କାହିଁକି ଏତେ ଅସହାୟ ଅଭିନେତ୍ରୀ ଉଷସୀ ମିଶ୍ର ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏ ଦେଶର ଆଇନ୍ ତାଙ୍କ ସପକ୍ଷରେ ଅଛି। ଅନ୍ୟ ନାରୀଙ୍କ ପାଇଁ ସେ ଜଣେ ଆଦର୍ଶ। ନାରୀଙ୍କୁ ବଳ ଦେବାକୁ ଟିଭି କାର୍ଯ୍ୟକ୍ରମରେ ତାଙ୍କୁ ଆଦର୍ଶ ଭାବେ ଡକାଯାଏ। ସିନେମା ଓ ଯାତ୍ରା ମଞ୍ଚରେ ଅଭିନୟ କରି, ନାରୀ ସ୍ୱାଧୀନଚେତା ହେବା ଉଚିତ, ସେ ତା’ର ଉଦାହରଣ ସୃଷ୍ଟି କରିଛନ୍ତି। ଆତ୍ମରକ୍ଷା ପାଇଁ ସେ ଟାଇକୋଣ୍ଡୋ ଶିଖିଛନ୍ତି। କୌଣସି ପୁରୁଷର ମୁକାବିଲା କରିବାରେ ସେ ଏକାକୀ ହିଁ ସକ୍ଷମ। ଏହାପରେ ବି କାହିଁକି […]

Rajaniti Fajaniti

Ordigital Desk
  • Published: Thursday, 26 April 2018
  • , Updated: 26 April 2018, 10:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏ ଦେଶର ଆଇନ୍ ତାଙ୍କ ସପକ୍ଷରେ ଅଛି। ଅନ୍ୟ ନାରୀଙ୍କ ପାଇଁ ସେ ଜଣେ ଆଦର୍ଶ। ନାରୀଙ୍କୁ ବଳ ଦେବାକୁ ଟିଭି କାର୍ଯ୍ୟକ୍ରମରେ ତାଙ୍କୁ ଆଦର୍ଶ ଭାବେ ଡକାଯାଏ। ସିନେମା ଓ ଯାତ୍ରା ମଞ୍ଚରେ ଅଭିନୟ କରି, ନାରୀ ସ୍ୱାଧୀନଚେତା ହେବା ଉଚିତ, ସେ ତା’ର ଉଦାହରଣ ସୃଷ୍ଟି କରିଛନ୍ତି। ଆତ୍ମରକ୍ଷା ପାଇଁ ସେ ଟାଇକୋଣ୍ଡୋ ଶିଖିଛନ୍ତି। କୌଣସି ପୁରୁଷର ମୁକାବିଲା କରିବାରେ ସେ ଏକାକୀ ହିଁ ସକ୍ଷମ। ଏହାପରେ ବି କାହିଁକି ଏତେ ଅସହାୟ ହୋଇ ପଡ଼ିଛନ୍ତି ଅଭିନେତ୍ରୀ ଉଷସୀ ମିଶ୍ର? କାହିଁକି ତାଙ୍କୁ ସାମ୍ବାଦିକ ସମ୍ମିଳନୀରେ ଅସହାୟ ଭାବେ କାନ୍ଦିବାକୁ ପଡ଼ିଲା?

ଏବେ ଅସଲ କଥାକୁ ଆସିବା। ଗତ ୨୨ ତାରିଖରେ ଅନୁଗୋଳ ଜିଲ୍ଲାର କଣିହାଁ ନିକଟ ଡେରଙ୍ଗ ଗାଁରେ ଯାତ୍ରା ଅଭିନୟ ପାଇଁ ଯାଇଥିବା ଉଷସୀଙ୍କର କିଛି ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଉଭୟ ପକ୍ଷ ପରସ୍ପରକୁ ମାଡ଼ ମାରିଥିଲେ। କିନ୍ତୁ ଉଷସୀ ବେଶୀ ମାଡ଼ ଖାଇଥିଲେ, କାରଣ ତାଙ୍କୁ ମାଡ଼ ମାରିଥିବା ଲୋକ(ମାନେ) ସେଇଠିକାର। ‘ନିଜ ଗଳିରେ କୁକୁର ବି ସିଂହ’ ପରି କଥାଟା ଘଟିଲା। ଜଣେ କଳାକାରକୁ ସମ୍ମାନ ଦେବା ଛାଡ଼ି କଣିହାଁର କିଛି ଲୋକ ତାଙ୍କୁ ରାସ୍ତାରେ ପିଟିଲେ।

ଉଷସୀଙ୍କ ପାଖରେ ଏତେ ଶକ୍ତି ଥିବା ସତ୍ୱେ, ସେ ଏତେ ଅସହାୟ କାହିଁକି? ଘଟଣାର ତିନିଦିନ ପରେ ସାମ୍ବାଦିକ ସମ୍ମିଳନୀ କରି ସେ ସମସ୍ତଙ୍କ ଆଗରେ କାନ୍ଦିଲେ। କହିଲେ, ଯିଏ ମାଡ଼ ମାରିଲା ତାକୁ ପୋଲିସ ଧରୁନି। କଥାଟା ବି ଯୁକ୍ତଯୁକ୍ତ। ତା ପୂର୍ବଦିନ ଉଷସୀ କହିଥିଲେ, ଯଦି ମୋ ପରି ଜଣେ ଜଣାଶୁଣା ଓ ଦୃଢ଼ମନା ଝିଅକୁ ସେମାନେ ବିଚ୍ ରାସ୍ତାରେ ପିଟିବାକୁ ସାହସ କଲେ, ତେବେ ଏ ରାଜ୍ୟରେ ସାଧାରଣ ଝିଅମାନେ କେତେ ସୁରକ୍ଷିତ ତାହା ଅନୁମାନ କରୁଥିବେ।

ପ୍ରଶ୍ନ ଉଠୁଛି, ଉଷସୀଙ୍କ କ୍ଷେତ୍ରରେ କାହିଁକି ପୋଲିସ୍ ଓ ସରକାରୀ ବ୍ୟବସ୍ଥା ଚୁପ୍ ରହିଛି? କାରଣ ଧୀରେ ଧୀରେ ସ୍ପଷ୍ଟ ହୋଇଗଲାଣି ଯେ, ଉଷସୀଙ୍କୁ ରାସ୍ତା ଉପରେ ଚୁଟି ଝିଙ୍କି ମାଡ଼ ମାରିଥିବା ଇନ୍ଦ୍ରମଣି ସାହୁ କଣିହାଁ ଅଞ୍ଚଳର ଜଣେ ପିଟା-ବିଜେଡି ନେତା। ନେତା ବୋଲି ନକହି ତାଙ୍କୁ ବାହୁବଳୀ ବୋଲି ବି ଅନେକ କହନ୍ତି। ସେ ପୁଣି ସ୍ଥାନୀୟ ସାଂସଦଙ୍କର ଡାହାଣ ହାତ। ଯେଉଁ ସାଂସଦ ଟ୍ୱିଟ୍ କରି ଆଦର୍ଶ କଥା ଗପନ୍ତି, ତାଙ୍କ ଟୁଇଟ୍ ଏବେ ବନ୍ଦ ହୋଇଯାଇଛି। ଅନୁଗୁଳ ପୋଲିସ୍‌କୁ ସାଂସଦ ଓ ତାଙ୍କ ଖବରକାଗଜକୁ ପ୍ରବଳ ଡର। ତେଣୁ ସମସ୍ତେ ମିଳିମିଶି ମାନ୍ୟବର ଇନ୍ଦ୍ରମଣିଙ୍କୁ ଫେରାର କରେଇ ଦେଇଛନ୍ତି। ଲୁଚିକି ଥିବା ଇନ୍ଦ୍ରମଣି କୋର୍ଟରେ ଗୋଟାଏ କେଶ୍ କରି ଲେଖିଛନ୍ତି ଯେ, ତାଙ୍କୁ କାଳେ ଉଷସୀ ମାଡ଼ିବସିଲେ ଓ ବେକରେ ଗୋଡ଼ ପକେଇ ମାରିବାକୁ ଉଦ୍ୟମ କରିଥିଲେ। ଆହାଃ! ପୂରା ଗୋଟା ତୁଳସୀ!

ଉଷସୀଙ୍କ କହିବା ଅନୁଯାୟୀ, ସେଦିନ କାଳେ ଇନ୍ଦ୍ରମଣୀ ବାବୁ ଆକଣ୍ଠ ମଦ୍ୟପାନ କରିଥିଲେ। ଦୋ-ଅକ୍ଷରୀ ଭାଷାରେ ସେ ତାଙ୍କୁ ଶୋଧିଥିଲେ। ସେତକ ହେଲାନି, ସେ ତାଙ୍କ ଦୁଇ ପୁଅଙ୍କୁ ବି ଡାକି ଆଣିକି ତାଙ୍କୁ ପିଟିଲେ। ଏ ଘଟଣା ପ୍ରାୟ ଘଣ୍ଟାଏ ଦୁଇଘଣ୍ଟା ଧରି ଚାଲିଥିଲା। ଷ୍ଟେଜ୍‌ରେ ଆସି ସେମାନେ ମେଲୋଡି ବନ୍ଦ କରାଇ ଦେଲେ। ଚୁଟି ଝିଙ୍କି ପିଟିଲେ। କିନ୍ତୁ କେହି କିଛି କହିପାରୁ ନଥାନ୍ତି। ଏହାର ଅର୍ଥ ‘ଇନ୍ଦ୍ରମଣୀ-ଆଣ୍ଡ-କୋଃ’ ଙ୍କର ସେଠି କେତେ ପାୱାର ତାହା ଅନୁମାନ କରିହେଉଛି।

ଉଷସୀ କାନ୍ଦି କାନ୍ଦି କହିଲେ, ସେ ଯେଉଁ ଇଷ୍ଟର୍ଣ୍ଣ ବ୍ଲୁ ଯାତ୍ରାପାର୍ଟିରେ ଅଭିନୟ କରିବାକୁ ଯାଇଥିଲେ ତା ମାଲିକ ସୌମ୍ୟରଂଜନ ପଟ୍ଟନାୟକ ବି ସୁରକ୍ଷା ଦେଇନଥିଲେ। ସେ ବି ଚୁପ୍ ହୋଇ ବସିଛନ୍ତି। ଇଏ ବି ଗୋଟେ ରୋଚକ ସିକୁଏନ୍ସ। ବାବୁ ସୌମ୍ୟରଂଜନ ଓ ଢେଙ୍କନାଳ ସାଂସଦ ବାବୁ ତଥାଗତ ଶତପଥୀ ଉଭୟ ବେଙ୍ଗରାଶି ଓ ଚେଙ୍ଗରାଶିର। କେହି କାହାର ଶିରି ଦେଖିପାରନ୍ତି ନାହିଁ। ସୌମ୍ୟବାବୁ ‘ସମ୍ବାଦ’ର ମାଲିକ, ତଥାଗତ ‘ଧରିତ୍ରୀ’ ଖବରକାଗଜର ମାଲିକ। ତେଣୁ ଉଭୟଙ୍କ ଭିତରେ ସବୁବେଳେ ଶୀତଳଯୁଦ୍ଧ। ସେହି ସୂତ୍ର କହୁଛି, ଏଇ ସମୟରେ ସୌମ୍ୟବାବୁ ଖୁସି ହେବା କଥା ଯେ, ତଥାଗତଙ୍କ ବିରୋଧରେ ତାଙ୍କ କାଗଜରେ ଲେଖିବାକୁ ଜମାଣିଆ ପ୍ରସଙ୍ଗଟିଏ ମିଳିଗଲା। କାରଣ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରମଣୀ ସାହୁ ହେଉଛନ୍ତି ଢେଙ୍କାନାଳ ସାଂସଦଙ୍କ ‘ନିଜଲୋକ’ ବୋଲି ଲୋକେ କହୁଛନ୍ତି। କିନ୍ତୁ ସୌମ୍ୟବାବୁ ବି ଚୁପ୍। କାରଣ ରାଜ୍ୟସଭା ସାଂସଦ ହେବାକୁ ସେ ବିଜେଡି ପାଖରେ ମୁଣ୍ଡ ବିକି ଦେଇଛନ୍ତି। ସେ ଯେହେତୁ ବିଜେଡି ପରିବାରର, ତେଣୁ ତଥାଗତ ତାଙ୍କ ‘ବିଜେଡି-ଭାଇ’। ତେଣୁ ଭାଇ ବିରୋଧରେ କେମିତି ନିଜ କାଗଜରେ ଲେଖିବେ? ସେ ତ ଯାହା ଲେଖିବେ, ତୃତୀୟ ମହଲାରୁ ଅନୁମତି ଆଣିବାକୁ ପଡ଼ିବ। ତେଣୁ ଉଷସୀ ଏବେ ବୁଝିଯିବା କଥାଯେ, ମାନ୍ୟବର ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କାହିଁକି ଚୁପ୍ ଅଛନ୍ତି। କଥାଟା ମରମକୁ ବାଧୁଥିଲେ ବି ସତ।

ଏକଥା ବି ଜାଣିବାକୁ ମିଳିଛି ଯେ, ଇନ୍ଦ୍ରମଣୀ ସାହୁ ଓ ତାଙ୍କ ପିଲାମାନଙ୍କର ନିଜ ଅଞ୍ଚଳରେ ଖୁବ୍ କୁପ୍ରସିଦ୍ଧି ରହିଛି। ସେଠାକାର କମ୍ପାନୀମାନେ ଏମାନଙ୍କ ଧମକରେ ଥରହର ହୁଅନ୍ତି। ମାନ୍ୟବର ଢେଙ୍କାନାଳ ସାଂସଦ ବି ଇନ୍ଦ୍ରମଣୀଙ୍କର ଗୁରୁ ବୋଲାନ୍ତି। ହାତରେ ଖବରକାଗଜ ଦୁଇଟି ରହିଅଛି। ସେଥିରୁ ଗୋଟିଏ ଓଡ଼ିଆ ଓ ଗୋଟିଏ ଇଂରାଜୀ। ଆଉ ଗୋଟିଏ ଆଶ୍ଚର୍ଯ୍ୟ କଥା ହେଲା, ଏ ଯାଏଁ ଜଣେ ହେଲେ ବି ମହିଳା କର୍ମୀ ଉଷସୀଙ୍କ ପାଇଁ ବାହାରି ନାହାଁନ୍ତି। କୁଆଡ଼େ ଲୁଚିଗଲେ କେଜାଣି? ସେହିପରି ଉଷସୀଙ୍କ ସହ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ପୁରୁଣା ବିଜେଡି ମୁହଁ ବାବୁ ମୁନ୍ନା ଖାଁ ବି ବସିଥିଲେ। ଏମାନେ ତ ସରକାରର ଅଂଶୀଦାର। ତେଣୁ ଉଷସୀ ଏତେ ଅସହାୟ କାହିଁକି? ଏଇ ବନ୍ଧୁମାନେ ବି ପୋଲିସ୍ ଉପରେ ପ୍ରେସର ପକେଇ ଇନ୍ଦ୍ରମଣୀଙ୍କୁ ଗିରଫ କରେଇ ପାରନ୍ତେ। କିନ୍ତୁ ବୋଧହୁଏ ଏମାନେ ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପାଖରେ ପାୱାରଲେସ୍। କଥାଟା ଜଳଜଳ ହେଇ ଦିଶୁଥିଲା।

ଓଡ଼ିଶାବାସୀ ଓଡ଼ିଶାର ବାସ୍ତବ ଚିତ୍ର ଦେଖନ୍ତୁ। ଜଣେ ସେଲିବ୍ରିଟି ଅଭିନେତ୍ରୀଙ୍କୁ ରାସ୍ତାରେ ମାଡ଼ ମରାଗଲେ ବି ଅଭିଯୁକ୍ତକୁ ପୋଲିସ ଧରୁନି। ଏପଟେ ସେ ଲୋକ ପୁଣି ସରକାରୀ ଦଳର ଛତ୍ରଛାୟା ତଳେ ଅଛି। ସେ ଅଂଚଳରେ ସେ ଗୋଟାଏ ଗୁଣ୍ଡା। କିନ୍ତୁ ସମସ୍ତେ ଚୁପ୍। ଏବେ ଓଡ଼ିଶାବାସୀ ଅନୁଭବ କରୁଥିବେ, କୁନ୍ଦୁଲି, ଇତିଶ୍ରୀ, ବେବିନା, ସାଲେପୁର, ନୀଳଗିରି, ଏସବୁ ଜାଗାରେ ଘଟିଥିବା ଝିଅ-ନିର୍ଯାତନା ଘଟଣା ଆଶ୍ଚର୍ଯ୍ୟଜନକ ନୁହେଁ। ଏଭଳି ଘଟଣା ଘଟିବ, ଆମେ ସମସ୍ତେ ଦେଖିବା। ଜୟ ନବୀନ। ଜୟ ତଥାଗତ। ଜୟ ସୌମ୍ୟରଂଜନ। ଶେଷରେ ଜୟ ପାଣ୍ଡିଆନ।

Related story