ବିଜୁଙ୍କ ପରେ ବିଜୁ ଲିଗାସି

ଦେବେନ୍ଦ୍ର ପୃଷ୍ଟି କାହା ପାଇଁ ସେ ଥିଲେ ଝଡ଼ର ଇଗଲ। କାହା ପାଇଁ ଥିଲେ ପୁଣି ଧରଣୀର କୃଷ୍ଣସାର। କିଏ ତାଙ୍କୁ କହୁଥିଲା କଳିଙ୍ଗ ସମ୍ରାଟ। କିଏ ପୁଣି କହୁଥିଲା କ୍ଷୁଧିତ ଖାରବେଳ। ଅନେକଙ୍କ ପାଇଁ ସେ ଥିଲେ ସ୍ୱପ୍ନର ସୌଦାଗର, ସ୍ୱାଭିମାନର ସଂଗ୍ରାମୀ। ପୁଣି କିଛି ଲୋକଙ୍କ ପାଇଁ ସେ ଥିଲେ ମେଗାଲୋମାନିଆକ୍‌, ମେଫିଷ୍ଟୋଫେଲିସ୍‌। ସେ ହେଉଛନ୍ତି ବିଜୟାନନ୍ଦ ପଟ୍ଟନାୟକ, ସଂକ୍ଷେପରେ ବିଜୁ ପଟ୍ଟନାୟକ, ଲୋକମୁଖରେ ବିଜୁବାବୁ। ଆଡ୍‌ଭେଞ୍ଚର ସ୍ପୋର୍ଟସ, ସାଇକ୍ଲିଂ, ପୋଲ୍‌ ଭଲ୍‌ଟ, ପାଇଲଟିଂ, […]

Biju Patnik

Debendra Prusty
  • Published: Saturday, 17 April 2021
  • , Updated: 17 April 2021, 06:33 PM IST

ଦେବେନ୍ଦ୍ର ପୃଷ୍ଟି

କାହା ପାଇଁ ସେ ଥିଲେ ଝଡ଼ର ଇଗଲ। କାହା ପାଇଁ ଥିଲେ ପୁଣି ଧରଣୀର କୃଷ୍ଣସାର। କିଏ ତାଙ୍କୁ କହୁଥିଲା କଳିଙ୍ଗ ସମ୍ରାଟ। କିଏ ପୁଣି କହୁଥିଲା କ୍ଷୁଧିତ ଖାରବେଳ। ଅନେକଙ୍କ ପାଇଁ ସେ ଥିଲେ ସ୍ୱପ୍ନର ସୌଦାଗର, ସ୍ୱାଭିମାନର ସଂଗ୍ରାମୀ। ପୁଣି କିଛି ଲୋକଙ୍କ ପାଇଁ ସେ ଥିଲେ ମେଗାଲୋମାନିଆକ୍‌, ମେଫିଷ୍ଟୋଫେଲିସ୍‌।

ସେ ହେଉଛନ୍ତି ବିଜୟାନନ୍ଦ ପଟ୍ଟନାୟକ, ସଂକ୍ଷେପରେ ବିଜୁ ପଟ୍ଟନାୟକ, ଲୋକମୁଖରେ ବିଜୁବାବୁ। ଆଡ୍‌ଭେଞ୍ଚର ସ୍ପୋର୍ଟସ, ସାଇକ୍ଲିଂ, ପୋଲ୍‌ ଭଲ୍‌ଟ, ପାଇଲଟିଂ, ଏଣ୍ଟ୍ରପ୍ରେନ୍ୟୁରଶିପ୍‌, ଟ୍ରେଡିଂ, ବିଜ୍‌ନେସ୍‌, ପଲିଟିକ୍ସ- କେଉଁଥିରେ କମ୍‌ ଥିଲେ ସେ! ସ୍ୱାଧୀନୋତ୍ତର ଓଡ଼ିଶାର ସେ ଥିଲେ ସର୍ବାଧିକ ଲୋକପ୍ରିୟ ନେତା, ତଥାପି ନିର୍ବାଚନ ରାଜନୀତିରେ ସର୍ବାଧିକ ବିଫଳ। ସେ ଯେମିତି ଡେଙ୍ଗା, ସେମିତି ଚଉଡ଼ା ଥିଲା ତାଙ୍କ ଛାତି। ଆଜିକୁ ୨୪ ବର୍ଷ ତଳେ ଆଜିର ଦିନରେ ଏକରକମ ଅଭିମାନରେ ବୋଧହୁଏ ଓଡ଼ିଶାବାସୀଙ୍କୁ ସବୁଦିନ ପାଇଁ ଛାଡ଼ି ଚାଲି ଯାଇଥିଲେ ସେ। ଆଉ ତାଙ୍କ ସହିତ ହଜି ଯାଇଥିଲା ତାଙ୍କର ଲିଗାସି- ଓଡ଼ିଶାକୁ ସ୍ୱାଭିମାନୀ ଓ ସମୃଦ୍ଧ କରିବାର ଆମରଣ ପଣ ଓ ରଣ।

୧୯୧୬ ମାର୍ଚ୍ଚ ୫ ତାରିଖରେ ଜନ୍ମଲାଭ କରିଥିବା ଏଇ ବିରଳ ବୀର ପୁରୁଷଙ୍କର ଜୀବନବ୍ୟାପୀ ସାଧନା ଥିଲା ପ୍ରାଚୀନ କଳିଙ୍ଗର ପୁନରୁତ୍‌ଥାନ- କଳିଙ୍ଗର ସାହସ, ସଂଗ୍ରାମ ଓ ସମୃଦ୍ଧିର ପ୍ରତ୍ୟାବର୍ତ୍ତନ ଓ ପୁନଃସଂସ୍ଥାପନ। ସେଥିପାଇଁ ସେ ଜପ କରୁଥିଲେ ‘କଳିଙ୍ଗା ସାହସିକା’ର ମନ୍ତ୍ର। ସ୍ୱାଧୀନତାର ଆଦ୍ୟ କାଳରେ ସେ ପ୍ରତିଷ୍ଠା କରିଥିବା ଅଧିକାଂଶ ଶିଳ୍ପ ଓ ଉଦ୍ୟୋଗର ନାମ ଦେଇଥିଲେ କଳିଙ୍ଗ- କଳିଙ୍ଗ ଫ୍ଲାଇଂ କ୍ଲବ୍‌, କଳିଙ୍ଗ ଏୟାରଲାଇନ୍ସ, କଳିଙ୍ଗ ଟ୍ୟୁବ୍‌, କଳିଙ୍ଗ ଆଇରନ୍‌ ୱାର୍କ୍ସ, କଳିଙ୍ଗ ରେଫ୍ରିଜେରେସନ୍‌। ବିଶ୍ୱ ସ୍ତରରେ କଳିଙ୍ଗର ପରିଚିତି ପାଇଁ ସେ ପ୍ରତିଷ୍ଠା କରିଥିଲେ କଳିଙ୍ଗ ଫାଉଣ୍ଡେସନ୍‌ ଓ ଏହାରି ଆନୁକୂଲ୍ୟରେ ପ୍ରଚଳିତ ଅଛି କଳିଙ୍ଗ ପୁରସ୍କାର। ଓଡ଼ିଶାର ହସ୍ତତନ୍ତ ଓ ବୟନ କୌଶଳକୁ ଆଗକୁ ବଢ଼େଇବାକୁ ସେ ପ୍ରତିଷ୍ଠା କରିଥିଲେ ଓଡ଼ିଶା ଟେକ୍ସଟାଇଲ୍ ମିଲ୍‌। ଏକଦା ଭାରତର ନାମକରା ୧୬ ଶିଳ୍ପପତିଙ୍କ ମଧ୍ୟରେ ଗଣାଯାଉଥିବା ବିଜୁବାବୁ କିନ୍ତୁ ଲୋକଙ୍କ ହୃଦୟରେ ଛୋଟ ଗୋଟେ ଜାଗା ପାଇଁ ନିଜର ଶିଳ୍ପ ଓ ବ୍ୟବସାୟର ସାମ୍ରାଜ୍ୟକୁ ତୁଚ୍ଛ କରିଦେଇଥିଲେ। ରାଜନୀତିର ଅଙ୍କାବଙ୍କା ରାସ୍ତାରେ ବାରମ୍ବାର ଉଠିପଡ଼ି ପୁଣି ଦୌଡ଼ ଲଗାଇ ସେ ଯେଉଁ ମାରାଥନ୍‌ ରେସ୍‌ ଶେଷ କରିଥିଲେ ତାହା ଥିଲା ଆଧୁନିକ ଓଡ଼ିଶା ଇତିହାସର ଅର୍ଦ୍ଧଶତାବ୍ଦୀର କାହାଣୀ।

ପ୍ରଥମେ ସେ ଥିଲେ ଆଡ୍‌ଭେଞ୍ଚର ସ୍ପୋର୍ଟସମ୍ୟାନ। ସେଇ ଉତ୍ସାହ ନେଇ ସେ ସାଇକେଲ୍‌ ଚଳାଇ ଯାଇଥିଲେ ପେଶ୍‌ୱାର। ପରେ ଉଡ଼ିଲେ ଆକାଶରେ। ହୋଇଥିଲେ ଦୁର୍ଦ୍ଧଷ ପାଇଲଟ୍‌। ବ୍ରିଟିଶ ସରକାର ସମୟରେ ପାଇଲଟିଂ କରୁକରୁ ସେ ହୋଇଥିଲେ ସ୍ୱାଧୀନତା ସଂଗ୍ରାମର ସବୁଠୁ ବଡ଼ ଗୁପ୍ତଚର। ସେ ସମୟର ବହୁ ବଡ଼ବଡ଼ ନେତା ଓ ନେତ୍ରୀଙ୍କ ଗୁପ୍ତ ବାର୍ତ୍ତା ସରବରାହ କରି ଦେଶପ୍ରେମର ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ। ଏମିତିକି ଚାକିରି ଓ ଜୀବନ, ଦୁଇଟା ଯାକ ଯିବାର ଆଶଙ୍କା ଥିଲେ ବି ସେ ଏକଦା ଜୟପ୍ରକାଶ ନାରାୟଣ ଓ ଅରୁଣା ଆସଫ୍‌ ଅଲୀଙ୍କ ଭଳି ତୁଙ୍ଗ ସ୍ୱାଧୀନତା ସଂଗ୍ରାମୀଙ୍କୁ ବିମାନର କକ୍‌ପିଟ୍‌ରେ ବସେଇ ଗନ୍ତବ୍ୟ ସ୍ଥଳକୁ ନେଇଯାଇଥିଲେ ବୋଲି ପ୍ରବାଦ ଅଛି। ବ୍ରିଟିଶ ସରକାରଙ୍କ ବିରୋଧରେ ବିଦ୍ରୋହୀଙ୍କୁ ସହାୟତା କରୁଥିବା ଅଭିଯୋଗରେ ତାଙ୍କର ଚାକିରି ଯାଇଛି, ଜେଲ୍‌ଦଣ୍ଡ ଭୋଗିଛନ୍ତି।

ସ୍ୱାଧୀନତା ପରେ ସେ ଆରମ୍ଭ କରିଛନ୍ତି ଶିଳ୍ପ ଓ ବ୍ୟବସାୟ ସାମ୍ରାଜ୍ୟ। ଓଡ଼ିଶାର ‘ପ୍ରାଚୁର୍ଯ୍ୟ ଭିତରେ ଦାରିଦ୍ର୍ୟ’ର ବ୍ୟାଧି ତାଙ୍କୁ ବ୍ୟଥିତ କରିଛି। ଏହାର ଅମାପ ପ୍ରାକୃତିକ ସଂପଦକୁ ବ୍ୟବହାର କରି ଓଡ଼ିଶାକୁ ଭାରତବର୍ଷର ସମୃଦ୍ଧିର ଶିଖରରେ ପହଞ୍ଚାଇବାକୁ ସେ ପଣ କରିଛନ୍ତି। କିନ୍ତୁ ସ୍ୱାଧୀନତା ପରବର୍ତ୍ତୀ ଭାରତ ଓ ଓଡ଼ିଶା ଗଠନ ପାଇଁ ସେ ଶିଳ୍ପ ଓ ବ୍ୟବସାୟର ବିଳାସପୂର୍ଣ୍ଣ ଜୀବନ ଛାଡ଼ି ପୂର୍ଣ୍ଣକାଳୀନ ରାଜନୀତିକୁ ପାଥେୟ କରିଛନ୍ତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ଓ ତତ୍କାଳୀନ ଓଡ଼ିଶାର ତୁଙ୍ଗ ରାଜନେତା ଡକ୍ଟର ହରେକୃଷ୍ଣ ମହତାବଙ୍କ ସହଯୋଗ ଓ ସମର୍ଥନରେ ସେ ରାଜନୀତିର ପାହାଚ ଚଢ଼ିଛନ୍ତି। ପ୍ରଦେଶ କଂଗ୍ରେସର ନେତୃତ୍ୱ ନେଇ କଂଗ୍ରେସକୁ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ କରାଇଛନ୍ତି ଓ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମାତ୍ର, ଜାତୀୟ ସ୍ତରରେ କଂଗ୍ରେସ ସଂଗଠନ ସଜାଡ଼ିବାକୁ କାମରାଜ ପ୍ଲାନ୍‌ ଅନୁସାରେ ସେ ହିଁ ଆଗ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଛନ୍ତି।

ପଣ୍ଡିତ ନେହରୁଙ୍କ ପରେ ପରିସ୍ଥିତି ବଦଳି ଯାଇଛି। ଇନ୍ଦିରା ଗାନ୍ଧୀ ଦଳର ନେତୃତ୍ୱ ନେବା ପରେ ଜାତୀୟ ରାଜନୀତିରେ ତାଙ୍କର ଗୁରୁତ୍ୱ କମିଯାଇଛି। ସେ ହୋଇଛନ୍ତି ବିଦ୍ରୋହୀ, କଂଗ୍ରେସ ଛାଡ଼ି ଓଡ଼ିଶାର ସ୍ୱାଭିମାନ ଓ ସମୃଦ୍ଧି ପାଇଁ ଦୀର୍ଘ ସଂଗ୍ରାମ ଚଳେଇବାକୁ ଗଠନ କରିଛନ୍ତି ଓଡ଼ିଶାର ଆଞ୍ଚଳିକ ଦଳ ଉତ୍କଳ କଂଗ୍ରେସ। ପ୍ରଥମ ନିର୍ବାଚନରେ ଉତ୍କଳ କଂଗ୍ରେସ ୩୨ ବିଧାନସଭା ଆସନ ଜିତିବା ସହିତ ବିଶ୍ୱାନାଥ ଦାସଙ୍କ ସରକାରରେ ଅଂଶୀଦାର ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଜାତୀୟ ରାଜନୀତିକ ଘଟଣା ପ୍ରବାହରେ ଉତ୍କଳ କଂଗ୍ରେସ ପାର୍ଟି ଜନତା ପରିବାରରେ ସାମିଲ ହୋଇଛି ଓ କଂଗ୍ରେସର ବିକଳ୍ପ ଭାବେ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ କରିଛି। ଜନତା ପାର୍ଟି ବିଭାଜନ ପରେ ମଧ୍ୟ ଭାଙ୍ଗି ପଡ଼ିନଥିଲେ ଅଦମ୍ୟ ଉତ୍ସାହ ଓ ଉଦ୍ୟମର ବହ୍ନିମାନ୍‌ ବ୍ୟକ୍ତିତ୍ୱ ବିଜୁ। ପୁଣି ଥରେ ଜାତୀୟ ସ୍ତରରେ ଜନତା ପରିବାରକୁ ଏକାଠି କରିବାରେ ମୁଖ୍ୟ ଭୂମିକା ନିର୍ବାହ କରି କେନ୍ଦ୍ରରେ ପୁଣି ଏକ ବିକଳ୍ପ ପ୍ରତିଷ୍ଠା କରିଥିଲେ ସେ। କଂଗ୍ରେସକୁ ହଟେଇ ବାମପନ୍ଥୀ ଓ ଦକ୍ଷିଣପନ୍ଥୀଙ୍କ ସହାୟତାରେ ବିଶ୍ୱନାଥ ପ୍ରତାପ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରାଇବାରେ ସଫଳ ହେବା ସହିତ ଦ୍ୱିତୀୟ ବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ ବିଜୁ।

୧୯୬୦ ଦଶକରେ ଆଫ୍‌ଟର ନେହରୁ ହୁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କେତେକ ରାଜନୀତିକ ବିଶେଷଜ୍ଞ ବିଜୁବାବୁଙ୍କ ନାମ ନେଉଥିଲେ କିନ୍ତୁ କଂଗ୍ରେସର କେତେକ କୁଚକ୍ରୀ ନେତା ତାହା କରାଇ ଦେଇନଥିଲେ। ୧୯୯୦ ଦଶକରେ ସେ ଚାହିଁଥିଲେ ଜନତା ଦଳର ତୁଙ୍ଗ ନେତାମାନଙ୍କ ସମ୍ମାନ ଓ ଭଲ ପାଇବାକୁ ଆଧାର କରି ନିଜେ ପ୍ରଧାନମନ୍ତ୍ରୀ ବା ଜାତୀୟ ରାଜନୀତିର ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀ ଲାଭ କରିପାରିଥାନ୍ତେ। ମାତ୍ର ଓଡ଼ିଶା ପ୍ରତି ତାଙ୍କର ରହିଥିବା ଭଲ ପାଇବା ଓ ଓଡ଼ିଶାକୁ ଭାରତବର୍ଷର ଏକ ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ି ତୋଳିବାର ସଂକଳ୍ପ ଯୋଗୁଁ ସେ ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ନିଶା ନିବାରଣ, ମହିଳା ସଶକ୍ତିକରଣ, ଶ୍ରମିକ ଓ କୃଷକଙ୍କର ରୋଜଗାର ବୃଦ୍ଧି ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି, ତୃଣମୂଳ ସ୍ତରୀୟ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ଓ ଦୃଢ଼ୀକରଣ ବା ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରୟୋଗ, ଦୁର୍ନୀତି ନିବାରଣ ଆଦି ଅନେକ କ୍ଷେତ୍ରରେ ସେ ବୈପ୍ଳବିକ ପଦକ୍ଷେପ ଗ୍ରହଣ କରିଥିଲେ। ମାତ୍ର, ୧୯୯୫ ବିଧାନସଭା ନିର୍ବାଚନରେ ତାଙ୍କ ସରକାର ପରାସ୍ତ ହେବା ପରେ ସେ ବିରୋଧୀ ଦଳ ନେତା ପଦତ୍ୟାଗ କରି କେବଳ ସାଂସଦ ଭାବେ କାର୍ଯ୍ୟ କରିଥିଲେ ଓ ଏହି ସମୟରେ ଥରେ ଭୁବନେଶ୍ୱରରୁ ଦିଲ୍ଲୀ ଯିବା ପରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଡାକ୍ତରମାନଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ସେ ଆଉ ସୁସ୍ଥ ହୋଇନଥିଲେ, ୧୯୯୭ ଏପ୍ରିଲ ୧୭ ତାରିଖରେ ତାଙ୍କର ଦେହାନ୍ତ ହୋଇଯାଇଥିଲା।

୧୯୯୭ ଏପ୍ରିଲ ୧୮ ତାରିଖ ଦିନ ଭୁବନେଶ୍ୱରରୁ ପୁରୀ ସ୍ୱର୍ଗଦ୍ୱାର ଯାଏଁ ତାଙ୍କର ଅନ୍ତିମ ଯାତ୍ରାରେ ଯେଉଁମାନେ ସାମିଲ ଥିଲେ, ଯେଉଁମାନେ ଏହାକୁ ଓଡ଼ିଶା ଟେଲିଭିଜନ ବା ଓଟିଭିର ସିଧାସଳଖ ପ୍ରସାରଣରେ ଦେଖିଥିଲେ ସେମାନେ ବୁଝିପାରିଥିବେ ଜୀବନକାଳ ଭିତରେ ବିଜୁବାବୁଙ୍କୁ ଅନେକ ଧୋକ୍କା ଦେଇଥିବା ଓଡ଼ିଆ ଜାତି ତାଙ୍କୁ କେତେ ଭଲ ପାଉଥିଲା- ଭୁବନେଶ୍ୱରରୁ ପୁରୀ ଯାଏଁ ଲମ୍ବିଥିଲା ସେହି ଜନସ୍ରୋତ, ପଶ୍ଚାତାପର ଅଶ୍ରୁ ଗଡ଼ାଉଥିଲା ଏଜାତି।

କିନ୍ତୁ, ସେଇଠି ଶେଷ ହୋଇଯାଇଥିଲା ସେହି ମହାପୁରୁଷଙ୍କର ମହାଯାତ୍ରା। ତାଙ୍କ ପରେ ତାଙ୍କ ଲିଗାସି ଆଉ ଆଗକୁ ବଢ଼ିନାହିଁ, ଓଡ଼ିଶାର ସ୍ୱାଭିମାନ ଓ ସମୃଦ୍ଧିର ସ୍ୱପ୍ନ ଅଧୁରା ରହିଯାଇଛି, ସମଦୂରତାରେ ଝୁଲି ରହିଛି ସଂଗ୍ରାମ ଓ ସଂକଳ୍ପର ଶକ୍ତି। ବିଜୁବାବୁଙ୍କ ଡାକରା ଥିଲା ଓଡ଼ିଶା ଓ ଓଡ଼ିଆଙ୍କ ସମୃଦ୍ଧି, ଏବେ ଓଡ଼ିଶାର ପିଠି ଉପରେ ବହୁ ବହିରାଗତ ଶିଳ୍ପ ଓ ଉଦ୍ୟୋଗର ସମ୍ଭାର। ଓଡ଼ିଶାର ଲକ୍ଷଲକ୍ଷ କୋଟି ଟଙ୍କାର ଖଣିଜ ଭଣ୍ଡାର, ଅମୂଲ୍ୟ ଜଙ୍ଗଲ ସଂପଦ, ବିସ୍ତୀର୍ଣ୍ଣ ସମୁଦ୍ର ତଟ- ସବୁ ଏବେ ଓଡ଼ିଆ ଜାତି ପରିବର୍ତ୍ତେ ଓଡ଼ିଶା ବାହାର ଲୋକଙ୍କ ସେବା ଓ ସମୃଦ୍ଧିରେ ବ୍ୟୟ ହେଉଛି। ଆଜି ବି ଓଡ଼ିଶାର ୪.୫ କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ୩.୫ କୋଟି ଟଙ୍କିକିଆ ଚାଉଳର ହିତାଧିକାରୀ, ଆଜି ବି ଓଡ଼ିଶାର ପ୍ରାୟ ୧୫ ଲକ୍ଷ ଲୋକ ବାହାର ରାଜ୍ୟରେ ଦାଦନ ଶ୍ରମିକ, ପ୍ରାୟ ୨୮ ପ୍ରତିଶତ ଓଡ଼ିଆ ନିରକ୍ଷର- ଓଡ଼ିଶାର ସାମୂହିକ ଦାରିଦ୍ର୍ୟ, ବ୍ୟାଧି, ନିରକ୍ଷରତା ଆଜି ବି ସ୍ପଷ୍ଟ ପରିଦୃଷ୍ଟ। ଆଜି ବି ବନ୍ୟା, ବାତ୍ୟା ଓ ମରୁଡ଼ି ଓଡ଼ିଆଙ୍କ ଦୁର୍ଭାଗ୍ୟ ଓ ଦୁର୍ଦ୍ଦଶା ହୋଇ ରହିଛି।

ତେବେ ବିଜୁବାବୁଙ୍କ ରାଜନୀତିକ ଲିଗାସି ନିଶ୍ଚୟ ବଂଚି ରହିଛି ଓ ଶକ୍ତିଶାଳୀ ହୋଇଛି। ତାଙ୍କ ଅବର୍ତ୍ତମାନରେ ତାଙ୍କ ପୁତ୍ର ନବୀନ ପଟ୍ଟନାୟକ କ୍ରମାଗତ ୫ ବିଧାନସଭା ନିର୍ବାଚନ ଓ ୬ ଲୋକସଭା ନିର୍ବାଚନରେ ନିଜ ଦଳକୁ ବିଜୟୀ କରାଇଛନ୍ତି। ଏକାଦିକ୍ରମେ ୨୧ ବର୍ଷ କାଳ ମୁଖ୍ୟମନ୍ତ୍ରୀ ପଦରେ ଅବ୍ୟାହତ ରହି ସେ ରେକର୍ଡ଼ କରିଛନ୍ତି। ବିଜୁବାବୁଙ୍କର ଅନେକ ପ୍ରତିଦ୍ୱନ୍ଦ୍ୱୀଙ୍କର ଦାୟାଦ ପର୍ଯ୍ୟାୟକ୍ରମେ ନବୀନବାବୁଙ୍କ ଆନୁଗତ୍ୟ ସ୍ୱୀକାର କରି ତାଙ୍କ ନେତୃତ୍ୱକୁ ସଶକ୍ତ କରିଛନ୍ତି। ତେବେ ବିଜୁବାବୁଙ୍କର ଅନେକ ସହଯୋଗୀ ଓ ସହକର୍ମୀ ଏବେ ନବୀନଙ୍କ ଦଳରେ ଏକପ୍ରକାରେ ଅଲୋଡ଼ା ଓ ଅପାଙ୍‌କ୍ତେୟ ହୋଇଯାଇଛନ୍ତି।

୧୯୯୭ ଏପ୍ରିଲ ୧୮ ତାରିଖରେ ବିଜୁବାବୁଙ୍କ ଅନ୍ତିମ ଯାତ୍ରାର ସିଧା ପ୍ରସାରଣ କରିଥିଲା ଓଟିଭି। ଏହା ଥିଲା ଓଟିଭିର ପ୍ରଥମ ସିଧା ପ୍ରସାରଣ। ଆଜି ତାଙ୍କର ପୂଣ୍ୟତିଥିରେ ଓଡ଼ିଶା ଟେଲିଭିଜନ ପରିବାର ଜଣାଉଛି ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ- ପୂଣ୍ୟାତ୍ମା ପ୍ରଣାମ।

ମୋ-୯୪୩୭୦୩୬୨୭୬

Related story