ରାଜଧାନୀରେ ଚାଞ୍ଚଲ୍ୟ: ଘର ଭିତରେ ମହିଳାଙ୍କୁ ହତ୍ୟା, ଗୁରୁତର ବ୍ୟକ୍ତିଙ୍କୁ ନେଇ ସସ୍‌ପେନ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଜଣେ ମହିଳାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଭଡ଼ା ଘର ଭିତରୁ ମିଳିଛି ତାଙ୍କ ମୃତଦେହ। ତା’ସହିତ ଜଣେ ପୁରୁଷଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି, ଯାହାଙ୍କ ଅବସ୍ଥା ଗୁରୁତର ରହିଛି।

ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗିର ଫେଜ୍-୧ ଅଞ୍ଚଳରେ ଘଟିଛି ଏହି ଘଟଣା। ସୂଚନା ଅନୁଯାୟୀ, ଘଟଣା ସଂପର୍କରେ ପାଖ ପଡ଼ୋଶୀଙ୍କ ଠାରୁ ଖବର ପାଇ ଘରେ ପହଞ୍ଚିଥିଲେ ମୃତ ମହିଳାଙ୍କ ସ୍ୱାମୀ। ସେ ଘଟଣା ସଂପର୍କରେ ପୁଲିସ୍‌କୁ ଖବର ଦେଇଥିଲେ। ସେ ତାଙ୍କ ପତ୍ନୀଙ୍କୁ ଚିହ୍ନଟ କରିଥିବା ବେଳେ ସେଠାରୁ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କୁ ଚିହ୍ନି ନାହାନ୍ତି ବୋଲି କହିଛନ୍ତି।

ମୃତ ମହିଳା ତାଙ୍କ ସ୍ୱାମୀଙ୍କ ସହିତ ଏହି ଘରେ ୩ ବର୍ଷ ହେଲା ଭଡ଼ାରେ ରହିଆସୁଥିଲେ। ତାଙ୍କର ଏକ ଛୋଟ ଛୁଆ ମଧ୍ୟ ଅଛି। ତାଙ୍କ ସ୍ୱାମୀ ଭୁବନେଶ୍ୱରରେ କୌଣସି ପ୍ରାଇଭେଟ୍ ସେକ୍ଟରରେ କାମ କରନ୍ତି।

ମୃତ ମହିଳାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ଥିବା ବେଳେ ଗୁରୁତର ବ୍ୟକ୍ତି ଜଣଙ୍କ ଦେହରେ ମଧ୍ୟ କ୍ଷତ ଚିହ୍ନ ରହିଛି ଓ ସେ ବିଷ ପିଇ ଥିବା ମଧ୍ୟ କୁହାଯାଉଛି।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି ମହିଳା ଜଣଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ମୃତ ମହିଳାଙ୍କୁ ତାଙ୍କ ସ୍ୱାମୀ ଚିହ୍ନଟ କରିଛନ୍ତି। କିନ୍ତୁ ଗୁରୁତର ବ୍ୟକ୍ତି ଜଣଙ୍କୁ ସେ ଚିହ୍ନି ନଥିବା କହିଛନ୍ତି। ତାଙ୍କ ପରିଚୟ ମିଳିନି। ଗୁରୁତର ଭାବେ ଉଦ୍ଧାର ଉକ୍ତ ବ୍ୟକ୍ତିଙ୍କୁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେ ବି କିଛି କହିବା ଅବସ୍ଥାରେ ନାହାନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।