ବୌଦ୍ଧ: ପରିବେଶକୁ ନିର୍ମଳ ରଖିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ କୌଣସି ସୁଫଳ ମିଳୁନାହିଁ। ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି। ସ୍ୱାସ୍ଥ୍ୟ ଓ ପରିମଳ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନିର୍ମଳ ଗ୍ରାମ୍ୟ ପୁରସ୍କାର ଦିଆଯାଉଛି। ହେଲେ ଜିଲ୍ଲା ପ୍ରଶାସନର ଅବହେଳାରୁ ସହରର ପରିମଳ ଅବସ୍ଥା ବିପର୍ଯ୍ୟସ୍ତ ହେଉଛି। ଏହାର ଉଦାହରଣ ପାଲଟିଛି ବୌଦ୍ଧ ସହର। ଡମ୍ପିଂ ୟାର୍ଡ ବ୍ୟବସ୍ଥା ନ ଥିବାରୁ ଆବର୍ଜନାମୟ ସହର ପାଲଟିଛି ବୌଦ୍ଧ ସହର। ସହରରେ ଗଳିକନ୍ଦିରେ କୁଢକୁଢ ଆବର୍ଜନା ଦିନ ଦିନ ଧରି ପଡ଼ି ରହୁଥିବାରୁ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି।
ବୌଦ୍ଧ ଏନଏସି ୧୮ଟି ୱାର୍ଡକୁ ନେଇ ଗଠିତ। ସହରର ଚାରିଆଡେ ପଡ଼ି ରହିଛି କୁଢ଼ କୁଢ଼ ଆବର୍ଜନା। ଡ୍ରେନର ଅବସ୍ଥା ବି ଏକାପରି। ଡମ୍ପିଂ ୟାର୍ଡ ବ୍ୟବସ୍ଥା ନ ଥିବାରୁ ସହରର ମୁଖ୍ୟସ୍ଥାନ ଗୁଡିକରେ ଆବର୍ଜନା ଜମି ରହୁଛି। ମଇଳା ପଚିଯାଇ ସେଥିରୁ ହେଉଥିବା ଗନ୍ଧ ଯୋଗୁଁ ରାସ୍ତାରେ ଯିବା ଆସିବା କରିବା ସମ୍ଭବ ହେଉନାହିଁ। ଲୋକେମାନେ ରାସ୍ତାରେ ଗଲାବେଳେ ନାକରେ ହାତ ଦେଇ ଯାଉଛନ୍ତି। ଡ୍ରେନରେ ମଇଳା ପାଣି ଜମି ରହିବା ଯୋଗୁଁ ମଶାମାଛିଙ୍କ ବଂଶ ବୃଦ୍ଧି ଘଟିବା ସହ ସେମାନଙ୍କ ପ୍ରାଦୂର୍ଭାବ ବଢ଼ିବାରେ ଲାଗିଛି। ମଶାମାଛିଙ୍କ ଯୋଗୁଁ ମାରାତ୍ମକ ରୋଗରେ ଶିକାର ହେଉଛନ୍ତି ବୌଦ୍ଧବାସୀ।
ବୌଦ୍ଧବାସୀ ଦେବାଶିଷ ପୁରୋହିତ କହିଛନ୍ତି, “ସମଗ୍ର ଦେଶରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବୌଦ୍ଧ ଜିଲ୍ଲା ସେଥିରୁ ବାଦ ପଡ଼ିଛି। ବୌଦ୍ଧ ସହରକୁ ଏନଏସି ଘୋଷଣା କରାଯାଇଥିଲେ ମଧ୍ୟ ଆବର୍ଜନା ପରିଚାଳନା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଲୋକମାନେ ଅଳିଆ ଆବର୍ଜନାକୁ ଏଣେ ତେଣେ ପକାଉ ଥିବାରୁ ପରିବେଶ ଦୂଷିତ ହେଉଛି। ଲୋକମାନେ ବିଭିନ୍ନ ରୋଗରେ ଆକ୍ରନ୍ତ ହେଉଛନ୍ତି।”
ସହରର ଆଉ ଜଣେ ବାସିନ୍ଦା ଭୁବନ ବେହେରା କହିଛନ୍ତି, “କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନାହିଁ। ସହରରେ ଡମ୍ପିଂ ୟାର୍ଡ ବ୍ୟବସ୍ଥା ନାହିଁ। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଆମ କଥା କେହି ଶୁଣୁ ନାହାନ୍ତି। ବୌଦ୍ଧ ଏନଏସି ପକ୍ଷରୁ ମଇଳା ସଫା କରାଯାଉ ନ ଥିବାରୁ ସହରରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି। ବର୍ଷାଦିନେ ଅଳିଆ ଆବର୍ଜନା ପାଣିରେ ଭାସୁଛି। ବୌଦ୍ଧ ଜିଲ୍ଲା ପାଖ ଦେଇ ମହାନଦୀ ଯାଥିବାରୁ ସହରର ଦୂଷିତ ପାଣି ମହାନଦୀରେ ମିଶୁଛି। ଫଳରେ ପାଣି ଦୂଷିତ ହେଉଛି। ଡଷ୍ଟବିନ୍ ନ ଥିବାରୁ ଲୋକେ ଅଳିଆ ଆବର୍ଜନାକୁ ବାଧ୍ୟ ହୋଇ ଏଣେତେଣେ ପକାଉଛନ୍ତି।”
ସହରର ପରିମଳ ବ୍ୟବସ୍ଥା ପାଇଁ ସରକାର ପ୍ରତିବର୍ଷ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସୁଧୁରୁ ନାହିଁ ସହରର ପରିମଳ ଅବସ୍ଥା। କାରଣ ସହରର ଅଳିଆ, ଆବର୍ଜନାକୁ ପକାଇବା ପାଇଁ ସ୍ଥାୟୀ ଡମ୍ପିଂ ୟାର୍ଡଟିଏ ନାହିଁ। ବର୍ଷାଦିନ ପୂର୍ବରୁ ମଇଳା ସଫା କରା ନ ଗଲେ ସହରବାସୀ ବହୁ ଅସୁବିଧାର ସମ୍ମୁଖୀନ ହେବେ। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତାଳମେଳ ନ ଥିବାରୁ ସହରରେ ଡମ୍ପିଂ ୟାର୍ଡ ନିର୍ମାଣ ହୋଇପାରୁନାହିଁ। ଫଳରେ ସହରରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ପ୍ରତିବର୍ଷ ଡ୍ରେନ ପାଣି ନଦୀ ଜଳରେ ମିଶୁଥିବାରୁ ସେହି ପାଣି ସହରର ଲୋକମାନେ ବ୍ୟବହାର କରି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି।
ବୌଦ୍ଧ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେନ୍ଦ୍ର ନାଥ ଖୁଣ୍ଟିଆ କହିଛନ୍ତି, “ବୌଦ୍ଧ ସହରରେ ଡମ୍ପିଂ ୟାର୍ଡ ବ୍ୟବସ୍ଥା ନ ଥିବାରୁ ଏଭଳି ଅସୁବିଧା ହେଉଛି। ଡମ୍ପିଂ ୟାର୍ଡ ନିର୍ମାଣ କରିବା ପାଇଁ ଆମ ପାଖରେ ନିର୍ଦ୍ଦିଷ୍ଟ ଜାଗା ନାହିଁ। ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡମ୍ପିଂ ୟାର୍ଡ ନିର୍ମାଣ କରିବା ୩ ଏକର ଜାଗା ଦିଆଯାଇଛି। ଜାଗା ମିଳିବା ପରେ ଡମ୍ପିଂ ୟାର୍ଡ ନିର୍ମାଣ କାମ ଆରମ୍ଭ ହୋଇଥିଲା, ହେଲେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ କାମ ଅଧାରୁ ବନ୍ଦ ହୋଇଯାଇଛି। ଜିଲ୍ଲା ପ୍ରଶାସନକୁ ଜାଗା ଦେବା ପାଇଁ ପୁଣି ଥରେ ଅନୁରୋଧ କରାଯାଇଛି। ଜାଗା ମିଳିଗଲେ ଆମେ ତୁରନ୍ତ ଡମ୍ପିଂ ୟାର୍ଡ ନିର୍ମାଣ କରିବୁ। ସହର ଭିତରରେ ଡମ୍ପିଂ ୟାର୍ଡ ନିର୍ମାଣ କରିବା ପାଇଁ ସେପରି କୌଣସି ଜାଗା ନାହିଁ। ସହର ବାହାରେ ଡମ୍ପିଂ ୟାର୍ଡ ନିର୍ମାଣ କରିବା ପାଇଁ ଯୋଜନା କରାଯାଉଛି।”
ପ୍ରଶାସନର ଏଭଳି ପ୍ରତିଶ୍ରୁତି ବୌଦ୍ଧବାସୀ ଅତୀତରେ ଅନେକ ଥର ଶୁଣିଛନ୍ତି। କିନ୍ତୁ ପ୍ରତିଥର ପ୍ରତିଶ୍ରୁତି ପାଣିର ଗାର ସାବ୍ୟସ୍ତ ହୋଇଛି। ତା’ ସତ୍ତ୍ୱେ ସେମାନେ ଆଶା ଛାଡ଼ି ନାହାନ୍ତି। ଅପେକ୍ଷା କରିଛନ୍ତି କେବେ ପ୍ରତିଶ୍ରୁତି ପୂରଣ ହେବ।