କ୍ଲାସ୍‌ ରୁମ୍ ପାଲଟିଛି ହଷ୍ଟେଲ୍‌

ମୁନିଗୁଡ଼ା (ନନ୍ଦକିଶୋର ପଟ୍ଟନାୟକ): ସରକାର ଆଦିବାସୀ ଓ ହରିଜନ ପିଲାଙ୍କୁ ସ୍କୁଲ୍‌ ମୁହାଁ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବ ଚିତ୍ର ଅଲଗା। କେଉଁଠି ହଷ୍ଚେଲ୍‌ ପାଇଁ କୋଠା ତିଆରି ହୋଇ ଉଦ୍‌ଘାଟନ ହୋଇପାରୁ ନି ତ’ ଆଉ କେଉଁଠି କ୍ଲାସ୍ ରୁମ୍ ପାଲଟିଛି ହଷ୍ଚେଲ୍। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ହେମ୍ବୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏହି ସ୍କୁଲ୍ ୧୯୭୧ ମସିହାରେ ସ୍ଥାପିତ ହୋଇଥିଲା। ଏଠି ପ୍ରଥମରୁ ଅଷ୍ଟମ […]

student

Jyoshna Pradhan
  • Published: Tuesday, 14 January 2020
  • , Updated: 15 January 2020, 11:37 AM IST

ମୁନିଗୁଡ଼ା (ନନ୍ଦକିଶୋର ପଟ୍ଟନାୟକ): ସରକାର ଆଦିବାସୀ ଓ ହରିଜନ ପିଲାଙ୍କୁ ସ୍କୁଲ୍‌ ମୁହାଁ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବ ଚିତ୍ର ଅଲଗା। କେଉଁଠି ହଷ୍ଚେଲ୍‌ ପାଇଁ କୋଠା ତିଆରି ହୋଇ ଉଦ୍‌ଘାଟନ ହୋଇପାରୁ ନି ତ’ ଆଉ କେଉଁଠି କ୍ଲାସ୍ ରୁମ୍ ପାଲଟିଛି ହଷ୍ଚେଲ୍। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ହେମ୍ବୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

ଏହି ସ୍କୁଲ୍ ୧୯୭୧ ମସିହାରେ ସ୍ଥାପିତ ହୋଇଥିଲା। ଏଠି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୫୨ ଜଣ ଛାତ୍ର ପଢ଼ନ୍ତି। ସେମାନଙ୍କ ମଧ୍ୟରୁ ୪୦ ଜଣ ସ୍କୁଲ୍‌ରେ ରହନ୍ତି। ତେବେ ହଷ୍ଟେଲ୍ ନଥିବାରୁ ସେମାନେ ଶ୍ରେଣୀଗୃହରେ ରହୁଛନ୍ତି।

ପୂର୍ବରୁ ଏ ସ୍କୁଲ୍‌ରେ ହଷ୍ଟେଲ୍‌ ଥିଲେ। ତେବେ ତାହା ଭାଙ୍ଗିରୁଜି ଯାଇଥିଲା। ହଷ୍ଟେଲ୍‌ଟିର ଅବସ୍ଥା ଏମିତି ହୋଇଥିଲା ଯେ କୌଣସି ବିପଦ ଘଟିବା ଆଗରୁ ସ୍କୁଲ୍ କମିଟି ଏହାକୁ ଭାଙ୍ଗି ଦେବାକୁ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ୨୦୧୬ ମସିହା ନଭେମ୍ବର ୨୦ ତାରିଖରେ କମି଼ଟି ଏନେଇ ଅନୁମତି ଦେବାକୁ ଶିକ୍ଷା ବିଭାଗକୁ ଚିଠି ଲେଖିଥିଲା। ସେଠାରୁ ଅନୁମତି ମିଳିବା ପରେ ହଷ୍ଟେଲ୍‌ଟିକୁ ଭାଙ୍ଗି ଦିଆଯାଇଥିଲା। ହେଲେ ୟା ଭିତରେ ତିନି ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ନୂତନ ହଷ୍ଟେଲ୍ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ପିଲାମାନେ ଶ୍ରେଣୀଗୃହରେ ରହୁଛନ୍ତି। ପୁଣି ୪୦ ପିଲାଙ୍କ ପାଇଁ ମାତ୍ର ୨୦ଟି ବେଡ୍ ଥିବା ବେଳେ ଦୁଇଟି ବାଥ୍‌ରୁମ୍ ଓ ପାଇଖାନା ରହିଛି। ଫଳରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସ୍କୁଲର ଜଣେ ଛାତ୍ର କହିଛନ୍ତି,“ ସ୍କୁଲରେ ହଷ୍ଟେଲ ନଥିବାରୁ କ୍ଲାସ୍‌ ରୁମ୍‌ରେ ହିଁ ଆମେ ଶୋଉଛୁ। ଏଠି ହଷ୍ଟେଲ ତିଆରି କରାଗଲେ ଭଲ ହୁଅନ୍ତା।”

ସ୍କୁଲର ଆଉ ଏକ ସମସ୍ୟା ହେଉଛି ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ମାତ୍ର ୪ଟି ଶ୍ରେଣୀ ଗୃହ ରହିଛି। ସେଥିରୁ ଦୁଇଟିରେ ଛାତ୍ରମାନେ ରହୁଛନ୍ତି। ଫଳରେ ସେଥିରେ ପାଠପଢ଼ା ହୋଇପାରୁ ନାହିଁ। ବାକି ଦୁଇଟି ଶ୍ରେଣୀ ଗୃହରେ ଆଠଟି ଯାକ ଶ୍ରେଣୀ ଚାଲିଛି। ତେଣୁ ପାଠପଢ଼ାରେ ଭାରି ଅସୁବିଧା ହେଉଛି। ଏନେଇ ସ୍କୁଲ କର୍ତ୍ତୃପକ୍ଷ ବାରମ୍ୱାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ହେଁ କିଛି ସୁଫଳ ମିଳିନି।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶେଖର ବିଭାର କହିଛନ୍ତି, “ପୂର୍ବରୁ ଏଠି ହଷ୍ଟେଲ ଥିଲା। ହେଲେ ହଷ୍ଟେଲର ଅବସ୍ଥା ଜରାଜୀର୍ଣ୍ଣ ହେବାରୁ ଭାଙ୍ଗି ଦିଆଗଲା। ଏବେ ପିଲାମାନେ କ୍ଲାସ୍‌ ରୁମ୍‌ରେ ରହୁଛନ୍ତି। ସେଠି ପାଠ ପଢୁଛନ୍ତି, ଆଉ ରହୁଛନ୍ତି। ଶୀଘ୍ର ହଷ୍ଟେଲ ତିଆରି କରାଗଲେ ସୁବିଧା ହୁଅନ୍ତା ବୋଲି ଆମେ ଭାବୁଛୁ।”

ସ୍କୁଲ୍‌ର ଏ ସମସ୍ୟା ନେଇ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ପଚରାଯିବାରେ ଯଥାଶୀଘ୍ର ଏସବୁର ସମାଧାନ କରାଯିବ ବୋଲି କହିଛନ୍ତି।

Related story