେ। ମାତ୍ର ଜଣେ ହେଲେ ପ୍ରତିବାଦ କରିନଥିଲେ।

ଗତକାଲି ଏନେଇ ଖବର ଓଟିଭିରେ ପ୍ରସରଣ ପରେ ରାଜ୍ୟରେ ହଇଚଇ ଖେଳି ଯାଇଥିଲା। ମାମଲାର ତନାଘନା କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୬୨ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଥିଲେ। ହଟାଇ ଦିଆଯାଇଛି ସୁରକ୍ଷାକର୍ମୀଙ୍କୁ। ଖବର ପ୍ରସାରଣ ମାତ୍ର କେଇ ସମୟ ମଧ୍ୟରେ VSSUT କର୍ତ୍ତୃପକ୍ଷ ଖୋଳତାଡ଼ ଆରମ୍ଭ କରିଦେଇଛନ୍ତି। କୁଳପତି ଓ ଡିନ ୨ଟି ହଷ୍ଟେଲକୁ ଯିବା ସହ ପ୍ରଥମେ ୧୦ ଛାତ୍ରଙ୍କୁ ଚିହ୍ନଟ କରି ବର୍ଷକ ପାଇଁ ପରୀକ୍ଷାରୁ ବାଦ୍ ଦେବା ସହ ଅନ୍ୟ ୫୨ ଛାତ୍ରଙ୍କ ବିରୋଧରେ ୨ ହଜାର ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଯାହା ସଂପୃକ୍ତ ଛାତ୍ରଙ୍କ ଅଭିଭାବକଙ୍କଠାରୁ ଆଦାୟ କରାଯିବ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ।

ୟୁଜିସିଙ୍କ ତଥ୍ୟ କହୁଛି, ରାଗିଂ ପ୍ରବଣ ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ। ଏଠାରେ ବର୍ଷକୁ ପ୍ରାୟ ୩୫ଟି ରାଗିଂ ଅଭିଯୋଗ ୟୁଜିସିଙ୍କ ନିକଟରେ ହେଉଛି। ଗତ ସାଢ଼େ ୭ ବର୍ଷ ମଧ୍ୟରେ ପ୍ରାୟ ୨୫୦ଟି ଅଭିଯୋଗ ପଞ୍ଜିକୃତ ହୋଇଛି। ସର୍ବାଧିକ ଅଭିଯୋଗ ବୁର୍ଲା ଭିଏସ୍ଏସ୍ୟୁଟି ଓ ବ୍ରହ୍ମପୁର ଏମ୍‌କେସିଜିରୁ ଆସିଛି। ତେବେ ବୈଷୟିକ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ୍‌ ଗୁଡ଼ିକରେ ରାଗିଂ ରୋକିବା ପାଇଁ ଏଆଇସିଟିଇ ତରଫରୁ ଗତବର୍ଷ ଏକ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ମଧ୍ୟ ଅଣାଯାଇଥିଲା। ଯେଉଁଥିରେ ଦୋଷୀ ଛାତ୍ରଙ୍କ ବିରୋଧରେ ଅପରାଧୀକ ମାମଲା ରୁଜୁ କରାଯାଇପାରିବ ଓ ନିୟମ ଉଲ୍ଲଂଘନ କଲେ କିମ୍ବା ପଦକ୍ଷେପ ନେବାରେ ବିଫଳ ହେଲେ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ରହିଛି। ଏତେସବୁ ପରେ ମଧ୍ୟ କାହିଁକି ରାଗିଂ ଭଳି ବିଶୃଙ୍ଖଳିତ ଆଚରଣକୁ ଆପଣାଉଛନ୍ତି ଛାତ୍ର? କ୍ୟାମ୍ପସରେ ରାଗିଂ ରୋକିବା କ୍ଷେତ୍ରରେ କାହିଁକି ପ୍ରଭାବଶାଳୀ ପଦକ୍ଷେପ ନେଇପାରୁନାହାଁନ୍ତି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ?

Related story