କେନ୍ଦୁଝର: ବୟସ ମାତ୍ର ୮ ବର୍ଷ। ପାଠ ପଢ଼ିବାକୁ ବହୁତ ଆଗ୍ରହ। ଗାଁରେ ନିଜ ବୟସର ପିଲାଙ୍କ ସହ ଖେଳି ବୁଲି ମଉଜ କରିବାକୁ ଇଚ୍ଛା। ହେଲେ ମାଆବାପାଙ୍କ ରୋଗବ୍ୟାଧି ଯେମିତି ଗୋଡ଼ରେ ବେଡ଼ି ପକାଇ ଦେଇଛି। ରୋଷେଇଠାରୁ ଆରମ୍ଭ କରି ଜାଳେଣି କାଠ ସଂଗ୍ରହ, ମାଆବାପାଙ୍କ ସମସ୍ତ ଦାୟିତ୍ୱ ବୁଝିବାକୁ ପଡ଼ୁଛି ଏହି ବୟସରେ। ଯେଉଁଠି ମାଆବାପାଙ୍କୁ ପିଲାଙ୍କ ହତାଦର ଓ ନିର୍ଯାତନା ଦେବା ସାଧାରଣ ଘଟଣା ପାଲଟିଛି, ସେଠାରେ ଏହି ଛୋଟ ପିଲାଟିର କର୍ତ୍ତବ୍ୟନିଷ୍ଠା ପୁରାଣ ଯୁଗର ଶ୍ରବଣ କୁମାରଙ୍କ କଥା ମନେ ପକାଇ ଦେଉଛି। ଏ ହେଉଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଜୁଙ୍ଗା ପଞ୍ଚାୟତ ଅନ୍ତର୍ଗତ ବଲାଣୀପଶି ଗାଁର ବାବୁଲା କାର୍ଜିର କାହାଣୀ।
ଦିନ ଥିଲା ବାବୁଲା ପାଠ ପଢୁଥିଲା। ଗାଁ ସାଙ୍ଗଙ୍କ ସହ ସ୍କୁଲ୍ ଯାଉଥିଲା। ସବୁ ପିଲାଙ୍କ ପରି ଦୁଷ୍ଟ ହେଉଥିଲା। ହେଲେ ମାଆବାପା ରୋଗରେ ପଡ଼ିବା ତା’ର ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ସେ ଏବେ ଆଉ ଦୁଷ୍ଟ ହେଉନି। ତା’ର ଅଳି ଅର୍ଦଳୀ ଶୁଣିବାକୁ ପାଖରେ କେହି ନାହାନ୍ତି। ଗାଁ ସାଙ୍ଗମାନେ କାନ୍ଧରେ ବ୍ୟାଗ୍ ପକାଇ ସ୍କୁଲ ଯାଉଥିବା ବେଳେ ଛଳ ଛଳ ଆଖିରେ ଘର ପିଣ୍ଡାରେ ଛିଡ଼ା ହୋଇ କିଛି ସମୟ ଅନାଇ ନିଜ ଭାବନା ରାଇଜରେ ହଜି ଯାଉଛି। ଆଉ ପ୍ରକୃତିସ୍ଥ ହେବା ପରେ ପୁଣି ଘର କାମରେ ଲାଗି ପଡୁଛି।
ପତ୍ନୀ କନ୍ଦ କାର୍ଜି ଓ ପୁଅ ବାବାଲାକୁ ନେଇ ଘାଷିନାଥ କାର୍ଜିଙ୍କ ସଂସାର। ପର ଘରେ କାମ କରି ଯାହା ଆଣୁଥିଲେ ସେଥିରେ ୩ ପ୍ରାଣୀ କୁଟୁମ୍ବ ସନ୍ତୁଷ୍ଟ ଥିଲେ। ହେଲେ ଦଇବ ଏମାନଙ୍କୁ ସାହା ହେଲା ନାହିଁ। ୨ ବର୍ଷ ପୂର୍ବେ ଘାଷିନାଥଙ୍କ ସଂସାରକୁ ଯେମିତି ଗ୍ରହଣ ଲାଗିଗଲା। ଘାଷିନାଥଙ୍କ ଗୋଡ଼ରେ ହୋଇଥିବା ଏକ ଘା’ ତାଙ୍କୁ ଅଚଳ କରିଦେଲା। ଏବେ ଗୋଡ଼ ଫୁଲି ପଚି ଯାଇଛି। ପ୍ରବଳ ଯନ୍ତ୍ରଣା ହେଉଛି, ହେଲେ ନିରୂପାୟ ଘାଷିନାଥ ଖଟିଆରେ ପଡ଼ି ରହିଛନ୍ତି। ସେହିପରି ପତ୍ନୀ କନ୍ଦ ମାନସିକ ଭିନ୍ନକ୍ଷମ। ଘରୁ ବାହାରି ପାରୁ ନାହାନ୍ତି। ଗାଧୁଆଠାରୁ ଆରମ୍ଭ କରି ଶୌଚ ସବୁ କାମ ଘରେ ବାବୁଲା ହିଁ କରାଇ ଥାଏ।
ଘରଡ଼ିହଟିକୁ ଛାଡ଼ି ଦେଲେ ଘାଷିନାଥଙ୍କର ଜମିବାଡ଼ି ବୋଲି କିଛି ନାହିଁ। ବିପିଏଲ୍ ହିତାଧିକାରୀ ହୋଇଥିବାରୁ ପଞ୍ଚାୟତରୁ ମିଳୁଥିବା ଚାଉଳ ଓ ଭତ୍ତା ଟଙ୍କା ହିଁ ଏମାନଙ୍କ ବଞ୍ଚିବାର ସାହାଭରସା। ଅର୍ଥାଭାବରୁ ବାପାଙ୍କର ଚିକିତ୍ସା କରାଇ ପାରୁନାହିଁ ବାବୁଲା। “ଟଙ୍କା ନ ଥିଲେ ଯଦି ଚାଉଳ ଆଣି ନ ପାରେ ତେବେ ଦୂଆର ଦୂଆର ବୁଲି ମାଗିଯାଚି ଯାହା ଆଣେ ସେଥିରେ ଚଳିବାକୁ ପଡୁଛି” ବୋଲି କୁହନ୍ତି ବାବୁଲା।
ଜଣେ ରୋଗାକ୍ରାନ୍ତ, ଅନ୍ୟ ଜଣେ ମାନସିକ ଭିନ୍ନକ୍ଷମ ଆଉ ବାବୁଲାର କଅଁଳ ବୟସ। ହେଲେ ବିପିଏଲ୍ କାର୍ଡ ଆଉ ଭତ୍ତାଟିଏ ଦେଇ ପ୍ରଶାସନ ତା’ର କାମ ସାରି ଦେଇଛି। ସରକାର ଲୋକଙ୍କ ହିତ ପାଇଁ ବହୁ ଯୋଜନା କରୁଛନ୍ତି। ହେଲେ ଏହି ପରିବାର ପାଇଁ ଏସବୁ ଯେମିତି ସାତସପନ ପାଲଟିଛି।
ବାବୁଲା କୁହନ୍ତି, “ବାପାଙ୍କ ଗୋଡ଼ରେ ଘା’ ହୋଇଛି। ମାଆ ପାଗଳି ହୋଇଯାଇଛନ୍ତି। ସବୁ ଘର କାମ ନିଜେ କରେ। ମାଆ ପାଉଥିବା ଭତ୍ତା ଟଙ୍କାରେ ପଞ୍ଚାୟତରୁ ଚାଉଳ ଆଣେ। ସାହି ଲୋକେ ତୁଣ ଦିଅନ୍ତି, ସେଥିରେ ଚଳେ। ଆମର କେହି ସାହାରା ନାହାନ୍ତି, କାହାକୁ ମାଆବାପାଙ୍କ ଚିକିତ୍ସା ଲାଗି କହିବି? ପାଠ ପଢ଼ିବାକୁ ଇଚ୍ଛା ଅଛି, ହେଲେ ସ୍କୁଲ ଯାଇ ପାରୁନାହିଁ। କେହି ସାହାଯ୍ୟ କଲେ ମାଆବାପାଙ୍କ ଚିକିତ୍ସା ହୋଇପାରିବ। ସେମାନେ ଭଲ ହୋଇଗଲେ ପୁଣି ସ୍କୁଲ ଯିବି।”
ଘାଷିନାଥ କହିଛନ୍ତି, “ଗୋଡ଼ ମୋଡ଼ି ହୋଇ କ୍ଷତ ସୃଷ୍ଟି ହୋଇଥିଲା। ଡାକ୍ତରଙ୍କୁ ଦେଖାଇ ଥିଲି, ଭଲ ହେଲାନାହିଁ। ଏବେ ଘା’ ହୋଇ ଚଲାବୁଲା ବନ୍ଦ ହୋଇଯାଇଛି। ପତ୍ନୀ ପାଗଳି। ପିଲାଟା ମାଗିଯାଚି ଯାହା ଆଣୁଛି ସେଥିରେ ଚଳୁଛୁ। ବିପିଏଲ୍ କାର୍ଡ ଅଛି, ହେଲେ ଇନ୍ଦିରା ଆବାସ ମିଳିନାହିଁ। ଅର୍ଥାଭାବରୁ ଚିକିତ୍ସା କରାଇ ପାରୁନାହୁଁ। ବାବୁଲାର ପଢ଼ିବାକୁ ବହୁତ ଆଗ୍ରହ ଅଛି, ହେଲେ ଆମକୁ ଛାଡ଼ି ସ୍କୁଲ ଯାଇପାରୁ ନାହିଁ।”
ପଡ଼ୋଶୀ ଦ୍ରୌପଦୀ କାର୍ଜି କହିଛନ୍ତି, “ବହୁ କଷ୍ଟରେ ସେମାନେ ଚଳୁଛନ୍ତି। ଘରର ମୁରବୀଙ୍କ ଏପରି ଅବସ୍ଥା। ପଡ଼ୋଶୀ ଭାବେ ସେମାନଙ୍କ କଷ୍ଟ ଦେଖି ଦୁଃଖ ଲାଗୁଛି। ଛୋଟ ପିଲାଟା, ତାକୁ ଦେଖିଲେ ଆଖିରେ ଲୁହ ଆସି ଯାଉଛି। ଯଥା ସମ୍ଭବ ସାହାଯ୍ୟ କରୁଛୁ। ସରକାର ତୁରନ୍ତ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଇବା ସହ ବାବୁଲାର ଭବିଷ୍ୟତ ସୁରକ୍ଷିତ କରନ୍ତୁ।”
ସରପଞ୍ଚ ଲୀଳାବତି ଫୁତକାର କହିଛନ୍ତି, “ପଞ୍ଚାୟତ ତରଫରୁ ଚାଉଳ ଯୋଗାଇ ଦିଆଯାଉଛି। କନ୍ଦଙ୍କୁ ଭତ୍ତା ମିଳୁଛି। ସେମାନଙ୍କୁ ଡାକ୍ତରଖାନା ନେବାକୁ ବ୍ୟବସ୍ଥା କରିଥିଲି। ହେଲେ ଜଣେ କେହି ଡାକ୍ତରଖାନାରେ ରହିବା ନିହାତି ଦରକାର। ପିଲାଟା ଏବେ ବହୁତ ସାନ, ସେ ମେଡିକାଲରେ ରହି ଦେଖାଶୁଣା କରି ପାରିବ ନାହିଁ। ତେଣୁ ସେମାନଙ୍କୁ ମେଡିକାଲ ନେଇ ହେଉନାହିଁ।”
ଘାଷିଙ୍କ ପରିବାର ସମ୍ପର୍କରେ ବିଡିଓ କିଛି କହିବାକୁ ମନା କରି ଦେଇଥିବା ବେଳେ ଅତିରିକ୍ତି ଜିଲ୍ଲାପାଳ ସଂଗ୍ରାମ କେଶରୀ ସ୍ୱାଇଁ କହିଛନ୍ତି, “ଜିଲ୍ଲା ପ୍ରଶାସନ ନଜରକୁ ଆସିବା ପରେ ଦମ୍ପତିଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଉଛି। ପିଲାଟିକୁ ପୁଣି ସ୍କୁଲକୁ ଫେରାଇ ନେବାକୁ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯିବ। ସରକାରଙ୍କ ତରଫରୁ ଯାହା ଆର୍ଥିକ ସାହାଯ୍ୟ ଦିଆଯିବାର ବ୍ୟବସ୍ଥା ରହିଛି ସବୁ ଯୋଗାଇ ଦିଆଯିବ।”