ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ଏକମା ପ୍ରାଥମିକ ଚିକିତ୍ସାଳୟ, ୫ ବର୍ଷ ହେଲା ଆସୁନାହାନ୍ତି ଡାକ୍ତର

ସୁନ୍ଦରଗଡ଼: ଛତିଶଗଡ଼ ଓ ଝାଡ଼ଖଣ୍ଡର ସୀମାନ୍ତରେ ରହିଛି ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଲକ। ଏହି ବ୍ଲକରେ ଥିବା ଏକମା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି ନାନା ସମସ୍ୟା ମଧ୍ୟରେ ଗତି କରୁଛି। ବିଶେଷ କରି ଏଠାରେ ନିଯୁକ୍ତି ପାଇଥିବା ଡାକ୍ତର ଦୁଇ ଜଣ କେବେ କେମିତି ଆସି ଉପସ୍ଥାନ ଖାତାରେ ଦସ୍ତଖତ କରି ଚାଲିଯାଉଛନ୍ତି। ଏପରି ଧାରା ଦୀର୍ଘ ୫ବର୍ଷ ହେଲା ଚାଲିଛି। ଏପରି ସ୍ଥିତିରେ ଏଠାରେ ନିୟୋଜିତ ଫାର୍ମାସିଷ୍ଟଙ୍କ ଭରସାରେ ରୋଗୀ ଚିକିତ୍ସିତ ହେଉଛନ୍ତି। ଫଳରେ ଡାକ୍ତରଖାନା ଉପରେ […]

akama

Rakesh Mallick
  • Published: Tuesday, 22 December 2015
  • , Updated: 23 December 2015, 04:20 AM IST

ସୁନ୍ଦରଗଡ଼: ଛତିଶଗଡ଼ ଓ ଝାଡ଼ଖଣ୍ଡର ସୀମାନ୍ତରେ ରହିଛି ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଲକ। ଏହି ବ୍ଲକରେ ଥିବା ଏକମା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି ନାନା ସମସ୍ୟା ମଧ୍ୟରେ ଗତି କରୁଛି। ବିଶେଷ କରି ଏଠାରେ ନିଯୁକ୍ତି ପାଇଥିବା ଡାକ୍ତର ଦୁଇ ଜଣ କେବେ କେମିତି ଆସି ଉପସ୍ଥାନ ଖାତାରେ ଦସ୍ତଖତ କରି ଚାଲିଯାଉଛନ୍ତି। ଏପରି ଧାରା ଦୀର୍ଘ ୫ବର୍ଷ ହେଲା ଚାଲିଛି। ଏପରି ସ୍ଥିତିରେ ଏଠାରେ ନିୟୋଜିତ ଫାର୍ମାସିଷ୍ଟଙ୍କ ଭରସାରେ ରୋଗୀ ଚିକିତ୍ସିତ ହେଉଛନ୍ତି। ଫଳରେ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରି ଅବ୍ୟବସ୍ଥା ଦୂର ଲାଗି ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରାଗଲେ ମଧ୍ୟ କିଛି ଲାଭ ହେଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଏକମା ପ୍ରାଥମିକ ଚିକିତ୍ସାଳୟ ଉପରେ ଆଖପାଖର ୧୦ଟି ଆଦିବାସୀ ଗାଁର ଲୋକେ ନିର୍ଭର କରିଥା’ନ୍ତି। ଚିକିତ୍ସାଳୟରେ ୨ଟି ସ୍ପେଶାଲିଷ୍ଟ ପଦବୀ ସହ ୪ଟି ଡାକ୍ତର ପଦବୀ ରହିଛି। ବର୍ତ୍ତମାନ ଏଠାରେ ୨ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ହେଲେ ଏହି ଡାକ୍ତର ଦ୍ୱୟ ମାସକୁ ଦିନେ କିମ୍ବା ଦୁଇ ଦିନ ଚିକିତ୍ସାଳୟକୁ ଆସି ଉପସ୍ଥାନ ଖାତାରେ ମାସକର ଦସ୍ତଖତ ପକାଇ ଚାଲି ଯାଇଥା’ନ୍ତି। ଦିନେ ନୁହେଁ କି ଦୁଇଦିନ ନୁହେଁ, ଦୀର୍ଘ ୫ ବର୍ଷ ହେଲା ଡାକ୍ତର ଦ୍ୱୟ ଏପରି କରି ଚାଲିଛନ୍ତି। ଫାର୍ମାସିଷ୍ଟ ଜଣଙ୍କ ଯେତିକି ପାରନ୍ତି ଲୋକଙ୍କୁ ଚିକିତ୍ସା ଯୋଗାଇଥା’ନ୍ତି। କେହି ଗୁରୁତର ରୋଗୀ କି ଦୁର୍ଘଟଣାରେ ଆହତମାନଙ୍କୁ ଡାକ୍ତରଖାନା ଅଣାଗଲେ ଫାର୍ମାସିଷ୍ଟ ଜଣଙ୍କ ୩୦ କି.ମି. ଦୂର ବଡ଼ଗାଁ ଅଥବା ୬୦ କି.ମି. ଦୂର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଅନ୍ତି।

ସ୍ଥାନୀୟ ବାସିନ୍ଦା ଅନ୍ତର୍ଯାମୀ ବାଗଙ୍କ କହିବା ଅନୁଯାୟୀ ୧୦ଟି ପଞ୍ଚାୟତର ହଜାର ହଜାର ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ହେଲେ ଡାକ୍ତର ଅଭାବ ଓ ନିଯୁକ୍ତି ପାଇଥିବା ଦୁଇ ଡାକ୍ତର ଆସୁ ନ ଥିବାରୁ ରୋଗୀସେବା ଠପ୍ ହୋଇଯାଇଛି। ଏ ନେଇ ସିଡିଏମଓଙ୍କଠାରୁ ଆରମ୍ଭ କରି ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ଲାଭ ହେଉନାହିଁ। ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା ନିରଞ୍ଜନ ପୁରୋହିତ କହିଛନ୍ତି, ସୀମାନ୍ତରେ ଥିବା ଏହି ଡାକ୍ତରଖାନାକୁ ପଡ଼ୋଶୀ ଛତିଶଗଡ ଓ ଝାଡଖଣ୍ଡ ରାଜ୍ୟରୁ ମଧ୍ୟ ରୋଗୀ ଆସିଥା’ନ୍ତି। ହେଲେ ଡାକ୍ତରଙ୍କୁ କେବେ ଦେଖିବାକୁ ମିଳି ନ ଥାଏ।

ଫାର୍ମାସିଷ୍ଟ ଶୁଭଙ୍କର ପରିଡା କହିଛନ୍ତି ଯେ ସାମାନ୍ୟ ଅସୁସ୍ଥ ଲୋକଙ୍କ ଚିକିତ୍ସା ସେ କରି ଦେଉଛନ୍ତି। କେହି ଗୁରୁତର ରୋଗୀ ଆସିଲେ ସେମାନଙ୍କୁ ଅନ୍ୟତ୍ର ନେଇଯିବାକୁ ପରାମର୍ଶ ଦେଉଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଠାରେ ଡାକ୍ତରଙ୍କ ରହିବା ପାଇଁ କ୍ୱାର୍ଟର୍ସ ରହିଛି। ହେଲେ କାହିଁକି ଏଠାରେ ଡାକ୍ତର ଦ୍ୱୟ ନ ରହି ବାହାରେ ରହୁଛନ୍ତି, କାର୍ଯ୍ୟକ୍ଷେତ୍ରକୁ ନିୟମିତ ଆସୁ ନାହାନ୍ତି ତାହାର ତଦନ୍ତ କରାଯାଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏବେ ଡାକ୍ତରଙ୍କ କ୍ୱାର୍ଟର୍ସ ଭୂତ କୋଠିରେ ପରିଣତ ହୋଇଛି। ଡାକ୍ତରଖାନା ପରିସର ଅନାବନା ଗଛଲତାରେ ପୂର୍ଣ୍ଣ ହୋଇଯାଇଥିଲେ ମଧ୍ୟ ଏହାକୁ ସଫା କରାଯାଉନାହିଁ। ଫଳରେ ଏହା ବିଷାକ୍ତ ସାପଙ୍କ ବାସସ୍ଥଳରେ ପରିଣତ ହୋଇଗଲାଣି। ଡାକ୍ତର ଆସୁ ନ ଥିବାରୁ ଇନଡୋର ସେବା ଅଚଳ ହୋଇଯାଇଛି। ଇନୋଡର ଭିତରେ ରୋଗୀଙ୍କ ପାଇଁ ଥିବା ଶଯ୍ୟା ଓ ଡାକ୍ତରଙ୍କ ଚାମ୍ୱର ପରିତ୍ୟକ୍ତ ଅବସ୍ଥାରେ ପଡିଛି। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ମାଗଣା ଔଷଧ ବିତରଣ ପାଇଁ ମଧ୍ୟ କୌଣସି ଡାକ୍ତର ନିୟୋଜିତ କରାଯାଇନାହିଁ। ଡାକ୍ତରଖାନାରେ ଆମ୍ବୁଲାନ୍ସ ସେବା ଓ ଜନନୀ ସୁରକ୍ଷା ପାଇଁ ନିୟୋଜିତ ଗାଡିକୁ କିଛିଦିନ ହେବ ଏଠାରୁ ଅନ୍ୟତ୍ର ନିଆଯାଇଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଶିଲ କୁମାର କର କହିଛନ୍ତି, ଗ୍ରାମବାସୀଙ୍କ ଅଭିଯୋଗ ପାଇଛି। ଦୁଇ ଥର ଚିକିତ୍ସାଳୟ ପରିଦର୍ଶନ କରିବା ସହ ଡାକ୍ତର ଦ୍ୱୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ବିଭାଗକୁ ରିପୋର୍ଟ ଦେଇଛି। ଶୀଘ୍ର ସମସ୍ୟାର ସମାଧାନ କରାଯିବା ସହ କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁଁ ଏଠାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଯାଇଛି। ବିଭିନ୍ନ ଯୋଜନାରେ ଚିକିତ୍ସାଳୟର ଭିତ୍ତିଭୂମି ବିକାଶ ସହ ମାଗଣା ଔଷଧ ଯୋଗାଇ ଦିଆଯାଉଛି। ହେଲେ ଏଠାରେ ଆଜି ବି ଏସବୁ ଯୋଜନାର ଲାଭ ଅଞ୍ଚଳବାସୀ ପାଉନାହାନ୍ତି। କେବଳ ଏହି ଗୋଟିଏ ଡାକ୍ତରଖାନା ନୁହେଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏପରି ସମସ୍ୟା ଦେଖିବାକୁ ମିଳୁଛି। କେଉଁଠି ଡାକ୍ତର ନାହାନ୍ତି ତ ଆଉ କେଉଁଠି ନିଯୁକ୍ତି ପାଇଥିବା ଡାକ୍ତର କାର୍ଯ୍ୟସ୍ଥଳକୁ ଯାଉନାହାନ୍ତି। ଏପରି କି ବହୁ ଚିକିତ୍ସାଳୟରେ କାଗଜକଲମରେ ସ୍ୱାସ୍ଥ୍ୟସେବା ଚାଲିଥିବା ଅଭିଯୋଗ ହେଉଛି।

Related story