ନବୀନଙ୍କ ପଞ୍ଚମ ପାଳିରେ କେଉଁ ବିଭାଗ ମନ୍ତ୍ରୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଛି ନବୀନଙ୍କ ପଂଚମ ଇନିଂସ୍। ମନ୍ତ୍ରିମଣ୍ଡଳ ଗଠନ ପରେ ନୂଆ ମନ୍ତ୍ରୀମାନେ ବି ନିଜ ନିଜ ବିଭାଗର ଦାୟିତ୍ୱ ନେଇସାରିଛନ୍ତି। ଆସନ୍ତୁ ଜାଣିବା ଟିମ୍ ନବୀନ୍‌ରେ କେଉଁ କେଉଁ ବିଭାଗର ମନ୍ତ୍ରୀଙ୍କ ପାଇଁ ରହିଛି ଅଧିକ ଚ୍ୟାଲେଞ୍ଜ୍। ସବୁଠୁ ଅଧିକ ଫୋକସ୍‌ରେ ରହିଛି ଅର୍ଥ ବିଭାଗ। ଏହାର ଦାୟିତ୍ୱ ସମ୍ଭାଳିଥିବା ନିରଂଜନ ପୂଜାରୀଙ୍କ ପାଇଁ ବଡ଼ ଆହ୍ୱାନ ହେଲା ଋଣ ଭାରରେ ବୁଡ଼ିଥିବା ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଧାରିବା। ତା’ସହ ନିର୍ବାଚନ […]

cdd-1

Jyoshna Pradhan
  • Published: Sunday, 02 June 2019
  • , Updated: 02 June 2019, 08:16 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଛି ନବୀନଙ୍କ ପଂଚମ ଇନିଂସ୍। ମନ୍ତ୍ରିମଣ୍ଡଳ ଗଠନ ପରେ ନୂଆ ମନ୍ତ୍ରୀମାନେ ବି ନିଜ ନିଜ ବିଭାଗର ଦାୟିତ୍ୱ ନେଇସାରିଛନ୍ତି। ଆସନ୍ତୁ ଜାଣିବା ଟିମ୍ ନବୀନ୍‌ରେ କେଉଁ କେଉଁ ବିଭାଗର ମନ୍ତ୍ରୀଙ୍କ ପାଇଁ ରହିଛି ଅଧିକ ଚ୍ୟାଲେଞ୍ଜ୍।

ସବୁଠୁ ଅଧିକ ଫୋକସ୍‌ରେ ରହିଛି ଅର୍ଥ ବିଭାଗ। ଏହାର ଦାୟିତ୍ୱ ସମ୍ଭାଳିଥିବା ନିରଂଜନ ପୂଜାରୀଙ୍କ ପାଇଁ ବଡ଼ ଆହ୍ୱାନ ହେଲା ଋଣ ଭାରରେ ବୁଡ଼ିଥିବା ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଧାରିବା।

ତା'ସହ ନିର୍ବାଚନ ପୂର୍ବରୁ ସରକାର ଯେଉଁ ମନଲୋଭା ଘୋଷଣା କରିଥିଲେ ସେଥିପାଇଁ ବ୍ୟୟବରାଦ କରି ସମତୁଲ ବଜେଟ୍ ଉପସ୍ଥାପନ କରିବା। ଏହାବାଦ୍‌ କ୍ଷତିଗ୍ରସ୍ତ ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଓ ଅବକାରୀ ମନ୍ତ୍ରୀ ଭାବେ ବେଆଇନ୍ ମଦ କାରବାର ଉପରେ ଲଗାମ୍ କଷିବା ବି ନିରଂଜନଙ୍କ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ।

ନବୀନଙ୍କ କ୍ୟାବିନେଟ୍‌କୁ ଫେରି ଗୁରୁତ୍ୱପୂର୍ଣ୍ଣ କୃଷି ବିଭାଗ ପାଇଥିବା ଅରୁଣ ସାହୁଙ୍କ ପାଇଁ ସବୁଠୁ ବଡ଼ ଆହ୍ୱାନ ହେବ କାଳିଆ ଯୋଜନାକୁ ଠିକ୍‌ରେ କାର୍ଯ୍ୟକାରୀ କରିବା। ଅତିରିକ୍ତ ୩୩ଲକ୍ଷ ହିତାଧିକାରୀଙ୍କୁ ସଠିକ୍ ଚିହ୍ନଟ କରି ଅର୍ଥ ପ୍ରଦାନ ସହ ଚାଷୀ ଓ ଚାଷ ସମସ୍ୟାର ଉପଯୁକ୍ତ ମୁକାବିଲା କରିବା ତାଙ୍କ ପାଇଁ ମୁଖ୍ୟ ଚ୍ୟାଲେଂଜ ହେବ।

ସେହିପରି ମନ୍ତ୍ରିମଣ୍ଡଳରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ, ଆଇନ ଏବଂ ନଗର ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଥିବା ପ୍ରତାପ ଜେନାଙ୍କ ପାଇଁ 'ଆମ ଗାଁ ଆମ ବିକାଶ', ବିଜୁ ପକ୍କାଘର ନିର୍ମାଣ, ସମସ୍ତଙ୍କୁ ପାନୀୟ ଜଳ ଯୋଗାଣ ବଡ଼ ଚ୍ୟାଲେଂଜ ହୋଇପାରେ। ବିଭିନ୍ନ ଯୋଜନାରେ ଚାଲିଥିବା ପିସି କାରବାର ରୋକିବା, ନଗର ଉନ୍ନୟନ ମନ୍ତ୍ରୀ ଭାବେ ସହରଗୁଡ଼ିକରେ ଜଳବନ୍ଦୀ ସମସ୍ୟା ଦୂର କରିବା ଓ ଆଗକୁ ପୌର ନିର୍ବାଚନ ଥିବାରୁ ତାଙ୍କ କାର୍ଯ୍ୟଶୈଳୀ ଉପରେ ନବୀନଙ୍କ ନଜର ରହିବ। ସେହିପରି ଆଇନ ମନ୍ତ୍ରୀ ଭାବେ ପ୍ରଥମ ବଡ଼ ଚ୍ୟାଲେଞ୍ଜ୍ ହେବ ଶୃଙ୍ଖଳିତ ଭାବେ ରଥଯାତ୍ରା ସମାପନ କରିବା।

ପ୍ରଥମ ଥର ପାଇଁ କ୍ୟାବିନେଟ୍‌ରେ ସାମିଲ ହୋଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପାଇଥିବା ଟୁକୁନି ସାହୁଙ୍କ ଆଗରେ ବି ଚ୍ୟାଲେଞ୍ଜର ଲମ୍ବା ତାଲିକା। ସ୍ୱୟଂ ସହାୟିକା ଗୋଷ୍ଠୀକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଏବଂ ସେମାନଙ୍କୁ ଧାନସଂଗ୍ରହ, ପିଲାଙ୍କ ପାଇଁ ୟୁନିଫର୍ମ ତିଆରି ଭଳି ବିଭିନ୍ନ କାର୍ଯ୍ୟରେ ସାମିଲ କରିବା ବି ଟୁକୁନିଙ୍କ ପାଇଁ ଗୁରୁ ଦାୟିତ୍ୱ ହେବ।

ସେପଟେ ଶକ୍ତି, ଶିଳ୍ପ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ହୋଇଥିବା କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ନାରୀ ନିର୍ଯାତନା ରୋକିବା ଓ ବିଶେଷ କରି ଗତ କିଛି ବର୍ଷରେ ସରକାରଙ୍କୁ ବଦନାମ କରିଥିବା ଗଣଦୁଷ୍କର୍ମ ଉପରେ ଲଗାମ୍ କଷିବା ବଡ଼ ଆହ୍ୱାନ ହେବ।

Related story