- ଦେବେନ୍ଦ୍ର ପୃଷ୍ଟି
ସାଧାରଣରେ କରୋନା ନାମରେ ଖ୍ୟାତ ହୋଇଛି କୋଭିଡ-୧୯। ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ପାଣ୍ଡେମିକ୍ ଘୋଷଣା କଲା ପରେ ସାରା ବିଶ୍ୱ ଛାନିଆ ହେଲା। ଏହାର ମୁକାବିଲା ପାଇଁ ଅନେକ ପ୍ରକାର କଟକଣା ଜାରି ହେଲା ଓ ଅନେକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଗଲା। ବିତି ଗଲାଣି ଦୁଇ ବର୍ଷ। କୋଭିଡ-୧୯ ସତରେ ଏକ ମହାମାରୀ ନା ମହାଦୁର୍ନୀତି? ଏଭଳି ବିବାଦ ଆରମ୍ଭରୁ ଲାଗି ରହିଛି। ସେଥିରେ ଯୋଡ଼ି ହୋଇଛି କିଛି ନୂଆ ତଥ୍ୟ।
ମନେ ଥିବ, ଯେତେବେଳେ ପ୍ରଥମେ କୋଭିଡ-୧୯ କଥା ଚର୍ଚ୍ଚା ହେଲା, ୨୦୨୦ ମାର୍ଚ୍ଚର କଥା। ସେତେବେଳେ ଓଡ଼ିଶା ସରକାର ଘୋଷଣା କରିଥିଲେ, କେନ୍ଦ୍ର ସରକାର ବି ସମାନ ଘୋଷଣା କରିଥିଲେ, ଯଦି କେହି କୋଭିଡ-୧୯ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି ତେବେ ସରକାର ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଦେବେ। ସେତେବେଳେ ଏ ଭଳି ଘୋଷଣା କାହିଁକି କରାଯାଇଥିଲା ତାହାର ଗଭୀର ଅନୁଶୀଳନ ଦରକାର। ହେଲେ, ଦେଶରେ ହଜାର ହଜାର ଲୋକଙ୍କର କୋଭିଡରେ ମୃତ୍ୟୁ ହେଲା ବୋଲି ବିଭିନ୍ନ ଡାକ୍ତରଖାନା ପକ୍ଷରୁ ସାର୍ଟିଫିକେଟ ଜାରି ହେବା ପରେ ସରକାର ଏ ପ୍ରତିଶ୍ରୁତି ଭୁଲି ଯାଇଥିଲେ। ଘୋଷଣା କରିବା ସମୟରେ ବୋଧହୁଏ ସରକାର ଭାବିଥିଲେ ଯେ ଏଥିରେ ଅଧିକ କେହି ମରିବେନି। ଅଳ୍ପ ଲୋକଙ୍କର ପ୍ରାଣହାନୀ ହେଲେ, ସରକାର ସହାୟତା ଯୋଗେଇ ଦେବେ। କିନ୍ତୁ ଯେତେବେଳେ, ଯେଉଁ କାରଣରୁ ହେଉ ପଛକେ, ମୃତ୍ୟୁସଂଖ୍ୟା ବଢ଼ି ଚାଲିଲା, ସରକାର ନିଜର ପ୍ରତିଶ୍ରୁତି ଭୁଲି ଗଲେ। ହେଲେ କିଛି ଲୋକ ଭୁଲିଲେ ନାହିଁ। ସେମାନେ ସୁପ୍ରିମ କୋର୍ଟରେ ମକଦ୍ଦମା କଲେ, ସରକାରଙ୍କୁ ତାଙ୍କ ପ୍ରତିଶ୍ରୁତି କଥା ମନେ ପକେଇଦେଲେ।
ସୁପ୍ରିମ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ତାଗିଦ କଲେ, ଦବ ବୋଲି କହିଥିଲ, ଦଉନ! କୋର୍ଟରୁ ଦି’ ତିନି ଛାଟ ପଡ଼ିବା ପରେ କେନ୍ଦ୍ର କହିଲେ, ଆମେ ଏତେ ଦେଇପାରିବୁନି, ଜଣକା ୫୦ ହଜାର ଦେବୁ। ରାଜ୍ୟ ମଧ୍ୟ ସେଇଆ କହିଲେ। ପ୍ରଥମେ ପ୍ରଥମେ କୋଭିଡ ମୃତ୍ୟୁସଂଖ୍ୟା ବଢ଼ୁଥିଲା। ଏବେ ଆଉ ସେଇ ହାରରେ ବଢ଼ୁନି। ଇତିମଧ୍ୟରେ ସୁପ୍ରିମ କୋର୍ଟ ଜାଣି ସାରିଲେଣି ଯେ ରାଜ୍ୟ ସରକାରଗୁଡ଼ିକ ଯେଉଁ କୋଭିଡ ମୃତ୍ୟୁସଂଖ୍ୟା ଦର୍ଶାଉଛନ୍ତି ତାହା ସତ ନୁହେଁ। ତେଣୁ ପଜିଟିଭ ଚିହ୍ନଟ ହେବାର ମାସକ ଭିତରେ ଯେଉଁମାନଙ୍କର ଯେକୌଣସି କାରଣରୁ ମୃତ୍ୟୁ ହେଇଥାଉ ନା କାହିଁକି ତାଙ୍କୁ କୋଭିଡ ମୃତ ବୋଲି ଗ୍ରହଣ କରି ଅନୁକମ୍ପା ସହାୟତା ଦେବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କାହିଁକି ଏମିତି ନିର୍ଦ୍ଦେଶ ଦେଲେ ତାହାର ବି ଗଭୀର ଅନୁଶୀଳନ ଆବଶ୍ୟକ।
ଏକଥା ପ୍ରକାଶ ପାଇଲା ବେଳକୁ ଭୁବନେଶ୍ୱରର ଜଣେ ଯୁବକ ଟୁଇଟରରେ ପ୍ରଘଟ କଲେ ଯେ ତାଙ୍କ ମା’ ବଞ୍ଚିଥିଲେ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ କଳାରାହାଙ୍ଗ ଆରଆଇଙ୍କ ତରଫରୁ ତାଙ୍କ ମା’ଙ୍କୁ ମୃତ ଦର୍ଶାଇ କୋଭିଡ ଅନୁକମ୍ପା ସହାୟତା ନେବାକୁ ଫୋନ୍ କଲ୍ ଆସୁଛି। ଏନେଇ ସେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ସେ ଯାହା ଲେଖିଛନ୍ତି ତାହାର ସାରମର୍ମ ହେଲା, ତାଙ୍କ ବାପାଙ୍କୁ କୋଭିଡ ହୋଇଥିଲା। କିନ୍ତୁ ତାଙ୍କୁ କୌଣସି ହସ୍ପିଟାଲ ନପଠାଇ ଘରେ ରଖି ଚିକିତ୍ସା କରାଯାଇଥିଲା। ଯେହେତୁ ସେତେବେଳେ କୋଭିଡ ଡର ସମସ୍ତଙ୍କୁ ଆକ୍ରାନ୍ତ କରିଥିଲା, ତାଙ୍କ ପରିବାରର ସମସ୍ତେ ଲୟଲା ସ୍କୁଲରେ କୋଭିଡ ପରୀକ୍ଷା କରେଇଥିଲେ। କିନ୍ତୁ ସେମାନେ ନେଗେଟିଭ କି ପଜିଟିଭ କୌଣସି ରିପୋର୍ଟ ମିଳି ନଥିଲା। ସେମାନେ ବାପାଙ୍କୁ ସେଇ ଘରର ଗୋଟେ ବଖରାରେ ରଖି ଅନ୍ୟମାନେ ସତର୍କ ଥିଲେ ଓ କାହାର କିଛି କ୍ଷତି ହୋଇନାହିଁ। ଏବେ ତାଙ୍କ ମା’ କୋଭିଡରେ ଚାଲିଯାଇଛନ୍ତି ବୋଲି ସରକାରୀ ଖାତାରେ ଉଠିଛି। ଓଡ଼ିଶା ସରକାରଙ୍କ ଖାତାରେ କୋଭିଡ ମୃତ୍ୟୁସଂଖ୍ୟା ୯ ହଜାର ତଳେ। କିନ୍ତୁ କୋଭିଡ ମୃତ୍ୟୁ ଜନିତା ଅନୁକମ୍ପା ସହାୟତା ପାଇଲେଣି ୧୧ ହଜାର ଉପରେ। ଏଥିରୁ ବୁଝନ୍ତୁ, ଏହା କି ପ୍ରକାର ଏକ ମହାମାରୀ!
ଆଉ ଗୋଟେ କଥା। ସରକାର ପ୍ରଥମେ କହିଲେ, ଯିଏ କୋଭିଡ ପଜିଟିଭ ହେବ, ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବ। ସମସ୍ତେ ନିଜର ଟେଷ୍ଟ କରେଇବେ। ବଡ଼ ବଡ଼ ଲୋକମାନେ ପଜିଟିଭ ହେଲେ, ସୋଶାଲ ମିଡିଆରେ ଘୋଷଣା କଲେ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଟେଷ୍ଟ କରାଇବାକୁ କହିଲେ। ବ୍ଲକ୍ଚେନ୍ ବା ନେଟ୍ୱାର୍କ ମାର୍କେଟିଂ ପରି ଟେଷ୍ଟ ସଂଖ୍ୟା ବଢ଼ିଲା, ପଜିଟିଭ ସଂଖ୍ୟା ମଧ୍ୟ। ଟେଷ୍ଟ ଦର ପ୍ରଥମେ ୪ ହଜାର ଟଙ୍କାରୁ ଅଧିକ ଥିଲା। କ୍ରମେ କ୍ରମେ ଖସି ବାର ଶହ ହେଲା। ଅନେକ ଲୋକ ଜାଲ୍ ପଜିଟିଭ ରିପୋର୍ଟ ସଂଗ୍ରହ କରି ୧୪ ଦିନ ଛୁଟି ନେଲେ, ସଂଗରୋଧରେ ରହିଲେ। କେତେକ ଜାଗାରୁ ଖବର ଆସିଲା, ଲୋକେ ଛୁଟି ନେଇ ମଉଜ କରୁଛନ୍ତି। ଏବେ ସଂଗରୋଧ ଦିବସ ୭ ଦିନକୁ କମିଲାଣି। ଏଥିରୁ ବୁଝନ୍ତୁ, ଏହା କି ପ୍ରକାର ଏକ ମହାମାରୀ! କେତେ ଦିନରେ ଭଲ ହେଉଛି! ପଜିଟିଭ୍ ଜାଲିଆତି ଧରା ପଡ଼ିବା ସମୟରେ ଆଉ ଗୋଟେ ଜାଲିଆତି କଥା ମଧ୍ୟ ପଦାକୁ ଆସିଥିଲା। ଜଗନ୍ନାଥ ଦର୍ଶନ ପାଇଁ କାଳେ ନେଗେଟିଭ୍ ସାର୍ଟିଫିକେଟ ବିକ୍ରି ହେଉଥିଲା!
ସରକାର ପ୍ରଥମେ କହିଲେ, ସବୁ କୋଭିଡ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସେବା ଦିଆଯିବ। ମାଗଣା ଚିକିତ୍ସା ସେବା ଓ ସୁବିଧା ପାଇଁ ଅନେକ ଘରୋଇ ହସ୍ପିଟାଲ ଭର୍ତ୍ତି ହେଲା। ସରକାରଙ୍କର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଲା। ଅଧିକାଂଶ ଲୋକେ ସାଧାରଣ ଔଷଧରେ ଭଲ ହେଲେ। ଖୁବ ଅଳ୍ପ ରୋଗୀଙ୍କର ମୃତ୍ୟୁ ହେଲା। ସେହି ସମୟରେ ଅନେକ ଆଡ଼ୁ ଅଭିଯୋଗ ଆସିଲା ଯେ ଚିକିତ୍ସା ସମୟରେ ରୋଗୀର ଅବସ୍ଥା ବିଷୟ କେହି ଜାଣିପାରୁ ନାହାନ୍ତି। ଡାକ୍ତରଖାନା ତରଫରୁ ରୋଗୀଙ୍କ ବିଷୟରେ କାହାକୁ କିଛି ଜଣାଯାଉ ନାହିଁ। ଏପରିକି ଯେଉଁମାନେ ମଲେ, ସେମାନଙ୍କ ମୃତଦେହ ଚିହ୍ନଟ ପାଇଁ ସରକାରୀ ବ୍ୟବସ୍ଥା ନଥିଲା। ପିପିଇ କିଟ୍ ଭିତରେ ଥିବା ମୃତଦେହ କାହାର ତାହା ଜାଣିବା ମୁସ୍କିଲ ହେଲା। ଅନେକ ଲୋକ ନିଜ ଲୋକ ବଦଳରେ ଅନ୍ୟ କାହା ଲୋକଙ୍କ ଅସ୍ଥି ନେଇ କ୍ରିୟାକର୍ମ କଲେ। ଏଇଥିରୁ ବୁଝନ୍ତୁ, ଏହା କି ପ୍ରକାର ଏକ ମହାମାରୀ!
ପ୍ରଥମେ ପ୍ରଥମେ ଆଇଭରମେକ୍ଟିନ୍, ମୁଲନୋପିରାବିର ଓ ଫାବିପିରାବିର, ଷ୍ଟେରଏଡ୍ ଭଳି ବହୁ ଓଷଦ ଦିଆଗଲା। ଆଇଭରମେକ୍ଟିନ୍ ଆଦି ଖାଇ କିଛି ଲୋକ ସୁସ୍ଥ ବି ହେଲେ। ପରେ ସରକାର ଏସବୁ ଓଷଦ ନିଷିଦ୍ଧ କଲେ। କାହିଁକି ଦେଉଥିଲେ, କାହିଁକି ବନ୍ଦ କଲେ, ତା ଉପରେ ବି ଗଭୀର ଅନୁଶୀଳନ ହେଲା ନାହିଁ। କିଛି ମାସ ଭିତରେ ପଜିଟିଭ୍ ଲୋକେ ଆଉ ହସ୍ପିଟାଲ ଗଲେ ନାହିଁ। ଯିବାକୁ ଡରିଲେ। ଘରେ ରହି ଓଷଦ ଖାଇ ଭଲ ହେଲେ। ଏବେ ବି ୮୦-୯୦ ପ୍ରତିଶତ ପଜିଟିଭ୍ ଘରେ ରହି ଭଲ ହେଉଛନ୍ତି।
ପ୍ରଥମେ ପ୍ରଥମେ ଆୟୁର୍ବେଦିକ ଓ ହୋମିଓପାଥି ବିଶେଷଜ୍ଞମାନେ କହିଲେ, ରୋଗ ଏତେ ଭୟଙ୍କର ନୁହେଁ। ଆମ ଓଷଦରେ ସବୁ ଭଲ ହୋଇଯିବ। ଏଲୋପାଥି ବିଶେଷଜ୍ଞମାନେ ତାହା ମାନିଲେ ନାହିଁ। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଇମ୍ୟୁନିଟି ବଢ଼ାଇବାକୁ କାଢ଼ା ଆଦି କେତେ ଉପଚାର ବିଷୟରେ ପ୍ରଚାର କଲେ। ତାହାକୁ ଏଲୋପାଥିବାଲା ହସି ଉଡ଼େଇଲେ। ଏବେ ଅଧିକାଂଶ ଲୋକ ସେଇ କଥା କରୁଛନ୍ତି। ହସ୍ପିଟାଲ ଭିଡ଼ ଯଥେଷ୍ଟ କମିଛି। କୋଭିଡ ବେଡ୍ ଫାଙ୍କା ପଡ଼ିବାରୁ ସରକାର ମଧ୍ୟ ଘରୋଇ କୋଭିଡ ହସ୍ପିଟାଲ ମାନ୍ୟତା ପ୍ରତ୍ୟାହାର କଲେ। ସବୁ ଠିକ ଚାଲିଥିଲା। ଓମିକ୍ରନ୍ ନାଁରେ ଆଉ କିଛି ବେଡ୍ ବଢ଼ିଲା, ଟଙ୍କା ଖର୍ଚ୍ଚ ହେଲା। କିନ୍ତୁ ବେଡ଼୍ ଫାଙ୍କା ପଡ଼ିଲା। ଏଥିରୁ ଏହା କି ପ୍ରକାର ଏକ ମହାମାରୀ ତାହାର ଆଭାସ ମିଳିଲା।
୨୦୨୦ରୁ ୨୦୨୨। କୋଭିଡ-୧୯କୁ ଦି’ ବର୍ଷ ହେଲା। ଏଯାଏଁ ନିର୍ଦ୍ଦିଷ୍ଟ ଓଷଦ ବାହାରିଲା ନାହିଁ। ସର୍ଦ୍ଦି, କାଶ, ଜର ଆଦି ପାଇଁ ପୂର୍ବରୁ ରହିଥିବା ଓଷଦ ରିପର୍ପୋଜଡ ମେଡିସିନ୍ ଭାବେ ଏଯାଏଁ ଚାଲିଛି, ଲୋକେ ବି ଭଲ ହେଉଛନ୍ତି। କିନ୍ତୁ ବର୍ଷକ ଭିତରେ ଟିକା ବାହାରିଲା। ଟିକା ନେବାକୁ ଅନେକ ବଡ଼ ବଡ଼ ଲୋକ ପ୍ରଚାର କଲେ। ନିଜେ ଟିକା ନେଇ ଫଟୋ ଛାପିଲେ। କେତେକ କମ୍ପାନୀ ଟିକା ନେବାକୁ ପ୍ରୋତ୍ସାହନ ଦେଲେ। ଲଟେରି ସ୍କିମ୍ ଭଳି ନାନାଦି ପୁରସ୍କାର ଘୋଷଣା ହେଲା। ବହୁ ଲୋକ ଟିକା ନେଲେ। ପରେ ଜଣା ପଡ଼ିଲା ଯେ ଟିକା ନେଲେ ବି କୋଭିଡ ହେଉଛି। କୁହାଗଲା, ଦି’ଟା ଟିକା ପରେ ମଧ୍ୟ ବୁଷ୍ଟର ନେବାକୁ ହେବ। କିନ୍ତୁ ଆଉ କାହାର ବୁଷ୍ଟର ନେବାର ଫଟୋ ସୋଶାଲ ମିଡିଆରେ ଦେଖିବାକୁ ମିଳିଲା ନାହିଁ। ଯାହା ହେଉ, ଅନେକ ଲୋକ ବୁଷ୍ଟର ମଧ୍ୟ ନେଲେ। ଏବେ କୁହାଯାଉଛି, ଟିକାର ପ୍ରଭାବ ୩-୬ ମାସ ରହୁଛି। ତା’ ପରେ କମିଯାଉଛି। ତେଣୁ କୋଭିଡ ହେଉଛି। ୟା ଅର୍ଥ କ’ଣ ଲୋକେ ପ୍ରତି ତିନି ଚାରି ମାସରେ ଗୋଟେ ଲେଖାଏଁ ବୁଷ୍ଟର ନେବେ? ୟା ସତ୍ତ୍ୱେ ବି ସଂକ୍ରମିତ ହେବେ ଓ କରିବେ। କିନ୍ତୁ ଗମ୍ଭୀର ସ୍ଥିତିରେ ପଡ଼ିବେ ନାହିଁ, ମୃତ୍ୟୁରୁ ବଞ୍ଚିଯିବେ। କିନ୍ତୁ ଟିକା ନେଇ ମଧ୍ୟ ଯେଉଁମାନେ କୋଭିଡରେ ମଲେ, ସେମାନେ ସମସ୍ତେ କୋମର୍ବିଡିଟି ଥିଲେ ବା ସେମାନଙ୍କର ଅନ୍ୟାନ୍ୟ ଗମ୍ଭୀର ରୋଗ ଥିଲା ବୋଲି ସରକାର ଓ ବିଶେଷଜ୍ଞମାନେ ସଫେଇ ଦେଲେ। ଟିକା ପୂର୍ବରୁ ଯେଉଁମାନଙ୍କର ମୃତ୍ୟୁ ହୋଇଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ମଧ୍ୟ କୋମର୍ବିଡିଟି ଥିଲେ ବୋଲି କୁହାଯାଇଥିଲା। ଏହା ଉପରେ ମଧ୍ୟ ଗଭୀର ଅନୁଶୀଳନ ଜରୁରୀ।
୨୦୧୯ ପୂର୍ବରୁ କରୋନା ଥିଲା। ସାର୍ସ-କୋଭ-୧ ଥିଲା। ୨୦୧୯ ଡିସେମ୍ବରରେ ଯାହାକୁ ସାର୍ସ-କୋଭି-୨ କୁହାଗଲା, ତାହା ଏକ ଭାରିଆଣ୍ଟ ଥିଲା କି ନାହିଁ, ତା’ ଉପରେ ଗବେଷଣା ହେଲା ନାହିଁ। ଏପରିକି ସେ ଭୂତାଣୁର ଉତ୍ପତ୍ତି ଓ ସଂକ୍ରମଣ ନେଇ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା, ଆମେରିକା, ଚୀନ କି ଭାରତ ଭଳି କୌଣସି ରାଷ୍ଟ୍ର କୌଣସି ପ୍ରକାର ଗବେଷଣା କଲେ ନାହିଁ। ଚୀନର ଉହାନ ଲାବ୍ରୁ ବାହାରିଲା କି ନାହିଁ ତଦନ୍ତ ହେଲା ନାହିଁ। ଚୀନ କହିଲା, ମାର୍କେଟରୁ ବ୍ୟାପିଛି। ତାହାର ପ୍ରମାଣ ମଧ୍ୟ ଚୀନ ଦେଇନାହିଁ। ଅଥଚ, ଯେଉଁ ଭୂତାଣୁର ଜନ୍ମ ଓ ବ୍ୟାପ୍ତି ନେଇ ଏଯାଏଁ କିଛି ପ୍ରମାଣ ମିଳି ନାହିଁ, ତାହାକୁ ନେଇ ବିଶ୍ୱବାସୀଙ୍କୁ ଡରେଇବାକୁ, ଗୃହବନ୍ଦୀ କରିବାକୁ ଏବେ ବି ନେତା ଓ ବିଶେଷଜ୍ଞଙ୍କର ଅଭାବ ନାହିଁ।
ଏବେ ଯଦି ନିରପେକ୍ଷ ଆକଳନ କରାଯାଏ ତେବେ ସ୍ପଷ୍ଟ ହେବ ଯେ ଏଯାଏଁ ବିଶ୍ୱର ଯେତେ ଲୋକ କୋଭିଡରେ ସଂକ୍ରମିତ ତାହା ଜନସଂଖ୍ୟାର ୧ ପ୍ରତିଶତ ବି ହେବ ନାହିଁ। ଯେତେ ଲୋକ ସଂକ୍ରମିତ ତାହାର ୨ ପ୍ରତିଶତଙ୍କର ମୃତ୍ୟୁ ହୋଇନାହିଁ। ଅଥଚ ବିଶ୍ୱର ୯୯ ପ୍ରତିଶତ ଲୋକ କ୍ଷତିଗ୍ରସ୍ତ। କରୋନାରେ ଯେତେ ଲୋକ ହଇରାଣ ହୋଇନାହାନ୍ତି, କରୋନା କଟକଣାରେ ତାହାର ଶହଶହ ଗୁଣ ଅଧିକ ଲୋକ ଜୀବନମରଣ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କେଉଁଟା ମହାମାରୀ ତାହା କ୍ଷତିଗ୍ରସ୍ତ ଲୋକ ବୁଝିବା ଦରକାର।
ପ୍ରତିବର୍ଷ କରୋନା ତୁଳନାରେ ଢେର ଅଧିକ ଲୋକ ଟିବି, ହୃଦଘାତ, ପ୍ରଦୂଷଣ, ମନ୍ଦପୁଷ୍ଟି, ଭେଜାଲ୍ ଖାଦ୍ୟ ଆଦି ଖାଇ ମୃତ୍ୟୁବରଣ କରୁଛନ୍ତି। ଏପରିକି ସଡ଼କ ଦୁର୍ଘଟଣାରେ ମଧ୍ୟ ଯଥେଷ୍ଟ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି। ତାହା ରୋକିବାକୁ ସରକାରଙ୍କ ତରଫରୁ ଏଭଳି ବ୍ୟାପକ ବନ୍ଦୋବସ୍ତ ହେଉନାହିଁ। ବରଂ ଲୋକଙ୍କର ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି କମ୍ କରୁଥିବା ଜୀବନଶୈଳୀକୁ ବିକାଶ ଓ ସମୃଦ୍ଧିର ମାପକ ଭାବେ ପ୍ରଚାର କରାଯାଉଛି। ଯେଉଁଥିପାଇଁ ରୋଗ ସଂଖ୍ୟା ବଢ଼ୁଛି, ରୋଗୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତଥାପି, ତା ଉପରେ କରୋନା ଭଳି ବିଶ୍ୱ ସ୍ତରୀୟ ଅଭିଯାନ ନାହିଁ କି ସେସବୁର ଟିକା ବାହାରୁ ନାହିଁ। କାରଣ ସେସବୁ ପାଣ୍ଡେମିକ୍ ନୁହେଁ। ପାଣ୍ଡେମିକ୍ ହେଉ ବା ଏଣ୍ଡେମିକ୍ ବା ଏପିଡେମିକ୍, ଏହା ନିଶ୍ଚିତ ଯେ ସର୍ଦ୍ଦି ବା ଏବେ ଆତଙ୍କ ସୃଷ୍ଟି କରିଥିବା କୋଭିଡ-୧୯ ନିଶ୍ଚୟ ଏକ ସଂକ୍ରାମକ ରୋଗ। ଏହା ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ କରିବ। ଟିକା ଏହା ରୋକିପାରି ନାହିଁ। ରୋକି ପାରିବ ନାହିଁ ବୋଲି ମଧ୍ୟ ବିଶେଷଜ୍ଞ କହିଲେଣି। ତଥାପି, ଏହି କାର୍ଯ୍ୟକ୍ରମ ଚାଲୁ ରହିଛି ଓ ବୁଷ୍ଟର ପରେ ବୁଷ୍ଟର ପାଇଁ ସରକାର ପ୍ରୋତ୍ସାହନ ଯୋଗେଇ ଚାଲିଛନ୍ତି। ଏ କାର୍ଯ୍ୟକ୍ରମ ଚାଲୁରହୁ। କାରଣ ଏହା ଏକ ମହାମାରୀ! ଯେଉଁଥିରେ ସଂକ୍ରମିତଙ୍କ ତୁଳନାରେ କ୍ଷତିଗ୍ରସ୍ତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ।