୨୦୦୨ରୁ ସେପ୍ଟେମ୍ୱର ୨୦୧୬ ମଧ୍ୟରେ ଓଡ଼ିଶାରେ ୩୯,୩୮୯ ଜଣ ଏଚ୍ଆଇଭିରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୦୪୨ ଜଣ ଗର୍ଭବତୀ ଅଛନ୍ତି। ୧୭୧୬ ଜଣ ଏଡ୍ସରେ ଆକ୍ରାନ୍ତ ହୋଇଥିବା ବେଳେ ୧୪୯୪ ଜଣଙ୍କ ମୃତ୍ୟୁ ଘଟିଛି। ଯେଉଁମାନେ ଏଚ୍ଆଇଭିରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କୁ କାଉସେଲିଂ କରାଗଲେ ଭଲ ହେବାର ସମ୍ଭାବନା ରହିଛି। ମାତ୍ର ଯେଉଁମାନେ ଏଡ୍ସରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ପାଇଁ ଔଷଧ ଏକ ମାତ୍ର ଭରସା।
ଏଡ୍ସରେ ଆକ୍ରାନ୍ତ ହୋଇ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୬୧ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି କୋରାପୁଟରେ ୧୫୧ ଜଣ, ଭଦ୍ରକରେ ୮୫, କେନ୍ଦ୍ରାପଡ଼ାରେ ୭୪, ଅନୁଗୋଳରେ ୭୨, ପୁରୀରେ ୬୮, ବଲାଙ୍ଗିରରେ ୬୧, ବାଲେଶ୍ୱରରେ ୬୧, ଯାଜପୁରରେ ୫୪, ରାୟଗଡ଼ାରେ ୫୩, ଖୋର୍ଦ୍ଧାରେ ୫୨, କଟକରେ ୪୬, ମୟୂରଭଞ୍ଜରେ ୩୫, ସମ୍ୱଲପୁରରେ ୩୪, ସୁନ୍ଦରଗଡ଼ରେ ୨୩, ନବରଙ୍ଗପୁରରେ ୨୦, ଝାରସୁଗୁଡ଼ାରେ ୨୦, କନ୍ଧମାଳରେ ୨୦, ନୂଆପଡ଼ାରେ ୧୯, ଢେଙ୍କାନାଳରେ ୧୮, ଜଗତସିଂହପୁରରେ ୧୮, ବରଗଡ଼ରେ ୯, ନୟାଗଡ଼ରେ ୯, କଳାହାଣ୍ଡିରେ ୭, କେନ୍ଦୁଝରରେ ୬, ଗଜପତିରେ ୬, ମାଲକାନଗିରିରେ ୬, ବୌଦ୍ଧରେ ୪ ଓ ଦେବଗଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି।
ରାଜ୍ୟରେ ୨୫୦୦ ପିଲା(ବେସରକାରୀ ତଥ୍ୟ ଅନୁଯାୟୀ) ଏଚ୍ଆଇଭିରେ ଆକ୍ରାନ୍ତ ହୋଇଛନ୍ତି।
ଏଡ୍ସ ଆକ୍ରାନ୍ତଙ୍କ ପାଇଁ କାର୍ଯ୍ୟ କରୁଥିବା କଳିଙ୍ଗ ନେଟ୍ୱାର୍କ ଫର ପ୍ୟୁପିଲ୍ ଲିଭିଂ ଉଇଥ୍ ଏଚ୍ଆଇଭି/ଏଡ୍ସ ଅଭିଯୋଗ କରିଛି ଯେ ରାଜ୍ୟ ସରକାର ଏଡ୍ସ ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ଭାବେ କୌଣସି ଯୋଜନା କରିନାହାନ୍ତି। ବୃଦ୍ଧବୃଦ୍ଧାମାନଙ୍କ ପାଇଁ ଥିବା ମଧୁବାବୁ ପେନସନ୍ ଯୋଜନାରେ ମାସକୁ ୩୦୦ ଟଙ୍କା ମିଳୁଛି। ତାହା ପୁଣି ସମୁଦ୍ରକୁ ଶଙ୍ଖେ। ଏହି ଯୋଜନାରେ ସମସ୍ତେ ସାମିଲ ହୋଇନାହାନ୍ତି। ଏହାଛଡ଼ା ପିଲା ଓ ଗର୍ଭବତୀଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ।
ଡାକ୍ତରମାନେ ଏଡ୍ସ ଆକ୍ରାନ୍ତଙ୍କ ଚିକିତ୍ସା କରିବାକୁ କୁଣ୍ଠାବୋଧ ହେବା ନେଇ ଗମ୍ଭୀର ଅଭିଯୋଗ ଆଣିଛନ୍ତି ସଂସ୍ଥାର ସଭାପତି ପ୍ରଭାସିନୀ ପ୍ରଧାନ। ସେ ଏକ ଉଦହାରଣ ଦେଇ କହିଛନ୍ତି,“ପୁରୀ ଜିଲ୍ଲା ଗୋପ ଅଞ୍ଚଳର ଜଣେ ଏଚ୍ଆଇଭି ଆକ୍ରାନ୍ତ ମହିଳାଙ୍କ ପେଟରେ ଷ୍ଟୋନ୍ ହୋଇଛି। ଅପରେସନ୍ ପାଇଁ ସେ ବାରମ୍ୱାର ଭୁବନେଶ୍ୱର ଆସୁଛନ୍ତି। ମାତ୍ର ଡାକ୍ତର ବାହାନା କରି ତାକୁ ଫେରାଇ ଦେଉଛନ୍ତି। ସେ ବାଧ୍ୟ ହୋଇ ବେସରକାରୀ ଡାକ୍ତରଖାନାକୁ ଅପରେସନ୍ ପାଇଁ ଯିବେ ବୋଲି କହୁଥିଲେ। ତେବେ ବେସରକାରୀ ଡାକ୍ତରଖାନାରେ ଡାକ୍ତରମାନେ ଅପରେସନ୍ କରିବେ କି ନାହିଁ ଜାଣିନୁ। ଯଦି ଡାକ୍ତରମାନେ ଆମ ପ୍ରତି ଏମିତି ବ୍ୟବହାର ପୋଷଣ କରିବେ ତାହାହେଲେ ସାଧାରଣ ଲୋକଙ୍କଠାରୁ କ’ଣ ଆଶା କରିବୁ?”
ସେ କହିଛନ୍ତି,“ନିୟମ ଅନୁଯାୟୀ ୫ରୁ ୬ ବର୍ଷ ଔଷଧ ଖାଇବା ପରେ ଜଣେ ଏଡ୍ସ ଆକ୍ରାନ୍ତଙ୍କ ଭାଇରାଲ୍ ଲୋଡ୍ ଟେଷ୍ଟ୍ କରାଯାଏ। ମୁଁ ୧୨ ବର୍ଷ ହେଲା ଔଷଧ ଖାଇଲିଣି, ହେଲେ ଏପର୍ଯ୍ୟନ୍ତ ମୋର ଭାଇରାଲ୍ ଲୋଡ୍ ଟେଷ୍ଟ୍ କରାଯାଇନି। ମୋର ରୋଗ ପ୍ରତିଶେଧକ ଶକ୍ତି କମୁଛି ନା ବଢ଼ୁଛି ତାହା ମୁଁ ଜାଣିପାରୁନି। ଏହା ବ୍ୟୟ ସାପେକ୍ଷ ହେଉଥିବାରୁ ରାଜ୍ୟ ସରକାର ଏଥିପ୍ରତି ତିଳେ ମାତ୍ର ନଜର ଦେଉନାହାନ୍ତି। ଏଡ୍ସ ଆକ୍ରାନ୍ତଙ୍କ ପ୍ରତି ୨୦୦୪ ମସିହାରେ ଡାକ୍ତରଖାନାରେ ବ୍ୟବସ୍ଥା ଯାହା ଥିଲା ଏବେ ମଧ୍ୟ ଠିକ୍ ସେମିତି ଅଛି। ଏଥିରେ କିଛି ପରିବର୍ତ୍ତନ ହୋଇନି।”
ସଂସ୍ଥାର ପ୍ରତିଷ୍ଠାତା ସଭ୍ୟ ଅମରେନ୍ଦ୍ର ବେହେରା କହିଛନ୍ତି,“ଏଡ୍ସ ଆକ୍ରାନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ୱତନ୍ତ୍ର ଯୋଜନା ନାହିଁ। ପ୍ରଶାସନିକ ଅଧିକାରୀ ଓ ରାଜନେତାମାନଙ୍କ ଉଦାସୀନତା ଯୋଗୁଁ ଏପରି ସମସ୍ୟା ଉପୁଜିଛି। ଆମେ ସହରରେ ରହୁଥିବାରୁ କାମଦାମ କରି ଚଳି ଯାଉଛୁ। ଯେଉଁମାନେ ଗ୍ରାମାଞ୍ଚଳରେ ରହୁଛନ୍ତି ସେମାନଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ଖାଇବାକୁ ଦୁଇ ଓଳି ପାଉ ନାହାନ୍ତି। ନାନା ହଇରାଣ ହରକତ ହେଉଛନ୍ତି। ଏକଘରି ହୋଇ ଜୀବନ ଅତିବାହିତ କରୁଛନ୍ତି। ଆମ ସଂସ୍ଥା ସାମର୍ଥ ମୁତାବକ ଗ୍ରାମାଞ୍ଚଳରେ ସଚେତନତା କରୁଛି।”
ସେ କହିଛନ୍ତି,“ଏଡ୍ସ ଆକ୍ରାନ୍ତଙ୍କ ପ୍ରତି ଲୋକଙ୍କ ବ୍ୟବହାରରେ ପରିବର୍ତ୍ତନ ହୋଇଛି। ହେଲେ ମାନସିକତାରେ ପରିବର୍ତ୍ତନ ହେଉନି। ସେମାନେ ଭାବୁଛନ୍ତି ଖରାପ ଲୋକଟା ତାଙ୍କ ସହିତ ମିଶିଲେ ମଣିଷ ଖରାପ ହୋଇଯିବ। ମୋର ମନେ ଅଛି ଥରେ ଟ୍ରେନ୍ର ଗୋଟିଏ ବଗିରେ ସର୍ଭେ ହୋଇଥିଲା। ଏଥିରେ ଜଣେ କିନ୍ନର, ଜଣେ ଅନ୍ଧ ଓ ଜଣେ ଏଡ୍ସ ଆକ୍ରାନ୍ତ ଟଙ୍କା ମାଗି ଥିଲେ। ସେମାନଙ୍କ ମଧ୍ୟରୁ କିନ୍ନର ୪୫୦ ଟଙ୍କା, ଅନ୍ଧ ୧୫୦ ଟଙ୍କା ଓ ଏଡ୍ସ ଆକ୍ରାନ୍ତ ମାତ୍ର ୭ଟଙ୍କା ପାଇଥିଲା। ଏଥିରୁ ଭାବନ୍ତୁ ଏଡ୍ସ ଆକ୍ରାନ୍ତଙ୍କ ପ୍ରତି ଲୋକଙ୍କ ମାନସିକତା କେମିତି ଅଛି?”