ଆଧୁନିକ ବାଦ୍ୟଯନ୍ତ୍ରର ଆଗମନ ପରେ ଧୁଡୁକି ବାଦ୍ୟ ତାର ସତ୍ତା ହରାଇଛି। ଯାହାଦ୍ୱାରା ଧୁଡୁକି ବଜାଇ ଗୁଜୁରାଣ ମେଣ୍ଟାଉଥିବା ବହୁ ଲୋକ ଏବେ ଏଥିରୁ ଦୂରେଇ ଯାଉଛନ୍ତି। ଯେଉଁ କେତେଜଣ ଏହାକୁ ବଞ୍ଚାଇ ରଖିଛନ୍ତି ସେମାନଙ୍କ ପରିବାର ଅବସ୍ଥା ଦୟନୀୟ ହୋଇପଡ଼ିଛି। ତଥାପି ସେମାନେ ହାର ମାନି ନାହାନ୍ତି। ଦୁଃଖକଷ୍ଟରେ ପରିବାର ଚଳାଉଛନ୍ତି। ଏମିତି ଜଣେ କଳାକାର ହେଉଛନ୍ତି ଭଦ୍ରକ ଜିଲ୍ଲା ଉତ୍ତରବାହିନୀ ଗାଁର କୁଳମଣୀ ନାଥ। ନିଜର ସ୍ୱଳ୍ପ ରୋଜଗାରରେ ୮ ପ୍ରାଣୀ କୁଟୁମ୍ୱ ଚଳାଉଛନ୍ତି। ଅଷ୍ଟମ ପାଠ ପାସ୍ ପରେ କିଛି ଦିନ ମଞ୍ଚରେ ଅଭିନୟ କରିଥିଲେ। ପରେ ଗୁରୁ ଧନେଶ୍ୱର ଦାସଙ୍କଠାରୁ ଧୁଡୁକି ବଜାଇବା ଶିଖି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପଲ୍ଲିଗୀତ ପରିବେଷଣ କରୁଛନ୍ତି। ସେ ହେଉଛନ୍ତି ଆକାଶବାଣୀ କେନ୍ଦ୍ରର ଏ-ଗ୍ରେଡ୍ ଧୁଡୁକି ବାଦକ। ଏହାଛଡ଼ା ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରନ୍ତି। ଏପରିକି ତରଙ୍ଗ ଚ୍ୟାନେଲରେ ପ୍ରସାରିତ ଗାଁ ଆଖଡ଼ାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି।
ଓଡ଼ିଶାରେ ଏହି ବାଦ୍ୟର ଆଦର ନଥିଲେ ମଧ୍ୟ ବାହାର ରାଜ୍ୟରେ ଅଛି। ସେଥିପାଇଁ କୋଲକାତା ଓ ଆନ୍ଧ୍ରପ୍ରଦେଶ ଯାଇ ତାଙ୍କ ଭାଷାରେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଏଥିପାଇଁ ସେ ବଙ୍ଗାଳା ଓ ତେଲଗୁ ଭାଷା କ୍ୟାସେଟ୍ ମଗାଇ ତାକୁ ଶୁଣି ଧୁଡୁକି ସ୍କେଲରେ ପକାଇ ଗୀତ ଗାଇଥାନ୍ତି। ଏହି ସବୁ ଗୀତ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଓ ଶରୀର ତତ୍ତ୍ୱ ସମ୍ପର୍କରେ ବାର୍ତ୍ତା ରହିଥାଏ।
ବର୍ଷରେ ଦୁଇ ମାସ କୁଆଁର ପୂର୍ଣ୍ଣିମାଠାରୁ କାର୍ତ୍ତିକ ପୂର୍ଣ୍ଣି ଓ ଶିବରାତ୍ରି ସମୟରେ ଗାଁକୁ ଗାଁ ବୁଲି ସେ ଧୁଡୁକି ବଜାନ୍ତି। ଅନ୍ୟ ସମୟରେ ନିଜର ଅନ୍ୟାନ୍ୟ କାର୍ଯ୍ୟକ୍ରମ କରିବା ସହିତ ଟ୍ରେନ୍ରେ ଧୁଡୁକି ବଜାନ୍ତି। ସେ କୁହନ୍ତି, “ଦିନ କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ରେ ଚଢ଼ି ଧୁଡ଼ୁକି ବଜାଇ ଭୀମ ଭୋଇଙ୍କ ତତ୍ତ୍ୱଭରା ଗୀତ ‘ଉଦ୍ଧବ ହେ ଶୁଣ ବିପରୀତ ବାଣୀ, ବିଲରେ କଙ୍କଡ଼ା ମାଦଳ ବଜାନ୍ତି ବେଙ୍ଗ ଦେଲେ ହୁଳହୁଳି’ ଗାଉଥିଲେ।। ଲୋକେ ମୋ ଗୀତ ଶୁଣି ଖୁସି ହୋଇ ପଇସା ଦେଉଥିଲେ। ଭଲ ରୋଜଗାର ମଧ୍ୟ ହୋଇଥିଲା। ବାଲେଶ୍ୱର ଷ୍ଟେସନ୍ରେ ମୋତେ ଚୋର ବୋଲି କହି ସୁରକ୍ଷା କର୍ମୀମାନେ ଅଟକ ରଖିଥିଲେ। ଯେତେ ଗୁହାରି ହେଲେ ମଧ୍ୟ ଛାଡ଼ିନଥିଲେ। ପରେ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ମୋ ସମ୍ପର୍କରେ ପଚାରିବାରୁ ମୁଁ ତାଙ୍କୁ ଗୀତ ଗାଇ ଶୁଣାଇ ଥିଲି। ତା’ପରେ ସେମାନେ ମୋତେ ଛାଡିଥିଲେ। ସେହି ଦିନଠାରୁ କିଛି ଅସୁବିଧା ହୋଇନି। ପ୍ରାୟତଃ ସବୁ ଟ୍ରେନ୍ରେ ଚଢ଼ି ଗୀତ ଗାଉଛି।”
ସେ କହିଛନ୍ତି,“ଦୁର୍ଭାଗ୍ୟର ବିଷୟ ଧୁଡୁକି ବାଦ୍ୟକୁ ଓଡ଼ିଶାରେ ସ୍ୱୀକୃତି ମିଳି ନାହିଁ। ହେଲେ କୋଲକାତାରେ ଏହି ବାଦ୍ୟକୁ ସ୍ୱୀକୃତି ମିଳିଛି। ରାଜ୍ୟ ସରକାର ଏହାକୁ ସ୍ୱୀକୃତି ଦେଇ ଉନ୍ନତି ପାଇଁ କିଛି ପଦକ୍ଷେପ ନେଲେ ଭଲ ହୁଅନ୍ତା। ଏପରି ହେଲେ ଏହାକୁ ଜୀବନ ଜୀବିକା କରିଥିବା କଳାକାରଙ୍କ ଆର୍ଥିକ ଉନ୍ନତି ହୋଇପାରିବ। ଏହାସହ ଲୋକଲୋଚନରୁ ଦୂରେଇ ଯାଉଥିବା ଲୋକ କଳା ଓ ଲୋକ ଗୀତର ମଧ୍ୟ ଉତ୍ଥାନ ହୋଇପାରିବ।”
ଉପସ୍ଥାପନା: ମନୋରଞ୍ଜନ ଶିଅଳ