ବିଷମକଟକ ବ୍ଲକ୍‌ ଅଞ୍ଚଳରେ ମମତା ଯୋଜନା ବାଟବଣା, ପିଲା ଜନ୍ମ ପରେ ମିଳୁନି ଅର୍ଥ

ରାୟଗଡ଼ା: ପୁଷ୍ଟିକର ଖାଦ୍ୟ କିମ୍ୱା ଉପଯୁକ୍ତ ଚିକିତ୍ସା ଅଭାବରୁ ଆଉ କୌଣସି ମା’ ଓ ଶିଶୁଙ୍କ ମୃତ୍ୟୁ ହେବ ନାହିଁ। ଠିକ୍ ସମୟରେ ଗର୍ଭବତୀ ମହିଳାଙ୍କୁ ପୋଷକ ଯୁକ୍ତ ଖାଦ୍ୟ ଯୋଗାଇ ଦିଆଯିବ। ଜନ୍ମ ନେବା ପରେ ଶିଶୁର ସ୍ୱାସ୍ଥ୍ୟ ପାଇଁ ସମସ୍ତ ପ୍ରକାର ଆର୍ଥିକ ସହାୟତା କରାଯିବ। ଏମିତି ଏକ ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କରିଥିଲେ ମମତା ଯୋଜନା। ହେଲେ ଏହାର ସୁଫଳ ମାଆ ଓ ଶିଶୁଙ୍କ ପାଖରେ ଠିକ୍‌ରେ ପହଞ୍ଚୁ ନ […]

mamata-jojana

Rakesh Mallick
  • Published: Sunday, 14 February 2016
  • , Updated: 14 February 2016, 04:57 AM IST

ରାୟଗଡ଼ା: ପୁଷ୍ଟିକର ଖାଦ୍ୟ କିମ୍ୱା ଉପଯୁକ୍ତ ଚିକିତ୍ସା ଅଭାବରୁ ଆଉ କୌଣସି ମା’ ଓ ଶିଶୁଙ୍କ ମୃତ୍ୟୁ ହେବ ନାହିଁ। ଠିକ୍ ସମୟରେ ଗର୍ଭବତୀ ମହିଳାଙ୍କୁ ପୋଷକ ଯୁକ୍ତ ଖାଦ୍ୟ ଯୋଗାଇ ଦିଆଯିବ। ଜନ୍ମ ନେବା ପରେ ଶିଶୁର ସ୍ୱାସ୍ଥ୍ୟ ପାଇଁ ସମସ୍ତ ପ୍ରକାର ଆର୍ଥିକ ସହାୟତା କରାଯିବ। ଏମିତି ଏକ ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କରିଥିଲେ ମମତା ଯୋଜନା। ହେଲେ ଏହାର ସୁଫଳ ମାଆ ଓ ଶିଶୁଙ୍କ ପାଖରେ ଠିକ୍‌ରେ ପହଞ୍ଚୁ ନ ଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଏପରି ଏକ ଅଭିଯୋଗ ଆସିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍‌ ଅଞ୍ଚଳରେ। ପ୍ରଶାସନିକ ଅଧିକାରୀଙ୍କ ଅପାରଗତାରୁ ବ୍ଲକ ଅଞ୍ଚଳରେ ଏହି ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି।

ମମତା ଯୋଜନାରେ ଗର୍ଭଧାରଣ ପରେ ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବା ସହ ଜନ୍ମିତ ଶିଶୁର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିବା ପାଇଁ ହିତାଧିକାରୀମାନଙ୍କୁ ୪ଟି କିସ୍ତିରେ ୫ ହଜାର ଟଙ୍କା ସହାୟତା ମିଳିଥାଏ। ବିଷମକଟକ ବ୍ଳକ୍ ଅଞ୍ଚଳରେ ପିଲା ଜନ୍ମ ହେବାର ୨ ବର୍ଷ ବତିଯାଇଥିଲେ ମଧ୍ୟ ଏଠାରେ ବହୁ ହିତାଧିକାରୀ ଏହି ଟଙ୍କା ପାଇ ନ ଥିବା ଅଭିଯୋଗ ହୋଇଛି।

ମାଝିହଲମା ଗାଁର ମଣି ୱାର୍ଲିକାଙ୍କ ପତ୍ନୀ ବବିତା ୨ ବର୍ଷ ହେଲା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ହେଲେ ଏ ଯାଏଁ ମମତା ଯୋଜନାରେ ତାଙ୍କ ନାଁ ପଞ୍ଜିକରଣ ହୋଇପାରି ନାହିଁ। ତେଣୁ ସରକାରଙ୍କ ଯୋଜନାରୁ ଏହି ପରିବାର ବଞ୍ଚିତ ହୋଇଛନ୍ତି। ମଣି କହିଛନ୍ତି, ଅଙ୍ଗନାୱାଡି କେନ୍ଦ୍ରରେ ଏ ନେଇ ଅଭିଯୋଗ କରିବାରୁ ସେ ପାଞ୍ଚଶହ ଟଙ୍କା ଦେଇ ପାସ୍ ବୁକ୍ ଖୋଲିଲେ ଟଙ୍କା ମିଳିବ ବୋଲି କହିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ମଧ୍ୟ ମିଳି ନାହିଁ। ସିଡିପିଓଙ୍କୁ ୨ରୁ ୩ ଥର ଯାଇ ଅଭିଯୋଗ କରିଥିଲୁ। ସେ ଟଙ୍କା ପଠାଇ ଦେବୁ କହି ଚୁପ୍ ହୋଇ ବସିଛନ୍ତି ବୋଲି ମଣି ଅଭିଯୋଗ କରିଛନ୍ତି।

ଉକ୍ତ ଗାଁର ୱାଚୁ ୱାର୍ଲିକାଙ୍କ ପତ୍ନୀ ଦୀପା ଗତ ୨୦୧୪ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପୁଅକୁ ଦେଢ଼ ବର୍ଷ ହୋଇଗଲାଣି ହେଲେ ସେ ମାତ୍ର ୨ଟି କିସ୍ତିର ଟଙ୍କା ପାଇଛନ୍ତି। ଟଙ୍କା ନ ପାଇବାରୁ ମା’ ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଠିକ୍‌ରେ ଦେଇ ହେଉ ନ ଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମଣି ଓ ୱାଚୁ ହେଉଛନ୍ତି ଏହି ଯୋଜନା ବାଟବଣା ହେବାର ଗୋଟିଏ ଗୋଟିଏ ଉଦାହରଣ। କେବଳ ଏ ଦୁଇଜଣ ନୁହନ୍ତି ଏମିତି ବହୁ ହିତାଧିକାରୀ ଅଛନ୍ତି ଯେଉଁମାନେ ମମତା ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି।

ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନଳିନୀ ବେହେରା ଏପରି ଅଭିଯୋଗକୁ ସ୍ୱୀକାର କରିଛନ୍ତି। କିଛି ଟେକ୍ନିକାଲ୍ ସମସ୍ୟା ଯୋଗୁଁ ହିତାଧିକାରୀ ଟଙ୍କା ପାଇପାରୁ  ନ ଥିବା ସେ କହିଛନ୍ତି। ତେବେ ଶୀଘ୍ର ସମସ୍ୟାର ସମାଧାନ କରାଯାଇ ହିତାଧିକାରୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Related story