ବାଲେଶ୍ୱରରେ ଇଟା ମାଫିଆଙ୍କ ରାଜ୍, ନଦୀପଠାରୁ ଲୁଟୁଛନ୍ତି ହଜାର ହଜାର ଟ୍ରକ୍ ମାଟି

ବାଲେଶ୍ୱର: ଇଟା ମାଫିଆଙ୍କ କବଳରେ ବାଲେଶ୍ୱର। ବିନା ଅନୁମତିରେ ଯେଉଁଠି ନାହିଁ ସେଠି ଛତୁ ଫୁଟିଲା ପରି ଇଟା ଭାଟି କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଇଟା ଗଢା ଲାଗି ଆବଶ୍ୟକ ମାଟି ବେଆଇନ ଭାବେ ବୁଢ଼ାବଳଙ୍ଗ ଓ ସୋନ୍ ନଦୀ ପଠାରୁ ବେଧଡକ ଲୁଟ କରାଯାଉଛି। ଦିନ ଦ୍ୱିପ୍ରହରରେ ପ୍ରତିଦିନ ହଜାର ହଜାର ଟ୍ରକ୍ ମାଟି ନଦୀ ପଠାରୁ ଉଠାଇ ନିଆଯାଉଛି। ଏହାଦ୍ୱାରା ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହେବାରେ ଲାଗିଛି। ଯାହା ଆଗାମୀ […]

mati

Rakesh Mallick
  • Published: Sunday, 06 December 2015
  • , Updated: 06 December 2015, 05:02 PM IST

ବାଲେଶ୍ୱର: ଇଟା ମାଫିଆଙ୍କ କବଳରେ ବାଲେଶ୍ୱର। ବିନା ଅନୁମତିରେ ଯେଉଁଠି ନାହିଁ ସେଠି ଛତୁ ଫୁଟିଲା ପରି ଇଟା ଭାଟି କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଇଟା ଗଢା ଲାଗି ଆବଶ୍ୟକ ମାଟି ବେଆଇନ ଭାବେ ବୁଢ଼ାବଳଙ୍ଗ ଓ ସୋନ୍ ନଦୀ ପଠାରୁ ବେଧଡକ ଲୁଟ କରାଯାଉଛି। ଦିନ ଦ୍ୱିପ୍ରହରରେ ପ୍ରତିଦିନ ହଜାର ହଜାର ଟ୍ରକ୍ ମାଟି ନଦୀ ପଠାରୁ ଉଠାଇ ନିଆଯାଉଛି। ଏହାଦ୍ୱାରା ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହେବାରେ ଲାଗିଛି। ଯାହା ଆଗାମୀ ଦିନରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ବଢିବାରେ ଲାଗିଛି। ଏ ନେଇ ସ୍ଥାନୀୟ ପ୍ରଶାସନ ପାଖରେ ଖବର ଥିଲେ ମଧ୍ୟ ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଅଭିଯୋଗ ହେଉଛି।

ବୁଢାବଳଙ୍ଗ ନଦୀର ନୁଣିଆଜୁଡ଼ି, ଫୁଲାଡ଼ି, କଣ୍ଟାବଣିଆ, ଦହପଡ଼ା ଓ ରେମୁଣା ତହସିଲ ଅନ୍ତର୍ଗତ ସୋନ ନଦୀର କାଠପାଳ, ବାଲିପାଳ, ଦୁର୍ଗାଦବୀ ଗାଁରେ ଥିବା ଗୋଚର ଜମିରୁ ବର୍ଷ ବର୍ଷ ଧରି ବେଆଇନ୍ ଭାବେ ମାଟି ଉଠା ଚାଲିଛି। ପ୍ରତିବାଦ କଲେ ଲୋକଙ୍କୁ ଧମକ ଚମକ ଦିଆଯିବା ସହ ଆକ୍ରମଣ କରାଯାଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଦୈନିକ ହଜାର ହଜାର ଟ୍ରକ୍ ମାଟି ଲୁଟ୍ ହେଉଛି। ଟ୍ରକ୍ ଓ ଟ୍ରାକ୍ଟର ସହାୟତାରେ ବେଆଇନ ଭାବେ ମାଟି ନେଇ ଇଟା ତିଆରି କରାଯାଉଛି। ସ୍ଥାନୀୟ ପ୍ରଶାସନକୁ ଅବଗତ କଲେ ମଧ୍ୟ କିଛି ଅଧିକାରୀ ମୋଟା ଅଙ୍କର ଲାଞ୍ଚ ନେଇ ଚୁପ ରହୁଥିବା ଅଭିଯୋଗ ହେଉଛି।

ବୁଢାବଳଙ୍ଗ, ସୋନ ଓ ସୁବର୍ଣ୍ଣରେଖା ନଦୀପଠାରେ ୮୦ରୁ ଅଧିକ ବେଆଇନ ଇଟାଭାଟି ଚାଲିଛି। ନଦୀକୂଳରୁ ମାଟି ଲୁଟ ହେଉଥିବାବେଳେ ଏହା ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି କରୁଛି। ବେଆଇନ ଇଟାଭାଟି ବନ୍ଦ ପାଇଁ ୨୦୧୩ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ମଧ୍ୟ ଇଟାଭାଟି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ କହିଥିଲେ। ଏହା ମଧ୍ୟରେ ଦୁଇବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

ଜଣେ ସ୍ଥାନୀୟ ଯୁବକ କହିଛନ୍ତି, ମାଟି ଉଠାକୁ ବିରୋଧ କଲେ ବାହାରୁ ଗୁଣ୍ଡା ଆଣି ଧମକ ଚମକ ଦିଆଯାଉଛି। ଆରଆଇ, ତହସିଲଦାର ଓ ସ୍ଥାନୀୟ ଅଧିକାରୀଙ୍କୁ ଜଣାଇଲେ ତଦନ୍ତ ଲାଗି ଆସୁଛନ୍ତି ହେଲେ ଲାଞ୍ଚ ନେଇ ଚୁପ ରହୁଛନ୍ତି। ଅନ୍ୟଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ମାଟି ଖୋଳି ନେବା ଯୋଗୁଁ ନଦୀରେ ସାମାନ୍ୟ ପାଣି ଆସିଲେ ଘରେ ପଶିଯାଉଛି। ଯାହାକୁ ଜଣାଇଲେ ବି କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ପ୍ରତିବାଦ କଲେ ଇଟାଭାଟି ମାଲିକମାନେ ମାରଧର କରୁଛନ୍ତି।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଡା. ଅଶୋକ କୁମାର ଚାଟାର୍ଜୀଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି, ନଦୀପଠାରେ ଥିବା ବହୁ ଇଟାଭାଟି ଗାଇଡ ଲାଇନ ପାଳନ କରୁନାହାନ୍ତି। ଏ ବିଷୟରେ ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯାଇଛି। ଯେଉଁ ପ୍ରଶାସନିକ ଅଧିକାରୀମାନେ ଏପରି ବେଆଇନ କାର୍ଯ୍ୟକୁ ରୋକିବାକୁ ପଦକ୍ଷେପ ନେଉ ନାହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଜିଲ୍ଲାପାଳ ପ୍ରମୋଦ ଦାସଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି, ଆସନ୍ତା ରେଭିନ୍ୟୁ ମିଟିଂରେ ଏ ନେଇ ଆଲୋଚନା କରାଯିବ। ଯେଉଁ ତହସିଲଦାରମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବେ ସେମାନଙ୍କ ବିରୋଧରେ ପଦକ୍ଷେପ ନିଆଯିବ। ତହସିଲଦାରମାନଙ୍କୁ ଅଭିଯୋଗର ତଦନ୍ତ କରି ଶୀଘ୍ର ରିପୋର୍ଟ ଦେବାକୁ କୁହାଯିବ। ଯେଉଁମାନେ ଏପରି ବେଆଇନ ଇଟାଭାଟି ଚଳାଇଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related story