୧୪ ଜିଲ୍ଲାର ‘ଜିଲ୍ଲା ପରିଷଦ’ରେ ପଛୁଆ ବର୍ଗଙ୍କ ପ୍ରତିନିଧିତ୍ୱ ଶୂନ, ସଂରକ୍ଷିତ ନାହିଁ ଗୋଟିଏ ବି ଆସନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ପ୍ରସ୍ତୁତି ଜୋରଦାର କରିଥିବାବେଳେ ଆଜି ଭୋଟ୍ ହେବାକୁ ଥିବା ୱାର୍ଡମେମ୍ବରଠୁ ଜିଲ୍ଲା ପରିଷଦ ସଭ୍ୟ ପର୍ଯ୍ୟନ୍ତ ଆସନର ତାଲିକା ଜାରି କରିଛନ୍ତି। ଗତଥର ଭଳି ଚଳିତଥର ୩୦ଟି ଜିଲ୍ଲାର ସମସ୍ତ ୮୫୩ଟି ଜିଲ୍ଲା ପରିଷଦ ଆସନରେ ଭୋଟ ଗ୍ରହଣ ହେବାର ଥିଲେ ମଧ୍ୟ ଏଥିରେ ଓବିସି(ପଛୁଆ ବର୍ଗ)ଙ୍କ ପ୍ରତିନିଧିତ୍ୱ ନଗଣ୍ୟ ରହିବ। ୧୪ଟି ଜିଲ୍ଲାରେ ଜଣେ ବି ଓବିସି ପ୍ରାର୍ଥୀଙ୍କୁ ‘ଜିଲ୍ଲା ପରିଷଦ’ରେ ପ୍ରତିନିଧିତ୍ୱର […]

vote

Ordigital Desk
  • Published: Tuesday, 16 November 2021
  • , Updated: 17 November 2021, 05:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ପ୍ରସ୍ତୁତି ଜୋରଦାର କରିଥିବାବେଳେ ଆଜି ଭୋଟ୍ ହେବାକୁ ଥିବା ୱାର୍ଡମେମ୍ବରଠୁ ଜିଲ୍ଲା ପରିଷଦ ସଭ୍ୟ ପର୍ଯ୍ୟନ୍ତ ଆସନର ତାଲିକା ଜାରି କରିଛନ୍ତି। ଗତଥର ଭଳି ଚଳିତଥର ୩୦ଟି ଜିଲ୍ଲାର ସମସ୍ତ ୮୫୩ଟି ଜିଲ୍ଲା ପରିଷଦ ଆସନରେ ଭୋଟ ଗ୍ରହଣ ହେବାର ଥିଲେ ମଧ୍ୟ ଏଥିରେ ଓବିସି(ପଛୁଆ ବର୍ଗ)ଙ୍କ ପ୍ରତିନିଧିତ୍ୱ ନଗଣ୍ୟ ରହିବ। ୧୪ଟି ଜିଲ୍ଲାରେ ଜଣେ ବି ଓବିସି ପ୍ରାର୍ଥୀଙ୍କୁ ‘ଜିଲ୍ଲା ପରିଷଦ’ରେ ପ୍ରତିନିଧିତ୍ୱର ସୁଯୋଗ ମିଳିବ ନାହିଁ।

ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଆଗାମୀ ପଂଚାୟତ ନିର୍ବାଚନରେ ମୋଟ ୮୫୩ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ପଛୁଆ ବର୍ଗଙ୍କ ପାଇଁ ମାତ୍ର ୧୦୪ଟି ଆସନ ସଂରକ୍ଷିତ ରହିଛି। ଏଥିରେ ୧୪ଟି ଜିଲ୍ଲାର ଜିଲ୍ଲା ପରିଷଦରେ ଗୋଟିଏ ବି ଆସନ ପଛୁଆ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ହୋଇନାହିଁ। ଯେଉଁ ୧୪ଟି ଜିଲ୍ଲାରେ ପଛୁଆ ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣର ସୁବିଧା ନାହିଁ ସେଗୁଡ଼ିକ ହେଲା-ଦେବଗଡ଼, ଗଜପତି, ସୁନ୍ଦରଗଡ଼, ସମ୍ବଲପୁର, ରାୟଗଡ଼, ନୂଆପଡ଼ା, ନବରଙ୍ଗପୁର,ମୟୂରଭଞ୍ଜ,ମାଲକାନଗିରି, କୋରାପୁଟ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି ଓ ଝାରସୁଗୁଡ଼ା। ଏହି ଜିଲ୍ଲାର ଜିଲ୍ଲା ପରିଷଦର କୌଣସି ଗୋଟିଏ ବି ସିଟ୍ ପଛୁଆ ବର୍ଗଙ୍କ ନିମନ୍ତେ ସଂରକ୍ଷିତ ନଥିବାବେଳେ ବୌଦ୍ଧ ଜିଲ୍ଲାରେ ମାତ୍ର ଗୋଟିଏ ଲେଖାଏଁ ଆସନ ପଛୁଆ ବର୍ଗଙ୍କ ନିମନ୍ତେ ଉଦ୍ଦିଷ୍ଟ ରହିଛି।

ଅବଶ୍ୟ ୨୦୧୭ ପଂଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ସମସ୍ତ ଜିଲ୍ଲା ପରିଷଦରେ ଆସନ ସଂରକ୍ଷିତ ରହିଥିଲା। ୧୧୧ଟି ପୁରୁଷ ଓ ୧୨୫ଟି ମହିଳା ଆସନକୁ ମିଶାଇ ମୋଟ ୨୩୬ଟି ଆସନ ପଛୁଆ ବର୍ଗ ପ୍ରାର୍ଥୀଙ୍କ ନିମନ୍ତେ ଜିଲ୍ଲା ପରିଷଦରେ ସଂରକ୍ଷିତ ରଖାଯାଇଥିବାବେଳେ ଆଗାମୀ ପଂଚାୟତ ନିର୍ବାଚନରେ ଏହି ସଂଖ୍ୟା ୧୦୪କୁ ହ୍ରାସ ପାଇଛି। ଏଥିରେ ପୁରୁଷଙ୍କ ନିମନ୍ତେ ୪୯ଟି ଓ ମହିଳାଙ୍କ ପାଇଁ ୫୫ଟି ଆସନ ସଂରକ୍ଷିତ ରହିଛି। ଯାହାକି ମାତ୍ର ୧୬ଟି ଜିଲ୍ଲା ମଧ୍ୟରେ ସୀମିତ।

ଗତଥର ତୁଳନାରେ ଚଳିତଥର ଜିଲ୍ଲା ପରିଷଦ ସଭ୍ୟ ଆସନ ସଂଖ୍ୟା ଅପରିବର୍ତ୍ତିତ ରହିଥିଲେ ମଧ୍ୟ ପଛୁଆ ବର୍ଗଙ୍କ ପ୍ରତିନିଧିତ୍ୱ ୧୪ଟି ଜିଲ୍ଲାରେ ଶୂନ ହୋଇଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ ପେସା ଆଇନ ଅନୁସାରେ ସିଡ୍ୟୁଲ ଏରିଆରେ ୭ଟି ଜିଲ୍ଲା ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ବିବେଚିତ ହେଉଥିବାବେଳେ ଅନ୍ୟ ୭ଟି ଜିଲ୍ଲା-ଦେବଗଡ଼, କେନ୍ଦୁଝର, ଗଜପତି, କଳାହାଣ୍ଡି, ବାଲେଶ୍ୱର, ସମ୍ବଲପୁର ଓ ଗଞ୍ଜାମର ଆଂଶିକ ଅଂଚଳ ମଧ୍ୟ ସିଡ୍ୟୁଲ ଏରିଆରେ ପରିଗଣିତ ହେଉଛି। ଏହି ସମସ୍ତ ଜିଲ୍ଲାର ମୋଟ ୨୫୯ଟି ଜିଲ୍ଲା ପରିଷଦ ଆସନ ସିଡ୍ୟୁଲ ଏରିଆ ଭାବେ ବିବେଚିତ ହେଉଥିବାବେଳେ ପେସା ଆଇନ ଅନୁସାରେ ଏଠାରେ ଅନୁସୂଚିତ ଜନଜାତି ବର୍ଗଙ୍କ ପ୍ରତିନିଧିତ୍ୱ ଅଧିକ ରହିଥାଏ।

ତେବେ ଆଶ୍ଚର୍ଯ୍ୟଜନକ ଭାବେ ଝାରସୁଗୁଡ଼ା ଓ ନୂଆପଡ଼ା ଜିଲ୍ଲା ପେସା ଆଇନ ଅନ୍ତର୍ଗତ ସିଡ୍ୟୁଲ ଏରିଆରେ ଆସୁନଥିଲେ ମଧ୍ୟ ଏଠାରେ ପଛୁଆ ବର୍ଗଙ୍କ ପାଇଁ କୌଣସି ଗୋଟିଏ ବି ଆସନ ସଂରକ୍ଷିତ ରହିନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଗାମୀ ପଂଚାୟତ ନିର୍ବାଚନରେ ସଂରକ୍ଷଣ ହାରକୁ ୫୦ ପ୍ରତିଶତରୁ ଅଧିକ ନକରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଥିବାବେଳେ ପଛୁଆ ବର୍ଗଙ୍କୁ ଆକୃଷ୍ଟ କରିବା ନିମନ୍ତେ ବିଜେଡି ନିଜର ମୋଟ ଟିକେଟର ୨୭ ପ୍ରତିଶତ ପଛୁଆ ବର୍ଗ ପ୍ରାର୍ଥୀଙ୍କୁ ଦେବ ବୋଲି ଘୋଷଣା କରିସାରିଛି ।

Related story