ବିଜେଡି ସଦସ୍ୟ ସଂଗ୍ରହରେ ଆଧାର ସଂଯୋଗ କାହିଁକି? ଜାଣନ୍ତୁ ପ୍ରକୃତ ରହସ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ଚଳିତଥର ନିଜର ସଭ୍ୟ ସଂଗ୍ରହ ଅଭିଯାନରେ ‘ଆଧାର’ ନମ୍ବର ସାମିଲକୁ ବାଧ୍ୟତାମୂଳକ କରିଛି। ବିଜେଡିର ଏହି ‘ଆଧାର’ ନମ୍ବର ସଂଗ୍ରହକୁ ଉଭୟ ବିଜେପି ଓ କଂଗ୍ରେସ ତୀବ୍ର ବିରୋଧ କରୁଥିଲେ ମଧ୍ୟ ଟୋକ୍ନୋଲୋଜିକୁ ଭରପୂର ଉପଯୋଗ କରି ବିଜେଡି ନିଜର ସ୍ଥାୟୀ ଭୋଟ୍ ବ୍ୟାଙ୍କ ସୃଷ୍ଟି ନିମନ୍ତେ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଛି। ଏଥିପାଇଁ ଦଳ ୨୫ରୁ ୩୦ ଜଣିଆ ଏକ ଆଇଟି ଟିମକୁ ଦାୟିତ୍ୱ […]

11bjd-office

Manoranjan Sial
  • Published: Tuesday, 03 September 2019
  • , Updated: 03 September 2019, 08:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ଚଳିତଥର ନିଜର ସଭ୍ୟ ସଂଗ୍ରହ ଅଭିଯାନରେ ‘ଆଧାର’ ନମ୍ବର ସାମିଲକୁ ବାଧ୍ୟତାମୂଳକ କରିଛି। ବିଜେଡିର ଏହି ‘ଆଧାର’ ନମ୍ବର ସଂଗ୍ରହକୁ ଉଭୟ ବିଜେପି ଓ କଂଗ୍ରେସ ତୀବ୍ର ବିରୋଧ କରୁଥିଲେ ମଧ୍ୟ ଟୋକ୍ନୋଲୋଜିକୁ ଭରପୂର ଉପଯୋଗ କରି ବିଜେଡି ନିଜର ସ୍ଥାୟୀ ଭୋଟ୍ ବ୍ୟାଙ୍କ ସୃଷ୍ଟି ନିମନ୍ତେ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଛି। ଏଥିପାଇଁ ଦଳ ୨୫ରୁ ୩୦ ଜଣିଆ ଏକ ଆଇଟି ଟିମକୁ ଦାୟିତ୍ୱ ମଧ୍ୟ ନ୍ୟସ୍ତ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନରେ ପ୍ରତ୍ୟେକ ନେତା ଓ କର୍ମୀଙ୍କ ଆଧାର ନମ୍ବରକୁ ନୂତନ ସଭ୍ୟ ଫର୍ମରେ ସାମିଲ କରିବା ବାଧ୍ୟତାମୂଳକ କରାଯାଇଛି। ଏହା ମାଧ୍ୟମରେ ଦଳ ‘ନକଲି ସଭ୍ୟ’ଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଉଦ୍ୟମ କରିବା ସହ ସରକାରୀ ଯୋଜନାର ସୁଫଳ କାହାକୁ କିଭଳି ମିଳିଛି ତାହା ମଧ୍ୟ ସୁନିଶ୍ଚିତ କରିବାକୁ ରଣନୀତି ପ୍ରସ୍ତୁତ କରିଛି। ଦଳର ଆଇଟି ଟିମ୍ ସହ ଜଡ଼ିତ ଜଣେ ଯୁବନେତାଙ୍କ କହିବା ଅନୁସାରେ, ‘ଆଧାର ନମ୍ବର’ ସଂଗ୍ରହ ମାଧ୍ୟମରେ ବିଜେଡି ନିଜର କର୍ମୀ ଓ ନେତାମାନଙ୍କ ଏକ ନିର୍ଭୁଲ୍ ଡାଟାବେସ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି।

ଏବେ ପ୍ରାଥମିକ ପର୍ଯ୍ୟାୟରେ ଆଧାର ନମ୍ବର ସଂଗ୍ରହ ବାଧ୍ୟତାମୂଳକ ପାଇଁ ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯିବାର ମୁଖ୍ୟ କାରଣ ହେଲା ସଭ୍ୟ ତାଲିକାରେ ଥିବା ଅନେକ ଅସଙ୍ଗତି। ପୂର୍ବ ଚଳଣି ଅନୁସାରେ ସଭ୍ୟ ସଂଗ୍ରହ ନିମନ୍ତେ ନୂତନ ଫର୍ମ ଓ ରସିଦ୍ ପୁସ୍ତିକା ନେତାମାନଙ୍କୁ ଦଳ ପକ୍ଷରୁ ଦିଆଯାଇଥାଏ। କିନ୍ତୁ ଶେଷ ମୁହୂର୍ତ୍ତରେ ସମ୍ପୃକ୍ତ ନେତାମାନେ ମନଇଚ୍ଛା ସଭ୍ୟ ଫର୍ମରେ ନାଁ ପୂରଣ କରି ଆବଶ୍ୟକ ସଭ୍ୟ ଚାନ୍ଦା ସହ ଦଳୀୟ କାର୍ଯ୍ୟାଳୟରେ ଦାଖଲ କରିଥାନ୍ତି। ସେହି ନେତାମାନେ ଯେଉଁ ସଭ୍ୟଙ୍କ ତାଲିକା ଦେଇଥାନ୍ତି ତାକୁ ଯାଞ୍ଚ ନିମନ୍ତେ ମଧ୍ୟ କୌଣସି ମାଧ୍ୟମ ନଥାଏ। କେବଳ ନେତାମାନେ ଦେଉଥିବା ସଂଖ୍ୟାକୁ ଦଳର ‘ସଭ୍ୟ ସଂଖ୍ୟା’ ଭାବେ ବିବେଚନା କରାଯାଏ। ଯେଉଁଥିପାଇଁ ଏଥର ‘ଆଧାର’ ନମ୍ବରକୁ ସାମିଲ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

ଦ୍ୱିତୀୟତଃ, ବିଭିନ୍ନ ନିର୍ବାଚନ ଯଥା ସମବାୟ ନିର୍ବାଚନ, ପଞ୍ଚାୟତ, ପୌର ଓ ସାଧାରଣ ନିର୍ବାଚନବେଳେ ଡାଟାବେସ୍ ଅଭାବରୁ ଦଳକୁ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡ଼ୁଛି। ସରକାରଙ୍କ ପାଖରେ ଥିବା ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଡାଟାବେସକୁ ସମ୍ବଳ କରି ଦଳ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଉଛି। ତେଣୁ ଏହି ‘ଆଧାର ନମ୍ବର’ ସହ ପ୍ରକୃତ ସଭ୍ୟ ସଂଖ୍ୟା ଜଣାପଡ଼ିବା ପରେ ରାଜ୍ୟବ୍ୟାପୀ ଦଳ ପକ୍ଷରୁ ‘ହାଉସ୍ ଟ୍ୟାଗିଂ’ ବ୍ୟବସ୍ଥା କରାଯିବ। ନିର୍ବାଚନ ପୂର୍ବରୁ ବିଜେଡି ‘ହାଉସ୍ ଟ୍ୟାଗିଂ’ ଓ ‘ୱାର୍ଡ କମିଟି’ ବ୍ୟବସ୍ଥା କରିଥିଲେ ମଧ୍ୟ ଡାଟାବେସ୍ ଅଭାବରୁ ତାହା ଫେଲ୍ ମାରିଥିଲା। ସେହି ହାଉସ୍ ଟ୍ୟାଗିଂ ମାଧ୍ୟମରେ ଦଳ ୱାର୍ଡସ୍ତରରେ ନିଜର କର୍ମୀମାନଙ୍କ ଉପରେ ନଜର ରଖିବା ସହ ଦଳକୁ ତୃଣମୂଳସ୍ତରରେ କ୍ୟାଡ଼ରଭିତ୍ତିକ କରିପାରିବ।

ସରକାରଙ୍କ କେଉଁ ଯୋଜନାର ସୁବିଧା କେଉଁ ପରିବାର ପାଖରେ ପହଞ୍ଚୁଛି ତାହା ୱାର୍ଡସ୍ତରରେ ରହୁଥିବା ସକ୍ରିୟ କର୍ମୀ ମଧ୍ୟ ଜାଣିପାରିବ। ସେହି ଆଧାରରେ ଦଳ ନିଜର ଭୋଟ୍ ବ୍ୟାଙ୍କ ବଢ଼ାଇବାକୁ ବି ଉଦ୍ୟମ କରିବ। ତା’ଛଡ଼ା ସକ୍ରିୟ କର୍ମୀଙ୍କୁ ମଧ୍ୟ ଦଳ ପକ୍ଷରୁ ଆବଶ୍ୟକ ପ୍ରୋତ୍ସାହନ ଦିଆଯାଇ ବର୍ଷ ତମାମ ସେମାନେ ଫାଇଭ୍-ଟି(ଟିମୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟାଇମ୍ ଓ ଟ୍ରାନ୍ସଫରମେସନ) ମାଧ୍ୟମରେ କିଭଳି ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବେ ସେଥିପାଇଁ ମଧ୍ୟ ଦଳ ପକ୍ଷରୁ ପ୍ରଶିକ୍ଷଣ ପ୍ରଦାନ କରାଯିବାକୁ ଆଗାମୀ ଦିନରେ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।

ରାଜନୀତିକ ବିଶ୍ଲେଷକଙ୍କ ମତରେ ବିଜେଡି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଲକ୍ଷ୍ୟ ରଖିଛି। ପ୍ରଥମତଃ ଦଳର ନେତାମାନେ ଆଉ ପାରମ୍ପରିକ ପ୍ରକ୍ରିୟାରେ ସଭ୍ୟ ସଂଗ୍ରହ ଅଭିଯାନ କରିପାରିବେ ନାହିଁ କି ଦଳକୁ ଠକିପାରିବେ ନାହିଁ । ତା’ଛଡ଼ା ଦଳ ପାଖରେ ଯେଉଁ ଡାଟାବେସ୍ ରହିବ ତା’ ଆଧାରରେ ଗୋଟିଏ ସ୍ଥାନରୁ ବସି ସକ୍ରିୟ କର୍ମୀମାନଙ୍କ ପାଖରେ ଦଳ ଖୁବକମ୍ ସମୟରେ ପହଂଚି ପାରିବ। ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନାରେ ଲାଭାର୍ଥୀ କିଏ ମଧ୍ୟ ତାହା ଦଳର କର୍ମୀମାନେ ସହଜରେ ଜାଣିପାରିବେ। ଏହା ହିଁ ବିଜେଡିର ସ୍ଥାୟୀ ଭୋଟ୍ ବ୍ୟାଙ୍କ ଦିଗରେ ସହାୟକ ହେବ ।

Related story