ନବରଙ୍ଗପୁର ଜିଲ୍ଲାରେ କାହିଁକି ୟୁରିଆ ସାରର ଅଭାବ ଦେଖାଦେଉଛି?

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲାରେ ବର୍ଷ ବର୍ଷ ଧରି ୟୁରିଆ ସାରର ଅଭାବ ଦେଖାଦେଉଛି। ଏଥିପାଇଁ କିଏ କୃଷି ବିଭାଗର ବ୍ୟବସ୍ଥାକୁ ଦାୟୀ କରୁଛି ତ ଆଉ କିଏ କଳାବଜାରୀକୁ। ଯାହାକୁ ନେଇ ପ୍ରତିବର୍ଷ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ନବରଙ୍ଗପୁର ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ କାହିଁକି ୟୁରିଆ ସାରର ଅଭାବ ଦେଖାଦେଉଛି? ଏହାର ଉତ୍ତର ଖୋଜିବାକୁ ହେଲେ ପୂରା ଘଟଣା ଉପରେ ନଜର ପକାଇବାକୁ ପଡ଼ିବ। କୃଷି ବିଭାଗର […]

urea

Manoranjan Sial
  • Published: Wednesday, 04 August 2021
  • , Updated: 04 August 2021, 05:47 PM IST

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲାରେ ବର୍ଷ ବର୍ଷ ଧରି ୟୁରିଆ ସାରର ଅଭାବ ଦେଖାଦେଉଛି। ଏଥିପାଇଁ କିଏ କୃଷି ବିଭାଗର ବ୍ୟବସ୍ଥାକୁ ଦାୟୀ କରୁଛି ତ ଆଉ କିଏ କଳାବଜାରୀକୁ। ଯାହାକୁ ନେଇ ପ୍ରତିବର୍ଷ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ନବରଙ୍ଗପୁର ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ କାହିଁକି ୟୁରିଆ ସାରର ଅଭାବ ଦେଖାଦେଉଛି? ଏହାର ଉତ୍ତର ଖୋଜିବାକୁ ହେଲେ ପୂରା ଘଟଣା ଉପରେ ନଜର ପକାଇବାକୁ ପଡ଼ିବ।

କୃଷି ବିଭାଗର ତଥ୍ୟ ଅନୁସାରେ ନବରଙ୍ଗପୁର ଜିଲ୍ଲାର ୧୦ ବ୍ଲକରେ ୧ ଲକ୍ଷ ୧୫୭ ହେକ୍ଟର ଜମିରେ ଧାନ ଓ ୬୦ ହଜାର ୯୪୫ ହେକ୍ଟର ଜମିରେ ମକା ଚାଷ ହେଉଛି। ଏସବୁ ମିଶାଇ ଜିଲ୍ଲାରେ ମୋଟ୍‌ ୨ ଲକ୍ଷ ୪ ହଜାର ହେକ୍ଟର ଜମିରେ ଧାନ, ମକା ଓ ଅନ୍ୟାନ୍ୟ ଫସଲ ଚାଷ ହେଉଛି। ଏହାଛଡ଼ା ଜିଲ୍ଲାର ରାଇଘର, ଉମରକୋଟ, ଝରିଗାଁ, ଚନ୍ଦାହାଣ୍ଡି, ଡାବୁଗାଁ ଓ କୋସାଗୁମୁଡା ବ୍ଲକର ଉପାନ୍ତ ଅଞ୍ଚଳରେ ୨୦ ହଜାର ହେକ୍ଟରରୁ ଅଧିକ ଜଙ୍ଗଲ ଜମିରେ ମକା ଚାଷ ହେଉଛି। ଏଥିପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।

ତେବେ ସରକାରୀ ନିୟମ ଅନୁସାରେ ଜିଲ୍ଲାକୁ କେବଳ ୨ ଲକ୍ଷ ୪ ହଜାର ହେକ୍ଟର ଜମିରେ ହେଉଥିବା ଚାଷ ପାଇଁ ୟୁରିଆ ସାର ଆସୁଛି। କିନ୍ତୁ ୨୦ ହଜାର ହେକ୍ଟର ଜଙ୍ଗଲ ଜମିରେ ହେଉଥିବା ଚାଷ ପାଇଁ ସାର ଆସୁନାହିଁ। ଯେଉଁଥିପାଇଁ ଜିଲ୍ଲାରେ ବର୍ଷବର୍ଷ ଧରି ୟୁରିଆ ସାରର ଅଭାବ ଦେଖାଦେଉଛି। ଉକ୍ତ ଜଙ୍ଗଲ ଜମିକୁ ତାଲିକା ଭୁକ୍ତ କରାଗଲେ, ସାରର ଅଭାବ ରହିବନି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ନବରଙ୍ଗପୁର ଜିଲ୍ଲାରେ ୟୁରିଆ ସାରର ଅଭାବ ଦେଖାଦେଇଛି। ଏହାର ପ୍ରତିବାଦରେ ମଙ୍ଗଳବାର ଶତାଧିକ ଚାଷୀ ଉମରକୋଟରେ ଏକତ୍ର ହୋଇଥିଲେ। ପରେ ଉମରକୋଟରେ ଦୋକାନ ବଜାର ବନ୍ଦ କରି ଦେଇଥିଲେ। ତା’ପରେ ଚାଷୀମାନେ ଉମରକୋଟ-ରାଇଘର, ଉମରକୋଟ-ଚନ୍ଦାହାଣ୍ଡି, ଉମରକୋଟ-ଜୟପୁର, ଉମରକୋଟ-ଝରିଗାଁ ରାସ୍ତାରେ ବ୍ୟାରିକେଟ୍‌ ପକାଇ ବନ୍ଦ କରିଦେଇଥିଲେ।

ଉମରକୋଟର ପ୍ରବେଶ ପଥ ବନ୍ଦ ହେବାରୁ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଥିଲା। ପରେ ଚାଷୀମାନେ ଜିଲ୍ଲା କୃଷି ଅଧିକାରୀ ବିଦୁଭୂଷଣ ମହାକୁଲ ଓ ଅତିରିକ୍ତ କୃଷି ଜିଲ୍ଲା ଅଧିକାରୀ ନୀଳକଣ୍ଠ ପରିଡ଼ାଙ୍କୁ ଜବରଦସ୍ତ ଚଲାଇଥିଲେ। ଦୁଇ ଅଧିକାରୀଙ୍କୁ ପାଖାପାଖି ୫ କିମି ଚଲାଇଥିଲେ ଚାଷୀ। ଖବର ପାଇ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଉମରକୋଟ ତହସିଲଦାର ହିମାଂଚଳ ମାଝୀ, ଏସ୍‌ଡିପିଓ ଦିନେଶ ନାଏକ ଓ ଥାନା ଅଧିକାରୀ ନରେଶ ପ୍ରଧାନ ପ୍ରମୁଖ ସେଠାରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ। ପରେ ଗୋଦାମରେ ମହଜୁଦ ଥିବା ୟୁରିଆ ସାର ଉପସ୍ଥିତ ଚାଷୀଙ୍କୁ ବାଣ୍ଟିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଚାଷୀମାନେ ଦୁଇ କୃଷି ଅଧିକାରୀଙ୍କୁ ଛାଡ଼ିଥିଲେ ଚାଷୀ। ଶେଷରେ ଗୋଦାମରେ ଥିବା ୟୁରିଆ ସାରକୁ ବଣ୍ଟା ଯାଇଥିଲା। ରାତି ୮ଟା ପର୍ଯ୍ୟନ୍ତ ସାର ବଣ୍ଟା ଯାଇଥିଲା।

Related story