ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): ଗତ କିଛି ଦିନ ମଧ୍ୟରେ ପୁରୀ ଜିଲ୍ଲା ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗ ହଠାତ୍ ଚର୍ଚ୍ଚାର ଶିରୋନାମାରେ ରହିଛି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଦିଲ୍ଲୀରୁ ଧାଇଁ ଆସି ପ୍ରସଙ୍ଗ ଉଠାଇବା ପରେ ଚାରିଆଡ଼େ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି। ଶାସକ ଓ ପ୍ରଶାସକଙ୍କୁ କାଠଗଡ଼ାରେ ଛିଡ଼ା କରିଦେଇଛି ବଗଲା ଧର୍ମଶାଳା ଜମି ବିକ୍ରି ମାମଲା। ଏପଟେ ସରକାରୀ କଳକୁ ଘେରିବାକୁ ବିରୋଧୀ ମଧ୍ୟ ପ୍ରସ୍ତୁତ।
ବଗଲା ଜମି ବିବାଦ ପ୍ରସଙ୍ଗ ଭିତରେ ସବୁଠାରୁ ବଡ଼ ସତ ହେଲା ଏହା ଏକ ଦାନ ସମ୍ପତ୍ତି। ଅନ୍ୟ ଭାଷାରେ କହିବାକୁ ଗଲେ, ଏହାକୁ ଏକ ଉପହାର ବୋଲି ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ କଣ ଆମ ରାଜ୍ୟ ଏତେ ଗରିବ, କାଙ୍ଗାଳ ହୋଇଗଲା ଯେ, ଶେଷରେ ଉପହାରକୁ ବିକ୍ରି କରିବାକୁ ବାଧ୍ୟ ହେଲା। ତା'ପୁଣି ବେଆଇନ୍ ତରିକାରେ.. ଏହା କଣ ଓଡ଼ିଆଙ୍କ ସଂସ୍କୃତି!
ବଗଲା ଜମି ବିକ୍ରି ଏକ ବଡ଼ ପ୍ରସଙ୍ଗ ହୋଇ ଉଭା ହେବା କ୍ଷଣି ବିବାଦରେ ଫସିଯାଇଛନ୍ତି ପୁରୀ ଜିଲ୍ଲାପାଳ ବଳଓ୍ୱନ୍ତ ସିଂ। କାରଣ ଜିଲ୍ଲାପାଳ ନିଜେ ଧର୍ମଶାଳାର ଟ୍ରଷ୍ଟି ହୋଇଥିବାରୁ ଜମି ବିକ୍ରି କରିବାର କୌଣସି କ୍ଷମତା ତାଙ୍କର ନାହିଁ। ଏଣୁ ସେ ସିଧାସଳଖ ନିଜ କ୍ଷମତାର ଦୁରୂପୋଯୋଗ କରିଛନ୍ତି। ଏପଟେ ଶାସକ ଗୋଷ୍ଠୀଙ୍କ ପାଇଁ ମଧ୍ୟ ବଗଲା ବିବାଦ ବିରାଟ ଅଡ଼ୁଆ ହୋଇ ଛିଡ଼ା ହୋଇପାରେ। କାରଣ ଆଗକୁ ଦୁଇ ଦୁଇଟି ଉପନିର୍ବାଚନ ହେବାର ଅଛି।
ଉକ୍ତ ଧର୍ମଶାଳାଟି ଗରିବ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ରାଜସ୍ଥାନର ଜଣେ ଭକ୍ତ ଦାନ କରିଥିଲେ। ଏଣୁ ଆଇନ ଅନୁଯାୟୀ ଏହାକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ କିମ୍ବା କୌଣସି ମାଧ୍ୟମରେ ସ୍ଥାନାନ୍ତର କରାଯାଇପାରିବ ନାହିଁ। ସାବିକ୍ ଜମି ରେକର୍ଡ ଅନୁଯାୟୀ, ଧର୍ମଶାଳା ଜମି ୧୮୮୮ ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ସମ୍ପତ୍ତି ଥିଲା। ହେଲେ ବର୍ଷେ ପରେ ଲ୍ୟାଣ୍ଡ ସେଟେଲମେଣ୍ଟ ଯୋଗୁ ବେଙ୍ଗଲ ସରକାରଙ୍କ ହାତକୁ ଜମିଟି ଚାଲିଗଲା।
୧୮୯୮ ମସିହାରେ ଶ୍ରୀଜଗନ୍ନାଥଙ୍କ ଭକ୍ତ ବାବୁ କହ୍ନୈୟାଲାଲ ବଗଲା ବେଙ୍ଗଲ ସରକାରଙ୍କଠାରୁ ବଳଗଣ୍ଡି ମୌଜା ଅଧୀନ ୨.୭୮୯ ଏକର ଜମି କିଣିଥିଲେ। ଗରୀବ ତୀର୍ଥଯାତ୍ରୀଙ୍କ ପାଇଁ ୧୯୦୫ ମସିହାରେ ସେ ଉକ୍ତ ଜମି ଉପରେ ଏକ ଧର୍ମଶାଳା ନିର୍ମାଣ କରିଥିଲେ, ଯାହାର ନାମ ହୋଇଥିଲା ବଗଲା ଧର୍ମଶାଳା। ଜମି ଓ ଧର୍ମଶାଳାକୁ ସେ ଲଜିଂ ହାଉସ୍ ଫଣ୍ଡ କମିଟିକୁ ଦାନ କରିଥିଲେ। ଏହା ଏକ ସରକାରୀ ସଂସ୍ଥା, ଯାହାର ମୁଖ୍ୟ ହେଉଛନ୍ତି ପୁରୀ ଜିଲ୍ଲାପାଳ। ବିହାର-ଓଡ଼ିଶା ତୀର୍ଥସ୍ଥଳ ଆଇନ୍ ୧୯୨୦ ଅନୁଯାୟୀ ଏହି ସଂସ୍ଥା ଗଠିତ ହୋଇଥିଲା।
୨୦୧୮ ନଭେମ୍ବରରେ ଓଡ଼ିଶା ସରକାର ବିହାର-ଓଡ଼ିଶା ତୀର୍ଥସ୍ଥଳ ଆଇନ୍,୧୯୨୦ ଉଚ୍ଛେଦ କରିଦେଲେ। ଏହାପରେ ପୁରୀ ମ୍ୟୁନିସିପାଲିଟିକୁ ବଗଲା ଧର୍ମଶାଳା ପରିଚାଳନା ଦାୟିତ୍ୱ ଦିଆଗଲା। ମ୍ୟୁନିସିପାଲିଟିରେ ନିର୍ବାଚିତ ପରିଷଦ ନ ଥିବାରୁ ଜିଲ୍ଲାପାଳ ହେଉଛନ୍ତି ଏହାର ମୁଖ୍ୟ। ମ୍ୟୁନିସିପାଲିଟି ହେଉଛି ସମ୍ପତ୍ତିର କେୟାର ଟେକର ଆଉ ଜିଲ୍ଲାପାଳ ହେଉଛନ୍ତି ଟ୍ରଷ୍ଟି। ସେ ମାଲିକ ନୁହନ୍ତି। ତେବେ ଜଣେ ଟ୍ରଷ୍ଟି କଣ ସମ୍ପତ୍ତି ବିକ୍ରି କରିପାରିବ କି?
ସୂଚନାଯୋଗ୍ୟ, ଧର୍ମଶାଳାରେ ୫୬ଟି କୋଠରୀ, ଗରିବ ତୀର୍ଥଯାତ୍ରୀଙ୍କ ରହଣୀ ପାଇଁ ୯ଟି ବିଶାଳ ଡର୍ମିଟୋରୀ ଏବଂ ଦୁଇଟି ପୋଖରୀ ରହିଥିଲା। ପରବର୍ତ୍ତୀ ସମୟରେ ଲଜିଂ ହାଉସ ଫଣ୍ଡ କମିଟି ଆଉ ୧୮ଟି କୋଠରୀ ଯୋଡ଼ିଥିଲା। ଆଇଟିଡିସି ୧୮ଟି କୋଠରୀ ବ୍ୟତୀତ ଧର୍ମଶାଳାର ଢାଞ୍ଚାକୁ ଭାଙ୍ଗି ପରବର୍ତ୍ତୀ ବିକାଶ କାର୍ଯ୍ୟ ଲାଗି ଜମିକୁ ସମତଳ କରିଛି। କିନ୍ତୁ ଅଗଷ୍ଟ ୫ରୁ ୧୨ ତାରିଖ ମଧ୍ୟରେ ପୁରୀ ପ୍ରଶାସନ ୩୫ ଡେସିମିଲ ଜମି ଅର୍ଥାତ୍ ସମ୍ପୂର୍ଣ୍ଣ ଜମିର ୧୨.୩ ପ୍ରତିଶତ ୬ ଜଣ ଲଜ୍ ମାଲିକଙ୍କୁ ବିକ୍ରି କରିଛନ୍ତି, ଯେଉଁମାନଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ଚତୁପାର୍ଶ୍ବରେ ୭୫ ମିଟର ଓସାର ପରିଧି ମଧ୍ୟରେ ଆସୁଥିବାରୁ ଉଚ୍ଛେଦ କରାଯାଇଥିଲା। ଏବେ ଏହି ବିବାଦ ବିରାଟ ରୂପ ନେଉଥିବା ବେଳେ ବିରୋଧୀ, ଆଇନଜୀବୀ, ସଂସ୍କୃତିପ୍ରେମୀ ଏବଂ ସ୍ଥାନୀୟ ବାସିନ୍ଦା ଏହାର ପ୍ରତିବାଦ କରୁଛନ୍ତି।
ଏହାବାଦ ଯେହେତୁ ଜିଲ୍ଲାପାଳ ନିଜେ ସମ୍ପତ୍ତିର ଜଣେ ଟ୍ରଷ୍ଟି। ଏଣୁ ସମ୍ପତ୍ତି ବିକ୍ରି କରିବାର ତାଙ୍କର କୌଣସି କ୍ଷମତା ନାହିଁ। ତେବେ ବର୍ତ୍ତମାନ ମ୍ୟୁନିସିପାଲିଟିର କୌଣସି ନିର୍ବାଚିତ ପରିଷଦ ନଥିବାରୁ ଜିଲ୍ଲାପାଳ ନିଜେ ଅଧ୍ୟକ୍ଷ ଭାବେ ଗତବର୍ଷ କାଉନସିଲ ବୈଠକରେ ନାଗରିକ ସଂସ୍ଥା ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ ଧର୍ମଶାଳା ବିକ୍ରି କରିବା ନେଇ ନିଷ୍ପତ୍ତି ନେଇଥିଲେ। ଏଣୁ ଜିଲ୍ଲାପାଳ ନିଜେ ନିଜର କ୍ଷମତାର ଦୁରୂପୋଯୋଗ କରିଛନ୍ତି ଆଉ ମ୍ୟୁନିସିପାଲିଟିକୁ ଟଙ୍କା ନ ଦେଇ ସେ ବଗଲା ଧର୍ମଶାଳାକୁ ରାଜସ୍ୱ ବିଭାଗକୁ ହସ୍ତାନ୍ତର କରିଛନ୍ତି। ତେବେ ଓଡ଼ିଶା ମ୍ୟୁନିସିପାଲ୍ ଆଇନ୍ ଧାରା ୨୨୭ ଅନୁଯାୟୀ ମ୍ୟୁନିସିପାଲିଟି ଦ୍ୱାରା ଯେକୌଣସି କାରବାର ଦେୟ ବିନା ହୋଇପାରିବ ନାହିଁ। ମ୍ୟୁନିସିପାଲିଟିକୁ ଟଙ୍କା ଟିଏ ନ ଦେଇ ଆଇନ ଉଲ୍ଲଂଘନ କରି ଜିଲ୍ଲାପାଳ ବଳଓ୍ୱନ୍ତ ସିଂ ରାଜସ୍ୱ ବିଭାଗୁ ଜମି ଟେକିଦେଲେ କେମିତି? ସେ ଟ୍ରଷ୍ଟି ଆଉ ମାଲିକ ଭିତରେ ଥିବା ପାର୍ଥକ୍ୟକୁ ବୁଝନ୍ତି ନାହିଁ କି?
ଏଣେ ବଗଲା ବିବାଦ ତେଜୁଥିବା ବେଳେ ବିରୋଧୀ ମାତିଛନ୍ତି। ଆଗକୁ ରହିଛି ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନ, ଯାହାକୁ ହୁଏତ ନଜରରେ ରଖି ପୁରୀ ସୌନ୍ଦର୍ଯ୍ୟକରଣ ବେଳେ ତୁନି ବସିଥିବା ବିଜେପି ଏବେ ଗର୍ଜ୍ଜନ କରୁଛି। ସେପଟେ କଂଗ୍ରେସ ମଧ୍ୟ ତୁନି ବସିନି। ଦାୟିତ୍ୱର ଦୁରୂପଯୋଗ କରିଥିବା ଅଭିଯୋଗରେ ଜିଲ୍ଲାପାଳଙ୍କୁ ହଟାଇବାକୁ କଂଗ୍ରେସ ଜୋରଦାର ଦାବି କରୁଛି। ୨୦୧୯, ଅକ୍ଟୋବରରେ ପୁରୀ ମ୍ୟୁନିସିପାଲିଟିରୁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଜମି ହସ୍ତାନ୍ତର କରି ଜିଲ୍ଲାପାଳ ଆଇନ ଉଲ୍ଲଂଘନ କରିଛନ୍ତି ବୋଲି କଂଗ୍ରେସ କହିଛି।
ତେବେ ଏ ସମସ୍ତ ପ୍ରସଙ୍ଗର ଆଉ ଏକ ଦିଗ ଉପରେ ମଧ୍ୟ ନଜର ପକାଇବା ଉଚିତ୍। ଦାନରେ ମିଳିଥିବା ସମ୍ପତ୍ତି ବଗଲା ଧର୍ମଶାଳା ଜମି ବିକ୍ରି ପ୍ରୟାସ ପ୍ରଥମ ଥର ପାଇଁ କରାଯାଉ ନାହିଁ। ପୂର୍ବରୁ ମଧ୍ୟ ଏଭଳି ପ୍ରୟାସ କରାଯାଇଛି। ଏପରି କି, ଏ ସଂକ୍ରାନ୍ତୀୟ ହାଇକୋର୍ଟରେ ଏକ ମାମଲା ବିଚାରଧୀନ ମଧ୍ୟ ରହିଛି। ୨୦୧୯ ଡିସେମ୍ୱରରେ ସାମାଜିକ କର୍ମୀ ଜଗନ୍ନାଥ ବସ୍ତିଆ ହାଇକୋର୍ଟଙ୍କ ନିକଟରେ ଏକ ପିଆଇଏଲ୍ ଦାଖଲ କରିଥିଲେ। ଏଣୁ ଏ ଦୃଷ୍ଟିରୁ ମଧ୍ୟ ଜମି ବିକ୍ରି ସମ୍ପୂର୍ଣ୍ଣ ବେଆଇନ୍।
ଅନ୍ୟପଟେ ରେକର୍ଡ ଅନୁଯାୟୀ, ୧୯୪୮ରେ ପୁରୀର କେତେଜଣ ବ୍ୟବସାୟୀ ଧର୍ମଶାଳାକୁ ବିକିଦେବା ଲାଗି ଉଦ୍ୟମ ଚଳାଇଥିଲେ ଏବଂ ଜିଲ୍ଲାପାଳଙ୍କ ଉପରେ ଚାପ ପକାଉଥିଲେ। ହେଲେ ସେତେବେଳେ କହ୍ନୈୟାଲାଲଙ୍କ ପୁଅ ଏହାକୁ ପ୍ରତିବାଦ କରିଥିଲେ। ସେ ତତ୍କାଳୀନ ରାଜ୍ୟପାଳ କୈଳାସନାଥ କାଟଜୁଙ୍କୁ ଭେଟି ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏହାପରେ ରାଜ୍ୟପାଳ ଉକ୍ତ ସ୍ଥାନକୁ ପରିଦର୍ଶନ କରିବା ସହ ଜମି ବିକ୍ରିକୁ ବନ୍ଦ କରାଇଥିଲେ।
ଏଣୁ ଏବେ ପୁଣି କଣ ଇତିହାସର ପୁନରାବୃତ୍ତି ହେବ? ଏତେ ମାତ୍ରାରେ ହୋ-ହାଲ୍ଲା ପରେ ବିରୋଧୀ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ି ଜମି ବିକ୍ରି ମାମଲାର ସମାଧାନ ମଧ୍ୟ କରିପାରିବେ। ତେବେ ଆଗକୁ ମହାମହିମ ବଗଲା ଜମି ବିବାଦରେ ହସ୍ତକ୍ଷେପ କରିବେ କି? ତା'ର ଉତ୍ତର ସମୟ ହିଁ ଦେବ।