ଅଶୋକଝର ଆସନ୍ତୁ, ପ୍ରକୃତିକୁ ଉପଭୋଗ କରନ୍ତୁ

(ଜୟନ୍ତ ସେଠ୍): ଏକ ସୁନ୍ଦର ସକାଳେ ଆମେ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିଥିଲୁ ଅଶୋକଝର ଅଭିମୁଖେ। ଅଶୋକଝର ହେଉଛି ଯାଜପୁର ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ପିକନିକ୍ ସ୍ପଟ୍ ଓ ଇକୋ ଟୁରିଜିମର ପାଇଁ ପ୍ରକୃଷ୍ଟ ସ୍ଥାନ।  ଭୁବନେଶ୍ୱରରୁ ଅଶୋକଝରର ଦୂରତା ହେଉଛି ପ୍ରାୟ ୧୪୦ କିଲୋମିଟର। ପ୍ରଥମେ ଏକ୍ସପ୍ରେସ ହାଇୱେରେ ଡୁବୁରି ଦେଇ ଯିବାକୁ ପଡ଼ିବ ଖଣି-ଖାଦାନର ଅଞ୍ଚଳ ସୁକିନ୍ଦା। ସୁକିନ୍ଦାରୁ ଅଶୋକଝର ପ୍ରାୟ ୧୨ କିଲୋମିଟର। ସୁକିନ୍ଦାରୁ ଅଣଓସାରିଆ ଗ୍ରାମ୍ୟରାସ୍ତା ପଡ଼ିଛି ଅଶୋକଝରକୁ। ଅଶୋକଝର ଆଖପାଖରେ […]

ASHOK JHARA-2

Rakesh Mallick
  • Published: Wednesday, 21 October 2015
  • , Updated: 27 April 2017, 05:33 PM IST

(ଜୟନ୍ତ ସେଠ୍): ଏକ ସୁନ୍ଦର ସକାଳେ ଆମେ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିଥିଲୁ ଅଶୋକଝର ଅଭିମୁଖେ। ଅଶୋକଝର ହେଉଛି ଯାଜପୁର ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ପିକନିକ୍ ସ୍ପଟ୍ ଓ ଇକୋ ଟୁରିଜିମର ପାଇଁ ପ୍ରକୃଷ୍ଟ ସ୍ଥାନ।  ଭୁବନେଶ୍ୱରରୁ ଅଶୋକଝରର ଦୂରତା ହେଉଛି ପ୍ରାୟ ୧୪୦ କିଲୋମିଟର। ପ୍ରଥମେ ଏକ୍ସପ୍ରେସ ହାଇୱେରେ ଡୁବୁରି ଦେଇ ଯିବାକୁ ପଡ଼ିବ ଖଣି-ଖାଦାନର ଅଞ୍ଚଳ ସୁକିନ୍ଦା। ସୁକିନ୍ଦାରୁ ଅଶୋକଝର ପ୍ରାୟ ୧୨ କିଲୋମିଟର। ସୁକିନ୍ଦାରୁ ଅଣଓସାରିଆ ଗ୍ରାମ୍ୟରାସ୍ତା ପଡ଼ିଛି ଅଶୋକଝରକୁ। ଅଶୋକଝର ଆଖପାଖରେ ରହିଛି କେତୋଟି ଆଦିବାସୀ ଗାଁ। ସେଇ ଗାଁ ଗୁଡିକର ଉପକଣ୍ଠରେ ହିଁ ଆପଣମାନଙ୍କୁ ଦେଖିବାକୁ ମିଳିବ ବିଚିତ୍ର ପ୍ରାକୃତିକ ଦୃଶ୍ୟରାଜି। କେଉଁଠି ଗାଁ ପୋଖରୀ ରଙ୍ଗିନ କଇଁଫୁଲ ଫୁଟିଛି ତ ଆଉ କେଉଁଠି ଗ୍ରାମ୍ୟ ଜଙ୍ଗଲ ସବୁଜ ମାୟା। ଖାଲି ସେତିକି ନୁହେଁ, ଦୂରରୁ ଦେଖାଯିବ ବିରାଟ ମହାଗିରି ପାହାଡ଼ର ଦୃଶ୍ୟ। ଯଦିଓ ବର୍ଷାଦିନିଆ ପାଗରେ ପାହାଡ଼ ଦିଶୁଥାଏ ଧୂଆଁଳିଆ ତଥାପି ମେଘ ଖଣ୍ଡମାନଙ୍କର ଭିଡ଼ ପାହାଡ଼ ରୂପକୁ ଆହୁରି ସୁନ୍ଦର କରି ତୋଳୁଥାଏ। ଏମିତି କିଛିବାଟ ଯିବାପରେ ଆମ ଗାଡ଼ି ଚାଲିଲା ମହାଗିରି ପାହାଡ଼ ଉପରକୁ। ଝଙ୍କାଳିଆ ଆଉ ଅନ୍ଧାରୁଆ ପାହାଡ଼ି ରାସ୍ତାରେ ଗାଡ଼ି ଯିବା ବେଳେ ଦେହରେ ବାଜୁଥାଏ ଥଣ୍ଡା ଥଣ୍ଡା ପବନ। ଆଉ ବିଭିନ୍ନ ପ୍ରକାରର ଜଙ୍ଗଲି ଗଛର ସବୁଜିମା ଉପରୁ ତ ଆଖି ହଟୁ ନଥିଲା। ବେଶ୍ ଉଚ୍ଚତା ପର୍ଯ୍ୟନ୍ତ ଚାଲିବା ପରେ ଆମ ଗାଡ଼ି ରହିଲା ଅଶୋକଝରର ଦ୍ୱାର ଦେଶରେ। ଆଗକୁ ଗାଡ଼ିଯିବା ରାସ୍ତା ବନ୍ଦ। ଏଠାରୁ ଚାଲି ଚାଲି ଯିବାକୁ ପଡ଼ିବ।

ଆମେ ଯେଉଁ ସ୍ଥାନରେ ଗାଡିରେ ଓହ୍ଲେଇଲୁ ସେଠାରେ ଅଛି ଅଶୋକେଶ୍ୱର ଏବଂ ଅଶୋକେଶ୍ୱରୀ ମନ୍ଦିର। ସ୍ଥାନୀୟ ଲୋକଙ୍କ ପାଇଁ ଏହା ଧାର୍ମିକ ଗୁରୁତ୍ୱ ବହନ କରେ। କିନ୍ତୁ ବଡ଼ ବଡ଼ ଗଛ ଛାଇ ଏବଂ ଝରଣାର ଶବ୍ଦ ପିକନିକ୍ ପାଇଁ ସୁନ୍ଦର ପରିବେଶ ସୃଷ୍ଟି କରିଛି । ସେଦିନ ରନ୍ଧାରନ୍ଧିରେ ଲାଗିପଡ଼ିଥିଲେ ଏଠାକୁ ଆସିଥିବା ଏକ ପିକନିକ ପାର୍ଟିର ସଦସ୍ୟ। ସ୍ଥାନୀୟ ଲୋକଙ୍କଠାରୁ ପଚାରି ଜାଣିଲୁ, ଏହି ସ୍ଥାନର ମୁଖ୍ୟ ଆକର୍ଷଣ ହେଉଛି ପାହାଡ଼ି ଝରଣା ଅଶୋକଝର। ତେବେ ଏହାର ଆର୍ଷଣୀୟ ରୂପକୁ ଦେଖିବାକୁ ହେଲେ ଆମକୁ ମହାଗିରି ପାହାଡ ଚଢ଼ିବାକୁ ପଡିବ। ସୁତାରାଂ ଆମେ ଚାଲିଲୁ ପାହାଡ଼ିଆ ରାସ୍ତାରେ । ବେଶୀ ଦୂର ନୁହେଁ, ମାତ୍ର ଅଳ୍ପ କିଛି ଦୂର ଯିବା ପରେ ଆଖିରେ ପଡ଼ିଲା ଝରଣାର ସ୍ୱଚ୍ଛ ପ୍ରବାହ। କିଛି ସମୟ ସେଠାରେ ରହିଲୁ। ପାହାଡ଼ର ଛାତଚିରି ପ୍ରବଳ ବେଗରେ ବହି ଆସୁଛି ଅଶୋକଝର। ସେଠାରେ କିଛ ସମୟ ରହି ନୀରବରେ ଅନୁଧ୍ୟାନ କଲେ ଆପଣ ଅନୁଭବ କରିବେ ଏକ ଅପୂର୍ବ ସାଂଗତିକ ପରିବେଶ। ଏହି ଝରଣାର ଶବ୍ଦ ବି ସୃଷ୍ଟି କରେ ସାତସୁରର ଭିନ୍ନ ରାଗ-ରାଗିଣୀ। ତେବେ ଆମେ ସେତିକିରେ ସନ୍ତୁଷ୍ଟ ହେଲୁନାହିଁ। ମନ ଚାହୁଁଥିଲା ଆଉ କିଛି ଅଧିକ ଆକର୍ଷଣୀୟ ଦୃଶ୍ୟ ଦେଖିବା ପାଇଁ। ପାହାଡ଼ିଆ ରାସ୍ତା ଉପରକୁ ଅଧିକରୁ ଅଧିକ ଅଣଓସାରିଆ। ଆପଣମାନେ ବି ଯଦି ଏଠାକୁ ଆସୁଥାନ୍ତି, ତାହାହେଲେ ସାବଧାନତା ସହକାରେ ପାହାଡ଼ ଚଢ଼ିବେ। କାରଣ ଏଠି ପାଦେ ପାଦେ ଅଛି ବିପଦ। ଏଠି ସାପ ବି ବାହାରନ୍ତି। ଆଉ ପଥରରୁ ଗୋଡ଼ ଖସିଯିବାର ସମ୍ଭାବନା ବି ଅଛି। ଏମିତି କିଛିବାଟ କଠିନ ପାହାଡ ଚଢ଼ାପରେ ଗୋଟିଏ ଜାଗାରେ ରହିଗଲୁ। ଏଠାରୁ ଅଧିକ ଉପରକୁ ଯାଇ ହେଲା ନାହିଁ।

ଏହି ସ୍ଥାନରେ ଆପଣମାନେ ଦେଖିବାକୁ ପାଇବେ ଏକ ବିରଳ ପ୍ରାକୃତିକ ଦୃଶ୍ୟ। ଆମେ ସମୁଦ୍ରପତନରୁ ପ୍ରାୟ ଦେଢ଼ ହଜାର ଫୁଟ ଉପରେ ଥିଲୁ। ମହାଗିରି ପାହାଡ଼ର ଘଞ୍ଚ ଜଙ୍ଗଲ ଆଉ ତା’ସହିତ ଦୂରରୁ ଦିଗବଳୟର ଦୃଶ୍ୟ- ଏସବୁ କେବଳ ଏଠାକୁ ଆସିଲେ ହିଁ ଆପଣ ଅନୁଭବ କରି ପାରିବେ। ଏଠାରୁ ପ୍ରାୟ ୧୦ ଫୁଟ ତଳକୁ ସତର୍କତାର ସହିତ ଓହ୍ଲାଇ ଦେଖିଲୁ ଅଶୋକଝରର ଆଉ ଏକ ବିଚିତ୍ର ରୂପ। ପ୍ରାୟ ଦୁଇ ଶହ ଫୁଟ ଉଚ୍ଚତାରୁ ସ୍ତର ସ୍ତର ହୋଇ ଝରଣା ପ୍ରବାହିତ ହେଉଛି। ଏହା କୌଣସି ଜଳପ୍ରପାତଠାରୁ କମ୍ ଆକର୍ଷଣୀୟ ନୁହେଁ। ଏହି ଦୃଶ୍ୟ ଦେଖିବା ପରେ ଆମେ ଅନୁଭବ କଲୁ ଯେ ଆମର ପାହାଡ଼ ଚଢ଼ା ସଫଳ ହୋଇଛି। ଏଠାରେ ଅଶୋକ ଝରର ପାଣି ଥଣ୍ଡା ଆଉ ସ୍ୱଚ୍ଛ। ଆପଣମାନେ ଚାହିଁଲେ ଏଠାରେ ଗାଧୋଇ ପାରିବେ। କିନ୍ତୁ ଗୋଟିଏ କଥା- ସତର୍କ ରହିବେ। ନହେଲେ ଗୋଡ଼ ଖସିଯିବାର ସମ୍ଭାବନା ରହିଛି। ଏହି ଦୃଶ୍ୟ ଦେଖି ମନେ ହେଲେ ପ୍ରକୃତି ଯାଜପୁର ଜିଲ୍ଲାକୁ ଦେଇଛି ଅନେକ ମୂଲ୍ୟବାନ ଉପହାର। ଆଉ ଅଶୋକଝର ସେଥିମଧ୍ୟରୁ ଗୋଟିଏ। ଝରଣାର ପାଣି ଔଷଧୀୟ ଗୁଣରେ ପରିପୂର୍ଣ୍ଣ ବୋଲି ସ୍ଥାନୀୟ ଲୋକେ କହନ୍ତି। ବାସ୍, ଏତିକିରେ ମନ ଭରିଗଲା। ତା’ଛଡ଼ା ଆଉ ଉପରକୁ ଯିବା ପାଇଁ ଦେହରେ ସାମର୍ଥ୍ୟ ନଥିଲା କିମ୍ବା ମନରେ ସାହସ ନଥିଲା। ପୁଣି ସମୟ ଗଡ଼ିଯାଉଥିଲା। ଏଣୁ ଧୀରେ ଧୀରେ ପାହାଡରୁ ଓହ୍ଲାଇ ଆସିଲୁ। ସଂଧ୍ୟାପରେ ସ୍ଥାନଟି ନିରାପଦ ନୁହେଁ। ଏଣୁ ଆପଣ ଏଠାକୁ ଆସିଲେ ସଂଧ୍ୟାପୂର୍ବରୁ ଫେରିଯିବା ଉଚିତ୍।

Related story