ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଫୋନ୍ କରି ପ୍ରେମିକଙ୍କୁ ଡାକିଲେ, ହତ୍ୟା କରି ପୋଡ଼ିଦେଲେ ପ୍ରେମିକା! ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ଼ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଫୋନ୍ କଲ୍ ରେକର୍ଡ ଯାଞ୍ଚ କରି ଅଭିଯୁକ୍ତ ପ୍ରେମିକା ଓ ତାଙ୍କ ସାଥୀଙ୍କୁ ବାନ୍ଧିଛି। ହେଲେ ଅଭିଯୁକ୍ତ ପ୍ରେମିକାଙ୍କ ସ୍ୱାମୀ ଓ ଶ୍ୱଶୁର ଫେରାର ଅଛନ୍ତି।
ନୟାଗଡ଼ ମହୀପୁର ଅଞ୍ଚଳର ସୁନିତା ସାହୁ ନିଜ ସ୍ୱାମୀ ଦୀପୁଙ୍କ ସହ ମିଶି କଟକରେ ରହୁଥିଲେ। ସେଠାରେ ସେ ଦହିବରା ବେପାର କରୁଥିଲେ। ସେହି ସମୟରେ ତାଙ୍କ ସହିତ ଏଲ୍ଆଇସି ଏଜେଣ୍ଟ ଶୈଳେନ୍ଦ୍ର ଜେନାଙ୍କର ଦେଖା ହୋଇଥିଲା। ଉଭୟ ବିବାହିତ ହୋଇଥିଲେ ମଧ୍ୟ ପ୍ରଥମ ଦେଖାରେ ପ୍ରେମରେ ପଡ଼ିଯାଇଥିଲେ। କଥାବାର୍ତ୍ତା ପରେ ଉଭୟ ନିକଟତର ହୋଇଥିଲେ। ଏପରିକି ଉଭୟଙ୍କ ଭିତରେ ଶାରୀରିକ ସମ୍ପର୍କ ଗଢ଼ି ଉଠିଥିବା ଅଭିଯୋଗ ହୋଇଛି।
ସୁନିତାଙ୍କ ପ୍ରେମ ସମ୍ପର୍କରେ ଜାଣିବା ପରେ ଦୀପୁଙ୍କ ପରିବାରରେ ଝଡ଼ ସୃଷ୍ଟି ହୋଇଥିଲା। ସେ ପ୍ରଥମେ ଧର୍ମପତ୍ନୀଙ୍କୁ ବୁଝାଇଥିଲେ। ପରେ ଶୈଳେନ୍ଦ୍ରଙ୍କୁ ଗାଳି ଦେଇଥିଲେ ଦୀପୁ। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ତଥାପି ସୁନିତା ଆୟତ୍ତକୁ ଆସିନଥିଲେ। ଲୁଚାଛପା ଶୈଳେନ୍ଦ୍ରଙ୍କୁ ପ୍ରେମ କରୁଥିଲେ ସୁନିତା। ଶେଷରେ କିଛି ଉପାୟ ନପାଇ ଦଳିବରା ବେପାର ଛାଡ଼ି ପତ୍ନୀଙ୍କୁ ଧରି ଗାଁକୁ ଫେରିଲେ ଦୀପୁ।
ଗାଁକୁ ଫେରିଥିଲେ ସୁଦ୍ଧା ପ୍ରେମରେ ଉବୁଟୁବୁ ହେଉଥିବା ସୁନିତା କିନ୍ତୁ ମନେମନେ ଶୈଳେନ୍ଦ୍ରଙ୍କୁ ଖୋଜୁଥିଲେ। ପତ୍ନୀଙ୍କ ଏ ରୂପ ଦେଖି ବିଚଳିତ ହୋଇ ଯାଇଥିଲେ ଦୀପ। ଶୈଳେନ୍ଦ୍ରଙ୍କୁ ରାସ୍ତାରୁ ହଟାଇବା ପାଇଁ ବନ୍ଧୁ ସୁରଜ ସାହୁଙ୍କ ସହଯୋଗ ଲୋଡ଼ିଥିଲେ। ଉଭୟ ମିଶି ଷଡ଼ଯନ୍ତ୍ର କରିଥିଲେ। ପରେ ସୁନିତାଙ୍କ ମାଧ୍ୟମରେ ଫୋନ୍ କରି ଶୈଳେନ୍ଦ୍ରଙ୍କୁ ମହିଧରପୁର ଡାକିଥିଲେ। ଫୋନ୍ କଲ ପାଇବା ପରେ ଗତ ୩ ତାରିଖରେ ଶୈଳେନ୍ଦ୍ର, ମହିଧରପୁରରେ ପହଞ୍ଚିଥିଲେ। ପୂର୍ବ ଯୋଜନା ମୁତାବକ ସେଠାରେ ଶୈଳେନ୍ଦ୍ରଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରି ପୋଡ଼ି ଦେଇଥିଲେ। ପରେ ଦରପୋଡା ଶରୀରକୁ ନେଇ ନିକଟସ୍ଥ ପୋଖରୀରେ ଫିଙ୍ଗି ଦେଇଥିଲେ।
ଶୈଳେନ୍ଦ୍ର ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ। ଏନେଇ ତାଙ୍କ ପତ୍ନୀ କମିଶନରେଟ୍ ପୁଲିସ୍ରେ ଲିଖିତ ଅଭିଯୋଗ କରିଥିଲେ। କମିଶନରେଟ୍ ପୁଲିସ ମାମଲା ରୁଜୁ କରି ନୟାଗଡ଼ ଜିଲ୍ଲା ନୂଆପଡ଼ା ଥାନା ପୁଲିସ୍ର ସହାୟତା ନେଇଥିଲେ। ନୂଆପଡ଼ା ଥାନା ପୁଲିସ୍ ଘଟଣାର ତଦନ୍ତ କରି ପ୍ରଥମେ ଶୈଳେନ୍ଦ୍ରଙ୍କ ଫୋନ୍ କଲ୍ ରେକର୍ଡ ଯାଞ୍ଚ କରିଥିଲା। ସେହି ସମୟରେ ସୁନିତାଙ୍କୁ ପାଇଥିଲେ। ପରେ ସୁନିତାଙ୍କୁ ଉଠାଇ ଆଣି ଘନଘନ ଜେରା କରିଥିଲେ। ସେ ନିଜ ଦୋଷ ସ୍ୱୀକାର କରିଥିଲେ। ତାଙ୍କ ବୟାନ୍ ଆଧାରେ ପୁଲିସ୍ ସୁରଜକୁ ଧରିଥିଲା। କିନ୍ତୁ ଦୀପୁ ଓ ତାଙ୍କ ବାପା ଫେରାର ଥିବା ଜଣାପଡ଼ିଛି।
ଆଜି ପୁଲିସ୍ ସୁନିତା ଓ ସୁରଜଙ୍କୁ ଧରି ସିନ୍ ରିକ୍ରିଏସନ୍ କରିଥିଲା। ହତ୍ୟା କରାଯାଇଥିବା ସ୍ଥାନ ଦେଖାଇଥିଲେ ସୁରଜ। ଦରପୋଡ଼ା ହାଡ ଜବତ କରି ତଦନ୍ତ ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।