ବିଚିତ୍ର ନିଷ୍ପତ୍ତି: ପାଠପଢାରେ ଦୁର୍ବଳ ମଣିଶଙ୍କରକୁ ସ୍କୁଲ ନ ଆସିବାକୁ କହିଲେ ଶିକ୍ଷକ

ଟିଟିଲାଗଡ଼: ସମସ୍ତଙ୍କୁ ଶିକ୍ଷିତ କରିବାକୁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ପିଲାମାନଙ୍କୁ ବିଦ୍ୟାଳୟକୁ ଆଣିବାକୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି। ସାଇକେଲ, ପୋଷାକଠାରୁ ଆରମ୍ଭ କରି ବହି ଯୋଗାଇ ଦିଆଯାଉଛି। ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ପୁଣି ବିଦ୍ୟାଳୟକୁ ଫେରାଇ ଆଣିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମାତ୍ର ସଇଁତଳା ବ୍ଲକ ବୋର୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବାରଣ କରିବାରୁ ମଣିଶଙ୍କର ସାଗର ନାମକ ଜଣେ ଛାତ୍ର ପାଠପଢାରେ ଡୋରି ବନ୍ଧା ହୋଇଯାଇଛି। ତା’ […]

titilagard

Rakesh Mallick
  • Published: Thursday, 21 July 2016
  • , Updated: 22 July 2016, 07:10 AM IST

ଟିଟିଲାଗଡ଼: ସମସ୍ତଙ୍କୁ ଶିକ୍ଷିତ କରିବାକୁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ପିଲାମାନଙ୍କୁ ବିଦ୍ୟାଳୟକୁ ଆଣିବାକୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି। ସାଇକେଲ, ପୋଷାକଠାରୁ ଆରମ୍ଭ କରି ବହି ଯୋଗାଇ ଦିଆଯାଉଛି। ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ପୁଣି ବିଦ୍ୟାଳୟକୁ ଫେରାଇ ଆଣିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମାତ୍ର ସଇଁତଳା ବ୍ଲକ ବୋର୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବାରଣ କରିବାରୁ ମଣିଶଙ୍କର ସାଗର ନାମକ ଜଣେ ଛାତ୍ର ପାଠପଢାରେ ଡୋରି ବନ୍ଧା ହୋଇଯାଇଛି। ତା’ ବୟସର ଅନ୍ୟ ପିଲାମାନେ ସ୍କୁଲ ଯାଉଥିବା ବେଳେ ମଣିଶଙ୍କର ଏଣେ ତେଣେ ବୁଲି ଦିନ କାଟୁଛି। ପାଠରେ ଦୁର୍ବଳ ଥିବାରୁ ଶିକ୍ଷକ ଗାବ୍ରିଏଲ ନାଗ ତାକୁ ସ୍କୁଲ ଆସିବାକୁ ମନା କରିଥିବା ଅଭିଯୋଗ ହୋଇଛି।

ମଣିଶଙ୍କର ବୋର୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀର ଛାତ୍ର। ଅନ୍ୟ ପିଲାଙ୍କ ପରି ସେ ମଧ୍ୟ ନିୟମିତ ସ୍କୁଲକୁ ଯାଉଥିଲା। ହେଲେ ପାଠ ପଢାରେ ସାମାନ୍ୟ ଦୁର୍ବଳ ଥିଲା। ଏଥିପାଇଁ ଶିକ୍ଷକ ନାଗ ତାକୁ ସ୍କୁଲକୁ ଆସିବା ପାଇଁ ମନା କରିଥିଲେ। ଏମିତିକି ତାକୁ ମଧ୍ୟହ୍ନ ଭୋଜନ ମଧ୍ୟ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି।

ମଣିଶଙ୍କରର ବଡ଼ବାପା ଅନନ୍ତ ସାଗର କହିଛନ୍ତି, “ଶିକ୍ଷକ ତାକୁ ସ୍କୁଲରୁ ବିଦା କରି ଦେଲେ, କହିଲେ ତୁମ ପିଲା କିଛି ଜାଣିନାହିଁ। ତାକୁ ସ୍କୁଲ ପଠାଇବା ଦରକାର ନାହିଁ। ସ୍କୁଲ ଯାଉ ନ ଥିବାରୁ ଏଣେ ତେଣେ ବୁଲି ସମୟ କାଟୁଛି।”

ଦେବା ବନ୍ଦ ନାମକ ଜଣେ ଗ୍ରମବାସୀ କହିଛନ୍ତି, “ପିଲାକୁ ସ୍କୁଲରୁ ବାହାର କରିଦେଲେ। ଏ ସମ୍ପର୍କରେ ପଚାରିବାରୁ କହିଲେ, ଉପରୁ ନିର୍ଦ୍ଦେଶ ଆସିଛି ଏ ପିଲା କିଛି ପାଠ ଜାଣିନାହିଁ। ବସାଇ ଖାଇବାକୁ ଦେବା ଦରକାର ନାହିଁ।”

ଶିକ୍ଷକଙ୍କ କାମ ହେଲା ପିଲାଙ୍କୁ ପାଠ ପଢାଇବା। ଦୁର୍ବଳ ପିଲାଙ୍କୁ ପାଠ ଠିକ୍‌ରେ ବୁଝାଇବାକୁ ଶିକ୍ଷକ ଯତ୍ନବାନ ହେବା ଦରକାର। ମାତ୍ର ବୋର୍ଡା ବିଦ୍ୟାଳୟରେ ସବୁ ଓଲଟା। ଶିକ୍ଷକଙ୍କ ଏଭଳି କାମକୁ ସ୍ଥାନୀୟ ବାସିନ୍ଦା ନାପସନ୍ଦ କରିବା ସହ ଗୋଟେ ପିଲାକୁ ଏପରି ସ୍କୁଲ୍‌ରୁ ବିଦା କରି ଦେବା ଘଟଣାକୁ ବିରୋଧ କରିଛନ୍ତି। ପିଲାମାନେ ଯଦି କିଛି ଜାଣିନାହାନ୍ତି ତେବେ ସ୍କୁଲରେ ରହି ଶିକ୍ଷକ କ’ଣ କରୁଛନ୍ତି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।

ଏପରି ଅଭିଯୋଗକୁ ଶିକ୍ଷକ ଗାବ୍ରିଏଲ୍‌ ନାଗ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ମୁଁ ତାକୁ ଡାକି ବସାଇଲି। ‘ଅ’ ପାଖରୁ ‘କ୍ଷ’ ପର୍ଯ୍ୟନ୍ତ ଲେଖି ଦେଇ ତାକୁ ଲେଖିବାକୁ କହିଲି, ସେ ଲୁଚି ପଳାଇଛି। ମୁଁ ତାକୁ ସ୍କୁଲ ଆସିବାକୁ ମନା କରିନାହିଁ।”

ସେ କହିଛନ୍ତି, “ତାକୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି। ଅଣ୍ଡା ମଧ୍ୟ ପ୍ରଦାନ କରାଯାଉଛି। ତେବେ ସେ କାହିଁକି ସ୍କୁଲକୁ ପଢିବାକୁ ଆସୁନାହିଁ ସେ ବିଷୟରେ ମୁଁ କିଛି କହିପାରିବି ନାହିଁ।”

ଏ ସମ୍ପର୍କରେ ସଇଁତଳା ବ୍ଲକ ଶିକ୍ଷା ଅଧିକାରୀ ଫ୍ଲୋରା ଗୁରିଆଙ୍କୁ ପଚରାଯିବାରେ ସେ କହିଛନ୍ତି, “ଏହା ନିଶ୍ଚିତ ଭାବେ ଭୁଲ। ଆମେ ସେଠାକୁ ଯାଇ ପିଲାକୁ, ତା’ ଅଭିଭାବକଙ୍କୁ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ ଡାକି ଆଲୋଚନା କରିବୁ। ପିଲା କେମିତି ପୁଣି ସ୍କୁଲକୁ ଆସିବ ସେ ବ୍ୟବସ୍ଥା କରିବୁ। ଘଟଣାର ତଦନ୍ତ କରାଯିବା ପରେ ଯାହା କିଛି ପଦକ୍ଷେପ ନିଆଯିବ।”

Related story