ସରକାରଙ୍କ ଚେତାବନୀ: ନସୁଧୁରିଲେ ଦୁଇଦିନ ପରେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦାୟିତ୍ୱହୀନ ଲୋକଙ୍କ ଯୋଗୁ ଭୁବନେଶ୍ୱର ଓ କଟକରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ନିୟନ୍ତ୍ରଣ କରିବା ନିମନ୍ତେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଟକ ଓ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ, ପୁଲିସ କମିଶନରଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ବୁଧବାରଠୁ କୋଭିଡ୍ ଗାଇଡଲାଇନ ପାଳନ କରୁନଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଚେତାଇ ଦେଇଛନ୍ତି। ଆଜି ଗଣମାଧ୍ୟମକୁ ସମ୍ବୋଧନ କରି […]

pradeep

Manoranjan Sial
  • Published: Monday, 07 September 2020
  • , Updated: 07 September 2020, 07:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦାୟିତ୍ୱହୀନ ଲୋକଙ୍କ ଯୋଗୁ ଭୁବନେଶ୍ୱର ଓ କଟକରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ନିୟନ୍ତ୍ରଣ କରିବା ନିମନ୍ତେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଟକ ଓ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ, ପୁଲିସ କମିଶନରଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ବୁଧବାରଠୁ କୋଭିଡ୍ ଗାଇଡଲାଇନ ପାଳନ କରୁନଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଚେତାଇ ଦେଇଛନ୍ତି।

ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ କୁମାର ଜେନା କହିଛନ୍ତି ଯେ, କରୋନା ମହାମାରୀ ସଂକ୍ରମଣ ରୋକିବା କେବଳ ସରକାରଙ୍କ କାର୍ଯ୍ୟ ନୁହେଁ। ପ୍ରତିଟି ଲୋକଙ୍କ ପିଛା ଗଳିକନ୍ଦିରେ ସରକାର ଜଣେ ଲେଖାଏ ପୁଲିସ୍ ନିୟୋଜିତ କରିପାରିବେ ନାହିଁ। ସଂକ୍ରମଣକୁ ରୋକିବା ଦିଗରେ ଉଭୟ ସରକାର ଓ ନାଗରିକ କାର୍ଯ୍ୟ କରିଲେ ହିଁ କରୋନା ଯୁଦ୍ଧରେ ବିଜୟୀ ହୋଇପାରିବା। ଏବେ ଉଭୟ କଟକ ଓ ଭୁବନେଶ୍ୱରରେ ଦୈନିକ ହଜାରେରୁ ବାରଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି ଦୁଇ ସହରରେ ସର୍ବାଧିକ ଶିକ୍ଷିିତ ବ୍ୟକ୍ତି ରହୁଛନ୍ତି କିନ୍ତୁ ସଂକ୍ରମଣ ଉପରେ ନିୟନ୍ତ୍ରଣ କରାଯାଇ ପାରୁନି। ରାଜ୍ୟ ସରକାର ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରିବା ନିମନ୍ତେ ଲକଡାଉନ୍ ଓ ଶଟଡାଉନ୍ ନିୟମକୁ କୋହଳ କଲେ। କିନ୍ତୁ କିଛି ଲୋକ ଏହାକୁ ଅତ୍ୟନ୍ତ ହାଲୁକା ଭାବେ ନେଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ଜଣ ସଚିବ ଓ ଆଇଜି ର‌୍ୟାଙ୍କର ଅଫିସରଙ୍କୁ ଏହି ଦୁଇ ସହରରେ ସରପ୍ରାଇଜ୍ ଚେକିଂ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। ଆଉ ଲୋକଙ୍କ ହାବଭାବ ଜାଣିବା ପାଇଁ ଭିଡିଓ ମଧ୍ୟ ପ୍ରସ୍ତୁତ ହୋଇଥିଲା।

ଶ୍ରୀ ଜେନା ଏକ ମିନିଟର ଭିଡ଼ିଓ ଦେଖାଇ କଟକର ବାଦାମବାଡ଼ି, ଭୁବନେଶ୍ୱରର ମାର୍କେଟ ବିଲିଡିଂ, ପରିବା ମାର୍କେଟ, ହାଟ ଆଦି ସ୍ଥାନରେ ଲୋକମାନେ କିଭଳି କୋଭିଡ୍ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି ତା’ର ଉଦାହରଣ ଦେଇଥିଲେ। ତେବେ ଯେପର୍ଯ୍ୟନ୍ତ ବ୍ୟକ୍ତି, ପରିବାର, ଗାଁ, ଗୋଷ୍ଠୀସ୍ତରରେ ଲୋକମାନେ ସଚେତନ ନହୋଇଛନ୍ତି ସେପର୍ଯ୍ୟନ୍ତ କେବଳ ସରକାର ଚାହିଁଲେ କରୋନା ଯୁଦ୍ଧରେ ବିଜୟୀ ହୋଇପାରିବା ନାହିଁ। ସାହିମୁରବୀ ଓ ପରିବାରର ମୁରବୀଙ୍କର ବି ଭୂମିକା ରହିଛି। ସରକାର ବିଶେଷଜ୍ଞମାନଙ୍କ କଥାକୁ ଗ୍ରହଣ କରି ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଓ ସାନିଟାଇଜ୍ କରିବା ନିମନ୍ତେ ସମସ୍ତଙ୍କୁ ଅନୁରୋଧ ମଧ୍ୟ କରୁଛନ୍ତି। ଗଞ୍ଜାମ ଜିଲ୍ଲାରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି।

ତେଣୁ ଭୁବନେଶ୍ୱର ଓ କଟକରେ କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଦୁଇ ମହାନଗର ନିଗମର କର୍ତ୍ତୃପକ୍ଷ, ପୁଲିସ କମିଶନରଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି। କରୋନା ନିୟମକୁ ଉଲ୍ଲଘଂନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦଣ୍ଡର ପ୍ରାବଧାନକୁ ମଧ୍ୟ ସରକାର ବଢ଼ାଇ ସାରିଛନ୍ତି। ଯେଉଁମାନେ ନିୟମକୁ ଉଲ୍ଲଘଂନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି।

Related story