Advertisment

ରାଷ୍ଟ୍ରପତିଙ୍କ ଅଞ୍ଚଳରେ ଡାକ୍ତର ଅଭାବ; ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ରୋଗୀ ହନ୍ତସନ୍ତ

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମିତ ସ୍ଥାନ ରାଇରଙ୍ଗପୁର ଅଞ୍ଚଳରେ ଡାକ୍ତର ଅଭାବ। ଅଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ରାଉରଙ୍ଗପୁର ଅଞ୍ଚଳରେ ରୋଗୀ ହେଉଛନ୍ତି ହିନସ୍ତା। ଡାକ୍ତରୀ ସେବା ନ ପାଇ ଲୋକେ ବାଧ୍ୟ ହୋଇ ଅନଭିଜ୍ଞ କ୍ୱାକଙ୍କ ପାଖରେ ଚିକିତ୍ସା ହେଉଛନ୍ତି। ଫଳରେ କାହାର ଅକାଳରେ ଜୀବନ ଯାଉଛି ତ, କିଏ ରୋଗ ଯନ୍ତ୍ରଣାରେ ଶଯ୍ୟା କାମୁଡ଼ି ପଡ଼ିଛନ୍ତି। ଅନ୍ୟ ଡାକ୍ତରଖାନା କଥା ଛାଡ଼ନ୍ତୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମୋଟ ୩୭ ଡାକ୍ତର […]

ଅଦ୍ୟତନ ହୋଇଛି
ରାଷ୍ଟ୍ରପତିଙ୍କ ଅଞ୍ଚଳରେ ଡାକ୍ତର ଅଭାବ; ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ରୋଗୀ ହନ୍ତସନ୍ତ

hospital

Advertisment

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମିତ ସ୍ଥାନ ରାଇରଙ୍ଗପୁର ଅଞ୍ଚଳରେ ଡାକ୍ତର ଅଭାବ। ଅଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ରାଉରଙ୍ଗପୁର ଅଞ୍ଚଳରେ ରୋଗୀ ହେଉଛନ୍ତି ହିନସ୍ତା। ଡାକ୍ତରୀ ସେବା ନ ପାଇ ଲୋକେ ବାଧ୍ୟ ହୋଇ ଅନଭିଜ୍ଞ କ୍ୱାକଙ୍କ ପାଖରେ ଚିକିତ୍ସା ହେଉଛନ୍ତି। ଫଳରେ କାହାର ଅକାଳରେ ଜୀବନ ଯାଉଛି ତ, କିଏ ରୋଗ ଯନ୍ତ୍ରଣାରେ ଶଯ୍ୟା କାମୁଡ଼ି ପଡ଼ିଛନ୍ତି। ଅନ୍ୟ ଡାକ୍ତରଖାନା କଥା ଛାଡ଼ନ୍ତୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମୋଟ ୩୭ ଡାକ୍ତର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ଏଠାରେ ମାତ୍ର ୮ ଜଣ ଡାକ୍ତର ରହିଛନ୍ତି। ଅନ୍ୟପଟେ ସୂଚନା ମିଳିଛି ୮ ଡାକ୍ତରଙ୍କ ମଧ୍ୟରୁ ୩ ଜଣଙ୍କୁ ଅନ୍ୟତ୍ର ବଦଳି ନିର୍ଦ୍ଦେଶ ଜାରି ହୋଇଛି। ଡାକ୍ତର ନ ଥିବାରୁ ଡାକ୍ତରଖାନାର ଅଧିକାଂଶ ବିଭାଗ ବନ୍ଦ ହୋଇଯାଇଛି। ତେଣୁ ଏଠାରେ ସ୍ୱାସ୍ଥ୍ୟସେବା ଏକ ପ୍ରକାର ଠପ୍ ହୋଇଯିବାକୁ ବସିଛି। ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାରୁ ଏଠାରୁ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀ ନାହିଁ ନ ଥିବା ହିନସ୍ତା ହେଉଛନ୍ତି।

Advertisment

ଏହି ଡାକ୍ତରଖାନା ଉପରେ  ୭ ଗୋଟି ବ୍ଲକ ବିଜାତଳା, ଜାମଦା, ବହଲଦା, ବିଶୋଇ, ସୀମାନ୍ତ ତିରିଂ ଓ କୁସୁମୀ ଅଂଚଳବାସୀଙ୍କ ସମେତ ରାଇରଙ୍ଗପୁର ପୌର ପରିଷଦ ଅଞ୍ଚଳର ଲକ୍ଷାଧିକ ଲୋକେ ନିର୍ଭର କରନ୍ତି। ଏହାଛଡ଼ା ପଡୋଶୀ ଝାରଖଣ୍ଡ ଅଞ୍ଚଳର ଲୋକମାନେ ମଧ୍ୟ ଏଠାକୁ ଚିକିତ୍ସା ପାଇଁ ଆସନ୍ତି। ପ୍ରତ୍ୟେକ ଦିନ ଏଠାକୁ ୮ଶହରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି।

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏନେସ୍ଥେସିଆ, ସର୍ଜରି ଓ ପେଡ଼ିଆଟ୍ରିକ ଡାକ୍ତର ନାହାନ୍ତି। ଫଳରେ ଗୁରୁତର ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ମିଳିପାରୁନି। ଫଳରେ ସେମାନେ ବାଧ୍ୟ ହୋଇ ବାରିପଦା କିମ୍ବା ପଡୋଶୀ ରାଜ୍ୟକୁ ଚିକିତ୍ସା ପାଇଁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି।

Advertisment

ସେପଟେ ଡାକ୍ତରଖାନାରେ ଡାକ୍ତର ନ ଥିବାରୁ ଏହି ସୁଯୋଗର ଫାଇଦା ଉଠାଇବାକୁ କ୍ୱାକମାନେ ରାଇରଙ୍ଗପୁରର ବିଭିନ୍ନ ଗାଁ ଗୁଡିକରେ କ୍ଲିନିକ ଖୋଲି ବସିଛନ୍ତି। ବିନା ଡାକ୍ତରୀ ପରାମର୍ଶରେ ରୋଗୀଙ୍କୁ ଔଷଧ ଦେଇ ଚାଲିଛନ୍ତି। ନିଜେ ଡାକ୍ତର ହୋଇ ରୋଗୀଙ୍କ ଘରକୁ ଘର ଯାଇ ଚିକିତ୍ସା ମଧ୍ୟ କରୁଛନ୍ତି। ଫଳତଃ ହନ୍ତସନ୍ତ ହେଉଛନ୍ତି ଗରିବ ରୋଗୀମାନେ। କାରଣ ନା ସେମାନଙ୍କ ରୋଗ ସଠିକ୍ ଭାବେ ଚିହ୍ନଟ ହୋଇପାରୁଛି, ନା ସେମାନଙ୍କୁ ମାଗଣା ଔଷଧ ମିଳିପାରୁଛି। ଅଯଥା ଶୋଷଣର ଶିକାର ହେଉଛନ୍ତି ଗରିବ ରୋଗୀମାନେ।

ଉପଖଣ୍ଡ ଚିକିତ୍ସାଅଧିକାରୀ ପ୍ରମୋଦ କୁମାର ସାହୁ କହିଛନ୍ତି, ସମସ୍ୟା ସମ୍ପର୍କରେ ବାରିପଦା ସିଡିଏମଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନି। ଓଟଲା ଡାକ୍ତର ହଟାଇବା ନିମନ୍ତେ ବଦଳି ଆଦେଶ ଆସିଛି।

ଡାକ୍ତରଖାନାରେ ଆବଶ୍ୟକ ଚିକିତ୍ସା ମିଳୁ ନ ଥିବା ନେଇ ହଲଦା ଗାଁର ରୋଗୀ ସୋମନାଥ ମହାନ୍ତ, ରାଇହରି ଗାଁର ସନାତନ ମୁଣ୍ଡା,  ରାଇରଙ୍ଗପୁରର ପ୍ରହ୍ଲାଦ ପୁର୍ତ୍ତି ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ସରକାର ଏଠାରେ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ ଉପରେ ଦୃଷ୍ଟି ଦେଉନାହାନ୍ତି। ତେଣୁ ଗରିବ ଆଦିବାସୀ ଲୋକେ ହଇରାଣ ହେଉଛନ୍ତି। ତୁରନ୍ତ ଏଠାରେ କିପରି ଆବଶ୍ୟକ ଡାକ୍ତର ନିଯୁକ୍ତି ମିଳିବ ଓ ସବୁ ବିଭାଗରେ ରୋଗୀ ଚିକିତ୍ସା ମିଳିବ ତାହାର ବ୍ୟବସ୍ଥା କରନ୍ତୁ।

ଭକ୍ତମହୁଳପାଣି ଗାଁ ନିକଟରେ ମେଡିସିନ୍ ଦୋକାନ ଖୋଲି ରୋଗୀ ଚିକିତ୍ସା କରୁଥିବା କ୍ୱାକ୍ ଅଶ୍ୱିନୀ କୁମାର ମହାନ୍ତ କହିଛନ୍ତି, ୨୦୦୬ରୁ ସେ ରୋଗୀ ଦେଖି ମେଡିସିନ୍ ଦେଇ ଆସୁଛନ୍ତି। ସେଥିପାଇଁ ମେଡିସିନ୍‌ ଦୋକାନରେ ଅଧିକ ଔଷଧ ଗଚ୍ଛିତ ରଖିଛନ୍ତି।

ଲୋଟବାର ଗାଁ ନିକଟରେ ମେଡିସିନ୍ ଦୋକାନ କରିଥିବା କ୍ୱାକ୍ ଶାନ୍ତିଲତା ହେମ୍ୱ୍ରମ୍ କହିଛନ୍ତି, ପ୍ରାୟ ୪ ବର୍ଷ ହେବ ସେ ମେଡିସିନ୍ ଦୋକାନ ଖୋଲି ରୋଗୀଙ୍କୁ ଔଷଧ ଦେଉଛନ୍ତି। ତେବେ ବିଶେଷ ଭାବେ ଥଣ୍ଡା, କାସ, ବିପି ରୋଗ ନିମନ୍ତେ ଔଷଧ ଦିଅନ୍ତି। କେହି ଘରକୁ ଡାକିଲେ ମଧ୍ୟ ଯାଇ ଚିକିତ୍ସା କରିଥାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe