ବିରୋଧୀ ଦଳ ନେତା ପଦକୁ ନେଇ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ବିଧାୟକ ଯୋଗେଶ ସିଂଙ୍କ ଇସ୍ତଫାକୁ ବାଚସ୍ପତି ସ୍ୱୀକାର କରିବା ପରେ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ପଦରେ ବରିଷ୍ଠ ନେତା ନରସିଂହ ମିଶ୍ର ରହିବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜନୀତିକ ବିଶ୍ଲେଷକଙ୍କ ମତରେ ଫେବୃଆରୀ ୪ ତାରିଖରୁ ବିଧାନସଭାର ଅଧିବେଶନ ଆରମ୍ଭ ହେଉଛି। ଏବେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପାଖରେ ‘ବିରୋଧୀ ଦଳ ନେତା’ ପଦ ପାଇଁ ଆବଶ୍ୟକ ସଦସ୍ୟ ସଂଖ୍ୟା (ଗୃହର ମୋଟ […]

congress-leader-narasingha-mishra

Manoranjan Sial
  • Published: Thursday, 24 January 2019
  • , Updated: 24 January 2019, 06:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ବିଧାୟକ ଯୋଗେଶ ସିଂଙ୍କ ଇସ୍ତଫାକୁ ବାଚସ୍ପତି ସ୍ୱୀକାର କରିବା ପରେ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ପଦରେ ବରିଷ୍ଠ ନେତା ନରସିଂହ ମିଶ୍ର ରହିବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ ଫେବୃଆରୀ ୪ ତାରିଖରୁ ବିଧାନସଭାର ଅଧିବେଶନ ଆରମ୍ଭ ହେଉଛି। ଏବେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପାଖରେ ‘ବିରୋଧୀ ଦଳ ନେତା’ ପଦ ପାଇଁ ଆବଶ୍ୟକ ସଦସ୍ୟ ସଂଖ୍ୟା (ଗୃହର ମୋଟ ସଦସ୍ୟ ସଂଖ୍ୟାର ୧୦%) ନଥିବାରୁ ଦଳ ନୈତିକତା ଦୃଷ୍ଟିରୁ ଏହି ପଦ ଛାଡ଼ିଦେବା ଉଚିତ୍। କାରଣ ପ୍ରାବଧାନ ଅନୁସାରେ କୌଣସି ଦଳ (ଶାସକ ଦଳ ନୁହେଁ) ପାଖରେ ଗୃହର ମୋଟ ସଦସ୍ୟର ସର୍ବନିମ୍ନ ୧୦ପ୍ରତିଶତ ସଦସ୍ୟ ନଥିଲେ ସେହି ଦଳ ବିରୋଧୀ ଦଳ ପଦ ପାଇଁ ଦାବିଦାର ହୋଇପାରିବ ନାହିଁ।

୨୦୧୪ ସାଧାରଣ ନିର୍ବାଚନରେ ୧୪୭ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୧୬ଟି ଆସନରେ ଜିଣିଥିଲା। ତେବେ ସୁବଳ ସାହୁଙ୍କ ମୃତ୍ୟୁ ପରେ କଂଗ୍ରେସର ସଦସ୍ୟ ସଂଖ୍ୟା ୧୫କୁ ହ୍ରାସ ପାଇଥିଲା ଓ ପ୍ରାବଧାନ ଅନୁସାରେ ବିରୋଧୀ ଦଳ ନେତା ପଦ ଦଳ ପାଖରେ ସୁରକ୍ଷିତ ରହିଥିଲା। କିନ୍ତୁ ବିଧାୟକ ପଦରୁ କୃଷ୍ଣଚନ୍ଦ୍ର ଶଗରିଆ ଇସ୍ତଫା ଦେବାପରେ କଂଗ୍ରେସ ପାଖରେ ‘ବିରୋଧୀ ଦଳ ନେତା’ ପଦ ଚାଲିବାର ଆଶଙ୍କା ରହିଥିଲା କିନ୍ତୁ ସମତା କ୍ରାନ୍ତି ଦଳର ଏକମାତ୍ର ବିଧାୟକ ଜର୍ଜ ତିର୍କୀ କଂଗ୍ରେସରେ ମିଶିବା ପରେ ଏହି ପଦ ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ବଜାୟ ରହିଥିଲା।

ତେବେ ଦୁଇଦିନ ପୂର୍ବରୁ ବିଧାୟକ ଯୋଗେଶ ସିଂଙ୍କ ଇସ୍ତଫାକୁ ବାଚସ୍ପତି ଗ୍ରହଣ କରିସାରିଥିବାରୁ ଆଇନତଃ ‘ବିରୋଧୀ ଦଳ ନେତା’ ପଦକୁ ନିଜ ପାଖରେ ରଖିବାର ଅଧିକାରକୁ କଂଗ୍ରେସ ହରାଇ ସାରିଛି। କାରଣ ଦଳର ବିଧାୟକଙ୍କ ସଂଖ୍ୟା ୧୪କୁ ହ୍ରାସ ପାଇଛି। ତା’ଛଡ଼ା ବିଧାୟକ ନବ ଦାସଙ୍କୁ କଂଗ୍ରେସ କିଛିଦିନ ପୂର୍ବରୁ ବହିଷ୍କାର କରିସାରିଛି ଓ ସେ ଆଜି ବିଜେଡିରେ ସାମିଲ ହେବା ସହ ବିଧାୟକ ପଦରୁ ଇସ୍ତଫା ଦେବା ପାଇଁ ବାଚସ୍ପତିଙ୍କଠୁ ସମୟ ଲୋଡ଼ିଛନ୍ତି। ତେଣୁ ନବ ଦାସ ଦିନେ ଦୁଇଦିନ ମଧ୍ୟରେ ଇସ୍ତଫା ଦେଲେ ଏହି ସଂଖ୍ୟା ୧୩କୁ ହ୍ରାସ ପାଇବ।

ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ପଦ ପାଇଁ ଅତିକମରେ ୧୫ଜଣ ସଦସ୍ୟଙ୍କ ସମର୍ଥନ(ଗୋଟିଏ ଦଳର) ଜରୁରୀ ଥିବାବେଳେ କଂଗ୍ରେସ ପାଖରେ ଏବେ ସେହି ସଂଖ୍ୟା ନଥିବାରୁ ଫେବୃୟାରୀ ୪ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନବେଳେ ଦଳ କ’ଣ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅବଶ୍ୟ, ସରକାର ଚାହିଁଲେ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ‘ବିରୋଧୀ ଦଳ ନେତା’ ପଦ କଂଗ୍ରେସ ପାଖରେ ରହିପାରିବ। ଏବେ ଲୋକପାଳ ଚୟନ ପ୍ରକ୍ରିୟା ଚାଲିଥିବାରୁ ତଥା ସେଥିରେ ‘ବିରୋଧୀ ଦଳ ନେତା’ ସଦସ୍ୟ ଥିବାରୁ ରାଜ୍ୟ ସରକାରଙ୍କ ପାଇଁ ଏହା ବାଧ୍ୟବାଧକତା ପାଲଟିଛି।

Related story