ଦୁଇ ଦିନ ପରେ ଆସିବ ଅଗଷ୍ଟ ମାସର ଗାଇଡ୍ ଲାଇନ୍, ସମ୍ପୂର୍ଣ୍ଣ ଅନଲକ୍ ହେବକି ଓଡ଼ିଶା?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଆଂଶିକ ଲକଡାଉନ୍ ଜାରି ରହିଛି, ଯାହା ଜୁଲାଇ ୩୧ ତାରିଖରେ ଶେଷ ହେବ। ଜୁଲାଇ ୩୧ ତାରିଖ ଦିନ ଅଗଷ୍ଟ ମାସ ପାଇଁ ଆସିବ ଗାଇଡଲାଇନ୍। ତେବେ ଅଗଷ୍ଟ ୧ ତାରିଖରୁ ରାଜ୍ୟରେ ସମ୍ପୂର୍ଣ୍ଣ ଅନଲକ୍ ହେବ ନା ନାହିଁ, ତାହା ଦୁଇ ଦିନ ପରେ ସ୍ପଷ୍ଟ ହୋଇଯିବ। ରାଜ୍ୟରେ ଅଧିକାଂଶ ଜିଲ୍ଲାରେ କରୋନା ସଂକ୍ରମଣ କମିଥିଲେ ହେଁ, କଟକ ଓ ଭୁବନେଶ୍ୱର ଭଳି ବଡ଼ ସହରରେ ସ୍ଥିତି ଏବେ […]

odisha unlock

Ranjit Kumar Jena
  • Published: Wednesday, 28 July 2021
  • , Updated: 28 July 2021, 08:29 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଆଂଶିକ ଲକଡାଉନ୍ ଜାରି ରହିଛି, ଯାହା ଜୁଲାଇ ୩୧ ତାରିଖରେ ଶେଷ ହେବ। ଜୁଲାଇ ୩୧ ତାରିଖ ଦିନ ଅଗଷ୍ଟ ମାସ ପାଇଁ ଆସିବ ଗାଇଡଲାଇନ୍। ତେବେ ଅଗଷ୍ଟ ୧ ତାରିଖରୁ ରାଜ୍ୟରେ ସମ୍ପୂର୍ଣ୍ଣ ଅନଲକ୍ ହେବ ନା ନାହିଁ, ତାହା ଦୁଇ ଦିନ ପରେ ସ୍ପଷ୍ଟ ହୋଇଯିବ। ରାଜ୍ୟରେ ଅଧିକାଂଶ ଜିଲ୍ଲାରେ କରୋନା ସଂକ୍ରମଣ କମିଥିଲେ ହେଁ, କଟକ ଓ ଭୁବନେଶ୍ୱର ଭଳି ବଡ଼ ସହରରେ ସ୍ଥିତି ଏବେ ବି ଉଦବେଗଜନକ ରହିଛି। ତେଣୁ ଅଗଷ୍ଟ ମାସର ଗାଇଡାଲାଇନରେ କେଉଁ ଫର୍ମୁଲା ଅଣାଯିବ ତା ଉପରେ ବିଚାରବିମର୍ଶ ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ।

ଶନିବାର ଅଗଷ୍ଟ ମାସର ନୂଆ ଗାଇଡାଲାଇନ୍ ଆସିବ। ମେ'ରୁ ଜୁଲାଇ ପର୍ଯ୍ୟନ୍ତ ବିଗତ ୩ ମାସ ଧରି କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ୍ ଓ ଆଂଶିକ ଲକଡାଉନ୍ ଲାଗୁ ହୋଇଛି। କରୋନା ସଂକ୍ରମଣ କମୁଥିଲେ ବି ଦୈନିକ ପଜିଟିଭ୍ ଟ୍ରେଣ୍ଡ୍ ୧୬୦୦ରୁ ୨ହଜାର ମଧ୍ୟରେ ରହୁଛି। ସେହିପରି ଟିପିଆର୍ ୨ ତଳକୁ ଖସିନାହିଁ।

ଅନ୍ୟପକ୍ଷରେ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସଂକ୍ରମଣ ଏବେ ବି ଉଚ୍ଚା ରହିଛି। ସେଥିରେ ପୁଣି ରାଜଧାନୀ ଭୁବନେଶ୍ୱର ଓ କଟକ ସହରକୁ ନେଇ ଏବେ ବି ଲାଗି ରହିଛି ଟେନସନ୍। ଖୋର୍ଦ୍ଧା ଜିଲ୍ଲାରେ ଏବେ ୪ ହଜାର ୫୦୯ ଆକ୍ଟିଭ୍ କେସ୍ ଥିବାବେଳେ କେବଳ ଭୁବନେଶ୍ୱରରେ ଅଛି ୨ ହଜାର ୬୫ କେସ୍। ସେହିପରି କଟକ ଜିଲ୍ଲାର ମୋଟ୍ ୨,୧୯୩ ଆକ୍ଟିଭ କେସ୍ ମଧ୍ୟରୁ କଟକ ସହରରେ ରହିଛି ୧୧୩୬ କେସ୍। ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ବି ଆକ୍ଟିଭ୍ କେସ୍ ସଂଖ୍ୟା ହଜାରେ ଉପରେ ରହିଛି।

ସ୍ଥିତିରେ ସୁଧାର ଆସୁଥିବାରୁ ଅଗଷ୍ଟ ଗାଇଡଲାଇନରେ ଆଉ କିଛି କଟକଣା କୋହଳ କରାଯାଇପାରେ। କାଟାଗୋରୀ-ବିରେ ଥିବା ୧୦ ଜିଲ୍ଲାରେ ଏବେ ଅପରାହ୍ଣ ୫ଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି ଥିବା ବେଳେ ଏହାକୁ ରାତି ୮ଟା ଯାଏଁ ବଢ଼ାଯିବାର ସମ୍ଭାବନା ରହିଛି। ତେବେ ଟୁଇନସିଟିରେ ଆକ୍ଟିଭ୍ କେସ୍ ଅଧିକ ଥିବାରୁ ଦୁଇ ମହାନଗର ପାଇଁ କିଛି ସ୍ୱତନ୍ତ୍ର ନିୟମ ଆସିପାରେ। ହେଲେ ନାଇଟ୍ କର୍ଫ୍ୟୁ, ସାମାଜିକ, ରାଜନୈତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ପୂର୍ବଭଳି କଟକଣା ବଳବତ୍ତର ରହିବାର ସମ୍ଭାବନା ଅଛି। ତେବେ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲିବ କି ନାହିଁ ତାଉପରେ ସସପେନ୍ସ ଲାଗି ରହିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୦୩  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୮୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୭୧୫ ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୯ ଜଣଙ୍କ ସଂପର୍କରେ ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୭୦୩କୁ ବୃଦ୍ଧି ପାଇଛି।

Related story