ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଉତ୍ତରାଧୀକାରୀକୁ ନେଇ କଳ୍ପନାଜଳ୍ପନା ଭିତରେ ବିଜେଡି ପ୍ରତିଷ୍ଠା ଦବିସରେ ନବୀନଙ୍କ ବକ୍ତବ୍ୟକୁ ନେଇ ଚର୍ଚ୍ଚା। ଗତକାଲି ନବୀନ କହିଥିଲେ କୌଣସି ନେତା ଏମିତିକି ଖୋଦ୍ ନବୀନ ବିନା ବି ଦଳ ଚାଲିପାରିବ । ତେବେ କାହିଁକି, କେଉଁ ଉଦ୍ଦ୍ୟେଶରେ ନବୀନଙ୍କ ଏହି ମନ୍ତବ୍ୟ ଥିଲା, ଇସାରା କାହା ପ୍ରତି ତାକୁ ନେଇ ବିଜେଡିରେ ଭିନ୍ନ ଭିନ୍ନ ସମୀକରଣ ଓ ଭିନ୍ନ ଭିନ୍ନ ଅଙ୍କ କଷା ଯାଉଛି। ତେବେ ନବୀନଙ୍କ ମନ୍ତବ୍ୟ ବିଜେଡିର ଭବିଷ୍ୟତ ଚିନ୍ତା ସହ ଉତ୍ତରାଧୀକାରୀ ଆଡକୁ ସଙ୍କେତ ଦେଉଛି ନା ଏହା ଫଛରେ କିଛି ବଡ଼ ପ୍ଲାନ୍ ଅଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ନବୀନଙ୍କ ମନ୍ତବ୍ୟକୁ ନେଇ ବିଜେଡିରେ ଏବେ ଜୋରଦାର ଆଲୋଚନା । କାହିଁକି ଦଳର ପ୍ରତିଷ୍ଠା ଦିବସରେ ଏମିତି କହିଲେ ନବୀନ ? କଣ ରହିଛି ଭିତିରି କାରଣ? ଇସାରା ଇସାରାରେ ଦଳର ଭବିଷ୍ୟତ ଚିନ୍ତା କରିଛନ୍ତି କି ନବୀନ ? ତା’ସହ ତାଙ୍କ ନେତୃତ୍ୱରେ ଚାଲିଥିବା ଦଳରେ ମଙ୍ଗ କିଏ ଧରିବ ଏବଂ ଉତ୍ତରାଧିକାରୀ କିଏ ହେବେ ସେ ନେଇ କିଛି ସଙ୍କେତ ଦେବାକୁ ସୁପ୍ରିମୋ ଚେଷ୍ଟା କରିଛନ୍ତି ନା, ଅନ୍ୟ କିଛି ବଡ ପ୍ଲାନ୍ ରହିଛି ତାକୁ ନେଇ ବି ଚାଲିଛି ଚର୍ଚ୍ଚା । ତାଙ୍କ ଉତ୍ତରାଧୀକାରୀ ସମ୍ପର୍କରେ ଓଡିଶାବାସୀ ହିଁ ନିଷ୍ପତ୍ତି ନେବେ ବୋଲି ପୂର୍ବରୁ କହି ସାରିଥିଲେ ନବୀନ । ତେବେ ନବୀନଙ୍କ ଗତକାଲିର ମନ୍ତବ୍ୟ ପରେ ଦଳୀୟ ନେତା କିଛି ଠଉରେଇ ପାରୁନଥିବାବେଳେ କେହି କେହି ନବୀନ ଜଣେ ରାଷ୍ଟ୍ରନାୟକ ବେଲି ମତ ଦେଇଛନ୍ତି।
ଏକଥା ସ୍ପଷ୍ଟ ଯେ, ନବୀନ କହିଲେ ବିଜେଡି ଓ ବିଜେଡି କହିଲେ ନବୀନ। କାରଣ ନବୀନଙ୍କ ନାଁରେ ହିଁ ରହିଛି ଭୋଟ ବ୍ୟାଙ୍କ। ସୁପ୍ରିମୋଙ୍କ ଭାବମୂର୍ତ୍ତିକୁ ନେଇ ଆଗକୁ ଆଗକୁ ବଢି ଚାଲିଛି ଦଳ। ତେଣୁ ନବୀନ ଦେଇଥିବା ମନ୍ତବ୍ୟର ପ୍ରାସଙ୍ଗିକତା କେତେ ତାକୁ ନେଇ ସମୀକ୍ଷା ଭିତରେ ନବୀନଙ୍କ ବିନା ସତରେ କଣ ଦଳ ଚାଲି ପାରିବ ବୋଲି ଉଙ୍କି ମାରିଛି ପ୍ରଶ୍ନ। ରାଜନୈତିକ ସମୀକ୍ଷକ କହିଛନ୍ତି ଏଥିରେ ନବୀନଙ୍କ ଭବିଷ୍ୟତ ପ୍ଲାନ୍ ଥାଇପାରେ।
ଗୋଟିଏ ପଟେ ବିଜେଡି, ସଙ୍ଗଠନ ମଜଭୁତ କରିବାକୁ ୧ କୋଟି ସଭ୍ୟ ସଂଗ୍ରହର ଦାବି କରୁଥିବା ବେଳେ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ବି ଚାଲିଛି । ଆଉ ତା ଭିତରେ ବିଜେପି ଓ ବିଜେଡି ମଧ୍ୟରେ ସଂପର୍କ ଭିତରେ ନବୀନଙ୍କ ମନ୍ତବ୍ୟ ରାଜ୍ୟ ରାଜନୀତିକୁ ଅଧିକ ସରଗରମ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।