କରୋନା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନକୁ କଣ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ହାରାହାରି କରୋନା ସଂକ୍ରମିତ ମୃତ୍ୟୁ ତୁଳନାରେ ଗଞ୍ଜାମରେ ମୃତ୍ୟୁ ହାର ଅଧିକ ରହିଥିବାକୁ ନେଇ କେନ୍ଦ୍ର ସରକାର ଚିନ୍ତା ବ୍ୟକ୍ତ କରିଛନ୍ତି। କୋଭିଡ-୧୯ ମହାମାରୀର ପ୍ରଭାବଶାଳୀ ଢଙ୍ଗରେ ନିୟନ୍ତ୍ରଣ ଓ ପରିଚାଳନା ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ଗାଇଡଲାଇନକୁ ପାଳନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ପରାମର୍ଶ ଦେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଶ୍ରୀ ଭୂଷଣ ଆଜି ଡିଜିଟାଲ ମିଡିଆ ମାଧ୍ୟମରେ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ […]

husan

Manoranjan Sial
  • Published: Saturday, 08 August 2020
  • , Updated: 08 August 2020, 08:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ହାରାହାରି କରୋନା ସଂକ୍ରମିତ ମୃତ୍ୟୁ ତୁଳନାରେ ଗଞ୍ଜାମରେ ମୃତ୍ୟୁ ହାର ଅଧିକ ରହିଥିବାକୁ ନେଇ କେନ୍ଦ୍ର ସରକାର ଚିନ୍ତା ବ୍ୟକ୍ତ କରିଛନ୍ତି। କୋଭିଡ-୧୯ ମହାମାରୀର ପ୍ରଭାବଶାଳୀ ଢଙ୍ଗରେ ନିୟନ୍ତ୍ରଣ ଓ ପରିଚାଳନା ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ଗାଇଡଲାଇନକୁ ପାଳନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଶ୍ରୀ ଭୂଷଣ ଆଜି ଡିଜିଟାଲ ମିଡିଆ ମାଧ୍ୟମରେ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଏନଆରଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ମହାନଗର ନିଗମର ପଦାଧିକାରୀ, ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅନ୍ୟମାନଙ୍କ ସହ ବୈଠକ କରି କୋଭିଡ୍ ମୃତ୍ୟୁର କାରଣ ଜାଣି ଏହାକୁ ହ୍ରାସ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି। ଏସବୁ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ଗାଇଡଲାଇନକୁ ପାଳିଲେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇପାରିବ ବୋଲି ସେ କହିଥିଲେ। ଗଞ୍ଜାମ ଜିଲ୍ଲାରେ କୋଭିଡ୍ ନମୂନା ପରୀକ୍ଷା ହାର ବୃଦ୍ଧି, ଠିକ୍ ସମୟରେ ସଂକ୍ରମିତଙ୍କୁ ମେଡିକାଲରେ ଭର୍ତ୍ତିକ କରାଇବା ସହ କୌଣସି ପରିସ୍ଥିତିରେ ଆମ୍ବୁଲାନ୍ସ ଉପଲବ୍ଧ ନଥିବା କଥା ଯେଭଳି କେହି କହିବେ ନାହିଁ ତାହା ସୁନିଶ୍ଚିତ କରାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇସିୟୁ, ଅକ୍ସିଜେନ୍ ସପ୍ଲାଏ ଆଦି ସହ ଭିତ୍ତିଭୂମି ଆଗୁଆ ପ୍ରସ୍ତୁତ କରି ରଖିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୪ହଜାର ଟପିଥିବାବେଳେ ଏବେ ୧୫ହଜାରରୁ ଅଧିକ ଲୋକ ସକ୍ରିୟ ସଂକ୍ରମିତ ଅଛନ୍ତି। ୨୫୯ଜଣଙ୍କ ମୃତ୍ୟୁ ଘଟିଲାଣି। ଏଥିରୁ କେବଳ ଗଞ୍ଜାମ ଜିଲ୍ଲାରେ ୧୨୬୩୩ଜଣ ସଂକ୍ରମିତ ହୋଇଥିବାବେଳେ ୯୬୧୧ଜଣ ସୁସ୍ଥ ହୋଇଛନ୍ତି ଓ ୨୮୮୯ଜଣ ଏବେ ସକ୍ରିୟ ସଂକ୍ରମିତ ଅଛନ୍ତି। ୧୨୫ଜଣଙ୍କ ମୃତ୍ୟୁ ଘଟିଲାଣି। ସେହିପରି ଖୋର୍ଦ୍ଧା(ଭୁବନେଶ୍ୱର) ଜିଲ୍ଲାରେ ମୋଟ ୬୧୦୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏବେ ରାଜ୍ୟର ସର୍ବାଧିକ ୩୨୪୪ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଜିଲ୍ଲାରେ ୩୩ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

ସୂଚନାଯୋଗ୍ୟ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ଭୂଷଣ ଆଜି ଭର୍ଚୁଆଲ ବୈଠକରେ ଦେଶର ସର୍ବାଧିକ କରୋନା ସଂକ୍ରମିତ ୮ଟି ରାଜ୍ୟର ୧୩ଟି ଜିଲ୍ଲାର ସ୍ଥିତିର ସମୀକ୍ଷା କରୁଥିଲେ। ଏହି ୧୩ଟି ଜିଲ୍ଲା ମଧ୍ୟରେ ଗଞ୍ଜାମ ଜିଲ୍ଲା ସାମିଲ ଅଛି।

Related story