ଜଳେଶ୍ୱର/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ ପାଇଁ ଟାଟା ପାୱାର ଲିମିଟେଡର କ୍ୟାପିଟାଲ ଇନଭେଷ୍ଟମେଣ୍ଟ ପ୍ଲାନ । ୨୦୨୧-୨୨ ପାଇଁ ରାଜ୍ୟରେ ପ୍ରାୟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ଦେବା ପାଇଁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ନିକଟରେ ଆବେଦନ କରାଯାଛି। ସେସୁକୁ ଅଧିଗ୍ରହଣ କରିବା ପରେ ସେଠାରେ ଭିତ୍ତିଭୂମିର ବିକାଶ ପାଇଁ ୯୧୦ କୋଟି ୩୭ ଲକ୍ଷ ଟଙ୍କା, ନେସ୍କୋରେ ୨୭୫ କୋଟି, ୱେସ୍କୋରେ ୪୬୨ କୋଟି ୪୨ ଲକ୍ଷ ଏବଂ ପୂର୍ବରୁ ସାଉଥ୍ କୋ ଅଧିନରେ ଆସୁଥିବା ଅଞ୍ଚଳ ପାଇଁ ୪୦୮ କୋଟି ୪୭ ଲକ୍ଷ ଟଙ୍କା ନିବେଶ ପାଇଁ ଅନୁମତି ଦେବାକୁ ନିବେଦନ କରିଛି କଂପାନୀ । ୨୦୨୨ ସୁଦ୍ଧା ଏ ସମସ୍ତ ଟଙ୍କା ଖର୍ଚ୍ଚ କରିବ କଂପାନୀ । ଲାଇନ୍, ସବ୍ ଷ୍ଟେସନ, ଉତ୍କୃଷ୍ଟ ଧରଣର ବିଦ୍ୟୁତ୍ ଉପକରଣ, ଆଇଟି ସେକ୍ଟରରେ ଏହି ଟଙ୍କା ଖର୍ଚ୍ଚ କରିବାକୁ ସ୍ଥିର କରିଛି କଂପାନୀ । ତେବେ ଓଇଆର୍ସିଙ୍କ ଶୁଣାଣି ବେଳେ ଏହି ପ୍ରସ୍ତାବକୁ ଜୋରଦାର ବିରୋଧ କରିଛି ଓଡିଶା ଉପଭୋକ୍ତା ମହାସଂଘ । କାହିଁକି ନା ଖର୍ଚ୍ଚ ହେବାକୁ ଥିବା ପ୍ରାୟ ୨ ହଜାର କୋଟି ଲୋକଙ୍କ ଠାରୁ ହିଁ ଆଦାୟ କରିବ ସଂସ୍ଥା।
ବଡ କଥା ହେଲା ନିବେଶ ପାଇଁ କରିଥିବା ନିବେଦନରେ ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମିରେ ହୋଇଥିବା ନିମ୍ନମାନର କାମକୁ କାରଣ ଦର୍ଶାଇଛି କଂପାନୀ । ମୁଖ୍ୟତଃ ଭଙ୍ଗା ଖୁଣ୍ଟ, ଦୁର୍ବଳ ଆର୍ଥିଂ ବ୍ୟବସ୍ଥା, ଦୁର୍ବଳ ବିତରଣ ସବ୍ଷ୍ଟେଶନ, ପ୍ରାଇମେରି ସବ୍ଷ୍ଟେସନର ଦୁରବସ୍ଥା, ଅସ୍ଥାୟୀ ପୁନରୁଦ୍ଧାର କାମ ଓ ସୁରକ୍ଷା ଉପକରଣର ଅଭାବ ଯାହାକୁ ନେଇ ଏବେ ବିଦ୍ୟୁତ୍ ବିଭାଗ ସନ୍ଦେହ ଘେରରେ। ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁସାରେ ବିଜୁ ଗ୍ରାମୀଣ ଜ୍ୟୋତି ଯୋଜନା, ବିଜୁ ସହରାଞ୍ଚଳ ବିଦ୍ୟୁତ୍ କରଣ ଯୋଜନା, ରାଜୀବ ଗାନ୍ଧି ଗ୍ରାମୀଣ ବିଦ୍ୟୁତ୍ତକରଣ ଭଳି ୧୦ରୁ ଅଧିକ ଯୋଜନାରେ ଆଜି ଯାଏଁ ପ୍ରାୟ ୩୭ ହଜାର କୋଟି ଖର୍ଚ୍ଚ କରିଛନ୍ତି ସରକାର । ଏହା ବାଦ୍ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ପରେ ସ୍ୱତନ୍ତ୍ର ପ୍ୟାକେଜ୍ ବି ଦିଆଯାଉଛି । ବିରୋଧୀ ଏବେ ଏସବୁ ଟଙ୍କାର ହିସାବ ମାଗିବା ସହ ତଦନ୍ତ ଦାବି କରିଛନ୍ତି । ସେପଟେ ନିଷ୍ପତ୍ତି ଓଇଆର୍ସିଙ୍କ ଉପରେ ବୋଲି ଶକ୍ତିମନ୍ତ୍ରୀ କହିଥିବା ବେଳେ ନିମ୍ନମାନର କାମ ଉପରେ କିନ୍ତୁ ପ୍ରତିକ୍ରିୟା ରଖିନାହାନ୍ତି।
୨୦୧୦ରେ ମଧ୍ୟ ରାଜ୍ୟରେ ଭିତ୍ତିଭୂମିର ବିକାଶ ପାଇଁ ୨୪ ଶହ କୋଟି ଟଙ୍କାର କାପେକ୍ସ ଫଣ୍ଡ ଘୋଷଣା କରିଥିଲେ ସରକାର । ହେଲେ ୬ ବର୍ଷରେ ମାତ୍ର ୯ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ, ଯୋଜନା ଅଧାରୁ ହିଁ ବନ୍ଦ ହୋଇଥିଲା । ଏନେଇ ଟାଟା ପାୱାରର ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ ।