ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ସାମାନ୍ୟ ବଚସାରୁ ବଡ଼ ଭାଇକୁ ଜୀବନରୁ ମାରିଦେଲା ସାନ ଭାଇ। ଏପରିକି ହତ୍ୟା କରିବା ପରେ ବଡ଼ ଭାଇର ଶବକୁ ମଧ୍ୟ ପୋତିଦେଲା ସାନ ଭାଇ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନସ୍ଥ ଚକୁରି ଗାଁରେ।
ମୃତକ ବଡ଼ ଭାଇ ହେଲେ ରୋହିତ ହେମ୍ବ୍ରମ। ଅଭିଯୋଗ ଅନୁଯାୟୀ, ଗତ ୧୦ତାରିଖରେ ଚକୁରି ଗାଁରେ ସାମାନ୍ୟ ବଚସାକୁ କେନ୍ଦ୍ରକରି ବଡ଼ ଭାଇ ରୋହିତଙ୍କ ସହ ତାଙ୍କ ସାନ ଭାଇର ଝଗଡ଼ା ହୋଇଥିଲା।
ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ଝଗଡ଼ାଟି ଉଗ୍ର ରୂପ ନେଇଥିଲା। ଯେଉଁଥିରେ ସାନ ଭାଇ ଉତକ୍ଷୀପ୍ତ ହୋଇ ବଡଭାଇକୁ ହତ୍ୟା କରି ଶବକୁ ନିଜ ବାଡ଼ି ପଛପଟେ ପୋତିଦେଇଥିବା ଅଭିଯୋଗ ହୋଇଛି।
ଖବର ପାଇବା ପରେ ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ୍ ସାନ ଭାଇ ସମେତ ଗାଁର ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।