ବିନିକା (ଦିଲ୍ଲୀପ ସାହୁ): ଜମି ବିବାଦକୁ ନେଇ ଜଣେ ମହିଳାଙ୍କ ତଣ୍ଟିକାଟି ହତ୍ୟା କରାଯାଇଛି। ଆଜି ରାତିରେ ଏପରି ନୃଶଂସ ହତ୍ୟାକାଣ୍ଡ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଘଟିଛି। ମୃତ ମହିଳାଙ୍କ ସ୍ୱାମୀ ଓ ପୁଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।ପୂର୍ବ ଶତ୍ରୁତାରୁ ଏହି ନୃଶଂସ କାଣ୍ଡ ଘଟିଥିବା କୁହାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଥାନାରେ ଏ ନେଇ ଅଭିଯୋଗ ହୋଇନାହିଁ।
ଆଜି ରାତି ପ୍ରାୟ ୯.୨୦ ମିନିଟ୍ରେ ଘୋଡ଼ାଧାର ଗାଁର କଟିଁଆ ଲୁହା, ତାଙ୍କ ପତ୍ନୀ ପାଞ୍ଜିସ୍ୱରୀ ଓ ପୁଅ ବାଲେଶ୍ୱର ଘରକୁ ଫେରୁଥିଲେ। ଅନ୍ଧାରର ସୁଯୋଗ ନେଇ ଘୋଡ଼ାଧାର ସରକାରୀ ସ୍କୁଲ ନିକଟରେ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ପାଞ୍ଜିଶ୍ୱରୀଙ୍କ ଗଳା କାଟି ହତ୍ୟା କରିଥିଲେ। ଏପରିକି କଟିଁଆ ଓ ବାଲେଶ୍ୱରଙ୍କୁ ଆକ୍ରମଣ କରିବାକୁ ପଛାଇନଥିଲେ। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ସାହିପଡ଼ିଶା ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ମେଡିକାଲ୍ରେ ଭର୍ତ୍ତି କରିଥିଲେ। ତେବେ କଟିଁଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସୋନପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।