ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ମିଛ କୁହାଉଛି କିଏ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା କେତେ? ଚଳିତ ମାସର ପ୍ରଥମ ସପ୍ତାହରେ ବିଧାନସଭାରେ ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ ରଖିଥିବା ତଥ୍ୟ ଠିକ୍ ନା ଆଜି ୪ଟି ସେବାର ଅନଲାଇନ ବ୍ୟବସ୍ଥାକୁ ଆରମ୍ଭବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ତଥ୍ୟ ଠିକ୍‌? ଯଦି ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ଉତ୍ତର ଠିକ୍ ତା’ହେଲେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ମିଛ କୁହାଇଲା କିଏ? ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି। ମୁଖ୍ୟମନ୍ତ୍ରୀଙ୍କ […]

naveen-patnaik

naveen-patnaik

Ranjit Kumar Jena
  • Published: Thursday, 22 October 2020
  • Updated: 22 October 2020, 08:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା କେତେ? ଚଳିତ ମାସର ପ୍ରଥମ ସପ୍ତାହରେ ବିଧାନସଭାରେ ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ ରଖିଥିବା ତଥ୍ୟ ଠିକ୍ ନା ଆଜି ୪ଟି ସେବାର ଅନଲାଇନ ବ୍ୟବସ୍ଥାକୁ ଆରମ୍ଭବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ତଥ୍ୟ ଠିକ୍‌? ଯଦି ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ଉତ୍ତର ଠିକ୍ ତା’ହେଲେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ମିଛ କୁହାଇଲା କିଏ? ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୪ଟି ସେବା ପାଇଁ ଅନଲାଇନ୍ ବ୍ୟବସ୍ଥାକୁ ଉଦଘାଟନ କରି ସମସ୍ତଙ୍କ ପାଇଁ ଖାଦ୍ୟସୁରକ୍ଷା ଓ ଜଣେବି ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷାରୁ ବଂଚିତ ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନଏଫଏସଏ)ରୁ ବାଦ୍ ପଡ଼ିଥିବା ୨୫ଲକ୍ଷ ଲୋକଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟ ସରକାର ସାମିଲ କରିଛନ୍ତି। ସାରା ରାଜ୍ୟରେ ମୋଟ ସାଢ଼େ ୩କୋଟିରୁ ଅଧିକ ଲୋକ ଖାଦ୍ୟ ସୁରକ୍ଷାରେ ସାମିଲ ହୋଇଛନ୍ତି।

ଅନ୍ୟପକ୍ଷରେ ଚଳିତମାସର ପ୍ରଥମ ସପ୍ତାହରେ ରାଜ୍ୟ ବିଧାନସଭାରେ ଖାଦ୍ୟଯୋଗାଣ ଓ ଖାଉଟିବ୍ୟାପାର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାୟକ ସୁରେଶ କୁମାର ରାଉତରାୟ ଓ ସନ୍ତୋଷ ସିଂ ସାଲୁଜାଙ୍କ ବିଭିନ୍ନ ପ୍ରଶ୍ନର ଲିଖିତ ତ୍ତର ଦେଇ କହିଥିଲେ ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନଏଫଏସଏ)ରେ ରାଜ୍ୟର ୯୭ଲକ୍ଷ ୭୪ହଜାର ୭୨୦ଟି ପରିବାରର ମୋଟ ୩କୋଟି ୨୪ଲକ୍ଷ ୬୭ହଜାର ୩୪୪ଜଣଙ୍କୁ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ୩ଲକ୍ଷ ୧୯ହଜାର ୫୭୬ଟି ପରିବାରର ୯ଲକ୍ଷ ୫୮ହଜାର ୨୩୭ଜଣଙ୍କୁ ସାମିଲ କରାଯାଇଛି।

କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାସନ କାର୍ଡ ନଥିବା ୫ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି। ଏପ୍ରିଲ, ମେ ଓ ଜୁନ୍ ମାସ ଭିତରେ ଆବେଦନ କରିଥିବା ସମସ୍ତ ଯୋଗ୍ୟ ଆବେଦନକାରୀଙ୍କ ମଧ୍ୟରୁ ୫ଲକ୍ଷ ହିତାଧିକାରୀ(୧ଲକ୍ଷ ୩୮ହଜାର ୦୪୮ଟି ପରିବାର)ର ଲୋକଙ୍କୁ ନୂଆ କାର୍ଡ ପ୍ରଦାନ ସହ ଚାଉଳ ଓ ଡାଲି ଯୋଗାଇ ଦିଆଯାଉଛି।

ଯଦି ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଧାନସଭାରେ ଦେଇଥିବା ଉତ୍ତର ଠିକ୍ ତା’ହେଲେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨୫ଲକ୍ଷ ଲୋକଙ୍କୁ ସାମିଲ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଲେ କେମିତି ଓ ଏହି ତଥ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଲା କିଏ?

ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ତଥ୍ୟରେ ତାଳମେଳ ରହୁନଥିବାବେଳେ ରାଜ୍ୟର ବହୁ ଗରିବ ଓ ଯୋଗ୍ୟ ହିତାଧିକାରୀ ଏବେବି ଖାଦ୍ୟସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଆଜି ମୁଖ୍ୟମନ୍ତ୍ରୀ ଏହି ଅନଲାଇନ୍ ସେବାକୁ ଲୋକାର୍ପଣ କରିବାବେଳେ ସାଧାରଣ ଲୋକ ପରିବର୍ତ୍ତନର ସୁଫଳ ଯେପରି ଠିକ୍ ଭାବେ ପାଇପାରିବେ ସେଥିପାଇଁ ଅନଲାଇନ୍ ବ୍ୟବସ୍ଥା ସମ୍ପର୍କରେ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ମାସକ ମଧ୍ୟରେ କେତେ ଲୋକ ଏହି ଅନଲାଇନ୍ ସୁବିଧାର ବ୍ୟବହାର କଲେ ସେ ସମ୍ପର୍କରେ ଜଣାଇବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅବସରରେ ଗତ ୨୦ବର୍ଷ ମଧ୍ୟରେ ଖାଦ୍ୟ ସୁରକ୍ଷା ଦିଗରେ ଓଡ଼ିଶାରେ ଯେଉଁ ବ୍ୟାପକ ପରିବର୍ତ୍ତନ ଆସିଛି, ତା’ର ସମସ୍ତ ତଥ୍ୟ ସମ୍ବଳିତ ଏକ ପୁସ୍ତକ ‘ମେକିଙ୍ଗ ଅଫ ଏ ଫୁଡ୍ ସିକ୍ୟୁଓର ଓଡ଼ିଶା’କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଯେଉଁ ୪ଟି ସେବା ଅନଲାଇନ ବ୍ୟବସ୍ଥାରେ ଆରମ୍ଭ ହୋଇଛି ସେଗୁଡ଼ିକ ହେଲା ଧାନ ବିକ୍ରୟ ପାଇଁ ଚାଷୀ ମାନଙ୍କ ପଞ୍ଜିକରଣ, ରାସନ କାର୍ଡ ପାଇଁ ଆବେଦନ ଓ ସଂଶୋଧନ, ସୁଲଭ ମୂଲ୍ୟ ଦୋକାନ ପାଇଁ ଲାଇସେନ୍ସ ଫି’ ପ୍ରଦାନ ଓ ସୁଲଭ ମୂଲ୍ୟ ଦୋକାନମାନଙ୍କ ଦ୍ୱାରା ଖାଦ୍ୟଶସ୍ୟର ମୂଲ୍ୟ ପ୍ରଦାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos