ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଂଚାୟତ ଓ ପୌର ନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ ବିଜେପିର ଦୁର୍ବଳ ନିର୍ବାଚନୀ ପରିଚାଳନା ହିଁ ଓଡ଼ିଶା ରାଜନୀତିରେ ପୁଣି ଏକ ନୂଆ ସମୀକରଣ ଆଡ଼କୁ ଇଙ୍ଗିତ କରିବାର ସମ୍ଭାବନା ରହିଛି । ବିଶେଷକରି ଶାସକ ବିଜେଡି ସହ ଯେଉଁ ଢଙ୍ଗରେ ଏକଜୁଟ ହୋଇ ବିଜେପି ମୁକାବିଲା ଆବଶ୍ୟକତା (୨୦୧୭ ପଂଚାୟତ ନିର୍ବାଚନ ଅନୁରୂପ) ରହିଛି ସେପରି ହେଉନଥିବାରୁ ଏଭଳି ରାଜନୀତିକ ସମୀକରଣର ସମ୍ଭାବନା ସୃଷ୍ଟି ହୋଇଛି । ବିଶେଷକରି ଓଡ଼ିଶାରେ ଖାଲି ହେଉଥିବା ୪ଟି ରାଜ୍ୟସଭା ଆସନ, ଜୁଲାଇ ଓ ଅଗଷ୍ଟରେ ରାଷ୍ଟ୍ରପତି-ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ସମର୍ଥନର ବାଧ୍ୟବାଧକତା ଏବେ ରାଜ୍ୟ ବିଜେପିକୁ ଦ୍ୱନ୍ଦ୍ୱରେ ପକାଇଛି । ଅନ୍ୟପକ୍ଷରେ ବିଜେଡିର ସହଯୋଗରେ ଓଡ଼ିଶାରେ ଆଉ ଏକ ରାଜ୍ୟସଭା ପଦବୀ ହାତେଇବା ପାଇଁ ବିଜେପି ନେତୃତ୍ୱ ହୁଏତ ସୁଚିନ୍ତିତ ରଣନୀତି ପ୍ରସ୍ତୁତ ସହ ଓଡ଼ିଶାରେ ଏଭଳି ନୀତି ଆପଣାଇ ଥାଇପାରନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ।
ସୂଚନା ଅନୁସାରେ, ଆସନ୍ତା ଜୁଲାଇ ପହିଲାରୁ ରାଜ୍ୟସଭାର ୩ଟି ଆସନ ଖାଲି ହେଉଛି । ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ସେହି ୩ଟି ଆସନକୁ ହାତେଇବା ପାଇଁ ଶାସକ ବିଜେଡି ପାଖରେ ଆବଶ୍ୟକ ଅଙ୍କ ରହିଛି । ଯଦି ସୁବାସ ସିଂ କଟକରେ ମେୟର ଭାବେ ବିଜୟୀ ହୁଅନ୍ତି ତାଙ୍କୁ ରାଜ୍ୟସଭା ଆସନରୁ ଇସ୍ତଫା ଦେବାକୁ ପଡ଼ିବ । ଆଉ ସେ ମେୟର ନିର୍ବାଚନ ଜିତିଲେ ତାଙ୍କୁ ମାର୍ଚ୍ଚ ୩୧ତାରିଖ ପୂର୍ବରୁ ରାଜ୍ୟସଭା ପଦରୁ ଇସ୍ତଫା ଦେବାକୁ ପଡ଼ିବ । ଏପରି ସ୍ଥିତିରେ ଜୁଲାଇ ୧ ତାରିଖ ପୂର୍ବରୁ ଓଡ଼ିଶାରେ ଖାଲି ହେଉଥିବା ୩+୧= ୪ଟି ରାଜ୍ୟସଭା ଆସନ ପାଇଁ ଭୋଟଗ୍ରହଣ ଏକକାଳୀନ ହେବ । ଆଉ ଏହି ସମସ୍ତ ୪ଟି ଆସନ ହାତେଇବା ବିଜେଡି ପକ୍ଷେ ସହଜ ହେବନି । ତେଣୁ ପରିସ୍ଥିତିକୁ ଆକଳନ କରି ଏବେଠୁ ଚତୁର୍ଥ ଆସନକୁ ବିଜେପି ନିଜ କବଜାକୁ ନେବାକୁ ରଣନୀତି ପ୍ରସ୍ତୁତ କରିଛି । ୨୦୧୯ ଜୁନରେ ଅଶ୍ୱିନୀ ବୈଷ୍ଣବ ଯେଭଳି ଡାର୍କହର୍ସ ଭଳି ବିଜେପିର ପ୍ରାର୍ଥୀ ହୋଇ ବିଜେଡି ସହଯୋଗରେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହେଲେ ଠିକ୍ ଅନୁରୂପ ଶୈଳୀରେ ବିଜେପି ୪ର୍ଥ ଆସନ ହାତେଇବାକୁ ଯୋଜନା କରୁଥିବା ଜଣାପଡ଼ିଛି । ଆଉ ଏହି ରାଜ୍ୟସଭା ନିର୍ବାଚନ ସମେତ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେଡିର ସହଯୋଗର ଆବଶ୍ୟକତା ଦୃଷ୍ଟିରୁ ବିଜେପି ଜାତୀୟ ନେତୃତ୍ୱରେ ଏଠାରେ ଅଧିକ ଆକ୍ରମଣାତ୍ମକ ରଣନୀତି ପ୍ରସ୍ତୁତ କରୁନଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।
ଉଲ୍ଲେଖଯୋଗ୍ୟ, ୨୦୧୭ ପଂଚାୟତ ନିର୍ବାଚନ ଭଳି ଏକଜୁଟତା ଓ ଉତ୍ସାହ ନଦେଖାଇବା କାରଣରୁ ୨୦୨୨ ପଂଚାୟତ ନିର୍ବାଚନରେ ବିଜେପି ୧୦ଟି ଜିଲ୍ଲାରେ ଗୋଟିଏ ବି ଜିଲ୍ଲା ପରିଷଦ ଆସନ ହାତେଇବାରେ ସକ୍ଷମ ହୋଇନି । ଦଳ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇ ମାତ୍ର ମୋଟ ୪୨ଟି ଜିଲ୍ଲା ପରିଷଦ ଆସନ(୩୦.୦୭% ଭୋଟ ବା ୬୩.୨୩ଲକ୍ଷ ଭୋଟର)ରେ ସୀମିତ ରହିଛି । ଏହାସହିତ ମାତ୍ର ୨୧ଟି ବ୍ଲକରେ ବିଜେପି ସମର୍ଥିତ ପ୍ରାର୍ଥୀ ପଂଚାୟତ ସମିତି ଗଢ଼ିବାରେ ସଫଳ ହୋଇଛନ୍ତି । ତେବେ ୨୦୧୭ ନିର୍ବାଚନରେ ବିଜେପିକୁ ୨୯୭ଟି ଜିଲ୍ଲା ପରିଷଦ ଆସନ ସମେତ ୮ଟି ଜିଲ୍ଲାରେ ପରିଷଦ ଗଢ଼ିବାର ସୁଯୋଗ ମିଳିଥିଲା । ଦଳର ଭୋଟ ହାର ମଧ୍ୟ ୩୩% ରହିଥିଲା।
ଏପରିକି ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ରାଜ୍ୟରେ ୧୮% ଭୋଟ ହାର ସହ ମୋଟ ୩୮.୭୪ଲକ୍ଷ ଭୋଟରଙ୍କ ସମର୍ଥନ ପାଇଥିବାବେଳେ ୨୦୧୯ ବିଧାନସଭା ନିର୍ବାଚନରେ ତୁଳନାତ୍ମକ ଭାବେ ପ୍ରାୟ ଦୁଇଗୁଣ ଅଧିକ ଅର୍ଥାତ୍ ୩୨.୪୯ % ଭୋଟ ହାର ସହ ମୋଟ ୭୬.୯୦ ଲକ୍ଷ ଭୋଟ ପାଇଥିଲା । ମାତ୍ର ଦୁର୍ବଳ ନିର୍ବାଚନୀ ପରିଚାଳନା ଯୋଗୁ ବିଜେପି ଚଳିତ ପଂଚାୟତ ନିର୍ବାଚନରେ ସେହି ଭୋଟ ପରିମାଣକୁ ବୃଦ୍ଧି କରିବା ତ ଦୂରର କଥା ଓଲଟା ୨୦୧୯ ନିର୍ବାଚନରେ ମିଳିଥିବା ଭୋଟରୁ ପ୍ରାୟ ୧୪ଲକ୍ଷ ଭୋଟ୍ ହାତ ଛଡ଼ା କରିଛି । ଏସବୁ ପାଇଁ ଦଳର ଦୁର୍ବଳ ନିର୍ବାଚନୀ ପରିଚାଳନା ବୋଲି କୁହାଯାଉଥିଲେ ମଧ୍ୟ ବିଜେପି ଏପର୍ଯ୍ୟନ୍ତ ଏସବୁର ସମୀକ୍ଷା କରିନି କିମ୍ବା ପଂଚାୟତ ନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟରୁ ଶିକ୍ଷା ନେଇ ପୌର ନିର୍ବାଚନରେ ତା’ର ସୁଧାର ନିମନ୍ତେ ବି ପଦକ୍ଷେପ ନେଇପାରିନି ।
୨୦୧୪ ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆସିବା ପରଠୁ ବିଜେଡି କୌଣସି ପ୍ରସଙ୍ଗରେ ବି ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ଅଡ଼ୁଆରେ ପକାଇବା ଭଳି କାର୍ଯ୍ୟ କରିନି ଓଲଟା ସହଯୋଗର ହାତ ବଢ଼ାଇଛି । ତେଣୁ ବିଜେପିର ଜାତୀୟ ନେତୃତ୍ୱ ଓଡ଼ିଶାରେ ସେଭଳି ରାଜନୀତିକ ଗୋଟିଚାଳନା ନକରି ବିଜେଡିଠୁ କିଭଳି ଅଧିକ ଫାଇଦା ନେଇହେବ ସେ ଚକ୍କରରେ ରହିଥିବା ଭଳି ପ୍ରତୀୟମାନ ହେଉଛି । ଆଗକୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପିର ଜାତୀୟ ନେତୃତ୍ୱଙ୍କ ପାଇଁ ବିଜେଡିର ସମର୍ଥନ ଅତ୍ୟନ୍ତ ଜରୁରୀ । ତେଣୁ ଓଡ଼ିଶାରେ ବିଜେପି ବେଶ୍ ମାପିଚୁପି ନିଜର ରାଜନୀତିକ ଗୋଟିଚାଳନା କରୁଛି । ସମ୍ଭବତଃ ବିଜେପି ମଧ୍ୟ ୨୦୧୯ ମସିହା ଭଳି ବିଜେଡି ସହଯୋଗରେ ନିଜର ବ୍ୟାନରରେ ଓଡ଼ିଶାରୁ ଆଉ କାହାକୁ ରାଜ୍ୟସଭା ପାଇଁ ଦଳୀୟ ପ୍ରାର୍ଥୀ କରିବାର ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇନପାରେ ।