ସ୍ମାର୍ଟସିଟି ଭୁବନେଶ୍ୱରରେ ଅସୁରକ୍ଷିତ ନାବାଳିକା, ମହିଳା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ମାର୍ଟସିଟି ଭୁବନେଶ୍ୱର। ଇଏ ପୁଣି ଆମ ରାଜଧାନୀ। ଏଠି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟଶାସନ ସଚିବ ପର୍ଯ୍ୟନ୍ତ ରହୁଛନ୍ତି। ଏଠି ରହୁଛନ୍ତି ପୁଲିସ୍‌ କମିଶନର। କେବଳ ଏତିକି ନୁହେଁ, ଏଠାରେ ବହୁ ବଡ଼ବଡ଼ ରାଜନେତାଙ୍କଠାରୁ ଆରମ୍ଭ କରି ବଡ଼ବାବୁ ଓ ବାବୁଆଣୀମାନେ ମଧ୍ୟ ରହୁଛନ୍ତି। ଆଉ ନାରୀ ସ୍ୱାଧୀନତା ଓ ସୁରକ୍ଷା ନେଇ ଦେଉଛନ୍ତି ଲମ୍ୱାଲମ୍ୱା ଭାଷଣ। ତଥାପି ଏଠି ମହିଳା ଓ ନାବାଳିକା ଅସୁରକ୍ଷିତ। ନିତି ଆୟୋଗଙ୍କ ଅର୍ବାନ ଇଣ୍ଡେକ୍ସ ରିପୋର୍ଟରୁ […]

bbsr

Manoranjan Sial
  • Published: Saturday, 27 November 2021
  • , Updated: 27 November 2021, 09:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ମାର୍ଟସିଟି ଭୁବନେଶ୍ୱର। ଇଏ ପୁଣି ଆମ ରାଜଧାନୀ। ଏଠି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟଶାସନ ସଚିବ ପର୍ଯ୍ୟନ୍ତ ରହୁଛନ୍ତି। ଏଠି ରହୁଛନ୍ତି ପୁଲିସ୍‌ କମିଶନର। କେବଳ ଏତିକି ନୁହେଁ, ଏଠାରେ ବହୁ ବଡ଼ବଡ଼ ରାଜନେତାଙ୍କଠାରୁ ଆରମ୍ଭ କରି ବଡ଼ବାବୁ ଓ ବାବୁଆଣୀମାନେ ମଧ୍ୟ ରହୁଛନ୍ତି। ଆଉ ନାରୀ ସ୍ୱାଧୀନତା ଓ ସୁରକ୍ଷା ନେଇ ଦେଉଛନ୍ତି ଲମ୍ୱାଲମ୍ୱା ଭାଷଣ। ତଥାପି ଏଠି ମହିଳା ଓ ନାବାଳିକା ଅସୁରକ୍ଷିତ। ନିତି ଆୟୋଗଙ୍କ ଅର୍ବାନ ଇଣ୍ଡେକ୍ସ ରିପୋର୍ଟରୁ ଏପରି ଖୋଲାସା ହେବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ନିତି ଆୟୋଗର ଅର୍ବାନ ଇଣ୍ଡେକ୍ସ ରିପୋର୍ଟ ୨୦୨୧-୨୨ ଅନୁଯାୟୀ ଭୁବନେଶ୍ୱରରେ ଅସୁରକ୍ଷିତ ନାବାଳିକା ଓ ମହିଳା। ରାଜଧାନୀରେ ପ୍ରତି ଲକ୍ଷେରେ ୧୭୦ରୁ ଅଧିକ ମହିଳା ବିରୋଧୀ ଅପରାଧ ଘଟୁଥିବା ବେଳେ ୫୫ ନାବାଳିକା ଯୌନ ଅପରାଧର ଶିକାର ହେଉଛନ୍ତି। ପ୍ରତି ଲକ୍ଷେରେ ଘରୋଇ ହିଂସାର ଶିକାର ହେଉଛନ୍ତି ୨୩ ଜଣ। ସେହିପରି ୧୦ ହଜାର ଶିଶୁଙ୍କ ମଧ୍ୟରେ ୯ରୁ ଅଧିକ ଶିଶୁ ନିଖୋଜ ହେଉଥିବା ବେଳେ ପ୍ରତି ଲକ୍ଷେରେ ୧୪ ଜଣ ସାଇବର ଅପରାଧର ଶିକାର ହେଉଛନ୍ତିି। ଅର୍ଥନୈତିକ ଅପରାଧ ମଧ୍ୟ କିଛି କମ ନୁହେଁ। ଲକ୍ଷେ ଜନ ସଂଖ୍ୟାରେ ୭୩ରୁ ଅଧିକ ଅର୍ଥନୈତିକ ଅପରାଧର ଶିକାର ହେଉଥିବା ବେଳେ ଦୁର୍ନୀତି ବିରୋଧରେ ଲକ୍ଷେ ଜନସଂଖ୍ୟାରେ ୩ ରୁ ଅଧିକ ମାମଲା ରୁଜୁ ହେଉଛି।

କେବଳ ଅପରାଧ କି ଦୁର୍ନୀତି ନୁହେଁ, ଅନ୍ୟ କ୍ଷେତ୍ର ଉପରେ ମଧ୍ୟ ନଜର ପକାଇଲେ ଭୁବନେଶ୍ୱରର ସ୍ଥିତି ସଂଘାତିକ। ରାଜଧାନୀରେ ପ୍ରାୟ ୭୪ ପ୍ରତିଶତ ଲୋକଙ୍କ ପାଖରେ ନାହିଁ କୌଣସି ପ୍ରକାର ସ୍ୱାସ୍ଥ୍ୟ ବୀମା। ସେହିଭଳି ରାଜଧାନୀର ପ୍ରାୟ ୫୧ ପ୍ରତିଶତ ମହିଳା ଓ ୫୦ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି। ପ୍ରତି ଲକ୍ଷରେ ପ୍ରାୟ ୩୩ ଜଣ ଆତ୍ମହତ୍ୟା କରୁଥିବା ରିପୋର୍ଟରୁ ଜଣାପଡ଼ିଛି।

ସାରା ରାଜ୍ୟରେ ମୋ’ ସ୍କୁଲ ଅଭିଯାନ ମାଧ୍ୟମରେ ସ୍କୁଲର ଉନ୍ନତୀକରଣ ଚାଲୁଥିବା ବେଳେ ଭୁବନେଶ୍ୱର ଚିତ୍ର କିନ୍ତୁ ନୈରାଶ୍ୟଜନକ। ରାଜଧାନୀରେ ୫୭ ପ୍ରତିଶତ ସ୍କୁଲରେ କମ୍ପ୍ୟୁଟର ଥିବା ବେଳେ ମାତ୍ର ୨୫ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ୍‌ ସୁବିଧା ରହିଛି। ସେହିଭଳି ରାଜଧାନୀରେ ଏବେବି ୩୩ ଭାଗ ଲୋକ କାଠ ଓ କୋଇଲା ଜାଳି ରୋଷେଇ କରୁଛନ୍ତି।

ନିତି ଆୟୋଗର ଅର୍ବାନ ଇଣ୍ଡେକ୍ସ ସର୍ଭେରେ ଦେଶର ମୋଟ ୫୬ଟି ସହରରେ କରାଯାଇଥିଲା। ଏହି ତାଲିକାରେ ଓଡ଼ିଶାର କେବଳ ଭୁବନେଶ୍ୱର ସାମିଲ ଥିବା ବେଳେ ଏହାର ରାଙ୍କ ରହିଛି ୪୪। ଭଲ ପ୍ରଦର୍ଶନ ସହ ସିମ୍‌ଲା ୧ ନମ୍ବରରେ ରହିଛି।

Related story