ଦୁଇ ଜଣଙ୍କୁ ଭଲ ପାଉଥିଲେ, ଏବେ ଛୁଆର ବାପାକୁ ଖୋଜୁଛନ୍ତି

ରାୟଗଡ଼ା(ମନୋଜ ପାତ୍ର): ଦୁଇ ଦୁଇ ଜଣଙ୍କୁ  ଭଲ ପାଇଥିଲେ। ହେଲେ କାହାର ହୋଇପାରିଲେ ନାହିଁ। କିନ୍ତୁ ବାହା ନହୋଇ ଏବେ ମାଆ ହୋଇଛନ୍ତି। ଆଉ ନିଜ ଗର୍ଭରୁ ଜନ୍ମିତ ପିଲାର ବାପାକୁ ଖୋଜୁଛନ୍ତି। ଏମିତି ଏକ ଘଟଣା ରାୟଗଡ଼ା ଜିଲ୍ଲାରୁ ଆସିଛି। ପରିବାର ଲୋକେ ବାହାର କରିଦେଇଥିବାରୁ ନିଜ ୮ ଦିନ ଛୁଆକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସଖୀ ‘ୱାନ ଷ୍ଟପ’ ସେଣ୍ଟରରେ ଆଶ୍ରୟ ନେଇଛନ୍ତି ଏହି ଯୁବତୀ ଜଣଙ୍କ। ବିଷମକଟକ ବ୍ଲକ ଅଞ୍ଚଳର […]

Rayagada

Manoranjan Sial
  • Published: Friday, 02 April 2021
  • , Updated: 02 April 2021, 10:47 PM IST

ରାୟଗଡ଼ା(ମନୋଜ ପାତ୍ର): ଦୁଇ ଦୁଇ ଜଣଙ୍କୁ  ଭଲ ପାଇଥିଲେ। ହେଲେ କାହାର ହୋଇପାରିଲେ ନାହିଁ। କିନ୍ତୁ ବାହା ନହୋଇ ଏବେ ମାଆ ହୋଇଛନ୍ତି। ଆଉ ନିଜ ଗର୍ଭରୁ ଜନ୍ମିତ ପିଲାର ବାପାକୁ ଖୋଜୁଛନ୍ତି। ଏମିତି ଏକ ଘଟଣା ରାୟଗଡ଼ା ଜିଲ୍ଲାରୁ ଆସିଛି। ପରିବାର ଲୋକେ ବାହାର କରିଦେଇଥିବାରୁ ନିଜ ୮ ଦିନ ଛୁଆକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସଖୀ ‘ୱାନ ଷ୍ଟପ’ ସେଣ୍ଟରରେ ଆଶ୍ରୟ ନେଇଛନ୍ତି ଏହି ଯୁବତୀ ଜଣଙ୍କ।

ବିଷମକଟକ ବ୍ଲକ ଅଞ୍ଚଳର ପଦ୍ମା (ଛଦ୍ମନାମ) ନିଜ ଗାଁର ଜଣେ ଯୁବକକୁ ଭଲ ପାଉଥିଲେ। ପଦ୍ମାଙ୍କ ସରଳତାର ସୁଯୋଗ ନେଇ ସମ୍ପୃକ୍ତ ଯୁବକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ତାଙ୍କୁ ବିବାହ କରି ସଂସାର ଗଢ଼ିବାର ସ୍ୱପ୍ନ ମଧ୍ୟ ଦେଖିଥିଲେ ପଦ୍ମା। ଏହାରି ଭିତରେ ପଦ୍ମାଙ୍କ ମୋବାଇଲ୍‌କୁ ଆସିଲା ଏକ ଅଜଣା କଲ୍‌। ଯାହାକୁ ରିସିଭ୍‌ କରିବା ପରେ ତାଙ୍କ ପ୍ରେମରେ ପଡ଼ିଗଲେ ପଦ୍ମା। ତା’ପରେ ପଦ୍ମାଙ୍କ ମୋବାଇଲ୍‌କୁ ଆସିଲା ଘନଘନ ଫୋନ୍‌। ଉଭୟ ପରସ୍ପରକୁ ଭଲ ପାଇଲେ। ଫୋନ୍‌ରେ ଆରମ୍ଭ ହୋଇଥିବା କଥାବାର୍ତ୍ତା ଧୀରେ ଧୀରେ ଆଗକୁ ବଢ଼ିଲା। ଆଉ ପ୍ରେମିକ ଆଗରେ ନିଜକୁ ସମର୍ପି ଦେଇଥିଲେ ପଦ୍ମା। ସେ ଦୁଇ ଜଣଙ୍କୁ ଭଲ ପାଉଥିଲେ ସତ, ହେଲେ କାହାକୁ କିଛି କହୁ ନଥିଲେ। ଏହାରି ଭିତରେ ପଦ୍ମା ଗର୍ଭବତୀ ହୋଇଯାଇଥିଲେ।

ପଦ୍ମା ଗର୍ଭବତୀ ହୋଇଥିବା ଜାଣି ତାଙ୍କର ଦୁଇ ପ୍ରେମିକ ପ୍ରବର ଧରାଛୁଆଁ ଦେଲେନାହିଁ। ଏପରିକି ପଦ୍ମାଙ୍କ ଫୋନ୍‌ ମଧ୍ୟ ଉଠାଇଲେ ନାହିଁ। ଧୀରେ ଧୀରେ କଥା ପ୍ରଘଟ ହେଲା। ପରିବାର ଲୋକେ ଜାଣିଲେ। ଲୋକ ଲଜ୍ଜ୍ୟା ଭୟରେ ସେମାନେ ପଦ୍ମାକୁ ଘରୁ ବାହାର କରିଦେଲେ। ନିଜର ନୂଆ ଠିକଣା ଖୋଜିବାକୁ ଯାଇ ପଦ୍ମା ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଚାଲିଗଲେ। ହେଲେ ଦାଦନ ଖଟିବାକୁ ସାଥ୍‌ ଦେଲାନାହିଁ ଶରୀର। ତେଣୁ ପୁଣି ଘରେ ଗାଁକୁ ଫେରିଆସିଲେ।

ଗତ ୧୫ ତାରିଖରେ ରାୟଗଡ଼ା ମେଡିକାଲ୍‌ରେ ପଦ୍ମା ଏକ କନ୍ୟାସନ୍ତାନ ଜନ୍ମ ଦେଇଛନ୍ତି। ପରିବାର ଲୋକେ ତଡିଦେଇଥିବାରୁ ପଦ୍ମା ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସଖୀ ‘ୱାନ ଷ୍ଟପ’ ସେଣ୍ଟରରେ ଆଶ୍ରୟ ନେଇଛନ୍ତି। ଆଉ ନିଜ ଜନ୍ମିତ ସନ୍ତାନର ବାପାର ପରିଚୟ ପାଇଁ ସେ ଆଇନର ଆଶ୍ରୟ ନେଇଛନ୍ତି।

ସେପଟେ ପଦ୍ମାଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ତାଙ୍କର ଦୁଇ ପ୍ରେମିକ। ଯଦିଓ ପଦ୍ମାଙ୍କ ସହ ସେମାନଙ୍କ ପ୍ରେମ ଓ ଶାରୀରିକ ସମ୍ପର୍କ ଥିଲା, କିନ୍ତୁ ଜନ୍ମିତ ଶିଶୁଟି ସେମାନଙ୍କ ନୁହେଁ ବୋଲି ଉଭୟେ କହିଛନ୍ତି। ଏଥିପାଇଁ ସେମାନେ ସବୁ ପ୍ରକାର ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାରେ ‘ୱାନଷ୍ଟପ୍‌’ ସେଣ୍ଟର ପକ୍ଷରୁ ଉଭୟ ଯୁବକ ଓ ସେମାନଙ୍କ ପରିବାରକୁ ଡାକି କାଉନସେଲିଂ କରାଯାଇଥିଲା। ହେଲେ କାଉନସେଲିଂ ଫଳପ୍ରଦନ ହୋଇପାରିନଥିଲା। ଶେଷରେ ସଂସ୍ଥା ପକ୍ଷରୁ ଉଭୟ ପ୍ରେମିକଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଛି। ପୁଲିସ ଉଭୟଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ପୀଡିତା ଯୁବତୀ ଓ ତା’ର ନବଜାତ ସନ୍ତାନକୁ ସ୍ୱଳ୍ପକାଳୀନ ଆବାସ ଗୃହକୁ ପଠାଇ ଦିଆ ଯାଇଥିବା କହିଛନ୍ତି ‘ୱାନଷ୍ଟପ’ ସଂସ୍ଥାର ଅଧିକାରୀ।

Related story