ସୋର(ଶଶିକାନ୍ତ ବେହେରା): ଅଜଣା ନମ୍ବରରୁ ଆସିଲା ଫୋନ୍ କଲ। ଚାକିରି କରିବ ଯଦି କଲିକତା ଆସ ବୋଲି କହିଲେ ଅପରପାର୍ଶ୍ୱର ବ୍ୟକ୍ତି। ହେଲେ ଚାକିରି ଲୋଭରେ ସେଠାରେ ପହଞ୍ଚିବା ପରେ ଯୁବକଙ୍କ ହାତଗୋଡ଼ ବାନ୍ଧି ପଣବନ୍ଦୀ କରି ପରିବାର ଲୋକଙ୍କୁ ଦୁର୍ବୃତ୍ତ ମାଗୁଛନ୍ତି ୮ ଲକ୍ଷ ଟଙ୍କା। ଏତେ ଟଙ୍କା ଆଣି କିପରି ପୁଅକୁ ମୁକୁଳାଇବେ ଚିନ୍ତାରେ ପରିବାର ଲୋକ ଥିବା ବେଳେ ପୁଅକୁ ସୁରକ୍ଷିତ ଭାବେ ମୁକୁଳାଇବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଏପରି ଘଟଣା କୌଣସି ଫିଲ୍ମି କାହାଣୀଠୁ କମ୍ ନ ଥିବା ବେଳେ ବାସ୍ତବରେ ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋରରେ। ସୋର ଥାନା କେଶପୁର ଗ୍ରାମର ତାପସ କୁମାର ମହାନ୍ତିଙ୍କୁ ବନ୍ଧୁକ ମୁନରେ ଅପହୃତା ପଣବନ୍ଦି କରି ରଖିଛନ୍ତି। ୮ ଲକ୍ଷ ଟଙ୍କା ନଦେଲେ ହତ୍ୟା କରିବାର ଧମକ ଦେଇଥିବା ବେଳେ ଏହାର ଭିଡିଓ ଭାଇରାଲ ହୋଇଛି ।
ସୂଚନାଯୋଗ୍ୟ, ତାପସ ୮ ବର୍ଷ ହେବ ବାଙ୍ଗାଲୋରରେ ଏକ କ୍ୟାଣ୍ଟିନରେ କାମ କରୁଥିଲେ । ମଝିରେ ମଝିରେ ଘରକୁ ଆସନ୍ତି l ୧୦ ଦିନ ତଳେ ଘରକୁ ଆସିଥିଲେ । କୋଭିଡ୍ ପାଇଁ ପୁଣି ଥରେ ଲକ୍ଡାଉନ ହେବ ଭାବି ଆଉ ବାଙ୍ଗାଲୋର ଫେରିନଥିଲେ । ଘରେ ଥିବା ବେଳେ ଗତ ୨୮ ତାରିଖ ଦିନ ଏକ ଅଜଣା ନମ୍ବରରୁ ଫୋନ କଲ୍ ଆସିଲା।
ଭଲ କାମ ଅଛି କଲିକତା ଆସ ବୋଲି ଅପରପାର୍ଶ୍ୱର ବ୍ୟକ୍ତି କହିଥିଲେ। ଚାକିରି ଲୋଭରେ ତାପସ ସେହିଦିନ କଲିକତା ଚାଲିଯାଇଥିଲେ । ପରେ ସନ୍ଧ୍ୟାରେ ତାପସର ସ୍ତ୍ରୀ ସୁକାନ୍ତିକୁ ଏକ ଅଜଣା ନମ୍ବରରୁ କଲ୍ ଆସିଲା। ତୁମ ସ୍ୱାମୀକୁ ଅପହରଣ କରିଛୁ , ୮ ଲକ୍ଷ ଟଙ୍କା ଦେଲେ ଛାଡିବୁ ନଚେତ୍ ହତ୍ୟା କରିବୁ ବୋଲି ଖୋଲା ଖୋଲି ଧମକ ଦେଇଥିଲେ ଅପହରଣକାରୀ ।
ମାର୍ଚ ୨ ତାରିଖ ରେ ସେହି ନମ୍ବରରୁ ତାପସର ହାତ ଗୋଡ ବନ୍ଧା ଯାଇଥିବା ଏବଂ ବନ୍ଧୁକ ଓ ଟାଙ୍ଗିଆ ରଖି ହତ୍ୟା ଧମକ ଦିଆଯାଉଥିବାର ଭିଡିଓ ଘର ମୋବାଇଲ୍କୁ ଆସିଥିଲା । ଅପରପକ୍ଷେ, ଭୟଭିତ ହୋଇ ତାପସର ପରିବାର ଅପହରଣକାରୀ ଦେଇଥିବା ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ୫୦ ହଜାର ଟଙ୍କା ଜମା କରିଥିବା ଜଣାପଡିଛି । ଏହାସତ୍ତ୍ୱେ ତାପସ ନ ମୁକୁଳିବାରୁ ଗତକାଲି ରାତିରେ ତାପସର ସ୍ତ୍ରୀ ସୁକାନ୍ତି ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।