ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡି ବନ ସଂରକ୍ଷକ(ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ର ପୋଡ଼ି ହୋଇ ମରିବାକୁ ୨୨ ଦିନ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ଉପରୁ ପର୍ଦ୍ଦା ହଟିପାରିନି। ପୁଲିସ ମଧ୍ୟ ମୃତ୍ୟୁର କାରଣ ଖୋଜି ପାଇନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି ସୌମ୍ୟ ମୃତ୍ୟୁକାଳୀନ ଜମାନ ବନ୍ଦୀରେ କଣ କହିଥିଲେ? ୨୨ ଦିନ ପରେ ମଧ୍ୟ ପୁଲିସ କାହିଁକି ଏନେଇ ମୁହଁ ଖୋଲୁନାହିଁ।
ଗତ ୧୨ ତାରିଖ ରାତିରେ ସୌମ୍ୟ ଓ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ତାଙ୍କ ସରକାରୀ କ୍ୱାର୍ଟର୍ସରେ ଥିଲେ। ରାତି ପ୍ରାୟ ୯ଟା ବେଳେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ପାରଳାଖେମୁଣ୍ଡି ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରାଯାଇଥିଲା। ପାରଳାଖେମୁଣ୍ଡି ଆଇଆଇସି ଓ ଏସ୍ଡିପିଓ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ଼ କରିଥିଲେ।
ସୌମ୍ୟଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ସୌମ୍ୟଙ୍କ ଦେହରେ କେମିତି ନିଆଁ ଲାଗିଲା? ଏନେଇ ପତ୍ନୀ ବିଦ୍ୟାଭାରତୀ ମୁହଁ ଖୋଲୁନଥିଲେ। ଯାହାକୁ ନେଇ ସୌମ୍ୟଙ୍କ ପରିବାର ଲୋକେ ବିଦ୍ୟା ଓ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ଉପରେ ପରୋକ୍ଷରେ ଇଙ୍ଗିତ କରିଥିଲେ। ପରବର୍ତ୍ତୀ ସମୟରେ ବିଦ୍ୟା ଓ ଡିଏଫ୍ଓ ଏପରି ଅଭିଯୋଗକୁ ଖଣ୍ଡନ କରିଥିଲେ। ପରେ ବିଦ୍ୟା, ଡିଏଫ୍ଓ ଓ ରୁଷେୟାଙ୍କ ନାଁରେ ସୌମ୍ୟଙ୍କ ବାପା ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ବିଦ୍ୟା, ଡିଏଫ୍ଓ ଓ ରୁଷେୟାଙ୍କୁ ଜେରା କରିଥିଲା। ଜେରା ପରେ ଗଜପତି ଏସ୍ପି ଡିଏଫ୍ଓ ଓ ରୁଷେୟାଙ୍କୁ କ୍ଲିନ୍ଚିଟ୍ ଦେଇଥିଲେ। ଏବେ ପୂରା ଘଟଣା ବିଦ୍ୟାଭାରତୀଙ୍କ ଚାରି ପାଖରେ ଘୂରି ବୁଲୁଛି।