କୁଆଡ଼େ ହଜିଗଲା ସବୁ ପ୍ରସଙ୍ଗ, ଡିଲ୍ ନା ଆଉ କିଛି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୫ବର୍ଷ ମଧ୍ୟରେ ଯେଉଁସବୁ ଘଟଣାବଳୀକୁ ବିରୋଧୀ ଦଳ ‘ପ୍ରସଙ୍ଗ’ କରି ବିଜେଡି ବିରୁଦ୍ଧରେ ରାଜନୀତିକ କାର୍ଯ୍ୟକ୍ରମ ହାତକୁ ନେଇଥିଲା ସେଥିରୁ ଅଧିକାଂଶ ପ୍ରସଙ୍ଗ ଆଶ୍ଚର୍ଯ୍ୟଜନକ ଭାବେ ଲୋକଲୋଚନର ଆଢ଼ୁଆଳରେ ରହିଯାଇଛିି। ଏପରିକି ପ୍ରତିପକ୍ଷ ପ୍ରାର୍ଥୀମାନେ ଏସବୁ କେଳେଙ୍କାରୀ ଓ ଅନିୟମିତତାରେ ଜଡ଼ିତ ଥିଲେ ମଧ୍ୟ ନିର୍ବାଚନୀ ପ୍ରଚାର ସମୟରେ ଏନେଇ କେହି ମୁହଁ ଖୋଲୁନାହାନ୍ତି। ବିରୋଧୀ ଦଳ ଯେଉଁ ଢଙ୍ଗରେ ପ୍ରତିପକ୍ଷ ପ୍ରାର୍ଥୀଙ୍କ ଏସବୁ ଦୁର୍ବଳତାକୁ ଲୋକଙ୍କ ପାଖରେ ରଖିବା କଥା ତାହା […]

WHY-IS-OPPOSITION-NOT-TAKING-UP-ISSUES-THAT-COULD-EXPOSE-RULING-PARTY-CANDIDATES

Manoranjan Sial
  • Published: Thursday, 18 April 2019
  • , Updated: 18 April 2019, 08:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୫ବର୍ଷ ମଧ୍ୟରେ ଯେଉଁସବୁ ଘଟଣାବଳୀକୁ ବିରୋଧୀ ଦଳ ‘ପ୍ରସଙ୍ଗ’ କରି ବିଜେଡି ବିରୁଦ୍ଧରେ ରାଜନୀତିକ କାର୍ଯ୍ୟକ୍ରମ ହାତକୁ ନେଇଥିଲା ସେଥିରୁ ଅଧିକାଂଶ ପ୍ରସଙ୍ଗ ଆଶ୍ଚର୍ଯ୍ୟଜନକ ଭାବେ ଲୋକଲୋଚନର ଆଢ଼ୁଆଳରେ ରହିଯାଇଛିି। ଏପରିକି ପ୍ରତିପକ୍ଷ ପ୍ରାର୍ଥୀମାନେ ଏସବୁ କେଳେଙ୍କାରୀ ଓ ଅନିୟମିତତାରେ ଜଡ଼ିତ ଥିଲେ ମଧ୍ୟ ନିର୍ବାଚନୀ ପ୍ରଚାର ସମୟରେ ଏନେଇ କେହି ମୁହଁ ଖୋଲୁନାହାନ୍ତି। ବିରୋଧୀ ଦଳ ଯେଉଁ ଢଙ୍ଗରେ ପ୍ରତିପକ୍ଷ ପ୍ରାର୍ଥୀଙ୍କ ଏସବୁ ଦୁର୍ବଳତାକୁ ଲୋକଙ୍କ ପାଖରେ ରଖିବା କଥା ତାହା ରଖୁନଥିବାରୁ ସାଧାରଣରେ ରାଜନୀତିକ ଦଳ ଓ ପ୍ରାର୍ଥୀମାନଙ୍କର ଆଭିମୁଖ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ ଓ ଏଥିପାଇଁ ୨୧ତାରିଖ ସନ୍ଧ୍ୟାରେ ପ୍ରଚାର ଶେଷ ହେବ। ତୃତୀୟ ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ହୋଇଥିବା ଅନନ୍ତ ନାରାୟଣ ଜେନା(ଭୁବନେଶ୍ୱର-ମଧ୍ୟ), ପ୍ରଦୀପ ମହାରଥୀ(ପିିପିଲି), ମହେଶ୍ୱର ମହାନ୍ତି(ପୁରୀ), ସଞ୍ଜୟ ଦାସବର୍ମା(ବ୍ରହ୍ମଗିରି), ପ୍ରଶାନ୍ତ ଜଗଦେବ (ଚିଲିକା), ଅରୁଣ ସାହୁ(ନୟାଗଡ଼), ସୀମା ନାୟକ(ହିନ୍ଦୋଳ), ନଳିନୀ ପ୍ରଧାନ(ସମ୍ବଲପୁର) ଓ ଅଚ୍ୟୁତ ସାମନ୍ତ(କନ୍ଧମାଳ) ଏବଂ ଚତୁର୍ଥ ପର୍ଯ୍ୟାୟରେ ପ୍ରାର୍ଥୀ ଥିବା ପ୍ରଣବ ବଳବନ୍ତରାୟ(ଧର୍ମଶାଳା), ପ୍ରଣବ ପ୍ରକାଶ ଦାସ(ଯାଜପୁର), ଅନୁଭବ ମହାନ୍ତି(କେନ୍ଦ୍ରାପଡ଼ା) ଆଦିଙ୍କ ନାଁରେ ରହିଥିବା ଅଭିଯୋଗକୁ ନେଇ ଅତୀତରେ ତମ୍ବିତୋଫାନ୍ କରିଥିବା ବିରୋଧୀ ବିଜେପି ଓ କଂଗ୍ରେସ ଏବେ ଆଶ୍ଚର୍ଯ୍ୟଜନକ ଭାବେ ନିରବ ରହିଛନ୍ତି। ସେମାନଙ୍କ ବିରୋଧରେ ଯେଉଁସବୁ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ହୋ-ହାଲ୍ଲା କରିଥିଲା ସେସବୁ ଏବେ ସେମାନଙ୍କ ପାଇଁ ଗୁରୁତ୍ୱହୀନ ହୋଇପଡ଼ିଥିବା ଭଳି ଲାଗୁଛି।

ଅନନ୍ତ ଜେନାଙ୍କ ବିରୁଦ୍ଧରେ ସେକ୍ସ ସିଡି ଓ ଋଷି ମର୍ଡର କେସ୍ ମାମଲାର ଅଭିଯୋଗ ଲୋକଲୋଚନକୁ ଆସିବାବେଳେ ଉଭୟ ବିଜେପି ଓ କଂଗ୍ରେସ ସମେତ ବିଭିନ୍ନ ନାଗରିକ ଅନୁଷ୍ଠାନ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ଆସି ବ୍ୟାପକ ହଟ୍ଟଗୋଳ କରିଥିଲେ। ସେକ୍ସ ସିଡି ମାମଲା ଏବେ ବି କ୍ରାଇମବ୍ରାଞ୍ଚରେ ପଡ଼ି ରହିଥିବାବେଳେ ଅନନ୍ତଙ୍କ ବିରୋଧରେ ଥିବା ଏହି ଅଭିଯୋଗକୁ ନେଇ ବିରୋଧୀ ଦଳର ପ୍ରାର୍ଥୀମାନେ ଫାଇଦା ନେଇପାରି ନାହାନ୍ତି।

ସେହିପରି ଚିଟଫଣ୍ଡ ମାମଲାରେ ମହେଶ୍ୱର ମହାନ୍ତି ଓ ସଞ୍ଜୟ ଦାସବର୍ମାଙ୍କ ସମ୍ପୃକ୍ତି, ଭୋଟରଠୁ ଆରମ୍ଭ କରି ମହିଳା ଅଫିସରଙ୍କୁ ଦୁର୍ବବ୍ୟହାର କରିଥିବା ପ୍ରଶାନ୍ତ ଜଗଦେବ, ଶ୍ରୀଜଗନ୍ନାଥଙ୍କ ନବକଳେବରରେ ଅନିୟମିତତା, ପଣ୍ଡା ଇନଫ୍ରା ସହ ବ୍ୟବସାୟିକ ସମ୍ପର୍କ ଓ ଚିଟଫଣ୍ଡ ମାମଲାରେ ଅରୁଣ ସାହୁଙ୍କ ଭୂମିକା, ଶିଳ୍ପ ସ୍ଥାପନ ପାଇଁ ଅର୍ଥ ଦାବି କରିବାର ଷ୍ଟିଙ୍ଗ ଅପରେସନରେ ସୀମା ନାୟକଙ୍କ ସମ୍ପୃକ୍ତି, ପଣ୍ଡା ଇନଫ୍ରା ସହ ବ୍ୟବସାୟିକ ସମ୍ପର୍କ ରଖି ନଳିନୀ ପ୍ରଧାନ ନିମ୍ନମାନର ବ୍ରିଜ୍ କାମ କରିଥିବା ଅଭିଯୋଗ, ଜଙ୍ଗଲ ଜମିକୁ ଜବରଦଖଲ ଓ କିସରେ ବ୍ୟାପକ ଅନିୟମିତତା ମାମଲାରେ ଅଚ୍ୟୁତ ସାମନ୍ତଙ୍କ ଭୂମିକା, ଡଙ୍କାରୀ ପାହାଡ଼ ଲୁଟ୍ ଓ ଘଙ୍ଗାପାଟଣା ଜମି ଓ ଫ୍ଲାଟ ଆବଣ୍ଟନରେ ସମ୍ପୃକ୍ତ ଥିବା ପ୍ରଣବ ବଳବନ୍ତରାୟ, ବ୍ଲାକରୋଜ୍ ଜାହାଜ ବୁଡ଼ି ମାମଲାରେ ପ୍ରଣବ ପ୍ରକାଶ ଦାସଙ୍କ ଭୂମିକା ଅଭିଯୋଗ, ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ବେଆଇନ ଖଣି ପରିବହନ ଓ ଚେକ୍ ବାଉନ୍ସ ଅଭିଯୋଗ ଆଦି ରହିଛି।

ଏସବୁ ଅଭିଯୋଗ ଅବା ପ୍ରସଙ୍ଗକୁ ବିରୋଧୀ ଦଳ କିମ୍ବା ସେମାନଙ୍କ ପ୍ରତିପକ୍ଷ ପ୍ରାର୍ଥୀମାନେ ଲୋକଲୋଚନକୁ ଆଣି ଭୋଟରଙ୍କ ନିକଟରେ ସେମାନଙ୍କ ମୁଖା ଖୋଲିପାରନ୍ତେ। ମାତ୍ର ପ୍ରତିପକ୍ଷ ପ୍ରାର୍ଥୀମାନେ ଏସବୁ ପ୍ରସଙ୍ଗକୁ ଗୌଣ କରି ଦେଇ ନିଜ ନିଜ ହିସାବରେ ପ୍ରଚାର ଚଳାଇଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ଯେଉଁସବୁ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ବିଗତ ଦିନରେ ଏତେ ହଙ୍ଗାମା କରୁଥିଲେ ଏବେ ସେସବୁ ପ୍ରସଙ୍ଗକୁ ଜନତା ଦରବାରରେ ରଖି ସେହି ଅଭିଯୁକ୍ତ ନେତାମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବା ଦାୟିତ୍ୱ ସାଧାରଣ ଭୋଟରଙ୍କ ଉପରେ ଛାଡ଼ିବା ପାଇଁ ମାର୍ଗ ପ୍ରଶସ୍ତ କରିବାରେ କିଏ ବାଧକ ସାଜିଛି। ବିରୋଧୀ ଦଳ ବା ପ୍ରତିପକ୍ଷ ପ୍ରାର୍ଥୀଙ୍କ ନିରବତା ପଛରେ କୌଣସି ଗୋପନ ବୁଝାମଣା ଅଛି, ନା ଆଉକିଛି ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଚାଲିଛି।

Related story