ଏବେ ବି ସମାଜର ଘୃଣ୍ୟ ଦୃଷ୍ଟିରେ କିନ୍ନର

ସୃଷ୍ଟିରେ ଅନେକ ସୁନ୍ଦରତା ଭରିରହିଛି। ସେଥିମଧ୍ୟରୁ ମଣିଷ ହେଉଛି ସୃଷ୍ଟିକର୍ତ୍ତାଙ୍କ ସର୍ବୋତ୍ତମ ସର୍ଜନା। ସାଧାରଣତଃ ମଣିଷ ଜାତିର ପୁରୁଷ ଓ ନାରୀ ଏହି ଦୁଇଟି ଲିଙ୍ଗ ସମସ୍ତେ ଜାଣନ୍ତି ଓ ସମ୍ମାନ ଦିଅନ୍ତି। କିନ୍ତୁ ଯେତେବେଳେ ପ୍ରଶ୍ନ ଆସେ ତୃତୀୟ ଲିଙ୍ଗ (କିନ୍ନର)ମାନଙ୍କ କଥା, ମଣିଷ ସମାଜ ସେମାନଙ୍କ ଠାରୁ ଆଖି ଫେରାଇ ନିଏ। ଆମେ ଏକ ଘୃଣ୍ୟ ଆଉ ଆଶ୍ଚର୍ଯ୍ୟଜନକ ଚାହାଣୀରେ ସେମାନଙ୍କୁ ସ୍ୱାଗତ କରୁ। ଆମେ ଭୁଲିଯାଉ ଯେ ଏମାନେ ବି ମଣିଷ। ଆଜିକାଲି […]

ayisha-kinnar-copy

Rakesh Mallick
  • Published: Thursday, 22 September 2016
  • , Updated: 24 September 2016, 10:32 PM IST

ସୃଷ୍ଟିରେ ଅନେକ ସୁନ୍ଦରତା ଭରିରହିଛି। ସେଥିମଧ୍ୟରୁ ମଣିଷ ହେଉଛି ସୃଷ୍ଟିକର୍ତ୍ତାଙ୍କ ସର୍ବୋତ୍ତମ ସର୍ଜନା। ସାଧାରଣତଃ ମଣିଷ ଜାତିର ପୁରୁଷ ଓ ନାରୀ ଏହି ଦୁଇଟି ଲିଙ୍ଗ ସମସ୍ତେ ଜାଣନ୍ତି ଓ ସମ୍ମାନ ଦିଅନ୍ତି। କିନ୍ତୁ ଯେତେବେଳେ ପ୍ରଶ୍ନ ଆସେ ତୃତୀୟ ଲିଙ୍ଗ (କିନ୍ନର)ମାନଙ୍କ କଥା, ମଣିଷ ସମାଜ ସେମାନଙ୍କ ଠାରୁ ଆଖି ଫେରାଇ ନିଏ। ଆମେ ଏକ ଘୃଣ୍ୟ ଆଉ ଆଶ୍ଚର୍ଯ୍ୟଜନକ ଚାହାଣୀରେ ସେମାନଙ୍କୁ ସ୍ୱାଗତ କରୁ। ଆମେ ଭୁଲିଯାଉ ଯେ ଏମାନେ ବି ମଣିଷ। ଆଜିକାଲି ଏହା ନୂଆ  କଥା ନୁହେଁ ! ପୁରାଣ ଯୁଗରୁ ରହିଆସିଛି। ରାମାୟଣରେ ରାମଚନ୍ଦ୍ର ଏମାନଙ୍କୁ ବରଦାନ ଦେଇଥିବା କଥା ଆମେ ସମସ୍ତେ ଜାଣୁ। ବର କନ୍ୟା, ଛୋଟଛୁଆଙ୍କୁ ଆଶୀର୍ବାଦ ଦେଉଥିବା ଏହି ତୃତୀୟ ଲିଙ୍ଗ ଧାରୀ ମଣିଷ ମାନେ ଆମମାନଙ୍କ ଦୃଷ୍ଟିଭଙ୍ଗି ପାଇଁ ଅଭିଶପ୍ତ ଜୀବନ ବିତାଉଛନ୍ତି। ‘ଆୟେସା’ କିନ୍ନରଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିଥିଲେ ଓଡ଼ିଶା ରିପୋର୍ଟର ପ୍ରତିନିଧି ତପସ୍ୱିନୀ ନାୟକ।

ପ୍ରଶ୍ନ- ଭାରତରେ କିନ୍ନରଙ୍କୁ ସାଧାରଣ ମଣିଷ ଭାବରେ ବଞ୍ଚିବା ପାଇଁ ଅଧିକାର ଦିଆଯାଇଛି।  ଆପଣ ଜଣେ କିନ୍ନର ଭାବେ କୌଣସି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି କି?

ଉତ୍ତର- କିନ୍ନର ହୋଇଥିବାରୁ ମୁଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛି। କଲେଜରେ ଓ ପୁଅମାନଙ୍କ ପାଖରେ ମୋତେ ଅପମାନିତ ହେବାକୁ ପଡ଼ିଛି। ସମାଜ ସହିତ ଖାପ ଖୁଆଇ ଚଳିବାକୁ ପଡ଼ିଛି। କଲେଜରେ ପୁରୁଷ ଶୌଚାଳୟକୁ ଗଲେ ସେଠି ବି ମୋତେ ଅପମାନିତ ହେବାକୁ ପଡ଼ିଥିଲା। ମୋ ଜୀବନରେ ଯୌନ ଓ ମାନସିକ ଲାଞ୍ଝନା ମୋତେ ବହୁତ ମିଳିଛି। ତଥାପି ମୁଁ ହାରି ଯାଇନି। ମୁଁ ବହୁ ଥର ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଛି। ବର୍ତ୍ତମାନ ଯେଉଁ ଅବସ୍ଥାରେ ଅଛି ବହୁତ ଭଲରେ ଅଛି। ଯଦି ମୁଁ ଅପମାନ ସହି ନ ପାରି ଆତ୍ମହତ୍ୟା କରିଦେଇଥାନ୍ତି ଏହି ଦିନ ଦେଖିପାରି ନଥାନ୍ତି।

ପ୍ରଶ୍ନ- ଆପଣଙ୍କ ଜୀବନରେ ଏପରି କେଉଁ ପରିସ୍ଥିତି ଆସିଥିଲା ଯେ ଆପଣ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ?

ଉତ୍ତର-ପ୍ରଥମତଃ ଘରର ଝିଅ ପାଇଁ ବାହାର ଲୋକ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହଁ, ତାର ଘର ଲୋକ ସେତିକି ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ଝିଅ ପାଇଁ ବାପା ମାଆଙ୍କ ସମର୍ଥନ ଓ ଘରର ଛାତ ନିହାତି ଦରକାର। ପୁଅଟେ ଚାହିଁଲେ ରାତିରେ ବାହାରେ ଶୋଇପାରିବ କିନ୍ତୁ ଝିଅଟି ତାହା କରିପାରିବ ନାହିଁ। ମୋ ପାଖରେ ପରିବାରର ସମର୍ଥନ ନ ଥିଲା। ମୋତେ ଘରୁ ବାହାର କରି ଦିଆଯାଇଥିଲା। ମୋ ବାପା ମାଆ ମୋତେ ବୁଝିପାରୁ ନ ଥିଲେ। ଦୁନିଆରେ ମୋତେ ଭାରି ଏକୁଟିଆ ଲାଗୁଥିଲା। ଘରେ ପାଠ ପଢ଼ିବାକୁ ପଇସା ଦେଉ ନ ଥିଲେ। ସେଥିପାଇଁ ମୁଁ କୋଲକତା ପଳାଇଯାଇଥିଲି। ସେଠି ବି ମୁଁ ଦୁଇ ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲି। ମୁଁ ସ୍ଥିର କଲି ମୋତେ ବଞ୍ଚିବାର ଅଛି। ମୁଁ ବଞ୍ଚି ଥାଇ ଯଦି ଆଉ କାହା ପାଇଁ କିଛି କରିପାରିବି ତାହାହେଲେ ମୁଁ ନିଜକୁ ଗର୍ବ ଅନୁଭବ କରିବି। କିନ୍ନର ହୋଇଥିବାରୁ ମୋତେ ଚାକିରି ମଧ୍ୟ କେଉଁଠି ମିଳୁ ନ ଥିଲା। ଏଥିପାଇଁ ମୁଁ ଭାଙ୍ଗିପଡ଼ିଥିଲି।

ପ୍ରଶ୍ନ- ଆଜି କାଲି ସମାଜ ଆଧୁନିକ ହୋଇଗଲାଣି, ଭେଦଭାବ ଆଉ ନାହିଁ, କିନ୍ତୁ ଆପଣଙ୍କୁ ଲାଗୁଛି କି କିନ୍ନରମାନଙ୍କୁ ହୀନ ଦୃଷ୍ଟିରେ ଦେଖାଯାଉଛି?

ଉତ୍ତର-ନିଶ୍ଚିତ ଭାବରେ କିନ୍ନର ମାନଙ୍କୁ ହୀନ ଦୃଷ୍ଟିରେ ଦେଖାଯାଉଛି। ଯଦି ଦେଖାଯାଉ ନ ଥାନ୍ତା। ତେବେ ଭୁବନେଶ୍ୱରରେ ବାଧ୍ୟବାଧ୍ୟକତା ଭାବରେ ପୁଅ ଛୁଆଙ୍କ ଡ୍ରେସ ପିନ୍ଧି କିନ୍ନରମାନେ ଚାକିରି କରି ନଥାନ୍ତେ। କିନ୍ନରମାନଙ୍କର ଶାଢି ପିନ୍ଧି ଚାକିରି କରିବା ପାଇଁ ଇଚ୍ଛା ଥାଏ। କିନ୍ତୁ ସମାଜ ତାକୁ କରାଇ ଦିଏନାହିଁ। ଅବଶ୍ୟ କିଛିଟା ପରିବର୍ତ୍ତନ ହୋଇଛି। ଲୋକମାନେ କିଛିଟା ଗ୍ରହଣ କରିଛନ୍ତି। କିନ୍ତୁ ବେଶୀ କିଛି ପରିବର୍ତ୍ତନ ହୋଇନାହିଁ।

ପ୍ରଶ୍ନ- ଆପଣ ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କ ପାଖରେ  ରହିବାକୁ ଭଲ ଲାଗୁଛି ବୋଲି ପରିବାର ଲୋକଙ୍କ ପାଖରେ  କହିବା ପରେ ତାଙ୍କର ପ୍ରତିକ୍ରିୟା କିପରି ଥିଲା?

ଉତ୍ତର-ଏହାକୁ ନେଇ ମୋତେ ପରିବାରରେ ଭିତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ମୋତେ ବିଭିନ୍ନ କଥା ଶୁଣିବାକୁ ପଡ଼ିଥିଲା। କିନ୍ତୁ ମୁଁ  କାହା କଥା ଶୁଣି ନ ଥିଲି। ମୁଁ ନିଜ ହାତରେ ସବୁ ଅସୁବିଧାକୁ ସମାଧାନ କରିଥିଲି। ସେତେବେଳେ ମୋ ପାଖର କୌଣସି କମ୍ୟୁନିଟି ନଥିଲା। ଧୀରେ ଧୀରେ ମୋ ପରିବାର ମୋତେ ବୁଝିପାରିଲେ ଓ ମତେ ଗ୍ରହଣ କଲେ।

ପ୍ରଶ୍ନ- ସରକାରଙ୍କ ନିୟମ ଅନୁଯାୟୀ କିନ୍ନରମାନେ ସାଧାରଣ ଲୋକଙ୍କ ସହ ସମାନ। ସରକାର କିନ୍ନରମାନଙ୍କ ପାଇଁ ଆଉ କିଛି ନିମୟରେ ପରିବର୍ତ୍ତନ କରନ୍ତୁ ବୋଲି ଆପଣ ଚାହୁଁଛନ୍ତି କି?

ଉତ୍ତର- ସୁପ୍ରିମକୋର୍ଟରେ ରାୟ ଶୁଣାଣିର ଦୁଇ ବର୍ଷ ହୋଇଗଲାଣି। ୬ ମାସ ଭିତରେ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଥିଲା । ବର୍ତ୍ତମାନ ଏହା କାଗଜ କଲମରେ ସୀମିତ ଅଛି। ଯଦି ଏହି ନିୟମକୁ କାର୍ଯ୍ୟକାରୀ କରାଯାଆନ୍ତା ତାହାହେଲେ କିନ୍ନରମାନେ ଟ୍ରେନରେ ପଇସା ମାଗି ଚଳି ନ ଥାନ୍ତେ। ଚାକିରି କରି ପଇସା କମେଇ ପେଟପୋଷିବାକୁ କରିବାକୁ କେତେକ କିନ୍ନର ଚାହୁଁଛନ୍ତି। ହେଲେ ତାହା ହୋଇପାରୁ ନାହିଁ। ବାଧ୍ୟ ହୋଇ ଟ୍ରେନରେ ପଇସା ମାଗି ଚଳିବାକୁ ପଡୁଛି। ସରକାର ଆମ ମାନଙ୍କ ପାଇଁ ହସପିଟାଲରେ ସ୍ପେଶାଲ ୱାର୍ଡ ରଖିବା ଦରକାର। ସାଧାରଣ ଲୋକମାନେ ଆମ ମାନଙ୍କ ସାଙ୍ଗରେ ରହିବାକୁ ଭଲ ପାଆନ୍ତି ନାହିଁ। ଆମମାନଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ନିହାତି ରହିବ ଦରକାର। କିନ୍ନର ମାନଙ୍କର ଶିକ୍ଷା ପାଇଁ ସରକାର ବହୁତ ବ୍ୟବସ୍ଥା କରିଛନ୍ତି। ତାହା କାର୍ଯ୍ୟକାରୀ ହୋଇନାହିଁ। ତାହା କାର୍ଯ୍ୟକାରୀ ହେବା ଆବଶ୍ୟକ।

ପ୍ରଶ୍ନ- ସମସ୍ତଙ୍କ ଜୀବନରେ ଲକ୍ଷ୍ୟ ଥାଏ। ଆପଣ ଜୀବନର ଲକ୍ଷ୍ୟ କ’ଣ ଅଛି?

ଉତ୍ତର- କିନ୍ନରମାନେ ମୋ ଭଳି ପରିବାରରୁ ତଡ଼ା ଖାଇ ବାହାରିଯାଉଛନ୍ତି। ଇଚ୍ଛା ନ ଥିଲେ ବି ଟ୍ରେନରେ ପଇସା ମାଗୁଛନ୍ତି। ସେମାନଙ୍କ ପାଇଁ ମୁଁ  କିଛି କରିବା ପାଇଁ ଚାହୁଁଛି। ଆଜିର ସମାଜରେ ବୁଢ଼ା ଓ ବୁଢ଼ୀ ହୋଇଗଲେ ତାଙ୍କର ପୁଅମାନେ ତାଙ୍କୁ ଅଣଦେଖା କରୁଛନ୍ତି। କାହାର ସାହାଯ୍ୟ ନେଇ ସେମାନଙ୍କ ପାଇଁ ବୃଦ୍ଧାଶ୍ରମ କରିବି। ମୁଁ ବିବାହ କରିବାକୁ ଚାହୁଁଛି। ଜାଣିନି ଏହା ହୋଇ ପାରିବ କି ନାହିଁ। ଏହା ପରିସ୍ଥିତି ଉପରେ ନିର୍ଭର କରେ।

ପ୍ରଶ୍ନ-  ଆପଣ ଜୀବନରେ ବହୁତ ପରିଶ୍ରମ କରିଛନ୍ତି। କିନ୍ତୁ ଏବେ ଆପଣ ନିଜସ୍ୱ ଜୀବନ କିପରି ବିତାଉଛନ୍ତି?

ଉତ୍ତର- ମୋ ହିସାବରେ ‘ଜୀବନ ହେଉଛି ସଂଘର୍ଷ’। ବର୍ତ୍ତମାନ ବି ମୋ ଜୀବନରେ ସଂଘର୍ଷ ଜାରି ରହିଛି। ଏବେ ବି ଲୋମାନେ ଆମକୁ ଘୃଣା ଦୃଷ୍ଟିରେ ଦେଖିବା ବନ୍ଦ କରିନାହାନ୍ତି। ରାସ୍ତାରେ ଗଲେ ବି ଲୋକେ ଆମକୁ କମେଣ୍ଟ ମାରୁଛନ୍ତି। ଆମକୁ ବଞ୍ଚିବାର ଅଛି। ସେହି  ରାହାକୁ ନେଇ ଆମେ ଆଗେଇ ଚାଲିଛୁ। ଡିପ୍ଲୋମା ଇଞ୍ଜିନିୟରିଂ ପାସ କରି ଟ୍ରାନ୍ସ ଜେଣ୍ଡର ୱେଲ ଫେୟାର ଟ୍ରଷ୍ଟର କର୍ମଚାରୀ ଭାବେ କାମ କରୁଛି। ମୁଁ ୫,୨୦୦ ଟଙ୍କା ପାଉଛି। ସାଧାରଣ ମଣିଷ ଭାବରେ ବଞ୍ଚିବା ପାଇଁ ଏବେ ବି ସଂଘର୍ଷ କରୁଛି।

Related story