ଗଛରେ ବସିଛି ଯୁବକ; ୨୪ ଘଣ୍ଟା ବିତିଲା, ତଳକୁ ଆସୁନି

ସୁନ୍ଦରଗଡ(ବିଜୟ ବରୁଆ): ଗଛ ଉପରେ ମଣିଷ। ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ, ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଗଛରେ ବସିଛି। ସେ କାହା ସହିତ କଥା ହେଉନାହିଁ କି କାହା କଥା ଶୁଣୁନାହିଁ। ଗଛ ଉପରେ ଯୁବକଙ୍କୁ ଦେଖି ଗାଁ ଲୋକେ ତଳକୁ ଆସିବା ପାଇଁ ଡାକିଥିଲେ। ମାତ୍ର ସେ ଶୁଣୁନାହିଁ। ଆଜି ଏପରି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରେ। ଯୁବକ ଜଣକ ୨୪ ଘଣ୍ଟାରୁ ଅଧିକ […]

Tree

Manoranjan Sial
  • Published: Tuesday, 14 December 2021
  • , Updated: 14 December 2021, 09:20 PM IST

ସୁନ୍ଦରଗଡ(ବିଜୟ ବରୁଆ): ଗଛ ଉପରେ ମଣିଷ। ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ, ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଗଛରେ ବସିଛି। ସେ କାହା ସହିତ କଥା ହେଉନାହିଁ କି କାହା କଥା ଶୁଣୁନାହିଁ। ଗଛ ଉପରେ ଯୁବକଙ୍କୁ ଦେଖି ଗାଁ ଲୋକେ ତଳକୁ ଆସିବା ପାଇଁ ଡାକିଥିଲେ। ମାତ୍ର ସେ ଶୁଣୁନାହିଁ। ଆଜି ଏପରି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରେ। ଯୁବକ ଜଣକ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଗଛରେ ରହିଥିବାରୁ ତଳେ ଗାଁ ଲୋକେ ଓ ପୁଲିସ୍‌ ଜଗି ରହିଛନ୍ତି।

ପୂରା ଘଟଣାଟି ଏମିତି। ବଡ଼ଗାଁ ଥାନା ତିଲେଇମାଲ ଗାଁରେ ରହିଛି ଏକ ବିରାଟକାୟ ଅଶ୍ୱସ୍ତ ଗଛ। ସୋମବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଜଣେ ଯୁବକ ହାତରେ କାଚ ବୋତଲ, ବାଡ଼ି ଓ ଭୁଜାଲି ଧରି ଗଛରେ ଚଢ଼ି ଯାଇଥିଲା। ଗାଁ ଲୋକେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ଗାଁ ଲୋକଙ୍କ କୌଣସି କଥା ଶୁଣିନଥିଲା। ପରେ ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ।

ପୁଲିସ ଗାଁରେ ପହଞ୍ଚି ଯୁବକଙ୍କୁ ଗଛରୁ ଉହ୍ଲାଇବା ପାଇଁ କହିଥିଲା। ମାତ୍ର ସେ ପୁଲିସ୍‌ କଥା ଶୁଣିନଥିଲା। ବିଳମ୍ୱିତ ରାତି ପର୍ଯ୍ୟନ୍ତ ଅପେକ୍ଷା କରି ଶେଷରେ ପୁଲିସ୍‌ ଖାଲି ହାତରେ ଫେରିଥିଲା। ଆଜି ସକାଳେ ପୁଲିସ, ଅଗ୍ନିଶମ କର୍ମଚାରୀଙ୍କୁ ଧରି ଗଛ ମୂଳରେ ପହଞ୍ଚିଥିଲା। ଅଗ୍ନିଶମ କର୍ମଚାରୀମାନେ ଗଛ ଚଢ଼ିଲା ବେଳେ ଯୁବକ ଜଣକ ବାଡ଼ିରେ ସେମାନଙ୍କୁ ଖେଞ୍ଚିଥିଲା। ଆଉ ସାଥୀରେ ନେଇଥିବା ଭୁଜାଲିରେ ନିଜ ଦେହକୁ ହାଣି ଦେବାକୁ ଉଦ୍ୟମ କରିଥିଲା। ଯାହାଫଳରେ ଅଗ୍ନିଶମ କର୍ମଚାରୀମାନେ ଫେରି ଆସିଥିଲେ।

ଯୁବକ ଜଣକ ସୋମବାର ସନ୍ଧ୍ୟାଠାରୁ ଗଛରେ ରହିଛି। ମାତ୍ର କିଛି ଖାଇନାହିଁ। ଗଛରୁ ଓହ୍ଲାଉ ନାହିଁ। ଗାଁ ଲୋକେ ଯେତେ ଡାକିଲେ ମଧ୍ୟ ସେ କିଛି ଶୁଣୁନାହିଁ। ଏପରିକି ଗାଁ ଲୋକେ ଖାଦ୍ୟ ଓ ପାଣି ଯାଚିଥିଲେ ମଧ୍ୟ ନେଉନାହିଁ କି କାହା ସହିତ କଥା ହେଉନାହିଁ। ଗତକାଲିଠାରୁ ପୁଲିସ୍‌ ସେଠାରେ ଡେରା ପକାଇ ରହିଥିବା ଜଣାପଡ଼ିଛି।

ସେପଟେ ଗଛରେ ଚଢ଼ିଥିବା ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଯୁବକ ଜଣକ ଝଡ଼ଖଣ୍ଡର ଗୁମଲି ଅଞ୍ଚଳର ଆଦିବାସୀ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏବେ ସୁଦ୍ଧା ଯୁବକ ଜଣକ ଗଛ ଉପରେ ରହିଛି।

Related story