ଟ୍ରେନ୍‌ରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ !

ବାରିପଦା (ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ରେ ରହିଛି ଭୁଆଶୁଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲ ୧୯୪୮ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଦୁଇ ଶହରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ତେବେ ଯେ କେହି ବି ସ୍କୁଲ୍‌ଟିକୁ ହଠାତ୍ ଦେଖିବେ ଟିକେ ଚମକି ଯିବେ। କାରଣ ସ୍କୁଲ୍‌ଟି ଟ୍ରେନ୍‌ ପରି ଦେଖାଯାଉଛି। ତେବେ ସ୍କୁଲ୍‌ଟିକୁ ଟ୍ରେନ୍ ମଡେଲ୍‌ରେ ତିଆରି କରାଯାଇ ନାହିଁ। ଏହାର କାନ୍ଥରେ ଟ୍ରେନ୍‌ର […]

baripada

Jyoshna Pradhan
  • Published: Monday, 09 March 2020
  • , Updated: 09 March 2020, 12:56 PM IST

ବାରିପଦା (ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ରେ ରହିଛି ଭୁଆଶୁଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲ ୧୯୪୮ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଦୁଇ ଶହରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ତେବେ ଯେ କେହି ବି ସ୍କୁଲ୍‌ଟିକୁ ହଠାତ୍ ଦେଖିବେ ଟିକେ ଚମକି ଯିବେ। କାରଣ ସ୍କୁଲ୍‌ଟି ଟ୍ରେନ୍‌ ପରି ଦେଖାଯାଉଛି। ତେବେ ସ୍କୁଲ୍‌ଟିକୁ ଟ୍ରେନ୍ ମଡେଲ୍‌ରେ ତିଆରି କରାଯାଇ ନାହିଁ। ଏହାର କାନ୍ଥରେ ଟ୍ରେନ୍‌ର ଚିତ୍ର ଅଙ୍କା ଯାଇଛି, ଯାହା ଏହାର ସୌନ୍ଦର୍ଯ୍ୟକୁ ବଢ଼ାଇବା ସହିତ ପିଲାଙ୍କୁ ସ୍କୁଲ୍‌କୁ ପାଠ ପଢ଼ି ଆସିବାକୁ ଉତ୍ସାହିତ କରୁଛି। ଆଉ ଏହା ପଛରେ ରହିଛି ସ୍କୁଲ୍‌ର ଜଣେ ପୁରାତନ ଛାତ୍ରୀଙ୍କ ହାତ, ଯିଏ ପରବର୍ତ୍ତୀ ସମୟରେ ଏଠାରେ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିଲେ ଓ ଏବେ ବାଙ୍ଗିରିପୋଷି ବ୍ଲକ୍‌ର ସିଆର୍‌ସିସି ଭାବେ କାର୍ଯ୍ୟ କରୁଛନ୍ତି। ଆଉ ଏ ସ୍କୁଲ୍‌ଟି ତାଙ୍କ ଅଧୀନରେ ଆସୁଛି। ସେ ହେଉଛନ୍ତି ସ୍ନେହଲତା ପାତ୍ର।

ସିଆରସିସି ହେବା ପରେ ସେ ଶିକ୍ଷକମାନଙ୍କ ସହାୟତାରେ ଓ ନିଜ ଅର୍ଥରେ ସ୍କୁଲ୍‌ର ରୂପ ବଦଳାଇ ଦେଇଛନ୍ତି। ଶିକ୍ଷକମାନେ ମଧ୍ୟ ଆର୍ଥିକ ସହାୟତା ଦେଇଛନ୍ତି।

ସିଆରସିସି ସ୍ନେହଲତା ପାତ୍ର କହିଛନ୍ତି, “ମୁଁ ଏହି ସ୍କୁଲର ଛାତ୍ରୀ ଥିଲି। ଏହି ସ୍କୁଲରେ ପାଠ ପଢ଼ିବା ସମୟରେ ସ୍କୁଲର ଉନ୍ନତିକରଣ କରିବାକୁ ସ୍ୱପ୍ନ ଦେଖିଥିଲି। ମୁଁ ୨୦୦୭ ମସିହାରେ ଏହି ସ୍କୁଲ ନିଯୁକ୍ତି ପାଇବା ପରେ ନିଜ ଉଦ୍ୟମରେ ଏହାର ଉନ୍ନତି ପାଇଁ ଚେଷ୍ଟା କରିଥିଲି। ତା’ପରେ ସିଆରସିସି ହେଲା ପରେ ସ୍କୁଲର ଉନ୍ନତିକରଣ କରିବା ପାଇଁ ମୋତେ ଆହୁରି ସୁଯୋଗ ମିଳିଲା। ଏବେ ସ୍କୁଲ୍‌ରେ କିଛି ୱାଲ ପେଣ୍ଟିଂ ହୋଇଛି। ସରକାରଙ୍କ ତରଫରୁ କିଛି ସହାୟତା ମିଳି ନାହିଁ। ଆମ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ ସହଯୋଗରେ ଏସବୁ କରାଯାଇଛି। ଗାଁ ଲୋକେ ଓ ଅଭିଭାବକମାନେ ସ୍କୁଲକୁ ଦେଖି ଖୁସି ହେଉଛନ୍ତି।”

ସ୍କୁଲର ଜଣେ ଛାତ୍ରୀ ଶୁଭସ୍ମିତା ଦଲାଲ କହିଛନ୍ତି, “ସ୍କୁଲ କାନ୍ଥରେ ଟ୍ରେନ୍ ଚିତ୍ର ଅଙ୍କା ଯାଇଛି। ଏହା ବହୁତ ଭଲ ଲାଗୁଛି। ଆମେ ପ୍ରତିଦିନ ସ୍କୁଲକୁ ଆସିଲେ ଟ୍ରେନ୍‌ ଭିତରେ ବସିଲା ଭଳି ଲାଗୁଛି।”

ଅଭିଭାବକ ଦୟାନିଧି ମହାନ୍ତ କହିଛନ୍ତି, “ମୁଁ ମଧ୍ୟ ଏହି ସ୍କୁଲର ଛାତ୍ର ଥିଲି। ଆମେ ଯେତେବେଳେ ଏହି ସ୍କୁଲରେ ପାଠ ପଢ଼ୁଥିଲୁ କିଛି ନଥିଲା। ସେତେବେଳେ ଏକ ଚାଳ ଘର ଥିଲା। ହେଲେ ତାହା ପୋଡ଼ି ଯାଇଥିବାରୁ ଆମେ ଦୁଇ ବର୍ଷ ଗଛ ମୂଳେ ବସି ପାଠପଢ଼ିଛୁ। ଏବେ ସ୍କୁଲକୁ ଦେଖିଲେ ଏତେ ଖୁସି ଲାଗୁଛି, କହି ହେବ ନାହିଁ। ପୁଣି ଥରେ ଛୁଆ ହୋଇ ଏହି ସ୍କୁଲରେ ପାଠ ପଢ଼ିବାକୁ ଇଚ୍ଛା ଲାଗୁଛି।”

ସ୍କୁଲର ପ୍ରଧାନ ଶିକ୍ଷକ ସରୋଜ କୁମାର ଦାସ କହିଛନ୍ତି, “ସ୍କୁଲର ଉନ୍ନତିକରଣ ପାଇଁ ସ୍ନେହଲତା ଦିଦି କହିଲା ପରେ ମୁଁ ମ୍ୟାନେଜିଂ କମିଟିର ସଭ୍ୟ ମାନଙ୍କ ସହିତ ଏ ବିଷୟରେ ଆଲୋଚନା କରିଥିଲି। ଏହାପରେ ସ୍କୁଲ୍‌ର ସହକାରୀ ଶିକ୍ଷକଓ ଶିକ୍ଷୟିତ୍ରୀଙ୍କ ସହାୟତା ଏବଂ ସିଆରସିସିଙ୍କ ପ୍ରେରଣାରେ ଏହି କାର୍ଯ୍ୟକ୍ରମ କଲୁ।  ମୁଁ ଅନୁଭବ କରୁଛି ଯେ ଏହା ବହୁତ ସୁନ୍ଦର ପ୍ରୋଜେକ୍ଟ ହୋଇଛି। ପିଲାମାନେ ସ୍କୁଲ ଆସିବାକୁ ଆକୃଷ୍ଟ ହେଉଛନ୍ତି।”

କେବଳ ଏହି ସ୍କୁଲ ନୁହେଁ, ବାଙ୍ଗିରିପୋଷି ବ୍ଲକ୍‌ରେ ଥିବା ରାୟାଁ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସିଆର୍‌ସିସି ସ୍ନେହଲତା ପାତ୍ରଙ୍କ ପ୍ରଚେଷ୍ଟାରେ ଏଭଳି ସୁନ୍ଦର ଟ୍ରେନ୍‌ ଚିତ୍ର ଅଙ୍କାଯାଇଛି। ଏବେ ସ୍ନେହଲତାଙ୍କ ଦାୟିତ୍ୱରେ ୧୨ଟି ସ୍କୁଲ ରହିଛି। ଅନ୍ୟ ସ୍କୁଲ ଗୁଡ଼ିକୁ ମଧ୍ୟ ଏଭଳି ଚିତାକର୍ଷକ କରାଯିବ ବୋଲି ସେ କହିଛନ୍ତି।

ପିଲାମାନଙ୍କୁ ସ୍କୁଲ୍ ମୁହାଁ କରିବାକୁ ଓ ସେମାନଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଆଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ ସିଆର୍‌ସିସି ସ୍ନେହଲତା ପାତ୍ର ଓ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଏଭଳି ଉଦ୍ୟମ ପ୍ରଶଂସନୀୟ।

Related story