ଯୌତୁକ ନିର୍ଯାତନାରେ ଅତିଷ୍ଠ ମହିଳା ଥାନା ଆଗରେ ବିଷ ପିଇଦେଲେ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଯୌତୁକ ନିର୍ଯାତନାରେ ଅତିଷ୍ଠ ହୋଇ ପଡ଼ିଥିଲେ ମହିଳା । ନ୍ୟାୟ ପାଇଁ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇ ନିରାଶ ହୋଇ ପଡ଼ିଥିଲେ। ସ୍ୱାମୀ ସବୁବେଳେ ପାଖେପାଖେ ଛିଡ଼ା ହୋଇଥିଲେ ବି ଶାଶୁ ଘର ଲୋକେ ଘରେ ପୂରାଇ ଦେଉ ନ ଥିଲେ। ଏପରିକି ଉଭୟ ସ୍ୱାମୀସ୍ତ୍ରୀ ଏକ ଛୋଟ ପୁଅକୁ ଧରି ବାହାରେ ରହୁଥିବା ବେଳେ ନ୍ୟାୟ ପାଇଁ ଥାନାକୁ ଦୌଡ଼ୁଥିଲେ। ମାତ୍ର ପୁଲିସ୍‌ ନିକଟରୁ ସେପରି କିଛି ସୁଫଳ  ନ ମିଳିବାରୁ ଗତକାଲି […]

lady

  • Published: Wednesday, 24 August 2022
  • , Updated: 24 August 2022, 10:22 AM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଯୌତୁକ ନିର୍ଯାତନାରେ ଅତିଷ୍ଠ ହୋଇ ପଡ଼ିଥିଲେ ମହିଳା । ନ୍ୟାୟ ପାଇଁ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇ ନିରାଶ ହୋଇ ପଡ଼ିଥିଲେ। ସ୍ୱାମୀ ସବୁବେଳେ ପାଖେପାଖେ ଛିଡ଼ା ହୋଇଥିଲେ ବି ଶାଶୁ ଘର ଲୋକେ ଘରେ ପୂରାଇ ଦେଉ ନ ଥିଲେ। ଏପରିକି ଉଭୟ ସ୍ୱାମୀସ୍ତ୍ରୀ ଏକ ଛୋଟ ପୁଅକୁ ଧରି ବାହାରେ ରହୁଥିବା ବେଳେ ନ୍ୟାୟ ପାଇଁ ଥାନାକୁ ଦୌଡ଼ୁଥିଲେ। ମାତ୍ର ପୁଲିସ୍‌ ନିକଟରୁ ସେପରି କିଛି ସୁଫଳ  ନ ମିଳିବାରୁ ଗତକାଲି ମହିଳାଜଣକ ଥାନା ସମ୍ମୁଖରେ ବିଷ ପିଇ ଦେଇଛନ୍ତି।  ଗୁରୁତର ଅବସ୍ଥାରେ ତାଙ୍କୁ  ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସମ୍ମୁଖରେ ଘଟିଛି।  ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜଣକ ଏମ ଝିଲି ପାତ୍ର  ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ, ଛତ୍ରପୁର ମହାବୀର ନଗରର ଏମ ଝିଲି ପାତ୍ର  ଓ ଏମ୍‌ ମୁନ୍ନା ପାତ୍ର ନାମକ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଏହାପରେ ଉଭୟ ୨୦୨୦ ଡିସେମ୍ବର ୮ରେ  ବିବାହ କରିଥିଲେ। ମାତ୍ର ବିବାହ ପରେ ପରେ ତାଙ୍କ ଉପରେ ଅଧିକ ଯୌତୁକ ଆଣିବାକୁ ଚାପ ପଡ଼ିଲା। ଝିଅର ସୁଖ ପାଇ ବାପ ଘର ଲୋକେ ୧୦ ତୋଳା ସୁନା, ୨ ଲକ୍ଷ ଟଙ୍କା  ଦେଇଥିଲେ।  ହେଲେ ଏତିକିରେ ସନ୍ତୁଷ୍ଟ ହେଲେନି ଶାଶୁ ଘର ଲୋକେ। ଅଧିକ ଯୌତୁକ ପାଇଁ ତାଙ୍କୁ ପୁଣି ଥରେ ନିର୍ଯାତନା ଦେବା ଆରମ୍ଭ କଲେ ।

ହେଲେ ସ୍ୱାମୀ ଏମ୍‌ ମୁନ୍ନା ପାତ୍ର ସବୁବେଳେ ଝିଲିଙ୍କ ସହ ଛିଡ଼ା ହୋଇଥିଲେ। ଏପରିକି ନିଜ ଘର ଲୋକଙ୍କ କାର୍ଯ୍ୟକଳାପକୁ ବିରୋଧ କରି ସେ ପତ୍ନୀଙ୍କ ସହ ବାହାରେ ଭଡ଼ାରେ ରହୁଥିଲେ।  ଏହାପରେ ଶାଶୁ ଘରେ ନିଜ ନ୍ୟାର୍ଯ୍ୟ ଦାବି ପାଇଁ ଝିଲି ଛତ୍ରପୁର ଥାନାର ଦ୍ୱାରସ୍ଥ ହେଲେ।

ଏହି ଘଟଣାର ସମାଧାନ ପାଇଁ ଗତକାଲି ଝିଲି ଓ ତାଙ୍କ ସ୍ୱାମୀ ଛତ୍ରପୁର ଥାନାକୁ ଯାଇଥିଲେ।  ହେଲେ ସେଠାରେ ଘଟଣାର ସମାଧାନ ହୋଇ ନ ପାରିବାରୁ ଝିଲି ଥାନା ସମ୍ମୁଖରେ ହିଁ ବିଷ ପିଇ ଦେଇଥିଲେ। ଏହା ଦେଖି ଥାନା କର୍ମଚାରୀ ପ୍ରଥମେ ତାଙ୍କୁ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରି ଦେଇଥିଲେ । ସେଠାରେ ତାଙ୍କ ଚିକିତ୍ସା ଚାଲିଛି।

ଏନେଇ ଝିଲିଙ୍କ ବାପା କହିଛନ୍ତି, ୨ ବର୍ଷ ହେଲା ଝିଅକୁ ବିବାହ କରିଥିଲି। ଦାବି ମୁତାବକ ୧୦ ତୋଳା ସୁନା, ୨ ଲକ୍ଷ ଟଙ୍କା  ଦେଇଥିଲି । ଏବେ ଆହୁରି ଟଙ୍କା ମାଗୁଛନ୍ତି। ମୁଁ ଆଉ ଟଙ୍କା ନ ଦେଇପାରିବାକୁ ଝିଅକୁ ଘରକୁ ନେଉ ନାହାନ୍ତି। ତେଣୁ ଝିଅ ବିଷ ପିଇ ଦେଇଛି।

କିଛି ଦିନ ପୂର୍ବେ ଗୋପାଳପୁର ଥାନା ସମ୍ମୁଖରେ ମଧ୍ୟ ସମାନ ଘଟଣା ଘଟିଥିଲା। ନ୍ୟାୟ ନ ପାଇ ଥାନା ସମ୍ମୁଖରେ ବିଷ ପିଇ ଜଣେ ମହିଳା ଆତ୍ମହତ୍ୟା କରିଥିଲେ।

Related story