ଉପହାର ପ୍ୟାକେଟରେ କିଏ ଖଞ୍ଜିଥିଲା ମୃତ୍ୟୁର ଷଡ଼ଯନ୍ତ୍ର? ଏମାନଙ୍କ ଉପରେ ସନ୍ଦେହ ଘନୀଭୂତ

ବଲାଙ୍ଗିର/ବୌଦ୍ଧ/ପାଟଣାଗଡ଼:(ଓଡ଼ିଶା ରିପୋର୍ଟର):ରାୟପୁରରୁ ସ୍କାଏକିଙ୍ଗ କୋରିଅର ଯୋଗେ ସୌମ୍ୟଶେଖରଙ୍କ ଘରକୁ ଉପହାର ବେଶରେ ଆସିଥିଲା ମୃତ୍ୟୁ । ପାଟଣାଗଡ଼ ଭୋଳାନାଥପଡ଼ା ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ କରୁଥିବା ପୋଲିସ୍ ହାତରେ ଲାଗିଛି ଏହାର ସୁରାକ୍ । ସାଇଣ୍ଟିଫିକ୍ ଓ ଫୋରେନ୍ସିକ୍ ଟିମ୍ ଆଜି ସୌମ୍ୟଶେଖରଙ୍କ ଘରକୁ ଯାଇ ଛାନ୍‌ଭିନ୍‌ କରିଛି। ସେପଟେ ପାର୍ସଲ୍ ବୋମାର ଚେର ଖୋଜିବାକୁ ରାୟପୁର ସମେତ ରାଜ୍ୟ ବାହାରକୁ ଯାଇ ଅନୁସନ୍ଧାନ କରୁଛି ବଲାଙ୍ଗିର ପୋଲିସର ଦୁଇଟି ଟିମ୍। ନୂଆ ଜୀବନ ଆରମ୍ଭ ହେଉଥିଲା […]

p-11

Rakesh Mallick
  • Published: Saturday, 24 February 2018
  • , Updated: 24 February 2018, 11:03 PM IST

ବଲାଙ୍ଗିର/ବୌଦ୍ଧ/ପାଟଣାଗଡ଼:(ଓଡ଼ିଶା ରିପୋର୍ଟର):ରାୟପୁରରୁ ସ୍କାଏକିଙ୍ଗ କୋରିଅର ଯୋଗେ ସୌମ୍ୟଶେଖରଙ୍କ ଘରକୁ ଉପହାର ବେଶରେ ଆସିଥିଲା ମୃତ୍ୟୁ । ପାଟଣାଗଡ଼ ଭୋଳାନାଥପଡ଼ା ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ କରୁଥିବା ପୋଲିସ୍ ହାତରେ ଲାଗିଛି ଏହାର ସୁରାକ୍ । ସାଇଣ୍ଟିଫିକ୍ ଓ ଫୋରେନ୍ସିକ୍ ଟିମ୍ ଆଜି ସୌମ୍ୟଶେଖରଙ୍କ ଘରକୁ ଯାଇ ଛାନ୍‌ଭିନ୍‌ କରିଛି। ସେପଟେ ପାର୍ସଲ୍ ବୋମାର ଚେର ଖୋଜିବାକୁ ରାୟପୁର ସମେତ ରାଜ୍ୟ ବାହାରକୁ ଯାଇ ଅନୁସନ୍ଧାନ କରୁଛି ବଲାଙ୍ଗିର ପୋଲିସର ଦୁଇଟି ଟିମ୍।
ନୂଆ ଜୀବନ ଆରମ୍ଭ ହେଉଥିଲା

ନୂଆ ଏକ ଜୀବନ ଆରମ୍ଭ ହେଉଥିଲା। ପାଦରେ ପାଦ ମିଶାଇ ସାରା ଜୀବନ ଆଗକୁ ବଢ଼ିବାର ସଂକଳ୍ପ କଢ଼ ମେଲୁଥିଲା। ଡେଣା ଝାଡୁଥିଲା କେତେ କେତେ ଅସୁମାରୀ ସ୍ୱପ୍ନ, ସମ୍ଭାବନା। ଶେଖର ଆଉ ରୀନାଙ୍କ ଯୋଡ଼ିକୁ ଯିଏ ଦେଖୁଥିଲା ଘଡ଼ିଏ ଚାହୁଁଥିଲା। ହେଲେ ଏ ଖୁସିକୁ ୫ ଦିନ ବି ପୂରିଲାନି। ସଦ୍ଦିଚ୍ଛା ଛଳରେ ଆସିଥିବା ମୃତ୍ୟୁର ଉପହାରରେ ଜଳିଗଲା ଜୀବନ। ଛାରଖାର ହୋଇଗଲା ସବୁ କିଛି।
ଦିନକ ପରେ ସାଇଣ୍ଟିଫିକ୍ ଟିମ୍
ଘଟଣାର ଦିନକ ପରେ ସାଇଣ୍ଟିଫିକ୍ ଟିମ୍, ସମ୍ବଲପୁର ରିଜିଓନାଲ୍ ଫରେନ୍ସିକ୍ ଲାବ୍‌ରେ ବିଶେଷଜ୍ଞ ଓ ବୋମା ନିଷ୍କ୍ରିୟ କାରୀ ଦଳ ସହ ଆଜି ପାଟଣାଗଡ଼ ଭୋଳାନାଥ ପଡ଼ାର ତାଙ୍କ ଘରେ ପହଞ୍ଚି ତଦନ୍ତ କରି ନମୁନା ସଂଗ୍ରହ କରିଛନ୍ତି । ପ୍ରାଥମିକ ତଦନ୍ତରୁ ପାର୍ସଲରେ ଇଲେକଟ୍ରୋନିକ୍ସ ବୋମା ରହିଥିବା ସନ୍ଦେହ କରୁଛନ୍ତି ଫରେନ୍ସିକ୍ ବିଶେଷଜ୍ଞ।
କିଏ ଖଞ୍ଜିଥିଲା ଷଡ଼ଯନ୍ତ୍ର
ତେବେ ଗିଫ୍ଟ ପ୍ୟାକେଟରେ କିଏ ଓ କାହିଁକି ଖଞ୍ଜିଥିଲା ଷଡ଼ଯନ୍ତ୍ରର ବାରୁଦ । କେଉଁଠୁ ଆସିଥିଲା ଏ ଗିଫ୍ଟ ପ୍ୟାକେଟ୍। ପୋଲିସର ପ୍ରାଥମିକ ତଦନ୍ତରୁ ସ୍କାଏ କିଙ୍ଗ କୋରିଅର ଜରିଆରେ ଏଇ ଗିଫ୍ଟ ପ୍ୟାକେଟ୍ ରାୟପୁରରୁ ଆସିଥିବା ଜଣାପଡ଼ିଛି। କନ୍ସାଇନ୍ମେଣ୍ଟ ନମ୍ବର ରାୟପୁରରୁ ସମ୍ବଲପୁର ଓ ବଲାଙ୍ଗିର ଦେଇ ସ୍କାଏ କିଙ୍ଗର ପାଟଣାଗଡ଼ ଶାଖାରେ ପହଞ୍ଚିବା ପରେ ଏଇଠୁ ସୌମ୍ୟଶେଖରଙ୍କୁ ଡେଲିଭରି କରା ହୋଇଛି। ତେବେ କିଏ ଏହି କୋରିଅର ପଠାଇଛି । ତାର ଛାନ୍‌ଭିନ୍‌ ପାଇଁ ବଲାଙ୍ଗିର ପୋଲିସ୍‌ର ଦୁଇଟି ଟିମ୍ ରାୟପୁର ସହ ରାଜ୍ୟ ବାହାରର ଅନ୍ୟ ଏକ ସ୍ଥାନକୁ ଯାଇଛି। ସେପଟେ ସୌମ୍ୟଶେଖରଙ୍କ ପୂର୍ବତନ ଘରୋଇ ସହାୟକ ଏହି ଘଟଣା ପଛରେ ଭୋଜିଦିନ ଆସିଥିବା କିଛି ସାଙ୍ଗଙ୍କୁ ସନ୍ଦେହ କରୁଛନ୍ତି।
ଏବେବି ହସ୍ପିଟାଲରେ
ଏପଟେ ହାତରୁ ମେହେନ୍ଦି ଆଉ ପାଦରୁ ଅଳତା ନଶୁଖୁଣୁ ମଥାର ସିନ୍ଦୂର ହରାଇଥିବା ସୌମ୍ୟଶେଖରଙ୍କ ପତ୍ନୀ ରୀନା ଏବେ ବି ବୁର୍ଲା ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଝିଅର ଏଭଳି ସ୍ଥିତିରେ ନିଜ ଗାଁ ବୌଦ ଜିଲ୍ଲା ଘଣ୍ଟାପଡ଼ା ସ୍ତବ୍ଧ ଲୁହରେ ଭାସୁଛି ରୀନାଙ୍କ ବାପଘର।

Related story