ଅଭିନୟ, ଗ୍ଲାମର୍, ଲୋକପ୍ରିୟତା ଛାଡ଼ି ସାଧନାରେ ମଗ୍ନ 'ଶ୍ରୀକୃଷ୍ଣ'

ଋଷିକେଶ: ପୌରାଣିକ ନାଟକ, ଚଳଚ୍ଚିତ୍ର ତଥା ଧାରାବାହିକଗୁଡ଼ିକୁ ଭାରତୀୟ ଦର୍ଶକ ସବୁବେଳେ ନିଜର ଭଲପାଇବା ଅଜାଡ଼ି ଦେଇଛନ୍ତି। ଏପଟେ ଦର୍ଶକଙ୍କ ଭାବାବେଗକୁ ସ୍ପର୍ଷ କରିବା ଲାଗି କଳାକାରମାନେ ମଧ୍ୟ ନିଜକୁ ମଗ୍ନ କରି ପ୍ରାଣ ପଣେ ଚେଷ୍ଟା କରିଥାନ୍ତି। ଯେତେବେଳେ ରାମଲୀଳା ମଞ୍ଚସ୍ଥ ହୁଏ ରାମ, ଲକ୍ଷଣଙ୍କ ଚରିତ୍ରରେ ଅଭିନୟ କରୁଥିବା କଳାକାରମାନେ ବାସ୍ତବରେ ପୌରାଣିକ ଚରିତ୍ରଗୁଡ଼ିକୁ ବଞ୍ଚୁଥିବା ଅନେକ ଥର ଦେଖିବାକୁ ମିଳିଥାଏ। ଟିଭି ଧାରାବାହିକ ରାମୟଣରେ ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଅରୁଣ […]

sarvadaman

Pragnya Choudhury
  • Published: Thursday, 07 May 2020
  • , Updated: 07 May 2020, 02:59 PM IST

ଋଷିକେଶ: ପୌରାଣିକ ନାଟକ, ଚଳଚ୍ଚିତ୍ର ତଥା ଧାରାବାହିକଗୁଡ଼ିକୁ ଭାରତୀୟ ଦର୍ଶକ ସବୁବେଳେ ନିଜର ଭଲପାଇବା ଅଜାଡ଼ି ଦେଇଛନ୍ତି। ଏପଟେ ଦର୍ଶକଙ୍କ ଭାବାବେଗକୁ ସ୍ପର୍ଷ କରିବା ଲାଗି କଳାକାରମାନେ ମଧ୍ୟ ନିଜକୁ ମଗ୍ନ କରି ପ୍ରାଣ ପଣେ ଚେଷ୍ଟା କରିଥାନ୍ତି। ଯେତେବେଳେ ରାମଲୀଳା ମଞ୍ଚସ୍ଥ ହୁଏ ରାମ, ଲକ୍ଷଣଙ୍କ ଚରିତ୍ରରେ ଅଭିନୟ କରୁଥିବା କଳାକାରମାନେ ବାସ୍ତବରେ ପୌରାଣିକ ଚରିତ୍ରଗୁଡ଼ିକୁ ବଞ୍ଚୁଥିବା ଅନେକ ଥର ଦେଖିବାକୁ ମିଳିଥାଏ। ଟିଭି ଧାରାବାହିକ ରାମୟଣରେ ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଅରୁଣ ଗୋଭିଲ ହୁଅନ୍ତୁ ବା ମହାଭାରତର ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା ନୀତିଶ ଭାରଦ୍ୱାଜ୍। ଏମାନଙ୍କ ଚରିତ୍ର, ଆଚରଣରେ ଆଜି ବି ସରଳତା ଓ ଗମ୍ଭୀରତା ବାରି ହୋଇପଡ଼ୁଛି। ଗୋଟିଏ ସମୟରେ ଦର୍ଶକେ ଏମାନଙ୍କୁ ସ୍ୱୟଂ ରାମ, କୃଷ୍ଣ ବୋଲି ବିଚାରି ନେଇଥିଲେ।

ପ୍ରକାଶ ଯେ, ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଧାରାବାହିକ 'ଶ୍ରୀକୃଷ୍ଣ'ର ବର୍ତ୍ତମାନ ଟିଭିରେ ପୁନଃପ୍ରସାରଣ କରାଯାଉଛି। ଏଥିରେ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ ସର୍ବଦମନ ଡି. ବାନାର୍ଜୀ। ଶ୍ରୀକୃଷ୍ଣ ଚରିତ୍ରକୁ ଦର୍ଶକଙ୍କଠାରେ ଜୀବନ୍ତ କରି ପହଞ୍ଚାଇବାକୁ ଟିକିଏ ଅବହେଳା କରି ନ ଥିଲେ ସେ। କିନ୍ତୁ ଧାରାବାହିକ ସରିବା ଭିତରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ବର୍ତ୍ତମାନ ସେ ଋଷିକେଶରେ ଏକାକୀ ଜୀବନଯାପନ କରୁଛନ୍ତି।

୧୯୯୩ରୁ ୨୦୦୦ ମଧ୍ୟରେ ଦୂରଦର୍ଶନରେ ପ୍ରସାରିତ 'ଶ୍ରୀକୃଷ୍ଣ' ଧାରାବାହିକ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିଲା। ଏବେ କରୋନା ମୁକାବିଲା ଲାଗି ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ 'ଶ୍ରୀକୃଷ୍ଣ' ପୁନଃ ପ୍ରସାରଣ କରାଯାଉଛି। ହେଲେ ସର୍ବଦମନ ଏସବୁଠାରୁ ଦୂରରେ ନିଜର ଯୋଗ, ଆଧ୍ୟାତ୍ମ, ଜନସେବା ଦୁନିଆରେ ମଗ୍ନ ଅଛନ୍ତି। କାନପୁରରେ ଏକ ବଙ୍ଗାଳୀ ହିନ୍ଦୁ ବ୍ରାହ୍ମଣ ପରିବାରରେ ଜନ୍ମିତ ସର୍ବଦମନଙ୍କୁ ଏବେ ମାତ୍ର ୫୬ ବର୍ଷ ବୟସ। ସେ ଅନେକ ବର୍ଷ ହେଲା ତୀର୍ଥଧାମ ଋଷିକେଷକୁ ନିଜର ତପୋଭୂମି ଆଉ କର୍ମଭୂମି ମାନିସାରିଛନ୍ତି। ସମସ୍ତଙ୍କଠାରୁ ଦୂରରେ ରହି ସର୍ବଦମନ ଏକ ଆଧ୍ୟାତ୍ମିକ ଜୀବନ ଜୀଉଁଛନ୍ତି। ଏହାସହ ଗରୀବ ପିଲାଙ୍କ ପାଇଁ ଦେୟମୁକ୍ତ ସ୍କୁଲ 'ପଙ୍ଖ'ର ପରିଚାଳନା କରୁଛନ୍ତି।

ପୁଣେ ଫିଲ୍ମ ଇନଷ୍ଟିଚ୍ୟୁଟରୁ ସ୍ନାତକ କରି ଅଭିନୟ ଦୁନିଆରେ ସଫଳତାର ସ୍ୱାଦ ଚାଖିଥିବା ସର୍ବଦମନ ଅଭିନୟ ଦୁନିଆରୁ ଅବସର ନେବା ପରେ କେବେ ପଛକୁ ବୁଲି ଚାହିଁ ନାହାନ୍ତି। ଜଣେ ସାଧକର ଜୀବନ ଜୀଉଁଥିବା ସର୍ବଦମନ ଏବେ ଆଉ ନିଜ ଅତୀତ ଜୀବନକୁ ମନେ ପକାଇବାକୁ ଚାହୁ ନାହାନ୍ତି। ଏବେ 'ଶ୍ରୀକୃଷ୍ଣ' ଧାରାବାହିକ ପୁନଃପ୍ରସାରିତ ହେଉଥିବା ବେଳେ ପ୍ରଶଂସକ ତାଙ୍କୁ ଝୁରୁଛନ୍ତି। ହେଲେ ଏସବୁ ଠାରୁ ସର୍ବଦମନ ଅନେକ ଦୂରରେ...

ଚଳିତବର୍ଷ ସର୍ବଦମନ ଋଷିକେଶଠାରେ 'ଲାଇଟ୍ ହାଉସ୍ ମେଡିଟେସନ ସେଣ୍ଟର' ନାମକ ଏକ ଧ୍ୟାନକେନ୍ଦ୍ର ଖୋଲିଛନ୍ତି। ଏହାକୁ ସେ 'ପଙ୍ଖ'ରେ ପଢ଼ୁଥିବା ଗରୀବ ପିଲାମାନଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ସାରା ଭାରତର ପ୍ରିୟ କୃଷ୍ଣ ସର୍ବଦମନଙ୍କ ତମାମ ଦିନ ଆଜି ଯୋଗ, ଆଧ୍ୟାତ୍ମ ଏବଂ ସେବାକାର୍ଯ୍ୟରେ କଟୁଛି। କେବେ ସ୍କୁଲରେ ପିଲାଙ୍କ ସହ, କେବେ ଗଙ୍ଗା କୂଳରେ ନ ହେଲେ ଜଙ୍ଗଲରେ ଧ୍ୟାନ, ଉପାସନା କରିବା ହିଁ ତାଙ୍କର ଦିନଚର୍ଯ୍ୟା। ଲକଡାଉନ ସମୟରେ ସେ ସରକାରଙ୍କ ପ୍ରତ୍ୟେକ ନିର୍ଦ୍ଦେଶକୁ ପାଳନ କରିବା ସହ ସ୍କୁଲ ବି ବନ୍ଦ ରଖିଛନ୍ତି।

ଗ୍ଲାମର ଦୁନିଆର ଶୀର୍ଷରେ ପହଞ୍ଚିବା ପରେ କୌଣସି ତାରକା ନିଜ ଜୀବନକୁ ଏଭଳି ପରିବର୍ତ୍ତନ କରିଦେଇଥିବା କ୍ୱଚିତ୍ ଦେଖିବାକୁ ମିଳିପାରେ। ନିଜ ଜୀବନ୍ତ ଅଭିନୟ କୌଶଳ ଦ୍ୱାରା ସର୍ବଦମନ ସେତେବେଳେ ଦର୍ଶକଙ୍କ ହୃଦୟ ଜିତିବା ସହ ଅଭିନୟ ଜଗତରେ ଏକ ବିଶେଷ ପରିଚୟ ସୃଷ୍ଟି କରିପାରିଥିଲେ। ସେ ଧାରାବାହିକ ଅର୍ଜୁନ, ଜୟ ଗଙ୍ଗା ମୈୟା, ଓମ୍ ନମଃ ଶିବାୟ ବ୍ୟତୀୟ ଆଦି ଶଙ୍କରାଚାର୍ଯ୍ୟ ବଲ୍ଲଭାଚାର୍ଯ୍ୟ ଗୁରୁ, ଶ୍ରୀ ଦତ୍ତା ଦର୍ଶନମ୍, ସ୍ୱାମୀ ବିବେକାନନ୍ଦ ଆଦିରେ ଅତୁଳନୀୟ ଅଭିନୟ କରିଛନ୍ତି। ହେଲେ ଗ୍ଲାମର, ଲୋକପ୍ରିୟତା, ଚର୍ଚ୍ଚା ବାସ୍ତବ ଜୀବନର ଉଦ୍ଦେଶ୍ୟ ବା ସୁଖ ନୁହେଁ ବୋଲି ବିଚାର କରି ନିଜ ଜୀବନକୁ ଆତ୍ମକଲ୍ୟାଣ, ଜନସେବା, ଗଙ୍ଗା ଓ ପରିବେଶକୁ ସମର୍ପଣ କରିଦେଲେ ସମସ୍ତଙ୍କ ପ୍ରିୟ ସର୍ବଦମନ।

ସର୍ବଦମନ ହେଉଛନ୍ତି ଜଣେ ଶିବ ଉପାସକ। ଶ୍ରୀକୃଷ୍ଣ ଚରିତ୍ରରେ ଅଭିନୟ କରିବା ଭଗବାନଙ୍କ ପ୍ରେରଣାରୁ ସମ୍ଭବ ହେଲା ବୋଲି ସେ କୁହନ୍ତି। ସେ ପ୍ରଥମେ 'ଶ୍ରୀକୃଷ୍ଣ' ଧାରାବାହିକରେ କାମ କରିବାକୁ ଚାହୁଁ ନ ଥିଲେ। ଏନେଇ ବିଚାର କରିବାକୁ ରାମାନନ୍ଦ ସାଗରଙ୍କୁ ସେ ଦଶ ଦିନ ସମୟ ମାଗିଥିଲେ। ଅଷ୍ଠମ ଦିନରେ ସେ ଅଟୋ ରିକ୍ସାରେ ବସି ଗନ୍ତବ୍ୟ ପଥରେ ଯିବା ବେଳେ ରାସ୍ତାରେ ସମୁଦ୍ରର ଲହରୀ ଉପରେ ଭଗବାନ କୃଷ୍ଣ ନୃତ୍ୟ କରୁଥିବା ସେ ଦେଖିଲେ। ଏହା ଦେଖିବା ପରେ ଅଟୋରେ ସେ ଅଚେତ୍ ହୋଇ ପଡ଼ିଗଲେ। ଚେତା ଫେରିବା ପରେ ତୁରନ୍ତ ରାମାନନ୍ଦ ସାଗରଙ୍କ ଘରକୁ ନେଇଯିବାକୁ ଅଟୋ ଚାଳକଙ୍କୁ ସେ କହିଥିଲେ। ଆଉ ତା'ପରେ ସେ ଶ୍ରୀକୃଷ୍ଣ ଭାବେ ଘରେ ଘରେ ପରିଚୟ ପାଇଲେ।

ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ସ୍ଥିତି ବାବଦରେ ସର୍ବଦମନ କୁହନ୍ତି ଯେ, ଯେଉଁମାନେ ପ୍ରକୃତି ବିରୁଦ୍ଧରେ କାମ କରୁଛନ୍ତି। ସେମାନଙ୍କ ପାଇଁ କରୋନା ପ୍ରକୋପ ଏକ ଶିକ୍ଷା। ପରିବେଶକୁ କ୍ଷତି ପହଞ୍ଚାଇବା ଭଳି ବ୍ୟକ୍ତିର ବୈଚାରିକ, ଚାରିତ୍ରିକ ତଥା ସାମାଜିକ ପତନ ମଧ୍ୟ ପ୍ରକୃତି ବିରୁଦ୍ଧ ଅଟେ। ମନୁଷ୍ୟକୁ ବଞ୍ଚିବାକୁ ହେଲେ ପ୍ରକୃତି ଦେଇଥିବା ଆଦର୍ଶ ବିରୁଦ୍ଧରେ କାମ କରିବାରୁ ନିଜକୁ ନିବୃତ ରଖିବା ଉଚିତ୍।

Related story