ରତ୍ନଭଣ୍ଡାର ଖୋଲିବ ତ ? ଆଇନମନ୍ତ୍ରୀଙ୍କ ଉତ୍ତରକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବ ତ? ଆଇନମନ୍ତ୍ରୀ ଶ୍ରୀଜଗନ୍ନାଥ ସାରକା ଚଳିତ ବିଧାନସଭାରେ ଦେଇଥିବା ଦୁଇଟି ଲିଖିତ ଉତ୍ତରକୁ ନେଇ ଏଭଳି ଦ୍ୱନ୍ଦ୍ୱ ଓ ପ୍ରଶ୍ନବାଚୀ ଦେଖାଦେଇଛି। ବିଧାୟକ ଦାସରଥୀ ଗମାଙ୍ଗ ଏକ ଲିଖିତ ପ୍ରଶ୍ନରେ ଆଇନମନ୍ତ୍ରୀଙ୍କୁ ପଚାରିଥିଲେ ଯେ, ୧୯୭୦ ମସିହା ପରଠାରୁ ମହାପ୍ରଭୁଙ୍କ ରତ୍ନ ଗୃହର ଚାବି କେଉଁଠାରେ ଥିଲା ? ଚାବି ହଜିବା ଏବଂ ୧୪ ଜୁନ୍ ୨୦୧୮ ରିଖରେ ଜିଲ୍ଲାପାଳଙ୍କ ମହାଫିସ୍ ଖାନା(ରେକର୍ଡ ରୁମ୍)ରୁ ଚାବି ମିଳିବା ସମ୍ପର୍କିତ ତଥ୍ୟ […]

srimandir-1

  • Published: Friday, 12 August 2022
  • , Updated: 12 August 2022, 10:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବ ତ? ଆଇନମନ୍ତ୍ରୀ ଶ୍ରୀଜଗନ୍ନାଥ ସାରକା ଚଳିତ ବିଧାନସଭାରେ ଦେଇଥିବା ଦୁଇଟି ଲିଖିତ ଉତ୍ତରକୁ ନେଇ ଏଭଳି ଦ୍ୱନ୍ଦ୍ୱ ଓ ପ୍ରଶ୍ନବାଚୀ ଦେଖାଦେଇଛି। ବିଧାୟକ ଦାସରଥୀ ଗମାଙ୍ଗ ଏକ ଲିଖିତ ପ୍ରଶ୍ନରେ ଆଇନମନ୍ତ୍ରୀଙ୍କୁ ପଚାରିଥିଲେ ଯେ, ୧୯୭୦ ମସିହା ପରଠାରୁ ମହାପ୍ରଭୁଙ୍କ ରତ୍ନ ଗୃହର ଚାବି କେଉଁଠାରେ ଥିଲା ? ଚାବି ହଜିବା ଏବଂ ୧୪ ଜୁନ୍ ୨୦୧୮ ରିଖରେ ଜିଲ୍ଲାପାଳଙ୍କ ମହାଫିସ୍ ଖାନା(ରେକର୍ଡ ରୁମ୍)ରୁ ଚାବି ମିଳିବା ସମ୍ପର୍କିତ ତଥ୍ୟ ଉନ୍ମୋଚନ ପାଇଁ ଗଠିତ ବିଚାର ବିଭାଗୀୟ କମିଟି ତଥା ଜଷ୍ଟିସ୍ ରଘୁବୀର ଦାଶଙ୍କ ତତ୍ତ୍ୱାବଧାନରେ ପ୍ରଦତ୍ତ ରିପୋର୍ଟ ସମ୍ପର୍କିତ ତଥ୍ୟ ଗୃହରେ ପ୍ରଦାନ କରିବେ କି ? ରତ୍ନ ଭଣ୍ଡାରର ଆବଶ୍ୟକ ମରାମତି କାର୍ଯ୍ୟ କିପରି ସମ୍ପୂର୍ଣ୍ଣ ହେବ ସେଥିପ୍ରତି ଉଚିତ ପଦକ୍ଷେପ ଗ୍ରହଣ କରିବେ କି ?

ଲିଖିତ ଉତ୍ତର ଦେଇ ଆଇନମନ୍ତ୍ରୀ ଶ୍ରୀଜଗନ୍ନାଥ ସାରକା କହିଥିଲେ ଯେ, ରତ୍ନଭଣ୍ଡାର ଚାବି ହଜିବା ଘଟଣା ଉପରେ ତଦନ୍ତ କରିବା ପାଇଁ ନିଯୁକ୍ତ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ହସ୍ତଗତ ହେବା ପରେ କମିଶନଙ୍କର ସୁପାରିଶ ଅନୁସାରେ ରତ୍ନଭଣ୍ଡାରର ଆବଶ୍ୟକ ମରାମତି କରିବା ପାଇଁ ପଦକ୍ଷେପ ନିଆଯାଇପାରିବ।

ବାସ୍ ଶ୍ରୀଗମାଙ୍ଗ ପଚାରିଥିବା ଅନ୍ୟ କୌଣସି ପ୍ରଶ୍ନର ଲିଖିତ ଉତ୍ତର ଦେଇନାହାନ୍ତି ଆଇନମନ୍ତ୍ରୀ। ସେପଟେ ଦୀର୍ଘବର୍ଷ ତଳୁ ଦାସ କମିଶନ ସରକାରଙ୍କ ରିପୋର୍ଟ ଦେଇସାରିଥିବା ବେଳେ ଆଇନମନ୍ତ୍ରୀ ଏହି ରିପୋର୍ଟ ହସ୍ତଗତ ହେବା ପରେ ପଦକ୍ଷେପ ନିଆଯିବ ବୋଲି ଲେଖିବା କେତେ ଯୁକ୍ତିଯୁକ୍ତ ତାହାକୁ ନେଇ ସନ୍ଦେହ ଦେଖାଦେଇଛି।

ସେହିପରି ମୋହନ ଚରଣ ମାଝୀ ଆଇନମନ୍ତ୍ରୀଙ୍କୁ ଏକ ଲିଖିତ ପ୍ରଶ୍ନ ପଚାରିଥିଲେ ଯେ, ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ଖୋଲି ସେଥିରେ କେତେ ପରିମାଣର ସୁନା, ରୁପା, ହୀରା ଓ ଅନ୍ୟ ରତ୍ନାଦି ଅଳଙ୍କାର ଅଛି ତାହା ସୁମାରି କରିବାକୁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ଅଛି କି ? ଯଦି ଅଛି ତେବେ କେବେ ସୁଦ୍ଧା କରାଯିବ ?

ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଲିଖିତ ଉତ୍ତର ଦେଇ କହିଥିଲେ, ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ଖୋଲି ସେଥିରେ କେତେ ପରିମାଣର ସୁନା, ରୁପା, ହୀରା ଓ ଅନ୍ୟାନ୍ୟ ରତ୍ନାଦି ଅଳଙ୍କାର ଅଛି ତାହା ସୁମାରି କରିବା ପାଇଁ ପ୍ରସ୍ତାବ ହସ୍ତଗତ ହେଲେ ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

ଏହି ଅଧାଖଣ୍ଡିଆ ଉତ୍ତରରେ କିଏ ପ୍ରସ୍ତାବ ଦେବ ସେ ବିଷୟରେ ଉଲ୍ଲେଖ ନ କରାଯାଇନାହିଁ। କେବେ ସୁଦ୍ଧା କରାଯିବ ତାହାର ମଧ୍ୟ ଉତ୍ତର ନାହିଁ। ଯେତେବେଳେ କି ଶ୍ରୀମନ୍ଦିର ଆରଓଆର ଓ ଶ୍ରୀମନ୍ଦିର ଆଇନ ଅନୁସାରେ ପ୍ରତି ୩ ବର୍ଷରେ ଥରେ ରତ୍ନ ଭଣ୍ଡାର ରତ୍ନ ସୁମାରି ବା ମଣତି କରିବାର ନିୟମ ରହିଛି। ଏଭଳି ଉତ୍ତର ଆଇନ ବିଭାଗ ଦାୟିତ୍ୱହୀନତାକୁ ପଦାରେ ପକାଇଛି।

Related story