ଏହି ସ୍କୁଲ୍ରେ ୬ଷ୍ଠରୁ ୧୦ମ ପର୍ଯ୍ୟନ୍ତ ମୋଟ ୫ଟି ଶ୍ରେଣୀ ଅଛି। ୫ଟି ଶ୍ରେଣୀରେ ମୋଟ ୧୫ ପିଲା ପାଠ ପଢ଼ନ୍ତି। ୬ଷ୍ଠ ଶ୍ରେଣୀରେ ଜଣେ, ଅଷ୍ଟମରେ ୧୦ ଜଣ, ନବମରେ ଜଣେ ଓ ଦଶମରେ ୪ ଜଣ ପିଲା ପଢ଼ୁଛନ୍ତି। ସପ୍ତମ ଶ୍ରେଣୀରେ କେହି ପିଲା ନାହାନ୍ତି। ୧୫ ଜଣ ପିଲାଙ୍କ ପାଇଁ ଅଛନ୍ତି ୬ ଜଣ ଶିକ୍ଷକ। ଏହା ବାଦ୍ ପାଣି ଦେବା, ଘଣ୍ଟି ବଜାଇବା, ସ୍କୁଲ୍ର ଅନ୍ୟାନ୍ୟ କାମ ଓ ରୋଷେଇ ପାଇଁ ଅଛନ୍ତି ୭ ଜଣ ଚତୁର୍ଥ ଶ୍ରେଣୀ କର୍ମୀଚାରୀ। ହେଲେ ସ୍କୁଲର ଅଷ୍ଟମ ଶ୍ରେଣୀ ପିଲାଙ୍କୁ ‘ଏ, ବି, ସି, ଡି ...’ ଜଣାନାହିଁ। କେବଳ ଇଂରାଜୀ ନୁହେଁ ଏହା ଏକ ସଂସ୍କୃତ ସ୍କୁଲ୍ ହୋଇଥିଲେ ମଧ୍ୟ ଦଶମ ଶ୍ରେଣୀ ପିଲା ସଂସ୍କୃତରେ ଶ୍ଲୋକଟିଏ ଜାଣିନାହାନ୍ତି।
ଏ ନେଇ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ସିପ୍ରା ନାୟକ କହିଛନ୍ତି, “ତାହା ଏକ ସଂସ୍କୃତ ଟୋଲ୍ ଆଡେଡ୍ ସ୍କୁଲ୍। ସେଠାରେ ପିଲା ହେଉ ନାହାନ୍ତି। ଏବେ ମାତ୍ର ୧୫ ଜଣ ପିଲା ପଢୁଛନ୍ତି। ଆମେ ଡାଇରେକ୍ଟରଙ୍କୁ ଲେଖିଥିଲୁ ଆବଶ୍ୟକ ଶିକ୍ଷକ ରଖି ଅନ୍ୟମାନଙ୍କୁ ଅନ୍ୟତ୍ର ନେଇଯିବାକୁ। ଏହା ଡାଇରେକ୍ଟରଙ୍କ କ୍ଷମତା ବାହାରେ ଥିଲା। ତେଣୁ ସୁପରିନ୍ଟେଣ୍ଡେଣ୍ଟ୍ ଅଫ୍ ସାଂସ୍କ୍ରିଟ୍ ଟୋଲ୍ଙ୍କ ସହ ମୁଁ ଆଲୋଚନା କରିଥିଲି। ସେ କହିଲେ ଶିକ୍ଷକମାନେ ପିଲାଙ୍କୁ ପଢ଼ାଇବାକୁ ସମୟ ମାଗିଛନ୍ତି। ପିଲାମାନଙ୍କୁ ଠିକ୍ରେ ପଢ଼ା ନ ଗଲେ ସୁପରିନ୍ଟେଣ୍ଡେଣ୍ଟ୍ ହିଁ ପରବର୍ତ୍ତୀ ନିଷ୍ପତ୍ତି ନେବେ।”
ସେ ଆହୁରି କହିଛନ୍ତି, “ପିଲାଙ୍କ ଭବିଷ୍ୟତ ସହ ସାଲିସ୍ କରାଯିବ ନାହିଁ। ସବୁ ଜିଲ୍ଲାରେ ସଂସ୍କୃତ ଟୋଲ୍ ଅଛି। ଆବଶ୍ୟକ ପଡ଼ିଲେ ପିଲାମାନେ ପାଖ ଜିଲ୍ଲାରେ ପଢ଼ି ପାରିବେ।”
ଏହି ସ୍କୁଲ୍ରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ପାଠପଢ଼ାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପିଲାଙ୍କୁ ସ୍କୁଲକୁ ନେଇ ଆସିଲେ ହେବ ନାହିଁ। ପିଲାମାନଙ୍କୁ ଠିକ୍ରେ ପାଠ ପଢାଯାଉଛି କି ନାହିଁ ତାହା ଦେଖିବା ବିଭାଗୀୟ ଅଧିକାରୀଙ୍କ କାମ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ କହିଛନ୍ତି।