ସରକାରଙ୍କୁ ଘାରିଲାଣି ରାଜସ୍ୱ ହ୍ରାସ ଚିନ୍ତା; କଣ ହେବ କାଳିଆ ଭାଗ୍ୟ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ଆର୍ଥିକ ମାନ୍ଦାବସ୍ଥା ମାଡ଼ରେ ଧିମେଇ ଯାଇଛି ରାଜ୍ୟର ଖଣି ବ୍ୟବସାୟ। ଖଣିଜ ଉତ୍ତୋଳନ କମିବା ସହ କମିଛି ଲୁହାପଥର ଦର। ଏପ୍ରିଲ୍‌ରେ ଲୁହାପଥର ଟନ ପିଛା ହାରିହାରି ୪ ହଜାର ଟଙ୍କା ଥିବା ବେଳେ ଏବେ ୩ ହଜାର ଟଙ୍କାକୁ ଖସି ଆସିଛି। ଦେଶର ଆର୍ଥିକ ମନ୍ଦାବସ୍ଥା ଇସ୍ପାତ ଶିଳ୍ପକୁ ବିଶେଷ ପ୍ରଭାବିତ କରିଛି। ଫଳରେ ଖଣି ବ୍ୟବସାୟ ହ୍ରାସ ପାଇଛି। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ନହେଲେ ରାଜ୍ୟରେ ଖଣି ବ୍ୟବସାୟ ଆଗାମୀ […]

kalia.jpg1

Manoranjan Sial
  • Published: Thursday, 29 August 2019
  • , Updated: 29 August 2019, 08:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ଆର୍ଥିକ ମାନ୍ଦାବସ୍ଥା ମାଡ଼ରେ ଧିମେଇ ଯାଇଛି ରାଜ୍ୟର ଖଣି ବ୍ୟବସାୟ। ଖଣିଜ ଉତ୍ତୋଳନ କମିବା ସହ କମିଛି ଲୁହାପଥର ଦର। ଏପ୍ରିଲ୍‌ରେ ଲୁହାପଥର ଟନ ପିଛା ହାରିହାରି ୪ ହଜାର ଟଙ୍କା ଥିବା ବେଳେ ଏବେ ୩ ହଜାର ଟଙ୍କାକୁ ଖସି ଆସିଛି। ଦେଶର ଆର୍ଥିକ ମନ୍ଦାବସ୍ଥା ଇସ୍ପାତ ଶିଳ୍ପକୁ ବିଶେଷ ପ୍ରଭାବିତ କରିଛି। ଫଳରେ ଖଣି ବ୍ୟବସାୟ ହ୍ରାସ ପାଇଛି। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ନହେଲେ ରାଜ୍ୟରେ ଖଣି ବ୍ୟବସାୟ ଆଗାମୀ ଦିନରେ ଅଧିକ ଜଟିଳ ହେବ ବୋଲି ଖଣି ବ୍ୟବସାୟ ସଂଘ ଆଶଙ୍କା ପ୍ରକାଶ କରିଛି। ଏହାଦ୍ୱାରା ରାଜ୍ୟର ରାଜସ୍ୱ ସଂଗ୍ରହରେ ବିପୁଳ କ୍ଷତି ହୋଇପାରେ।

ଚଳିତବର୍ଷ ରାଜ୍ୟ ସରକାର ୮ହଜାର ୫ଶହ କୋଟି ଟଙ୍କାର ଖଣି ରାଜସ୍ୱ ଆଦାୟ ପାଇଁ ଟାର୍ଗେଟ ରଖିଛନ୍ତି। ତେବେ ଏଯାଏଁ ଆଦାୟ ହୋଇଛି ୪ ହାଜର ୨ଶହ କୋଟି। ଗତବର୍ଷ ରାଜ୍ୟ ସରକାର ଖଣି ରାଜସ୍ୱ ବାବଦକୁ ପାଇଥିଲେ ୧୦ ହଜାର ୪୭୯ କୋଟି ଟଙ୍କା। ଯାହାକି ଧାର୍ଯ୍ୟ ଲକ୍ଷ୍ୟଠାରୁ ଢେର ଅଧିକ ଥିଲା। ଏପଟେ ରାଜ୍ୟ ବଜେଟ୍‌ ଖର୍ଚ୍ଚ ଆକଳନ ମୁଖ୍ୟତଃ ଖଣି ରଜସ୍ୱକୁ ଆଖିରେ ରଖି କରାଯାଇଥାଏ। ତେଣୁ ଖଣି ରାଜସ୍ୱ କମିଲେ ବଜେଟ ବାବଦ ବ୍ୟୟବରାଦ ମଧ୍ୟ ପ୍ରଭାବିତ ହୋଇପାରେ। ତା’ସହିତ ବାଣିଜ୍ୟ କର, ଜିଏସ୍‌ଟି ଭାଗ, ପରିବହନ ଟିକସ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି। ତେବେ ଦେଶର ଆର୍ଥିକ ମାନ୍ଦାବସ୍ଥା ଉପରେ ସତର୍କ ଦୃଷ୍ଟି ରଖାଯାଇଥିବା ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।

ସେପଟେ ରାଜ୍ୟର ବିଭିନ୍ନ ଉତ୍ପାଦନ କ୍ଷେତ୍ର ଉପରେ ମଧ୍ୟ ଦେଶର ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଅନୁଭୂତ ହେଲାଣି। ବିଭିନ୍ନ ଘରୋଇ ସଂସ୍ଥାରୁ କର୍ମଚାରୀ ଛଟେଇ ସାଙ୍ଗକୁ କିଛି ଶିଳ୍ପ ବନ୍ଦ ହେବା ଅବସ୍ଥାକୁ ଆସିଲାଣି। ଏପରି ସ୍ଥିତି ଜାରି ରହିଲେ କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଓ ଏସ୍‌ଏଚ୍‌ଜିଙ୍କ ଲାଗି ସରକାର ଘୋଷଣା କରିଥିବା ବିଭିନ୍ନ ଯୋଜନା ଲାଗି ଅର୍ଥ ଯୋଗାଡ଼ କାଠିକର ପାଠ ହୋଇପାରେ। ତେଣୁ ଏସବୁ ଯୋଜନାର ଭାଗ୍ୟ କଣ ହେବ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଜାରି ରହିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଚଳିତ ବଜେଟରେ ରାଜ୍ୟ ସରକାର ୧ ଲକ୍ଷ ୩୯ କୋଟିର ବ୍ୟୟ ଅଟକଳ କରିଛନ୍ତି। ତେବେ ଜୁଲାଇ ମାସ ସୁଦ୍ଧା ଗତବର୍ଷ ତୁଳନାରେ ୨.୮୯ ପ୍ରତିଶତ ଅର୍ଥ କମ ଖର୍ଚ୍ଚ କରିଛନ୍ତି। ଆଗକୁ ମଧ୍ୟ ମାପିଚୁପି ଖର୍ଚ୍ଚ ନକଲେ ରାଜ୍ୟକୁ ଆର୍ଥିକ ମାନ୍ଦାବସ୍ଥାକୁ ସାମ୍ନା କରିବା କଷ୍ଟକର ହେବ।

 

Related story