ପ୍ୟାରିସ୍ (ଓଡ଼ିଶା ରିପୋର୍ଟର): ଶୀର୍ଷକଟି ପଢିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଅବା ହସ ବି ଲାଗୁଥାଇପାରେ। ଯେଉଁ ଛେଳିକୁ ଲକ୍ଷ ଲକ୍ଷ ଲୋକ ଖାଦ୍ୟ ଭାବରେ ଗ୍ରହଣ କରୁଛନ୍ତି, ସେ କେବେଠୁ ମଣିଷଙ୍କ ମୁହଁର ଭାଷା ପଢ଼ିଲାଣି। କିନ୍ତୁ ଏହା ସତ। ଏକ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
ଛେଳି ଆପଣଙ୍କ ମୁହଁରୁ ଜାଣିପାରିବ, ଆପଣ ଖୁସିରେ ଅଛନ୍ତି ନା ଦୁଃଖରେ। ଆପଣଙ୍କ କାର୍ଯ୍ୟକଳାପ ଏବଂ ଫଟୋକୁ ଦେଖି ମଧ୍ୟ ଛେଳି ଏହା ଜାଣିପାରିବ।
ୟୁରୋପ ଏବଂ ବ୍ରାଜିଲ୍ର ଗବେଷକମାନେ ୨୦ଟି ଗୃହପାଳିତ ଛେଳିଙ୍କୁ ନେଇ ଏକ ଗବେଷଣା କରିଥିଲେ। ସେଥିରେ ଛେଳିଙ୍କୁ ଗୋଟିଏ ଲୋକର ଫଟୋ ଦେଖାଯାଇଥିଲା।
ଗୋଟିଏ ଫଟୋରେ ଜଣେ ବ୍ୟକ୍ତି ଖୁସିରେ ଥିବାବେଳେ ଅନ୍ୟ ଫଟୋଟିରେ ସେହି ବ୍ୟକ୍ତି ରାଗିଥିବା ଦେଖାଯାଇଥିଲା। ଏହି ଦୁଇଟି ଫଟୋରୁ ଛେଳିମାନେ ସଂପୃକ୍ତ ବ୍ୟକ୍ତିଙ୍କ ଖୁସି ଥିବା ଫଟୋକୁ ଅଧିକ ପସନ୍ଦ କରିବା ସହିତ ଫଟୋଟିକୁ ଛୁଇଁବାକୁ ମଧ୍ୟ ଚେଷ୍ଟା କରିଥିଲେ।
ଏହାର ଅର୍ଥ, ଛେଳିମାନେ ସଂପୃକ୍ତ ବ୍ୟକ୍ତିଙ୍କ ଖୁସି ମୁହୂର୍ତ୍ତର ଫଟୋ ନିକଟରେ ପାଖାପାଖି ୫୦ ଭାଗରୁ ଅଧିକ ସମୟ ଅତିବାହିତ କରିଥିଲେ।
ଛେଳି ମଣିଷର ଚେହେରା ପଢ଼ି ପାରୁଥିବା ସମ୍ପର୍କିତ ଗବେଷଣାର ପ୍ରଥମ ପ୍ରମାଣ ରିପୋର୍ଟ 'ରୟାଲ୍ ସୋସାଇଟି ଓପନ୍ ସାଇନ୍ସ' ଜର୍ଣ୍ଣାଲ୍ରେ ପ୍ରକାଶ ପାଇଛି।